ସତ୍ୟନାରାୟଣ ଗନ୍ତାୟତ

ବୋଲକରା ମାନେ ଯିଏ ଆଜ୍ଞା ବହ । କହିବା କଥା ଶୁଣି ତଦନୁସାରେ କାମ କରିଦିଏ । ଏନେଇ ଶାସ୍ତ୍ରରେ ଠାଏ କୁହାଯାଇଛି ଯେ କହିବା ଆଗୁ ମନ କଥା ଜାଣି କରିଦେଲେ ଉତ୍ତମ, କହିବା ପରେ କଲେ ମଧ୍ୟମ ଓ କହିବା ପରେ ବି ନକଲେ କୁଆଡ଼େ ଅଧମ ! ଏଥିରେ ଫେର୍ ଯୋଡ଼ା ଗଲାଣି ଯେ କହିବା ପରେ ସୁଦ୍ଧା କରିବା ଦୂରେ ଥାଉ, ଯିଏ ଓଲଟା ଦି’ ପଦ ଶୁଣାଏ ସେ ଅଧମାଦପି ଅଧମ ଅଟଇ ।
ତେଣୁ ବୋଲ ବା କହିବା କଥା ମାନିବାକୁ “ବୋଲ କରିବା” କୁହାଯାଏ । ଏହି “ବୋଲ କରିବା” କ୍ଷେତ୍ରରେ ଦି’ ଜଣ ଥାଆନ୍ତି । ଜଣେ ବୋଲିବ ବା କହିବ । ଏମିତି ଘୋଷଣା ଜାତୀୟ କହିବା ନୁହେଁ, କିଛି ଗୋଟେ କରିବାକୁ ବା ପାଳିବାକୁ କହିବ । ତାହା ବୋଲ । ତାକୁ ମହଜୁଦ ଥିବା ଆରଜଣକ ଶୁଣିବ ଓ ସେ କଥା ମାନି ଅବିକଳ କହିବା ମୁତାବକ କାମ କରିବ । ଏହା ହିଁ ବୋଲ କରିବା । ଅମାନିଆ ନହୋଇ ବୋଲ ମାନିବା । ଏହି କାମ ଯିଏ କରିଥାଏ ସେ ବୋଲକରା ବୋଲାଇ ଥାଏ । ଅନ୍ୟଥା ଅବୋଲକରା । ଯାହାଙ୍କୁ ଶୁଣ୍ ଶୁଣ୍ କହି ପୁନଃପୁନଃ ସେଇ ଏକା କଥା କୁହା ଯାଇଥାଏ ।
ବାଲ୍ୟ କାଳରୁ ବୋଲ ମାନିବା ଏକ ଶୃଙ୍ଖଳିତ ଜୀବନାରମ୍ଭର ଆଦ୍ୟ ଲକ୍ଷଣ ଭାବେ ପରିଗଣିତ ହୋଇ ଆସୁଛି । ଏମିତିରେ ବୋଲିବା ବା କହିବା ଲୋକ ବଡ଼ ହିଁ ହୋଇଥାନ୍ତି, ଅତି ନିକୁଛରେ ବୟସରେ ! ତାଙ୍କ ବୋଲ ମାନିବାକୁ ହେଲେ ନିଜକୁ ନିରୀହପଣରେ ସଜାଇ ସାନ ମଣି ତାଙ୍କୁ ଗୁରୁତ୍ୱ ଦେଲେ ହିଁ ତାଙ୍କ କଥା ମାନିବା ସମ୍ଭବ ହୋଇଥାଏ ।
“ବାଳକେ ମୋର ବୋଲ କର, ବେଳହୁଁ ଗୋବିନ୍ଦ ସୁମର” ବୋଲି ଯେଉଁ ମହତ୍ତର କଥାଟି କୁହାଯାଇଛି, ତାହା ବାହ୍ୟତଃ ବୋଲ ସିନା । ବାସ୍ତବରେ କିନ୍ତୁ ତା ଭିତରେ ବାଲ୍ୟକାଳରୁ ହିଁ ସତ କର୍ମ ସମ୍ପାଦନାର୍ଥେ ସତ୍ ଚିନ୍ତନ କରତଃ ତାକୁ ସଦାଚାରରେ ସିଦ୍ଧ କରିବାକୁ ଏକ ସଠିକ ଦିଶା ପ୍ରଦର୍ଶିତ ହୋଇଛି । ଏନେଇ ଭକ୍ତକବି ତ ଏ ଅନିତ୍ୟ ସଂସାରରେ ବାଲ୍ୟକାଳୁ ଧର୍ମ ରୂପୀ ଧନ ସଞ୍ଚିବା ପାଇଁ ପ୍ରାଞ୍ଜଳ ଭାବେ ଗାଇ ଯାଇଛନ୍ତି । ଏଥକୁ ଆମ କହିବା କଥା ହେଲା ବୋଲ ନମାନିଲେ, କଥା ନଶୁଣିଲେ, ଶୁଣିବା ପରେ ବି ତାହା ମାନି କାମ ନକଲେ ବା ନଚଳିଲେ ଜୀବନର ସାରବତ୍ତାନୁଭବ ଦୂରେ ଥାଉ, ଜୀବନ ଅସାର ବା ସ୍ଥଳ ବିଶେଷରେ ଦୁର୍ବିସହ ମନେ ହୋଇଥାଏ ।
ବୋଲ ମାନିବା ନିଜର ଏକ ସଂସ୍କାର । ବୋଲକରାଏ ଅହଂ ଭୁଲି କାମରେ ମନ ଦେଇଥାନ୍ତି । ସେମାନେ ସର୍ବାନ୍ତଃକରଣରେ କର୍ମୀ, ଯଦିଓ କର୍ମବୀର କର୍ମଯୋଗୀ ଆଦିରେ ବିଭୂଷିତ ହେବା ପ୍ରତ୍ୟାଶା ନରଖି ଅନ୍ୟର କଥାକୁ ସମ୍ମାନ ଦେବାରେ ଅଭ୍ୟସ୍ତ ରହିଥାନ୍ତି । ଅବୋଲକରା ଏଭଳି ଚରିତ୍ର, ଯିଏ ଗାଆଁ ଗହଳିରେ କାହାର ହଜିଲା ଗାଈ ଖୋଜି ଆଣି ଦିଅନ୍ତି ତ କାହା ବାଧକରେ ସେବାଯତ୍ନ ସହ ଚିକିତ୍ସା ବ୍ୟବସ୍ଥା ପାଇଁ ଆଗୁସାର ହୋଇଯାଆନ୍ତି । ଏମିତି କି ଗାଆଁ କି ସହର ସବୁଠି ନାନାଦି କାମରେ ନିଜର ଅନୁପମ ଇଚ୍ଛା ଶକ୍ତି ଓ ସ୍ୱଭାବ ସୁଲଭ ସେବା ମନୋଭାବକୁ କାମରେ ଲଗାଇଥାନ୍ତି ।
କ୍ରମେ ଆଉ କାହା ବୋଲ ମାନିବା ବି ଲୋଡ଼ା ପଡ଼େନି । ଏମାନେ ସ୍ୱତଃପ୍ରବୃତ୍ତ ଭାବେ ଜଡ଼ିତ ହୋଇ ଆପଣା ଭୂମିକା ତୁଲାଇ ନିଅନ୍ତି ବହୁ କ୍ଷେତ୍ରରେ ।
ବୋଲକରା ଅନାୟାସେ ହୋଇପାରେ ଆତ୍ମବିସ୍ମୃତ । ପର ଦୁଃଖରେ ଦୁଃଖୀ ହେବା ତ ନିଶ୍ଚିତ, ପର ସୁଖରେ ହିଁ ଆପଣାର ସୁଖ ସାଉଁଟିଥାଏ । ତେଣୁ ବୋଲକରା ହେବା ନାକରା ନୁହଁଇ, ବରଂ ମହତ୍ତର ।

କିନ୍ତୁ କାଳକ୍ରମେ ଦେଖାଯାଏ ଯେ ଜଣେ ଜଣେ ଆଜୀବନ ଘରେ ବାହାରେ ସର୍ବତ୍ର ବୋଲକରା ହୋଇ ରହିଯାନ୍ତି, ଯେଉଁମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନମଣି କିଞ୍ଚିତ ବି ଗୁରୁତ୍ୱ ଦିଆଯାଏନି, ଯାହା ନିଶ୍ଚେ ନିନ୍ଦନୀୟ । ଅପର ପକ୍ଷରେ ବୋଲହାକ କରିକରି ଫି’ କଥାରେ ହଁ ମାରିବା ବି କେତେକଙ୍କ କ୍ଷେତ୍ରରେ ଏଡ଼ିକି ଦିହସୁହା ହୋଇଯାଏ ଯେ ଏମାନେ ଘରେ ବାହାରେ ସବୁଠି ସବୁ କଥାରେ ନଭାବି ନଚିନ୍ତି ହଁ ମାରି ମାଡ଼ି ଚାଲନ୍ତି । ଏମିତି ବୋଲ ମାନି ବଡ଼ବଡ଼ିଆଙ୍କ ପାଖଲୋକ ପାଲଟି ଯାଉଯାଉ ନିଜ ନିଜକୁ ଅବଲୀଳା କ୍ରମେ ଏକ ଶକ୍ତିକେନ୍ଦ୍ର ଭାବେ ପ୍ରଦର୍ଶନ କରିବା ଏମାନଙ୍କ ଧ୍ୟେୟ ହୋଇଯାଏ । ଏହି କାରଣରୁ ସମକାଳର ବହୁ କ୍ଷେତ୍ରରେ ବୋଲକରା ଓ ଦିହଲଗା ଭିତରେ ତିଳେ ହେଁ ତଫାତ ଥିବା ପରି ଲାଗେନି ।
ବୋଲ ମାନିବା କିନ୍ତୁ ଭଲ କାମ । ତେଣୁ ବୋଲକରାଙ୍କଠୁ ହିଁ ଆହୁରି ଭଳିକି ଭଳି ଭଲ କଥା ମାନ ଆଶା କରାଯାଇଥାଏ । ଯିଏ ଅବୋଲକରା, ସିଏ ତ ଏସବୁ ଜଞ୍ଜାଳଠୁ ସଦା ଦୂରେ, ତାକୁ କଥା ଶୁଣାଇ ଶୁଣାଇ ଥକିଯିବା ଅବଧାରିତ । ବୋଲକରାଙ୍କ କ୍ଷେତ୍ରରେ କିନ୍ତୁ ଭୁଲରେ କେହି କିଛି ନକହିଲେ ହେଁ କହିବା ପରି “କହଇ ମନ ଆରେ ମୋ ବୋଲକର.. ” କହି ତା ଗୁରୁ ରୁପୀ ମନ ନିଶ୍ଚେ ତାକୁ ଆହୁରି ଦିବ୍ୟଗୁଣ ସମ୍ପନ୍ନ ହୋଇ ଦିବ୍ୟ ପଥର ଯାତ୍ରୀ ହେବା ପାଇଁ ଶୁଣାଇ ଚାଲିଥାଏ !!
କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫
ଲେଖକ ପରିଚୟ
କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।
