ଡମ୍ବରୁଧର ବେହେରା

ସବୁଜ ପତର ଆଢୁଆଳେ
ଯେବେ ହସେ ଏକ ଜହ୍ନ,
ନୀଳ ଆକାଶ ଚମକି ଯାଏ,
ପବନ ହୁଏ ମୌନ ।

ଅଧରର ସେ ହସଟି ଯେମିତି
ଶ୍ରାବଣ ରାତିର ଚନ୍ଦ୍ରାଲୋକ,
ଚକ୍ଷୁ ଦୁଇଟି ନୀଳ ସାଗର
ଯେଉଁଠି ହଜିଯାଏ ଅନେକ ଲୋକ ।

କେଶର ଧାରା କଳା ମେଘ,
କପାଳର ବିନ୍ଦୁ ତାରା,
ଫୁଲର ରଙ୍ଗେ ଲୁଚି ରହିଛି
ବସନ୍ତର ପ୍ରେମ ପସରା ।

ହାତ ଉଠିଲେ ପତର ଦୋଳେ,
ମନେ ଲାଗେ ପ୍ରକୃତି ଲାଜେ,
ସବୁଜ ଲତା ଚୁପିଚୁପି
କିଛି ଅକୁହା କଥା ସାଜେ ।

ଏ ଛବିଟି ଯେମିତି ଏକ
ଅଧୁରା ପ୍ରେମର କବିତା,
ଯାହାର ପ୍ରତିଟି ରଙ୍ଗରେ ଲୁଚିଛି
ନିରବ ଭାବନାର ଗୀତା ।

ସନ୍ଧ୍ୟା ଯେବେ ରଙ୍ଗ ହରାଏ,
ତଥାପି ରହିଯାଏ ସେ ହସ
ଜହ୍ନ ହୋଇ ରାତିର ଆକାଶେ,
ସ୍ମୃତି ହୋଇ ହୃଦୟର ପାଖେ ।

ଜଗଦଳପୁର, ବସ୍ତର, ଛତିଶଗଡ଼ମୋ – ୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

Leave a Reply

Your email address will not be published. Required fields are marked *