ଶିବାଶିଷ ପାଢ଼ୀ
ମରିବା ପାଇଁ କେତେ ମିନିଟ ଦରକାର କି ? ହେଲେ ସେ ଅଳ୍ପ ସମୟର କଷ୍ଟକୁ ସ୍ମରଣ କରିଦେଲେ ଶୀତେଇ ଉଠୁଥିଲା ସାରା ଶରୀର । ପ୍ରତିକ୍ଷଣେ ମରୁଥିଲେ ବି ଏଇ ମରଣର ପୀଡ଼ାଠୁଁ ସେ ମରଣ ଯେ ବହୁଗୁଣା ପୀଡ଼ାଦାୟକ ଏ କଥାକୁ ଠିକ ଜାଣୁଥିଲେ ଅନିକେତବାବୁ ।
ରାଜ୍ୟର ଜଣେ ଜଣାଶୁଣା ପ୍ରଶାସକ । ହେଲେ ସମୟ ସରିସରି ଯାଉଥିଲା । ଅନ୍ୟ ଉପାୟ କିଛି ଦେଖା ଯାଉନଥିଲା । ମନ, ମସ୍ତିଷ୍କ କ’ଣ ହାତଗୋଡ଼ ବି ନିଜ ଆୟତ୍ତରେ ନଥିଲା । ବିଷମୟ ଲାଗୁଥିଲା ସବୁକିଛି । ଲାଗୁଥିଲା ଯେପରି କିଏ ହାତଗୋଡ଼ ବାନ୍ଧି କଣ୍ଟା ତାରରେ ପିଟି ଚାଲିଛି ଅବିରତ । ଦେହ ସାରା କ୍ଷତାକ୍ତ ହୋଇ ଝରି ଯାଉଛି ରକ୍ତ । ଅସହ୍ୟ ଯନ୍ତ୍ରଣାରେ ଫାଟି ପଡୁଛି ଶରୀର ।
ଟିକିଏ ଆଖି ବନ୍ଦ କଲେ ଆଖି ଆଗକୁ ଚାଲିଆସୁଛି ଭବିଷ୍ୟତର ଭୟାବହ ଚିତ୍ର । ହଠାତ ଖୋଲିଯାଉଛି ଆଖି ।
ଠିକ ସେତିକିବେଳେ କେଉଁଠି ଥାଏ ଯେ ରଙ୍ଗିରଙ୍ଗି ପାଖକୁ ଆସିଯାଏ ବର୍ଷକର ଝିଅ ସ୍ବିଟି । ଆହାଃ ! ବିଚାରି ଦୁନିଆଁ କ’ଣ, ବାପା କ’ଣ ଜାଣିବା ଆଗରୁ ହିଁ ଅନାଥ ହୋଇଯିବ ସେ – ମନକୁ ଆସି ଯାଉଥିଲା ଭାବନା । କାନ୍ଦି ଉଠୁଥିଲା ହୃଦୟ ଆଉ କାନ୍ଦି ଉଠୁଥିଲା ସମ୍ପୂର୍ଣ ଅସ୍ଥିତ୍ୱ ।
ହେଲେ ସବୁଠୁ କଷ୍ଟ ଥିଲା ସେସବୁ ଭାବନାକୁ ଲୁଚାଇ ରଖି ଉପରକୁ ସାମାନ୍ୟ ଦେଖେଇ ହେବା । ଚେଷ୍ଟା ତ ଜୋରଦାର କରୁଥିଲେ ହେଲେ ସେ ଚେଷ୍ଟା ବି କଷ୍ଟ ଦେଉଥିଲା ପ୍ରବଳ । ଆଗ୍ନେୟଗିରିରୁ ଉଦ୍ଗାରିତ ହେବାକୁ ଥିବା ଧୂଆଁ ଓ ଲାର୍ଭାକୁ ଚପାଇବାର ଶେଷ ଚେଷ୍ଟା କରୁଥିଲେ ସେ । ହେଲେ ଭାବନାକୁ ଲୁଚାଇବା ବି କ’ଣ ଏତେ ସହଜ ? ଅଙ୍କିତାଙ୍କ ଆଖିରେ ବାରମ୍ବାର ଧରା ପଡୁଥିଲେ ସେ ।
ଅଙ୍କିତା ଜାଣୁଥିଲେ କିଛି ଗୋଟିଏ ହୋଇଛି ଓ ଯାହା ବି ହୋଇଛି କିଛି ଗୁରୁତର ହୋଇଛି । ଥରେ ଦୁଇଥର ବୁଝାଇ ବି ଥିଲେ ସେ । ବାରମ୍ବାର ପଚାରିଥିଲେ ସେ । ହେଲେ କ’ଣ କହିବେ ? କେମିତି କହିବେ ଅନିକେତ ? ଚୁପ ରହିଥିଲେ ସେ ।
ବିରକ୍ତ ହୋଇ ଅଙ୍କିତା କହିଥିଲେ- “ଅଫିସର ଟେନସନକୁ ଅଫିସରେ ଛାଡିକି ଆସିବ ।“ ଭାବିଥିଲେ ଅଫିସରେ କିଛି ହୋଇଥିବ କିନ୍ତୁ କଥା ଯେ ଏତେ ଗୁରୁତର ସେ କଥାକୁ ଠଉରେଇ ପାରି ନଥିଲେ ଅଙ୍କିତା । କିନ୍ତୁ ନିଜକୁ ଆଉ ସମ୍ଭାଳି ପାରୁ ନଥିଲେ ଅନିକେତ । ନିଦ ତ କେବେଠୁଁ ତାଙ୍କୁ ଛାଡ଼ି ସାରିଥିଲା । ରାତ୍ରିର ନିଭୃତ ପ୍ରହରରେ ଏକା ବସିଥିଲେ ଛାତ ଉପରେ । ଆଖିରୁ ଝରୁଥିଲା ଲୁହ । ଭାବୁଥିଲେ ଶେଷ ନିଷ୍ପତ୍ତି ଆଗରୁ ଥରେ ଶେଷ ଚେଷ୍ଟା କରିବେ ସେ । ସବୁକିଛିକୁ କହିଦେବେ ଅଙ୍କିତାଙ୍କୁ । ହେଲେ କ’ଣ ଭାବିବ ଅଙ୍କିତା ? କେମିତି କହିବେ ସେ ? ଅଙ୍କିତା ଜାଣିଲେ ମା ଜାଣିବ, ଗାଁକୁ ଖବର ଯିବ । ଆଉ ମୁଣ୍ଡ କାମ କରୁ ନଥିଲା । କେତେ କଣ ଭାବି ଚାଲିଥିବାବେଳେ ହଠାତ କାହାର ହାତ ଛୁଆଁରେ ଚମକିଗଲେ ସେ । ଫେରି କି ଚାହିଁଥିଲେ ସାଙ୍ଗେସାଙ୍ଗ ।
କଣ ହୋଇଛି ? ମୋତେ ତ କହ ।
ଅଙ୍କିତାଙ୍କ ପଦଟିଏ କଥା ଯେମିତି କୋହର ଆଗ୍ନେୟଗିରି ପାଇଁ ଯଥେଷ୍ଟ ଥିଲା । ଅଙ୍କିତାଙ୍କ ପାଦତଳେ ବସିଗଲେ ଅନିକେତ । ଭୋଭୋ ହୋଇ କାନ୍ଦୁଥିଲେ ସେ । ଆଶ୍ଚର୍ଯ୍ୟ ହୋଇ ଘୁଞ୍ଚିଯାଇଥିଲେ ଅଙ୍କିତା । କଇଁକଇଁ ହୋଇ କାନ୍ଦି ଚାଲିଥିବା ଅନିକେତ କ’ଣ ସବୁ କହି ଚାଲିଥିଲେ । ତାଙ୍କ କଥାକୁ ଭଲ ଭାବେ ଶୁଣିଲେ ସେ ।
ହଠାତ ଲାଗିଲା ଯେପରି ଦୋହଲି ଯାଉଛି ଛାତ । କେଉଁଠୁ ହଠାତ ଆସିଯାଇଛି ଝଡ଼ବତାସ । କାରଣ ଥିଲା ଅନିକେତଙ୍କ କଥା । ମୁଣ୍ଡ ତଳକୁ କରି କହୁଥିଲେ- “ମୁଁ ପାପୀ ମୁଁ ଅପରାଧୀ ଅଙ୍କିତା ! ମୁଁ ବିଶ୍ୱାସଘାତକ ! ଏବେ ଯେଉଁ ଘଟଣା ରାଜ୍ୟକୁ ଉଠାଉଛି ପକାଉଛି ମୁଁ ବି ସେଠାକୁ ଯାଇଥିଲି ଥରେ ଆମ ସାରଙ୍କ ସହ ! କିଛି ଭୁଲ କରିନାହିଁ ଅଙ୍କିତା । କିନ୍ତୁ ଫୋଟୋ ଉଠାଇଛି ! ହେଲେ କିଏ ବିଶ୍ୱାସ କରିବ ! ହୋଇପାରେ କାଲି ମୋର ବି ଭିଡ଼ିଓ ଭାଇରଲ ହେବ ଅଙ୍କିତା ! ମୁଁ ବଞ୍ଚିବି କେମିତି ? ନିଜକୁ ଶେଷ କରିଦେବି ମୁଁ !”
ଗୋଟିଏ ମୁହୂର୍ତ୍ତରେ ଦେବତାରୁ ରାକ୍ଷସ ପାଲଟି ଯାଇଥିବା ମଣିଷଟି କାନ୍ଦୁଥିଲା ଅନବରତ । ଜଡ଼ ପାଲଟି ଯାଇଥିଲେ ଅଙ୍କିତା । ଜୀବନରେ ଏ ପ୍ରକାର ବି ସ୍ଥିତି କେବେ ଆସିପାରେ ଏକଥା କେବେ କଳ୍ପନା ବି କରି ନଥିଲେ ସେ । ଆଗତ ଭବିଷ୍ୟତ ସବୁ ଘୁରି ବୁଲୁଥିଲା ଆଖି ଆଗରେ । ଦୁର୍ଭାଗ୍ୟ ମୋତେ ଟାଣି ନେଇଥିଲା । ସେଇ ଗୋଟିଏ ଭୁଲ ମୋତେ ଶେଷ କରିଦେଲା ଅଙ୍କିତା । ମୁଁ ଶେଷ ହୋଇଯିବି ।
ଭୀଷଣ ଭାବେ ରାଗିବାକୁ ଚାହୁଁଥିଲେ ଅଙ୍କିତା, କିନ୍ତୁ କେଜାଣି କାହିଁକି ରାଗି ପାରୁନଥିଲେ ସେ । ଅଳ୍ପକ୍ଷଣ ପୂର୍ବର ରାକ୍ଷସ ପୁଣି ପାଲଟି ଯାଉଥିଲା ଏକ ନିରୀହ ଶିଶୁରେ । ରୂପାନ୍ତରିତ ଚାଲିଥିଲା ଏବଂ ଅଙ୍କିତା ବି ଅନୁଭବ କରୁଥିଲେ ସେ ରୂପାନ୍ତରଣକୁ । ନିଜ ନାରୀତ୍ୱ ପତ୍ନୀତ୍ୱ ଉପରେ ଭାରି ହୋଇ ଯାଉଥିଲା ମାତୃତ୍ୱ । ଅନିକେତଙ୍କ ହାତକୁ ଧରି, ଆକାଶକୁ ଚାହିଁ କେବଳ କହିଥିଲେ- “ମୁଁ ବିଶ୍ୱାସ କରୁଛି, ମୁଁ ଅଛି ।“ ଆଖିରୁ ଲୁହ ପୋଛୁଥିଲେ ସେ ।
ମୁଁ ଅଛି କେବଳ ଏତିକି ହିଁ ଯେମିତି କୁଆଡୁ ଆଣି ଆସିଥିଲା ଏତେ ଦମ୍ଭ ଜାଣି ପାରୁ ନଥିଲେ ଅନିକେତ । ଲାଗୁଥିଲା ଯେମିତି ସାରା ଦୁନିଆଁକୁ ଏବେ ସାମ୍ନା କରିପାରିବେ ସେ । ଶରତ ଆକାଶରେ ହସୁଥିଲେ ତାରାମାନେ ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ତିନୋଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ‘ସାରା ଆକାଶ’ ନାମକ ସଂକଳନ ପ୍ରକାଶିତ ହେବାକୁ ଯାଉଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!