ଦୁର୍ଯ୍ୟୋଧନ ସ୍ଵାଇଁ
ଚିରସବୁଜ “ଓମରରୁବାୟତ”
ସୁରା ସାକୀର ସେ ପ୍ରଣୟ ବିଧୁର କବିତା,
ପୂର୍ଣ୍ଣ ପିଆଲାର ତରଙ୍ଗେତରଙ୍ଗେ
ଆଜି ବି ମତୁଆଲା ଜୀବନର ବିବଶତା ।
ସେ ପ୍ରଣୟେ ନାହିଁ କାମନାର ଜ୍ଵାଳା
ସେ ତ ଜୀବନପାତ୍ରର ମଧୁ ମଦିରା,
ଜୀବନ ମରୁର ତପ୍ତ ସୈକତେ
ସେ ତ ବଞ୍ଚିବାର ମୃତ ସଞ୍ଜିବନୀ ସୁରା ।
ଜନମ ନୁହଁଇ ମରଣ ଗୀତିକା
ଜୀବନ ନୁହେଁ କେବେ ଯନ୍ତ୍ରଣାର ଜଉଘର,
ସେ ତ ମମତାର ମୁଗ୍ଧ ମଧୁଶାଳା
କ୍ଳାନ୍ତ ପଥିକ ଖୋଜେ ଏଠି ବଞ୍ଚିବାର ସ୍ଵର ।
ସକାଳ ପକ୍ଷୀର ମଧୁର କାକଳୀ
ସରସୀର ନୀଳକଇଁ, ସରଗର ଜୋଛନା,
ଶେଫାଳିର ହସ, ମଲ୍ଲିକାର ବାସ
ଇନ୍ଦ୍ରଧନୁର ସାତ ରଙ୍ଗ, ବଂଶୀର ମୂର୍ଚ୍ଛନା ..।
ନିଷ୍ଠାପ ଶିଶୁର ଖିଲିଖିଲି ହସ
ମାତୃ ସ୍ତନେ ସାଇତା ଅକ୍ଷୟ ଅମୃତଧାରା,
ପ୍ରେମ ରାଗେ ଗାଏ ସୃଷ୍ଟିର ସଙ୍ଗୀତ
ଜୀବନ୍ୟାସ ପାଏ ପ୍ରେମମୟଙ୍କ ବସୁନ୍ଧରା ।
ଦେଖ ସଖୀ ! ଉଇଁଲାଣି ସଞ୍ଜ ତାରା
ଦରଦ ଦିଏ ବିଗତ ତାରୁଣ୍ୟତାର ସ୍ୱର
ଚାଲ ଆଜି ଏହି ସାୟାହ୍ନ ବେଳାରେ
ଉଲ୍ଲାସେ ଗାଇବା ପ୍ରଣୟର ମେଘମହ୍ଲାର ।
ପର୍ଣ୍ଣକୁଟୀର ମୋ ସ୍ଵପ୍ନର ମହଲ
ତୁମେ ସାଜିବ ଶାହାଜାଦୀ ପ୍ରେମର ମୂରତି,
ହଜିଯିବା ଏ ଶୂନ୍ୟ ଆକାଶ କୋଳେ
ଗାଇଗାଇ ଜନ୍ମ-ମୃତ୍ୟୁର ଚିରନ୍ତନୀ ଗୀତି ।
ଭୁବନେଶ୍ଵର
ଲେଖକ ପରିଚୟ
ସାହିତ୍ୟ ପ୍ରତି ମୋର ଯଥେଷ୍ଟ ଦୁର୍ବଳତା ରହିଛି । ଛାତ୍ର ଜୀବନରୁ ଲେଖିବା ଆରମ୍ଭ କରିଛି । ଓଡ଼ିଆ ଗାଉଁଲି ଭାଷାରେ ଲେଖିବାକୁ ଭଲପାଏ । ପତ୍ରପତ୍ରିକାରେ ଲେଖା ଦେଇଥାଏ । ଶ୍ରୀମଦଭଗବତ ଗୀତା ଉପରେ କେତେକ ସନ୍ଦର୍ଭ ଲେଖିଛି । ପଦ୍ମଶ୍ରୀ ବାବା ବଳିଙ୍କର ପ୍ରତିଷ୍ଠିତ “ଅନନ୍ତ ପ୍ରଭା” ପତ୍ରିକାରେ ସେସବୁ ଧାବାହିକ ଭାବେ ପ୍ରକାଶ ପାଇଛି । ମୋ ମତରେ କବିତାର ଭାଷା ସରଳ ହେଉ । ଯାହା ସମସ୍ତଙ୍କର ବୋଧଗମ୍ୟ ହୋଇପାରିବ । ଲେଖାରେ ଓଡ଼ିଆ ଚାଲିଚଳଣୀ ଓ ପରମ୍ପରା ପ୍ରକାଶ ପାଉ । ପୁସ୍ତକ ସମୀକ୍ଷା ମୋର ଆଉ ଏକ ସଉକ୍ ।