ସତ୍ୟନାରାୟଣ ଗନ୍ତାୟତ

ଖୁଆଇବା ସହ ଖାଇବା ଜଡ଼ିତ । ତା ଅର୍ଥ ଖାଇବା ଚିଜ ପ୍ରସ୍ତୁତ ହୋଇ ରହିଛି । ଏଥର ଜଣେ ଲୋଡ଼ା ଖାଇବା ପାଇଁ । ଏଠେଇଁ ଫେର୍ ଯୋଡ଼ାଏ କଥା : ଯିଏ ଖାଇବ ସିଏ ନିଜେ ଖାଇବ ନା ସେଥକୁ ଜଣେ ଲୋଡା ? ଏହି ଦ୍ୱିତୀୟ କ୍ଷେତ୍ରରେ ଉଠେ ଖୁଆଇବା କଥା ।
ଏଥର ଆପଣ ହୁଏତ ମନେମନେ ଚାଲିଯିବେ ଆପଣଙ୍କ ପିଲାଦିନକୁ । ସେମିତି କହିଲେ ଖାସ୍ ଆପଣଙ୍କ ହିଁ କିଆଁ, ବରଂ ଆମ ସଭିଙ୍କ ପିଲାଦିନ କଥା ଇଏ । ଆମ ପରମ ସ୍ନେହମୟୀ ମାଆମାନେ ଆମକୁ କାଖେଇ ଖାସ୍ ଆମ ପାଇଁ ସରାଗରେ ରାନ୍ଧିଥିବା ଖାଇବା ଚିଜ ଗୋଟେ ଥାଳିରେ ଧରି ତହିଁରୁ ଟିକିଏ ନେଇ ଆକାଶ ଆଡ଼ିକି ଦେଖାଇ “ଆ’ ଜହ୍ନ ମାମୁଁ ସରଗ ଶଶି …” ଜାତୀୟ ଗୀତୋପମ କଥାମାନ କହିବା ସହ ପୁନଃପୁନଃ ” ଆଁ କର ..ଆଁ କର..” ଉଚ୍ଚାରି ଗୁଣ୍ଡା ପରେ ଗୁଣ୍ଡା ମାନ ଖୁଆଇ ଦେଉଥିଲେ । ପ୍ରାୟତଃ ସ୍କୁଲ ଯିବା ଯାଏ ଉଭୟ ପୁଅ ଓ ଝିଅ ନିର୍ବିଶେଷରେ ସଭିଙ୍କର ଏମିତି ଖୁଆଇବା ମାଧ୍ୟମରେ ଖାଇବାନୁଭବ ରହିଥିବ ନିଶ୍ଚୟ ।

ପରେପରେ ନିଜେନିଜେ ଖାଇବାଭ୍ୟାସ ସିନା ହୋଇଯାଏ, ହେଲେ ସେ ଖାଇବା ଦରବ ଘରେ ହେଉ ବା ବାହାରର ଭୋଜନାଳୟରେ ହେଉ କେହିଜଣେ ନିଶ୍ଚେ ରାନ୍ଧି ପରଷି ଦେଇ ଯେ ଖୁଆଇଥାନ୍ତି, ଏ କଥା ଆଡ଼ିକି ଆମ କାହା ନଜର କିନ୍ତୁ କ୍ୱଚିତ ଯାଇଥାଏ ।
ଏ ଦିଗରୁ ଦେଖିଲେ ଘରର ରନ୍ଧାବଢା ସଚରାଚର ଘରର ନାରୀଏ ହିଁ କରିଥାନ୍ତି । କ୍ୱଚିତ କେବେ ଘରର ପୁରୁଷ ସଦସ୍ୟ ରାନ୍ଧି ନିଜେ ଖାଇ ଘରର ସଭିଙ୍କୁ ଖୁଆଇଥାନ୍ତି । ଝିଅମାନେ ବଡ଼ ହେଲେ ” ଶଣ୍ଠଣା ଶିଖ୍, କାଲି ସକାଳୁ ତ ଫେର୍ ପରଘରକୁ ଯିବୁ ନା !” ଜାତୀୟ ବଚନିକାମାନ ଝାଡ଼ି ପ୍ରକାରାନ୍ତରେ ” ଝିଅ ଜନମ ଚୁଲୀ ମୁଣ୍ଡକୁ ” ନୀତିକୁ ଜାବୁଡ଼ି ଧରା ଯାଉଥିବା କାଳ ଧୀରେଧୀରେ ଇଦାନୀଂ ଯେତେ ବଦଳି ଯାଉଥିଲେ ହେଁ ମାଆମାନଙ୍କ ଦ୍ଵାରା ଝିଅମାନଙ୍କୁ କିଛି ନା କିଛି ରାନ୍ଧଣା ଶିଖାଇବା କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇ ନଥାଏ ।
ଘରର ପୁଏ ଏ ଦିଗରୁ ମୁକ୍ତ ଆମ ଏଇ ପୁରୁଷ ପ୍ରଧାନ ସମାଜରେ ! ଏହି ସ୍ୱାଧୀନତା ଭୋଗି ରନ୍ଧାରନ୍ଧି ବ୍ୟାପାରଠୁ ଦୂରେଇ ରହି କେବଳ ଖାଇବାଭ୍ୟାସ ରଖିଥିବା ଜନିତ କାରଣରୁ ପରେ ସେମାନେ ଘର ଛାଡ଼ି ପଢିବା ପାଇଁ ବାହାରେ ରହିବାବେଳେ ଓ ଚାକିରି ଜୀବନ ଆରମ୍ଭବେଳେ ତେଣୁ ନିୟମିତ ବାହାର ଖାଦ୍ୟ ଦିହରେ ନଗଲେ ବଡ଼ କଷ୍ଟ ଭୋଗି ଅଗତ୍ୟା ରନ୍ଧନ କାମଟି ଶିଖି ନିଜେ ନିଜକୁ ଖୁଆଇବା ପାଇଁ ବାଧ୍ୟ ହୋଇଥାନ୍ତି ।
ଖାଲିରେ ବସି ମଶକ ମାରଣ ଭଳି କର୍ମଙ୍କଠୁ ନିଜକୁ ଦୂରେଇ ବରଂ ଭଳିକି ଭଳି ଚିଜମାନ ଦେଖିଶିଖି ରାନ୍ଧି ଖୁଆଇ ନିଜ ଭିତରେ ଶୋଇ ରହିଥିବା ରନ୍ଧନ ବିଶାରଦଟିକୁ ଜାଗ୍ରତ କରତଃ ଘରର ମହିଳାଙ୍କ ପରାମର୍ଶ ବାଦ୍ ୟୁଟୁବ୍ ଆଦିରୁ ଭଳିକି ଭଳି ଜ୍ଞାନ ଓ କୌଶଳମାନ ଆହରଣ ପୂର୍ବକ ଅନେକାନେକ ଘରେ ପୁରୁଷମାନେ ରନ୍ଧନ ଲିପ୍ତ ହୋଇ ଆପଣା ଦକ୍ଷତା ପ୍ରଦର୍ଶନ କରିବାର ଏକ ମହାର୍ଘ୍ୟ ଅବସର ଆଣି ଦେଇଥିଲା କିଛି ବର୍ଷ ତଳର କରୋନା ମହାମାରୀ ଜନିତ ଗୃହବନ୍ଦୀ ଜୀବନ !
ଏହି ଦିଗରେ ଯେ ଆମ ଭବିଷ୍ୟତ ଅର୍ଥାତ ପିଲାଏ ବି ଆଉ ଆଉ ରିଆଲିଟି ସୋ’ମାନଙ୍କ ସହ ଖାସ୍ ଛୋଟ ପିଲାଙ୍କ ରନ୍ଧନ କଳା ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଗୋଟେ ସୋ’ ଟେଲିଭିଜନରେ ପ୍ରସାରିତ ହେଉଥିବା ଦେଖନ୍ତେ ଆମେ ଏଡ଼େ ଘାଏଁ ଉଭୟ ପୁଲକ ଓ ଚମକ ପାଇଗଲୁ ଯେ ତକ୍ଷଣେ ‘ସାନ ପିଲାଙ୍କ ବଡ଼ ବୁଦ୍ଧି ” ଜାତୀୟ କଥା ମାନ ଏକାନଟେ ହେଜ ହୋଇଗଲା ।
ତେବେ ରାନ୍ଧି ଖୁଆଇବା ଆତ୍ମ ନିର୍ଭରଶୀଳତା ଓ ସଶକ୍ତିକରଣ ଦିଗରେ ଅଭିପ୍ରେତ ହେବା ସହ ଅନ୍ୟକୁ ଖୁଆଇବା ମାଧ୍ୟମରେ ଯେ ଏକ ଅନିର୍ବଚନୀୟ ପରମାନନ୍ଦ ବି ପ୍ରଦାନ କରିଥାଏ, ଏହା ଉଭୟ ପୁଅ ଓ ଝିଅ ଘରୁ ହିଁ ଦେଖି ଶିଖିଥାନ୍ତି । ନିଜ ହାତରେ କିଛି ରୋଚକ ଖାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଙ୍କୁ ଖୁଆଇ ସେମାନଙ୍କ ମୁହଁରୁ “ବାଃ କି ସୁଆଦିଆ ହୋଇଛି ‘ ଶୁଣିବାବେଳର ଆନନ୍ଦ ସତରେ ଅବର୍ଣ୍ଣନୀୟ । ପ୍ରକାରାନ୍ତରେ କହିଲେ ଅନ୍ୟର ପେଟ ପୂରାଇ ମନ ତୃପ୍ତ କରିବାରେ ଯେଉଁ ଆତ୍ମସନ୍ତୋଷ ଥାଏ, ତାହା ଦୁନିଆର ସବୁଠୁ ବଡ଼ ସୁଖ ।
ପୁଣି ଖୁଆଇବା ମାଧ୍ୟମରେ କୁଆଡ଼େ ପେଟ ଚିହ୍ନିବାକୁ ପଡ଼ିଥାଏ ବୋଲି ପାଖରେ ବସି ମନ ଜାଣି ” ଏମା, ତମ ଖାଇବା କଣ ଜମା ଏତିକି ?’ ”ନାଇଁ କହିଲେ ଚଳିବନି” ଆଦି ରୋଚକ ଭଙ୍ଗୀରେ କହି ବଳାଇ ବଳାଇ ପେଟ ପୂରା କରି ଖୁଆଇବାକୁ ହିଁ ଅସଲି ଅତିଥି ସତ୍କାର କହିଲେ ବୁଝାଇଥାଏ ।
ଖୁଆଇବା ପାଇଁ ପ୍ରେମ ଲୋଡ଼ା । କଳ୍ପନା କରନ୍ତୁ ଗୋଟେ ପଇଡ଼ରେ ଦୁଇଟି ନଳି ଭରି ଦୁହେଁ ହସିହସି ପିଇବା, ଗୋଟେ ପୁଡ଼ିଆରୁ ଦୁହେଁ ବାଦାମ, ପପକର୍ଣ୍ଣାଦି ଚିଜମାନ ଗୋଟେଗୋଟେ ନେଇ ସରସତା ସୃଷ୍ଟି କରି ଖାଇବା ଏବଂ ପାଖରେ ବସି ବିଞ୍ଛି ଦେଉଦେଉ “ଆଉ ଟିକେ ଟିକେ ” କହି ଖୁଆଇ ସାରିବା ପରେ ହିଁ ନିଜେ ଖାଇବା ଆଦି ପ୍ରକୃତ ପ୍ରେମ ଓ ଏକ ଐକାନ୍ତିକ ପର୍ଯ୍ୟାୟର ଆତ୍ମୀୟତା ନୁହେଁ ତ ଆଉ କ’ଣ ଯେ ?
ହଁ, ଖୁଆଇବା ନେଇ ଏତେ ସରି ଘାଣ୍ଟ ଚକଟାନ୍ତେ ନିଶ୍ଚେ କହିବୁ ଯେ ଏହା ଏମିତି ପ୍ରେମପୂର୍ଣ୍ଣ ହୋଇ ହିଁ ରହିଥାଉ । ଏହାରି ଭିତରେ ଖୁଆଇବା ନାଁରେ କାମ କରାଇ ଦେବାର୍ଥେ ଲାଞ୍ଚ, ଫାଇଲର ଗତି ଵଢାଇବା ପାଇଁ ନୋଟ ବିଡ଼ାଦି ଖୁଆଇବା ଏବଂ ସର୍ବୋପରି ଜଣେ ଜଣକୁ ବିଶ୍ୱାସ ଭରସା କରିବା ବଦଳରେ ତାକୁ ଅବାଞ୍ଛିତ ଓ ଜଘନ୍ୟ ଭାବରେ ଧୋକା ଖୁଆଇବା କିନ୍ତୁ ଗୋଟାପଣେ ବନ୍ଦ ହୋଇଯାଉ !
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
