ପ୍ରଦୀପ କୁମାର ପଣ୍ଡା

ବାହୁଡ଼ିଯିବାକୁ ବାହାରିନାହିଁ ମୁଁ ଘରୁ ।
ମୋ ଛଡ଼ା କିଏ ଥିଲା ମୋର ଅପେକ୍ଷାରେ
ଘରେ ବା ଘାଟରେ, ହେଜ ନାହିଁ ମୋର,
ମୋଠୁ ଫେରିପାଇବାର କାହାର କିଛି
ବାକିଥିଲା କି ମୋ ଛଡ଼ା, ମାଲୁମ ନାହିଁ ।
ବୁଢ଼ା ଖରା ଯାଉ ତାର ବିଶ୍ରାମ କକ୍ଷକୁ
ମୁଁ ବାହାରିଛି ମାନେ
ଫେରି ଚାହିଁବାର ବେଳ ନାହିଁ ମୋର ।
କୁଆଡ଼େ ବାହାରିଛି
ବାହାରିଲାବେଳେ ଥିଲା କି କିଛି ପାଞ୍ଚ ମନାସ ମୋର !
କଣ କଣ ସବୁ ମୋହ ସଯତ୍ନେ ଭରି ଆସିଛି କି ନାହିଁ
ଟିଣ ଡବାରେ ରୋଷେଇକୁଠି ଥାକରେ
କି ଢବାଘର ସିନ୍ଦୁକରେ !
ପିଲାମାନେ ଖେଳୁଥିଲେ ଯୁଦ୍ଧ ଯୁଦ୍ଧ ପଡ଼ିଆରେ
ନଇଁବା ଆଗରୁ ସଂଧ୍ୟା
ଫେରିଲେ କି ନାହିଁ ବିନା ରକ୍ତପାତରେ !
ଦୁଆର କୋଣରେ ଦଳେ ପିମ୍ପୂଡ଼ି
ରକ୍ତ ଶୋଷିବାରେ ମାତିଥିଲେ…
ଗୋଟେ ଯୁଆନ୍ ଝିଟିପିଟିର ଛିଣ୍ଡା ଲାଞ୍ଜରେ
ହୁରୁଡ଼ାଇ ଆସିଲି କି ସେମାନଙ୍କୁ !
ସେ ବଣି ଯୋଡ଼ାକ ସଜାଡ଼ୁଥିଲେ କୁଟାକାଠି
ବାଡ଼ିର ନଙ୍ଗଲା ଅଁଳା ଡାଳରେ
ସରିଲା ନା ନାହିଁ ସେମାନଙ୍କ ଗୃହସ୍ଥ କର୍ମ !
ଆଉ ସେ ଉଇହୁଙ୍କା,
ଘରର ପଛକାନ୍ଥକୁ ଚଢ଼ୁଥିଲା ଯାହା ସନ୍ତର୍ପଣରେ
ଗଚ୍ଛିତ ଥିଲା ଯେଉଁଠି ମୋର
ଜନ୍ମଜନ୍ମାନ୍ତର ଅପକର୍ମ
କଣ ହେଲା କଣ ହେଲା ତା’ର !
ଧେତ୍, ସେ ଚିରାକନା ଖଣ୍ଡକ
କାଚ ଅହଂକାରରୁ ମୋର ସଂସାର ପୋଛିବାରେ
ଲାଗୁଥିଲା ଯାହା,
କେଉଁଠି କେଉଁଠି ସାଇତି ରଖିଲି ତାକୁ !
ଘରୁ ବାହାରିଲାବେଳେ କହିଲି କି ନାହିଁ ସେମାନଙ୍କୁ
ଭରସା କରିବ ନାହିଁ ଆଲୁଅକୁ, ତାର ବରାଭୟକୁ !
ଜୀବନ ଯାକର ଅର୍ଜିତ ସମ୍ପତ୍ତି ଧରି
ମୁଁ ଗୋଡ଼ କାଢ଼ିଛି ମାନେ କାଢ଼ିଛି
ଫେରି ଆସିବାର ଜୁ’ ସବୁକୁ ସମର୍ପି ଆସିଛି
ଅନ୍ଧାରର ଜଗୁଆଳିକୁ,
ବାହାରିଛି ଅବାହୁଡ଼ା ପଥ ।
କେଉଁଠି ଗଣ୍ଠେଇଲି ସେ ଇନ୍ଦ୍ରଧନୁର ଟିପାଏ ରଙ୍ଗ
ପିଲାବେଳେ ସ୍କୁଲ ଫେରନ୍ତା ବାଟରେ
ସାଉଁଟି ଆଣିଥିଲି ଯାହା ଗୋପନରେ,
କେଉଁ ମୁଣାରେ ପୁରେଇଲି ମୋର ଯେତେଯାକ
ଓଜର ଆପତ୍ତି, ସାରା ଜୀବନକୁ ବାଉନିବାକୁ !
ଆରେ ଆରେ କୁଆଡ଼େ ଗଲା ମୋର ପୋଷାକ
ଦେହ ବୋଲି ପିନ୍ଧିଥିଲି ଯା’କୁ ଜୀବନ ସାରା
ହତାଶ ସୋହାଗରେ !
ହେଇ, ଶୁଭିଲା ଶୁଭିଲା ଲାଗିଲାଣି
ସେ କ୍ଷୀଣାଏ ପ୍ରତିଧ୍ବନି
ଦୂର ଦୂର କେଉଁ ସୁଦୂରରେ,
ଯାଏଁ, ରତରତ ହେଲାଣି ବେଳ ।
ବୃନ୍ଦାବନ ବିହାର, ସମ୍ବଲପୁର
ଲେଖକ ପରିଚୟ
ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।
