ସତ୍ୟନାରାୟଣ ଗନ୍ତାୟତ

ପିଲାଦିନେ ଖଡ଼ିଛୁଆଁ ବା ସ୍କୁଲରେ ପ୍ରବେଶ ଦିନ ଅକ୍ଷର ସହ ପରିଚିତିରୁ ଆରମ୍ଭ ହୋଇଯାଏ ପାଠପଢା । ଏହା ପଛରେ ଥାଏ ସେଇ ଚିରାଚରିତ ଚିନ୍ତନ : ମଣିଷ ହେବା ପାଇଁ ପାଠ ଦି’ ଅକ୍ଷର ନିଶ୍ଚେ ପଢିବା ଲୋଡ଼ା !
ତେଣିକି ପାଠପଢା ହୁଏ ବିଦ୍ୟାଳୟର ଶ୍ରେଣୀ କକ୍ଷରେ ! ବହିର ପାଠତକ ବୁଝିବା ଯାଏ ପଢିବାକୁ ବାଧ୍ୟ । କାରଣ ପାଠପଢା ସହ ଯୋଡ଼ା ହୋଇ ରହିଥାଏ ପରୀକ୍ଷା, ଯାହା ପାଠପଢାର ଫଳ ନିର୍ଣ୍ଣୟ କରେ । ଏମିତି ପଢିବା ଭିତରେ ସ୍କୁଲ ପରେ ଆରମ୍ଭ ହୋଇଯାଏ କଲେଜ ଜୀବନ ! ଆଗେ ଏଠୁ ଆରମ୍ଭ ହୋଇ ଯାଉଥିଲା ବିଚାର ଜଣେ ପାଠ ପଢି କଣ ହେବ, ଯାହା ପ୍ରାୟତଃ ଘର ଲୋକେ ହିଁ ନିଜମତେ ବାଛି ନେଇ ସେହି ଅନୁସାରେ କେଉଁଠି କେଉଁ ପାଠ ପଢିଲେ ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ବା ବଡ଼ ହାକିମାଦି ଭିତରୁ ଜଣେ ହୋଇପାରିବ ନିର୍ଣ୍ଣୟ କରୁଥିଲେ । ଏବେ ଏ ଲକ୍ଷ୍ୟ ଆହୁରି ଆଗରୁ ଅର୍ଥାତ ସ୍କୁଲ ଜୀବନରୁ ହିଁ ଆରମ୍ଭ ହୋଇ ସାରିଲାଣି ।
ଏଭଳି ପାଠମାନ ପଢି ଜଣେ ଡିଗ୍ରୀ ହାସଲ କରି ବଡ଼ ପଦପଦବୀ ପାଇଥାଏ । ପ୍ରାଚୁର୍ଯ୍ୟର ସିଡ଼ି ଚଢି ଶୀର୍ଷକୁ ଯିବା ପରେ ବି ଚାହେଁ ଆହୁରି ଆହୁରି ବେଶୀ ବେଶୀ ପ୍ରାଚୁର୍ଯ୍ୟ ଓ ତା ସହ ସଂଲଗ୍ନ ପ୍ରଭୁତ୍ୱ । ତେବେ ଏସବୁ ହାସଲ ପାଇଁ ସେ ସର୍ବାଗ୍ରେ ଭୁଲିଯାଏ ପିଲାଦିନେ କଥା କାହାଣୀ ମାଧ୍ୟମରେ ପଢା ଯାଇଥିବା ଯତ କିଞ୍ଚିତ ହେଉପଛେ ନୀତି ଓ ନୈତିକତାର ପାଠ ! ଫଳତଃ ଏମିତି ସମୟ ଆସେ ଯେବେ ନାନାଦି ମାଧ୍ୟମରେ ତା’ର ଶୀର୍ଷରୁ ଅଧଃପତନ ଆରମ୍ଭ ହୁଏ, ରାଜେନ୍ଦ୍ରାସନରୁ ଫକିର ପାଳଟି ଯିବା ପ୍ରାୟେ ! ସେତେବେଳେ କେମିତି ଭାରସାମ୍ୟ ରଖି ଆପଣାକୁ ସଜାଡ଼ି ପୁଣି ସମୟ ଓ ସମାଜକୁ ସାମନା କରିବାକୁ ହୁଏ, ତାହା କିନ୍ତୁ ସେ ପଢି ନଥାଏ । ସେତେବେଳେ ଅର୍ଥାତ ଧକ୍କା ଓ ଧୋକା ଖାଇବା ପରେ ସେସବୁ ହଜମ କରିବାର ଇଲମ ଜାତୀୟ ଯେଉଁ ପାଠ ସେ ସ୍ୱତଃ ପଢେ, ତାହା ହିଁ ଅପଢା ପାଠ !
ସୁତରାଂ ଅପଢା ପାଠ କହିଲେ ଜୀବନର ପରିବ୍ୟାପ୍ତ ପାଠଶାଳାରେ ଅନୁଭୂତି ମାଧ୍ୟମରେ ଆପେଆପେ ଉପଲବ୍ଧ ଶିକ୍ଷା ହାସଲକୁ ବୁଝାଇ ଥାଏ । ସଂସାରରେ ଆତଯାତ ହେଉଥିବା କାଳରେ ମିଳେ ଏହି ଅପଢା ପାଠ । ବହିରୁ ପଢାପାଠ ଜୀବିକା ଦେଇପାରେ । ହେଲେ ଅପଢା ପାଠ ହେଉଛି ସେଇ ପାଠ ଯାହା ମାଧ୍ୟମରେ ଜୀବନ, ସମୟ ଓ ସମାଜକୁ ସଠିକ ଭାବେ ବୁଝି ହୁଏ । ପ୍ରକୃତ ପକ୍ଷେ ଏହି ଅପଢା ପାଠ ହିଁ ମଣିଷକୁ ମଣିଷ କରିଥାଏ । ଭାବର ଅଭାବ ଭୋଗି, ସନ୍ତାପରେ ସନ୍ତୁଳି ହୋଇ, ଦ୍ୱନ୍ଦ୍ୱ ଓ ଦ୍ୱିବିଧାର ଦୋ’ ଛକିରେ ଅନନ୍ୟୋପାୟ ଓ କିଂକର୍ତ୍ତବ୍ୟବିମୂଢ ଅବସ୍ଥାରେ ଉପନୀତ ହେଲେ ଏ ଅପଢା ପାଠ ପଢିବାକୁ ପଡ଼ିଥାଏ । ଏହା ଜୀବନର ରାହା ଦେଖାଏ ।
ଜୀବନର ପ୍ରତି ମୂହୁର୍ତ୍ତରେ ଭଳିକିଭଳି ପରୀକ୍ଷା ଦେବାକୁ ପଡ଼ିଥାଏ । ବହିପଢା ପାଠର ପରୀକ୍ଷାରେ ବହିର ପାଠ ହିଁ ପରୀକ୍ଷା କରା ଯାଇଥାଏ । କିନ୍ତୁ ଏଠି ଯେଉଁ ପରୀକ୍ଷା ହୁଏ ତାହା ଅପରିକଳ୍ପିତ, ଅଚିନ୍ତନୀୟ ଓ ଅଭାବିତ । ଅତଃ ଜଣେ ନିଜକୁ ନିଜେ ସାଷ୍ଟାମ କରି ଜୀବନର ଏଭଳି ଅପଢା ପାଠଙ୍କ ପରୀକ୍ଷା ମାନ ସାମନା କରିବାକୁ ବାଧ୍ୟ ହୋଇଥାଏ ।
ପାଠ ପଢି ତଥାକଥିତ ଶିକ୍ଷିତ ବୋଲାଇ ହିଁ ପ୍ରକୃତ ଜ୍ଞାନ ହାସଲ କରିହୁଏ ଏହା ଭାବିବା ଠିକ୍ ନୁହେଁ । କାରଣ ଏ ସଂସାର, ଏ ପ୍ରକୃତି ଆମକୁ କମ୍ ଅପଢା ପାଠ ପଢାନ୍ତିନି ! ମାଟିର ସହଜାତ ସହିବା ପଣ, ନଦୀର ବାଧା ବନ୍ଧନ ଲଙ୍ଘି ସତତ ଗତିଶୀଳତା, ପତ୍ର-ଫୁଲ-ଫଳଦାୟୀ ହେବା ପାଇଁ ସଦା ଦଣ୍ଡାୟମାନ ବୃକ୍ଷଙ୍କ ମହନୀୟତା ଓ ସୁଖଦୁଃଖ ଯେ ଦୁନିଆର ରୀତି ସୂଚାଇ ଦେବାକୁ ଆସି ପୁଣି ଫେରି ଯାଉଥିବା ଋତୁମାନେ ତଥା ଦିବାନିଶି କାରକ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ନିୟମାନୁବଦ୍ଧ ଜଗତ କଲ୍ୟାଣ ସବୁ କିଛି ଆମମାନଙ୍କ ଅଧ୍ୟୟନାର୍ଥେ ନିରବିତ ଅପଢା ପାଠଙ୍କ ଏକ ଏକ ଅଧ୍ୟାୟ ନୁହଁନ୍ତି କି ?
ଏମିତିରେ ପାଠ ପଢି ନ ଥିବା ଲୋକେ ବି ବୁଝି ପାରନ୍ତି ଆଖିରୁ ଝରିବା ବୁନ୍ଦାଏ ଲୁହ କେତେ ଓଜନିଆ , କାରଣ ସେମାନେ ପଢିଥାନ୍ତି ମାନବିକତାରେ ପରିପୁଷ୍ଟ ସମ୍ପର୍କର ପାଠ ! ଅନୁରୂପ ଭାବେ ଘରକୁ ବୈକୁଣ୍ଠ ପୁର ଭାବେ ସଜାଇବା ପାଇଁ ଲୋଡା ପଡୁଥିବା ପାରସ୍ପରିକ ସ୍ନେହ ପ୍ରେମ ଉଦାରତା ତଥା ସର୍ବୋପରି କ୍ଷମାମୟୀ ହୋଇ ପାରିବାର ଯୋଗ୍ୟତାରେ ସ୍ୱତଃ ସମୁଜ୍ଜଳା ଅଧିକାଂଶ ମାଆଏ ହୁଏତ ଆଦୌ ପାଠ ପଢି ନ ଥାନ୍ତି ନତୁବା ନାମକୁ ମାତ୍ର ଇ ପଢିଥାନ୍ତି !
ପାଠ ପଢିବାକୁ ମନା ନାହିଁ ,ଆଜୀବନ ପାଠ ପରେ ପାଠ ମାନ ପଢା ଚାଲିଥାଉ। ତେବେ ମଣିଷ ବୋଲାଇବା ଇଚ୍ଛା ଶୀଘ୍ର ଘାରିବା ହେଉ ଓ ବେଳହୁଁ ଜୀବନର ଏବଂବିଧ ଅପଢା ପାଠ ମାନଙ୍କୁ ମଧ୍ୟ ଆୟତ୍ତ କରିବାର୍ଥେ ଧ୍ୟାନ ରହୁ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
