ଭୁବନେଶ୍ଵର : ବାପାମାଆଙ୍କ ନିସଙ୍ଗ ହୃଦୟର ଅନ୍ଧକାରକୁ ଖ୍ରୀଷ୍ଟମାସର ହଜାର ଆଲୋକ ମଧ୍ୟ ଲୁଚାଇ ପାରେ ନାହିଁ । ସାମ୍ବାଦିକ ଓ କଥାଶିଳ୍ପୀ ପ୍ରଶାନ୍ତ ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ ‘ପୁନଶ୍ଚ ଅନ୍ଧାର’ କ୍ଷୁଦ୍ର ଗଳ୍ପ ବହିରେ ରହିଥିବା ‘କ୍ରିସମାସ’ ଅବଲମ୍ବନରେ ନିର୍ମିତ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘କ୍ରିସମାସ’ । ଏହି ସିନେମାର ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନାର ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଚଳଚ୍ଚିତ୍ରକାର ଲେଖକ ଶ୍ୟାମା ପ୍ରସାଦ ମିଶ୍ର ।
ସୂଚନା ଥାଉ ଯେ ଗତ ସୋମବାର ଦିନ ଚଳଚ୍ଚିତ୍ରର ଶୀର୍ଷକ ଏବଂ ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି । ଏହା କେବଳ ଏକ ପରିବାରର କାହାଣୀ ନୁହେଁ ବରଂ ଆଜିର ସମାଜରେ ବୃଦ୍ଧ ବାପାମାଆଙ୍କ ନିସଙ୍ଗ ଜୀବନ, ପରିବର୍ତ୍ତିତ ପାରିବାରିକ ମୂଲ୍ୟବୋଧ ଏବଂ ଭଲପାଇବା, କ୍ଷମା ଓ ସମ୍ପର୍କର ଚିରନ୍ତନ ଶକ୍ତିର ଏକ ହୃଦୟସ୍ପର୍ଶୀ ଉପସ୍ଥାପନ । ଅଗଷ୍ଟ ୨୦୨୬ ଶେଷ ସପ୍ତାହରୁ ଶୁଟିଂ ଆରମ୍ଭ ହେଇ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଏହାର ପ୍ରିମିୟର ପିଭିଆର ଆଇନକ୍ସରେ କରାଯିବାର ଯୋଜନା ରହିଛି । ଏହି ଶୀର୍ଷକ ଘୋଷଣା କାର୍ଯ୍ୟକ୍ରମରେ ଲେଖକ ପ୍ରଶାନ୍ତ ପଟ୍ଟନାୟକ, ନିର୍ଦ୍ଦେଶକ ଶ୍ୟାମା ପ୍ରସାଦ ମିଶ୍ର, ସହଯୋଗୀ ନିର୍ଦ୍ଦେଶକ ଏବଂ ଅଭିନେତା ଅରବିନ୍ଦ ଜେନା, ଦେବୀ -ଡି ଡି ଏବଂ ମଞ୍ଚ ଅଭିନେତ୍ରୀ ସୋନାଙ୍କ ସହିତ ଅତିଥି ଭାବେ ମନୀଷ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
