ସତ୍ୟନାରାୟଣ ଗନ୍ତାୟତ

ଜାଣିବା କଥା କଲେଜରେ ନିର୍ବାଚନ ବୋଇଲେ କଲେଜରେ ପଢୁଥିବା ଛାତ୍ରଙ୍କ ବିଭିନ୍ନ ସଂସଦ ପାଇଁ କର୍ମକର୍ତ୍ତା ନିର୍ବାଚନ । ପରସ୍ପର ଭିତରେ ବୁଝାମଣା ହୋଇ ତୁ ଏଇଆ ହେବୁ, ମୁଁ ଏଇଆ ହେବି ଓ ସେ ସେଇଆ ହେଉ ବାଗିଆ ବଛାବଛି ସମ୍ଭବ ହୋଇପାରୁ ଥିଲେ ନିର୍ବାଚନ ବରଂ ଲୋଡ଼ା ଇ’ ପଡ଼ି ନଥାନ୍ତା, ଚୟନ ମାଧ୍ୟମରେ ହିଁ ମାମଲା ଫତେ ହୋଇ ଯାଇଥାନ୍ତା ।

କିନ୍ତୁ ସେମିତି ହୁଏନି । ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିର୍ବାଚନ ହୁଏ । ତେବେ ମଧ୍ୟେମଧ୍ୟେ ଛାୟା ସଂସଦ ଛାୟା ବିଧାନସଭା ଆଦି ମାଧ୍ୟମରେ ନେତା ମନ୍ତ୍ରୀ ବିଧାୟକ ଆଦିଙ୍କ ନମୁନା ସୁଲଭ ଭୂମିକା ନିର୍ବାହର ସୁଯୋଗ ସତ୍ତ୍ୱେ ଏହି ନିର୍ବାଚନ ଯେତେ ଅଚେତନ ଅବଚେତନ ହୋଇ ରହିଥିଲେ ବି ଛାତ୍ରଙ୍କ ଭିତରେ ରାଜନୈତିକ ସଚେତନତା ଭରି ଦେଇ ଏକାନଟେ ଚେଙ୍ଗା କରାଇ ଦେଇଥାଏ ।

ଏଥକୁ ଆପଣ ଭାବି ବସନ୍ତୁ ନାଇଁ ଯେ ଏବକାଳର ହାଲ ବଖାଣିବା ପାଇଁ ଆମ ଜିଭ ଖଲଖଲ ହେଲାଣି । ନାଇଁ ଆଜ୍ଞା, ବରଂ ଜାଣିଥିବେ ତ ଫି’ କଥାରେ କେମିତି ଆମେ “ଆମ ବେଳେ କିନ୍ତୁ … “ରୁ ଆରମ୍ଭ କରି ସେକାଳର ପଖାଳଖିଆ ବର୍ଣ୍ଣି ପକାଇଥାଉ । ତ ଏ କଲେଜ ନିର୍ବାଚନ ପ୍ରସଙ୍ଗ ଉଠିବା ମାତ୍ରେ ଆମ ମନରେ ଆମର ଓଳିଆରୁ ପଡ଼ି ଗଜାରୁ ଉନ୍ନୀତ ହୋଇ ବାଳୁଙ୍ଗା ହୋଇଥିବା ସେଇ ସାଙ୍ଗଟି ମନେପଡ଼ି ଯାଉଛି, ଯିଏ କଲେଜରେ ପାଦ ଦେଉଦେଉ ପାଠ ଛାଡ଼ି ନାନାଦି ଶାଠର ମେଲା ମୁକୁଳା ପ୍ରଦର୍ଶନ କରି ଦେଇ ଆମ ଭଳି ପାଠଗତ ପ୍ରାଣ ପୁସ୍ତକ କୀଟମାନଙ୍କୁ ବରାବର “କଲେଜ କେବଳ ନଲେଜ ପାଇଁ ନୁହେଁ ବନ୍ଧୁ”, “ଏ କଲେଜ ଜମାନାରେ ଲଫଙ୍ଗା ହୋଇ ଲାଇଫ ଏନଜୟ ନକଲେ ଆଉ କେବେ କରିବ ଯେ ?”, “ହେଉ ବାବୁ ତମେ ଛାତ୍ର ହୋଇ ମହାପୁରୁଷ ପାଲଟି ଯାଅ । ତମର ପ୍ରତିମୂର୍ତ୍ତି ଗଢି ତମକୁ ତାର ଘେରା ମଣ୍ଡପରେ ସଜାଇ ଦେବେ ଯେ ତମେ ପକ୍ଷୀ ମଳ ସଣସଣ ହୋଇ ପଡ଼ିରହିବ, ଜାଣି ରଖ”, “ଆମେ ଛାତ୍ର ନହୋଇ ପାରିଲେ ଛତରାରେ ବି ତ ଗଣା ହେବୁ ନା” ଜାତୀୟ ହୃଦୟବିଦାରକ ବିବୃତିମାନ ଝାଡ଼ିବାରମ୍ଭ କରତଃ କଲେଜ ନିର୍ବାଚନକୁ ଏକରକମ ଟାକି ରହିଥିଲା ।

ଯୋଗକୁ ବସନ୍ତ ଆସିବା ଆଗୁ ଶୀତର ଆଗମ ପରି ନିର୍ବାଚନ ଆଗରୁ ନବାଗତଙ୍କ ସ୍ୱାଗତ କରିବା ଆଳରେ ସଭାଟିଏ ଆମବେଳେ ଜରୁର୍ ହେଉଥିଲା । ଯହିଁରେ ଆମର ନେତା ହେବାକୁ ହମହମ ସେଇ ସାଙ୍ଗ ଜାତୀୟ ଅତ୍ୟୁତ୍ସାହୀ ଛତରା, ସରି, ଛାତ୍ରମାନଙ୍କ ସହ ସେଯାବତ ମୂକବତ୍ ରହି ଆସିଥିବା କତିପୟ ଜୀବ ମଧ୍ୟ ଅଚାନକ ବାଚାଳ ହୋଇ ଉଭୟ ଗଦଗଦ ଓ ଗଳଗଳ ଭାବରେ ନବାଗତମାନଙ୍କୁ ସେବଠାରୁ ଆପଣାଇବାକୁ ଯାଇ ନିଜର ବକବାସକୁ ଆକର୍ଷକ ଭାବେ ପେଶ୍ କରୁଥିଲେ ।

ତେବେ ସେତେବେଳେ କ୍ୟାମ୍ପସମାନଙ୍କୁ ଦଳୀୟ ପଲିଟିକ୍ସ ଏଡ଼େ ଘାଏଁ କାବୁ କରି ନଥିବାରୁ କିଛି ଏଭଳି ପ୍ରାର୍ଥୀ ବି ଥିଲେ, ଯେଉଁମାନେ କେବଳ ନିର୍ବାଚନର ମଜା ନେବାର ମହତ ଉଦ୍ଦେଶ୍ୟ ନେଇ ଠିଆ ହେଉଥିଲେ । ଏବେ କଲେଜରେ ନିର୍ବାଚନ ହେଉଥିବା ଜାଣିଲେ ଆମର ସେଇ ସରଳ ଅତଚ ସଦା ସରସ ଚରିତ୍ରମାନେ ଖୁବ୍ ମନେପଡ଼ନ୍ତି । ସେଭଳି ଚରିତ୍ରମାନେ ସମ୍ଭବତଃ ଏବେ ଦୁର୍ଲଭ, ଏମନ୍ତ ଆମର ଅନୁମାନ । ତେଣୁ ସେମାନଙ୍କ ମଧ୍ୟରୁ କତିପୟଙ୍କ ହରକତଙ୍କୁ ସୁମରି ଏଠେଇଁ ବଖାଣିବା ପାଇଁ ତୀବ୍ର ଇଛା ହେଉଛି ।

ହଁ, ଶୀତ ବସନ୍ତ କଥା କହୁଥିଲୁ, ନୁହେଁ ? ଅବଶେଷେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୁଏ । ପ୍ରବଳ ପ୍ରଚାର ହୁଏ । ସ୍ୱାଗତ ସଭା ହୋଇ “ମୁଁ କାହିଁକି ପ୍ରାର୍ଥୀ ହେଲି ?” ଜଣାଇବା ପାଇଁ ସଭା ହୋଇ ସେଠି ଜୋରଦାର ଭାଷଣ ବାଜି ହୁଏ ଅସଲ ପ୍ରାର୍ଥୀମାନଙ୍କ ମଧ୍ୟରେ । ହେଲେ ଆମର ଏମିତି କିଛି ସାଙ୍ଗ ସେ ସଭାରେ ଅଚାନକ ଆବିର୍ଭାବ ହୋଇ ସେମାନେ ବି ପ୍ରାର୍ଥୀ ବୋଲି ଜଣାଇ ସଭିଙ୍କୁ ଚମକାଇ ଦେଇଥିଲେ । ସେମାନେ ହିଁ ସେଇ “ମଜା ପାଇଁ ହୋଇଥିବା ପ୍ରାର୍ଥୀ !”

ମୋତେ ଜିତାଇଲେ ମୁଁ ଏଇଆ କରିବି ସେଇଆ କରିବି ବୋଲି ବଡ଼ବଡ଼ ଡାଇଲଗ ଶୁଭୁଥିଲା ବେଳେ ଜଣେ ତା’ ପାଳି ଆସନ୍ତେ କହିଲା, ମୁଁ କିଛି ବି କରି ପାରିବିନି । କାହିଁକି ପଚାରୁନ ? ତ ଗୋଳ ଶୁଭିଲା : କାହିଁକି ? ତ ସେ କହିଲା, ‘କାରଣ ମୁଁ ଜିତିବି ଇ’ ନାଇଁ । ତଥାପି ତମେମାନେ ଯଦି ମୋତେ ଭୁଲରେ ଜିତାଇ ଦେବ ତ ଯାହା କରିବା କଥା ତାହା ମୁଁ ନିଶ୍ଚୟ କରିବି ।

ଆଉଜଣେ ସାଙ୍ଗ ତ ମାଇକ ଧରୁଧରୁ କହିଲା : ମୁଁ ବଡ଼ ଅମାୟିକ ପିଲା । ହେଲେ ଦେଖ କି ଦୁର୍ବୁଦ୍ଧି ଛାଟିଲା ଯେ ଇଲେକ୍ସନରେ ଠିଆ ହୋଇ ପଡ଼ିଲି । ତେଣୁ ତ ଅମାୟିକ ହୋଇ ବି ଏ ମାଇକ ଆଗରେ ଠିଆ ହେବାକୁ ପଡୁଛି । କେବେକେବେ ସାନ ମିଛ କହି ରକ୍ଷା ପାଇ ଯାଉଥିବା ପିଲା ମୁଁ । ହେଲେ ମାଇକ ଆଗରେ ବଡ଼ବଡ଼ ଡାହା ମିଛ ତ ମୁଁ କହି ଜାଣିନି । ଏ ମାଇକ୍ ରାଗିଯିବ ମୋ ଉପରେ । ଆଉ ଜାଣିବା କଥା ତମମାନଙ୍କୁ ତ ଜମା ଭଲ ଲାଗିବିନି ମୁଁ । ତେଣୁ ଗୋଟେ ଭଲ କାମ କର, ମୋତେ ଭୁଲରେ ସୁଦ୍ଧା ଜିତାଇବନି !”

ଏହାପରେ ଯିଏ ଆସେ ସେ ଆସୁଆସୁ ଖୁବ୍ ଗମ୍ଭୀର ମୁହଁ କରି ସଭିଙ୍କୁ ଗାରଡ଼େଇ ଚାହିଁ ପଚାରେ,” ମୋତେ ଦେବ, ମାନେ ଭୋଟ୍ ?” କାହିଁକି ଦବ କହିବଟି ! ମୁଁ ତମକୁ ଲିଫଲେଟ୍ ପାମ୍ପଲେଟ୍ କିଛି ବି ତ ଦେଇନି । ବିରିଆନୀ, ଦହିବରା, ସେଓବୁନ୍ଦି ଖୁଆଇନି ତ ? କାଇଁକି ଜାଣିଚ ? ମୁଁ କାହାର ଖାଏନି କି କାହାର ଧାରେନି, ଜାଣି ଥାଅ । ତ ମୁଁ ଯେତେବେଳେ କିଛି ବି ଦେଇନି ମୋତେ ତମେ ଦବ ମାନେ ତମ ଭୋଟ କୋଉ ଗରଜରେ, କହୁନ ? ତେଣୁ ତ ତମକୁ କିଛି ପ୍ରତିଶ୍ରୁତି ଦେବାର ନାହିଁ କି ତମଠୁ ଭୋଟ ବି ମୋର ଆଶା କରିବାର ନାହିଁ।

ଏହି ସାଙ୍ଗ ଯେତେ ଗମ୍ଭୀର ଥିଲା ତାର ଓଲଟା ଥିଲା ଏ ଧରଣର ଆଉଜଣେ ପ୍ରାର୍ଥୀ । ସେ ତ ଆସୁଆସୁ ହସିହସି କହିଲା, କଣ ସୁରୁ ହୋଇଗଲା “କିଏ ଜିତେ କିଏ ହାରେ” ମହାନାଟକ ? ହେଲେ ତମର ଇଷ୍ଟ ହେଲେ ମୋତେ ଜିତାଅ, କଷ୍ଟ ହେଲେ ନାହିଁ । କାହିଁକି ମାନେ ମୁଁ ତମ ଇଷ୍ଟ ଦେବତା ନୁହେଁ । ଆଉ ମୋ କଷ୍ଟ ମୋ ପାଇଁ ତିନି ଟଙ୍କା ଆଠଣା ହେଲାବେଳେ ତମ କଷ୍କକୁ ପଚାରେ କିଏ ଯେ ? ମୋତେ ଦୟାକରି ଜିତାଅନି ସିନା କେବେବି ଭୁଲି ଯାଅନା । ଭୁଲି ଯିବକି ? ଥିଲା ତା ପ୍ରଶ୍ନ, ଯା’ର ଉତ୍ତର ସମସ୍ୱରରେ ସାରା ସଭା ଦେଇଥିଲା ନାହିଁ କହି ହସର ଲହର ଖେଳାଇ !

ସତରେ ଯଦିଓ କଲେଜରେ ନିର୍ବାଚନବେଳେ ଜିତାପଟ ଓ ହାର ପାଇଁ ଏହି ମୁଁ କାହିଁକି ଠିଆ ହୋଇଛି ସଭା ବହୁ ମାତ୍ରାରେ ନିୟାମକ ହୁଏ, ଛାତ୍ର ରାଜନୀତି ହିଁ ଭବିଷ୍ୟତର ନେତୃତ୍ୱ ସୃଷ୍ଟି କରିଥାଏ, ତଥାପି ଏସବୁର ଘନଘଟା ଭିତରେ କିଞ୍ଚିତ ଖୁସି ଅଳପ ହସ ଓ ଆନନ୍ଦ ବିତରିବା ପାଇଁ ନିରବରେ ନିର୍ବାଚନରେ ଠିଆ ହୋଇଥିବା ଏହି ସରଳ ତଥା ସରସ ଚରିତ୍ରମାନେ ହାରିବା ଜାଣିସୁଦ୍ଧା ଯେମିତି ସବୁରି ମନ ଜିଣି ନେଇଥାନ୍ତି ତାହା ଏଇଆ ସୂଚାଇଥାଏ ଯେ ସବୁବେଳେ ଶଗଡ଼ଗୁଳା ପ୍ରାୟେ ଗଡ଼ି ଚାଲିବା ହି ଏକମାତ୍ର ଜୀବନଶୈଳୀ ହୋଇ ନପାରେ !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *