ସତ୍ୟନାରାୟଣ ଗନ୍ତାୟତ

ଜନମିବା ମାନେ ଧରାବତରଣ କରିବା । ସେଇଠୁ ଜୀବନ ଯାତ୍ରାରମ୍ଭ ହୋଇଯାଏ । ଆଣ୍ଠେଇ ଗୁରୁଣ୍ଡି ଠିଆ ହେବାଦି ଦେଇ ଚଳମାନ ହୁଏ ଶିଶୁଟିଏ । ତା’ ହାତ ଧରି ଚାଲିବାର ଦମ୍ଭ ଦିଅନ୍ତି ବାପାମାଆ ଓ ପରିବାରର ବଡ଼ମାନେ । କ୍ରମେ ସେ ଚାଲେ ତା’ ଜୀବନର ଚଲାପଥରେ ।

ଜାଣ ଯେ ଜୀଇବା ମାନେ ଚାଲିବା । ନୋହିଲେ ନଚଳେ । କାରଣ ଏହି ମର୍ତ୍ତ୍ୟ ମଣ୍ଡଳରେ ଦେହ ବହି ଜନମିଥିବା ମଣିଷର ଜୀବନଯାତ୍ରା ଆକାଶେ ନୁହେଁ କି ପାତାଳେ ନୁହେଁ, ଏହି ଧୂସର ଧରଣୀ ବକ୍ଷରେ ହିଁ ସମ୍ପାଦିତ ହୁଏ । ତେଣୁ ଏହାର ଚଲାପଥ ମଧ୍ୟ ଭୂମି ଉପରେ ହିଁ ରହିବ । ତେଣୁ ତ’ ଲମ୍ବିଥାଏ ଜୀବନର ଚଲାପଥ । ହେଲେ ବର୍ଣ୍ଣିବା ପରି ଜୀବନର ଚଲାପଥ ନଥାଏ ସତତ ସୁଗମ । ଏଠେଇଁ କଥାଏ ମନକୁ ଆସେ ଯେ ଯଦି ଜୀବନ ଏକ ଯାତ୍ରା, ତେବେ ତହିଁରେ ଚାଲବୁଲ କରିବାର୍ଥେ ଯେଉଁ ପଥ ଥାଏ ତାହା ସୁଗମ ହୋଇଥିବା ନିହାତି ଜରୁରୀ ନୁହେଁ କି ? ହେଲେ ପିଲାବେଳୁ ହିଁ ତାହା ସେମିତି ହୋଇ ନଥିବା ଅନୁଭବ ହୋଇଯାଏ । ଏନେଇ କିଛି ବଖାଣିବା ଆଗରୁ ଆପଣ ଫେରିଯାଆନ୍ତୁ ପିଲାଦିନେ ପାଠ ବହିରେ ପଢିଥିବା ମଧୁବାବୁଙ୍କ ପିଲାଦିନ ସମ୍ପର୍କିତ “ତୁମ ପରି ଛୋଟ ପିଲାଟିଏ” ଗୀତରେ ସ୍କୁଲ ଯିବାବେଳେ କଚ୍ଚା ରାସ୍ତାରେ ଚାଲିଚାଲି ଯାଉଯାଉ କାଦୁଅରେ ଗୋଡ଼ ଖସି ଯାଆନ୍ତେ ସେ କେମିତି ଖସି ପଡ଼ି ଯାଇ ପାଣି କାଦୁଅରେ ସରସର ହୋଇ ଯାଇଥିଲେ ! ଏହି ଦୁରବସ୍ଥା ତାଙ୍କୁ ଏତେ ସରି କରିଥିଲା ଯେ ସେ ପିଲାଟିଏ ହୋଇଥିଲେ ହେଁ ଦଶହରା ଛୁଟିବେଳେ ସାଥୀ ପିଲାମାନଙ୍କୁ ନେଇ ରାସ୍ତା ସମତୁଲ କରି କାଳକାଳକୁ ଯଶ ରଖି ଯାଇଛନ୍ତି । ଏଥିରୁ ଆମେ ଏଇଆ ବୁଝୁଛୁ ଯେ ଆମ ଯାତ୍ରା ପଥ ବୋଇଲେ ରାସ୍ତା ଠିକଠାକ ନଥିବା ଗତାନୁଗତିକ ଭାବେ ରହି ଆସିଛି । ଏପରିକି କହିକହି ଥକିଯିବା ପରେ ବି କେହି ନଶୁଣିଲେ ନିଜ ଉଦ୍ୟମରେ ଲୋକେ ନିଜ ପାଇଁ ରାସ୍ତା ତିଆରିରେ ଲାଗି ପଡ଼ନ୍ତି ।

ହଁ, ଥରେ ନିର୍ମାଣ ହୋଇଗଲେ ହେଁ ରାସ୍ତାର ରକ୍ଷଣାବେକ୍ଷଣ ଲୋଡ଼ା ପଡ଼ିଥାଏ । ସେଥକୁ ଧ୍ୟାନ ବି ଥାଏ । ହେଲେ ସମସ୍ୟା ସେତେବେଳେ ହୁଏ ଯେତେବେଳେ ମଧ୍ୟେମଧ୍ୟେ ମରାମତି ହେବାସତ୍ତ୍ୱେ ପୁଣି କିଛିଦିନ ବା ମାସ ନପୂରୁଣୁ ପୁଣି ଯେବେ ନୂଆ ରାସ୍ତା ନିର୍ମାଣର ଆବଶ୍ୟକତା ଅନୁଭବ ହୁଏ । କାହିଁକି ସମସ୍ୟା ହେବ ନାହିଁ କହିଲେ ? ଏସନର ରାସ୍ତାରେ ଆରସନ ଆତଯାତ ହେବାବେଳକୁ କେତେ ଯେ ଦୁରବସ୍ଥା ଭୋଗିବାକୁ ହୁଏ ଆଉ ପଚାରନ୍ତୁ ନାହିଁ । ବାଟ ସାରା ଖାଲଖମା ଭର୍ତ୍ତି ହୋଇ ଯାଇଥାଏ ଓ ଚାଲବୁଲ ତଥା ଯାନବାହନଙ୍କ ଗମନାଗମନରେ ବହୁ ବାଧା ଉପୁଜିଥାଏ । ସୁଗମ ନହୋଇ ଏମିତି ଦୁର୍ଗମ ହୋଇଥିବା ଯାତ୍ରା ପଥରେ ପଦପାତ କରିବା ଆଗରୁ ପହିଲେ ଭଗବାନଙ୍କୁ ସ୍ମରଣ କରିବାକୁ ମନ କହେ । ତଦୁତ୍ତାରେ ଆପଦର ସାମନା କଲେ ଅଗତ୍ୟା ଆପଣା ଭାଗ୍ୟକୁ ନିନ୍ଦି ଅବଶେଷେ ଶଂସିତ ରାସ୍ତା ତିଆରି କରିଥିବା ଲୋକଙ୍କୁ ସୁମରି ସେମାନଙ୍କ ଉଦ୍ଦେଶ୍ୟରେ ନିଜର ଅସନ୍ତୋଷ ଜଣାଯାଏ । ଲୋକଙ୍କ ଦୂରବସ୍ଥା ଏତେ ବିପଜ୍ଜନକ ହୋଇଯାଏ ଯେ ରାସ୍ତାକୁ ମରଣଯନ୍ତା ସହ ବଡ଼ ଦୟନୀୟ ଭାବେ ତୁଳନା କରାଯାଏ । ପ୍ରତି ପଦପାତରେ ସତେଅବା ସଜିଲ୍ ହୋଇ ରହିଥାଏ ବିପତ୍ତି ହିଁ ବିପତ୍ତି ।

ତ’ ଏଥର ବି ଆଗଥର ପରି ବରବାଦ ହେବା ଅବଧାରିତ ବୋଲି ଜାଣିଥିବା ସତ୍ତ୍ୱେ ଭଲ ପକ୍କା ରାସ୍ତା ପାଇଁ ହୁଏ ପୁଣିଥରେ ବ୍ୟୟ ବରାଦ । ମହାଡ଼ମ୍ବରରେ ହୁଏ ଶିଳାନ୍ୟାସ । କାର୍ଯ୍ୟାରମ୍ଭ ହୁଏ । ରାସ୍ତା ତିଆରି ହୋଇଯାଏ । ହୁଏ ଏହାର ଉଦ୍‌ଘାଟନ ପର୍ବ । ଫଳକ ଲାଗେ । ଫଟୋ ସହ ଗଣ ମାଧ୍ୟମରେ ପ୍ରସାରଣ ହୁଏ । ହେଲେ ଲୋକେ କିଞ୍ଚିତ ଆଶ୍ୱସ୍ତ ହୋଇଥାନ୍ତି କି ନାହିଁ ଅଳ୍ପ ସମୟ ମଧ୍ୟରେ ନୂଆ ରାସ୍ତାରେ ଖାଲଖମା ଦେଖାଯାଏ । ଏହା ନିଶ୍ଚେ ବ୍ୟଥିତ କରିବା ଭଳି କଥା । ସୁତରାଂ ମନରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ : ଏହା କ’ଣ ପ୍ରକୃତରେ ରାସ୍ତା ନିର୍ମାଣ ଥିଲା, ନା ଥିଲା ରାସ୍ତା ନିର୍ମାଣ ନାମରେ ପୁନରପି ନିର୍ମାଣର ଏକ ଭିତିରିଆ ଫିସାଦି ?

ହେଲେ ଏଠି ରାସ୍ତାର ଭାଗ୍ୟ କେତେ ବିଡ଼ମ୍ବିତ ସତରେ ! ନିତ୍ୟ ନୂତନ ହୋଇ ରହିବା ତା’ ଭାଗ୍ୟରେ ହିଁ ନଥାଏ । ଫଳତଃ ନିର୍ମାଣ ବେଳର ଅବାଞ୍ଛିତ ତ୍ରୁଟି, ବ୍ୟବହୃତ ନିମ୍ନମାନର ସାମଗ୍ରୀ, ମଣିଷ କୃତ ଅବହେଳା ଓ ଅନୁଚିତ ଜଳ ନିଷ୍କାସନ ସମେତ ବହୁ ସମୟରେ ନିର୍ମାଣୋତ୍ତର ନିୟମିତ ରକ୍ଷଣାବେକ୍ଷଣର ଚରମ ଅଭାବାଦି କାରଣଙ୍କ ଅଦୌତି ଯୋଗୁଁ ନୂଆ ଗଢା ରାସ୍ତାଟି ଧୀରେଧୀରେ ପୁରୁଣା ହୋଇହୋଇ ଏକରକମ ଅକାଳ ବାର୍ଦ୍ଧକ୍ୟର କରୁଣ ଶିକାର ପାଲଟିଯାଏ ।

ରାସ୍ତା ସହ ଯୋଡ଼ି ହୋଇଯାଆନ୍ତି ଖାଲଖମା । ରାସ୍ତା ତିଆରି ପରି ଖାଲଖମା ପାଇଁ ବି ମଣିଷକୁ ହିଁ ଦାୟୀ କରିହେବ । କାରଣ ରାସ୍ତା ତିଆରି ହେବାକୁ ଯେମିତି ଅନାଇ ବସିଥାନ୍ତି ତାକୁ ପୁଣି ଖୋଳି ବିଦାରି ପକାଇବା ପାଇଁ ଅଚେତନ ପାଣି ପାଇପ୍ ବିଛାଇବା, ଟେଲିଫୋନ୍ କିମ୍ବା ଅନ୍ୟାନ୍ୟ ଯୋଗାଯୋଗ କେବୁଲ୍‌, ମଳ ନିଷ୍କାସନାର୍ଥେ ବ୍ୟବସ୍ଥାଙ୍କ ନାନାଦି ଆବଶ୍ୟକତା । ଏସବୁ ମିଶି ରାସ୍ତା ଖୋଳନ୍ତି ଓ ଖୋଳାଂଶ ଭରିବା ହୁଏତ ଭୁଲିଯା’ନ୍ତି ନତୁବା ଯାହିତାହି ଭାବେ ସାରିଦେଇ ଛୁ’ ମାରନ୍ତି । ତେଣିକି ଅନାଇ ଥାଅ, କେବେ ସେ ସୁଦିନ ଆସିବ ଯେବେ ଖୋଳାଂଶ ଭରାଯିବ । ସେତେବେଳ ଯାଏ ରାସ୍ତା ସେମିତି ଅସହାୟ ହୋଇ ପଡ଼ି ରହିଥାଏ ଖାଲଖମାଙ୍କୁ ତା’ ବକ୍ଷରେ ଧରି, ଭଗ୍ନ ହୃଦୟରେ ! ସାମାନ୍ୟ ସମନ୍ୱୟ, କିଞ୍ଚିତ ଦୂରଦୃଷ୍ଟି ଏବଂ ଆନ୍ତରିକ ଦାୟିତ୍ୱବୋଧର ଅଭାବରୁ ଏମିତି ରାସ୍ତା ଉପରେ ଚାଲି ରହିଥାଏ ଭଙ୍ଗାଗଢାର ଅଛିଣ୍ଡା ଲୀଳା ।

ଏହା ଭୋଗୁଥିବା ଲୋକମାନେ ଜବାବ ମାଗନ୍ତି ଯାହାର ଉତ୍ତର ବି ମିଳେ । ଏମିତି ଜବାବ ସୁଆଲ ଚାଲିଥାଏ । ହେଲେ ରାସ୍ତା ଦୁରବସ୍ଥା ଭୋଗି ସେମିତି ତା’ ଥାନାରେ ପଡ଼ି ରହିଥାଏ । ଖାଲଖମା ଆଁ କରି ଉପହାସ କରତଃ ତଥାପି ରହିଥାନ୍ତି । ଲୋକେ ଯେ ଥରକୁ ଥର ରାସ୍ତା ମରାମତି ନଚାହିଁ ରାସ୍ତା ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଚାହାଁନ୍ତି, ଏଥକୁ କାହାରି ହେଜ ନଥାଏ । ଫଳତଃ ଭବିଷ୍ୟତରେ ସେହି ଏକା ସମସ୍ୟାର ପୁନରାବୃତ୍ତି ନହେବାର ନିର୍ଭରଯୋଗ୍ୟ ଆଶ୍ୱାସନା ଟିକକ ମିଳେ ନାହିଁ । ଲାଗେ ଏହାର ସ୍ଥାୟୀ ସମାଧାନ ସତରେ ସୁଦୂର ପରାହତ ଅଟଇ ।

ତେବେ ରାସ୍ତା ସାର୍ବଜନୀନ । ତେଣୁ ଏହାର ରକ୍ଷଣାବେକ୍ଷଣ ଦିଗରେ ସଭିଙ୍କ କର୍ତ୍ତବ୍ୟ ରହିଛି, ଯାହା ସଭିଏଁ ମନେରଖିବା ଲୋଡ଼ା । ରାସ୍ତାକୁ ନିଜର ମଣି ଅନଧିକୃତ ଭାବରେ ଦଖଲ କରିବା, ନିର୍ମାଣ ସାମଗ୍ରୀ ରାସ୍ତା ଉପରେ ଅଯଥା ପକାଇ ରଖିବା, ଆବର୍ଜନା ଫିଙ୍ଗି ଜଳ ନିଷ୍କାସନ ପଥକୁ ଅବରୋଧ କରିବା, ନିର୍ମାଣାଧୀନ ରାସ୍ତାରେ ସୁରକ୍ଷା ନିୟମ ନମାନିବା ଭଳି ମଣିଷକୃତ ଦାୟିତ୍ୱହୀନତା ବି ରାସ୍ତାର ଦୁରବସ୍ଥା ପାଇଁ ବହୁଳାଂଶରେ ଦାୟୀ । ଅବଶ୍ୟ ନାଗରିକଙ୍କ ଏତାଦୃଶ କର୍ତ୍ତବ୍ୟ ହେଳାକୁ ଆଳ କରି ରାସ୍ତା ନିର୍ମାଣକାରୀଏ ନିଜ ଦାୟିତ୍ୱକୁ ଏଡ଼ାଇ ଦେଇପାରିବେ ନାହିଁ । ଯାତ୍ରୀ ରାସ୍ତାରେ ଚାଲିବା ସମୟରେ ସତର୍କ ତ’ ରହିବେ, କିନ୍ତୁ ଯେଉଁ ରାସ୍ତାଟି ତିଆରି ହୋଇଥିବ ତାହା ନିରାପଦ ଓ ଚଳନଯୋଗ୍ୟ ହୋଇଥିଲେ ସିନା ! ଏହି ଦାୟିତ୍ୱ ନିଶ୍ଚେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କର । ପାରସ୍ପରିକ ଦାୟିତ୍ୱ ନିର୍ବାହରେ ସନ୍ତୁଳନ ଏଦିଗରେ ଅତ୍ୟନ୍ତ ଜରୁରୀ ।

ଏନେଇ ଚିନ୍ତା ବ୍ୟକ୍ତ କରିବାବେଳେ ଆମକୁ କେବଳ ରାସ୍ତାରେ ପରିଦୃଷ୍ଟ ଖାଲଖମା କୈନ୍ଦ୍ରିକ ହୋଇ ନଯାଇ ତା’ସହ ବ୍ୟବସ୍ଥା ଭିତରେ ଲୁଚି ରହିଥିବା ଖାଲଖମାଙ୍କୁ ବି କେମିତି ତୁରିତେ ଭରି ହେବ ସେ ଦିଗରେ ମଧ୍ୟ ଚିନ୍ତନ ଓ କାର୍ଯ୍ୟାନ୍ୱୟନ କରାଯିବା ଆବଶ୍ୟକ । ଦାୟିତ୍ୱବୋଧ, ସ୍ୱଚ୍ଛତା, ନିୟମିତ ତଦାରଖ ଓ ସମନ୍ୱୟାଦି ଭିତ୍ତିକ କର୍ତ୍ତବ୍ୟ ସମ୍ପାଦନ ହିଁ ଆମ ଜୀବନର ଚଲାପଥ ରୂପୀ ରାସ୍ତାକୁ ସୁଗମ କରିପାରିବ ।

ଏମିତିରେ ପୁନରପି ପ୍ରସ୍ତୁତି ପୁନରପି ମରାମତି ଆଦୌ ବିକାଶ ନୁହେଁ । ବରଂ ବିକାଶ କହିଲେ ବନ୍ଧନମୁକ୍ତ ଜୀବନର ନିର୍ବାହ, ଯାହା ପାଇଁ ଫି’ଥର ନୂଆ ରାସ୍ତାଠାରୁ ଭଲ ରକ୍ଷଣାବେକ୍ଷଣ ସହ ସ୍ୱଚ୍ଛନ୍ଦ ଓ ପ୍ରତିବନ୍ଧକ ବିହୀନ ଉତ୍ତମ ରାସ୍ତାଟିଏ ଯେ ସର୍ବାଦୌ ଆବଶ୍ୟକ, ଏଥିରେ ସଂଶୟ ନାହିଁ ।

ଚଲାପଥ ଯଦି ଏମିତି ଉତ୍ତମ ହେବ ତ’, ଜୀବନଯାତ୍ରା ଆନନ୍ଦଦାୟୀ ହୋଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବା ଭଳି ଜୀବନର ଶାଶ୍ୱତ ଆନନ୍ଦ ଲାଭ ନିଶ୍ଚେ କରିହେବ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *