ମୁକୁଲ ମିଶ୍ର

ନଳ ତଳେ ଗରା ପୁରି ଆସିବାର
ସେ ଶବ୍ଦ ଭ୍ରମ
ଆଉ
ଛାତି ଗହୀରରୁ ପୋତା ପ୍ରେମ
ମୁକୁଳି ଆସୁଥିବାର ଦିବାସ୍ଵପ୍ନ
ସବୁ କିଛି ରାତି ପରି ପାହିଯାଏ ମୋ ସହ ।

ଗୋଟେ ସରୁ ନଥିବା ରାତି ପରି ମୁଁ
ବିତାଉଥାଏ ଯେବେ ନିଜକୁ,
ରଫ ଖାତାର ଫର୍ଦ୍ଦ ଭଳି ଚିରି
ମୋଡ଼ି ମକଚି ଫିଙ୍ଗୁଥାଏ
ନିଜର ହିଁ ଆବେଗ ।

ନିଜର ହିଁ ଆବେଗରେ ନିଆଁ ଲଗେଇ
ଧୂଆଁରେ ଉଡ଼େଇଦିଏ ହୃଦୟ
ଯେତେବେଳେ,
ପବନ ଗୋଲାପ ଗୋଲାପ ବାସେ !

କହି ନଥିଲି
ଘା’ ଟିଏ ବି ଗୋଲାପ
ପାଲଟିପାରେ ପ୍ରେମରେ !!

ଅଭ୍ର ଖଣ୍ଡ ପରି ମନସାରା
ଛିଟକି ପଡ଼ିଥିବା ସ୍ଵପ୍ନ
ନଳ ତଳେ ଅପୂର୍ଣ୍ଣ ଗରା,
ଅଳିଆ ପରି ବିଛା ଆବେଗ
ହଁ
ସବୁ ସରିଯାଏ, ପାହିଯାଏ ସବୁକିଛି
ମୋ ସହ ରାତି ପରି ।

ଅନ୍ଧାରକୁ ଅପହଞ୍ଚ ଆଲୁଅ କୁହ କି
ଅହଂକାରକୁ ଅପହଞ୍ଚ ପ୍ରେମ
ଯାହା କହୁଚ କହ !
ଶେଷରେ
ଅପହଞ୍ଚକୁ ହାତରେ ମୁଠେଇ ଧରିଥିବା
ଭ୍ରମଟିଏ ହିଁ ବଂଚେଇ ରଖେ
ପୃଥିବୀ, ପ୍ରେମ,
ପାହି ଯାଇଥିବା ରାତିର ମାଦକତା
ଆଉ ପୋଡ଼ା ହୃଦୟର ବାସ୍ନା ।

ବାସ୍ନାରେ ଚହଟୁଥିବ ସହର ।
ରାତି ସହ
ମୁଁ ପାହିଗଲା ପରେ ଦେଖିବ,
ଦେଖିବ କେମିତି ସକାଳଟିଏ
ବଗିଚା ପାଲଟିଯାଏ ରକ୍ତ ଗେ।ଲାପର !

କ୍ଲବପଡ଼ା, ବଲାଙ୍ଗୀର

ଲେଖକ ପରିଚୟ

ସ୍କୁଲ ଦିନରେ ରଫ୍ ଖାତାରେ ଲେଖୁଥିବା ଯେ ଦିନେ କବିତାର ଫୁଲ ଫୁଟେଇବେ ଜାଣି ନଥିଲି ! କୌଣସି ଗୋଟିଏ ବସ୍ତୁ ବା ବ୍ୟକ୍ତିକୁ ପ୍ରେରଣାର ଉତ୍ସ ବୋଲି କହିପାରିବିନି, ଆଖି ଯେତେଦୂର ଯାଏ, କବିତା ହିଁ କବିତା । ଜୀବନ,ଏମିତି ଗୋଟେ ସହସ୍ର କାହାଣୀ ଭରା ଉପନ୍ୟାସ ଯାହାର ପ୍ରତି ମୁହୂର୍ତ୍ତ ହିଁ ଖଣ୍ଡେ ଲେଖା କବିତା । ଧାରେ ଲୁହ, ଗାରେ ହସ ସବୁକିଛି କବିତା । ତେବେ ଏମିତି ଦେଖିଲେ, ସର୍ବପ୍ରଥମେ ଫିଟିବାକୁ ବାଟ ପାଉ ନଥିବା ଆବେଗମାନଙ୍କ ଉଛୁଳାପଣ ହିଁ ମତେ ଲେଖିବାକୁ ବାଧ୍ୟ କରିଥିଲା । ଏଯାବତ ୭ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *