ସତ୍ୟନାରାୟଣ ଗନ୍ତାୟତ

ବୋଲକରା ମାନେ ଯିଏ ଆଜ୍ଞା ବହ । କହିବା କଥା ଶୁଣି ତଦନୁସାରେ କାମ କରିଦିଏ । ଏନେଇ ଶାସ୍ତ୍ରରେ ଠାଏ କୁହାଯାଇଛି ଯେ କହିବା ଆଗୁ ମନ କଥା ଜାଣି କରିଦେଲେ ଉତ୍ତମ, କହିବା ପରେ କଲେ ମଧ୍ୟମ ଓ କହିବା ପରେ ବି ନକଲେ କୁଆଡ଼େ ଅଧମ ! ଏଥିରେ ଫେର୍ ଯୋଡ଼ା ଗଲାଣି ଯେ କହିବା ପରେ ସୁଦ୍ଧା କରିବା ଦୂରେ ଥାଉ, ଯିଏ ଓଲଟା ଦି’ ପଦ ଶୁଣାଏ ସେ ଅଧମାଦପି ଅଧମ ଅଟଇ ।

ତେଣୁ ବୋଲ ବା କହିବା କଥା ମାନିବାକୁ “ବୋଲ କରିବା” କୁହାଯାଏ । ଏହି “ବୋଲ କରିବା” କ୍ଷେତ୍ରରେ ଦି’ ଜଣ ଥାଆନ୍ତି । ଜଣେ ବୋଲିବ ବା କହିବ । ଏମିତି ଘୋଷଣା ଜାତୀୟ କହିବା ନୁହେଁ, କିଛି ଗୋଟେ କରିବାକୁ ବା ପାଳିବାକୁ କହିବ । ତାହା ବୋଲ । ତାକୁ ମହଜୁଦ ଥିବା ଆରଜଣକ ଶୁଣିବ ଓ ସେ କଥା ମାନି ଅବିକଳ କହିବା ମୁତାବକ କାମ କରିବ । ଏହା ହିଁ ବୋଲ କରିବା । ଅମାନିଆ ନହୋଇ ବୋଲ ମାନିବା । ଏହି କାମ ଯିଏ କରିଥାଏ ସେ ବୋଲକରା ବୋଲାଇ ଥାଏ । ଅନ୍ୟଥା ଅବୋଲକରା । ଯାହାଙ୍କୁ ଶୁଣ୍ ଶୁଣ୍ କହି ପୁନଃପୁନଃ ସେଇ ଏକା କଥା କୁହା ଯାଇଥାଏ ।

ବାଲ୍ୟ କାଳରୁ ବୋଲ ମାନିବା ଏକ ଶୃଙ୍ଖଳିତ ଜୀବନାରମ୍ଭର ଆଦ୍ୟ ଲକ୍ଷଣ ଭାବେ ପରିଗଣିତ ହୋଇ ଆସୁଛି । ଏମିତିରେ ବୋଲିବା ବା କହିବା ଲୋକ ବଡ଼ ହିଁ ହୋଇଥାନ୍ତି, ଅତି ନିକୁଛରେ ବୟସରେ ! ତାଙ୍କ ବୋଲ ମାନିବାକୁ ହେଲେ ନିଜକୁ ନିରୀହପଣରେ ସଜାଇ ସାନ ମଣି ତାଙ୍କୁ ଗୁରୁତ୍ୱ ଦେଲେ ହିଁ ତାଙ୍କ କଥା ମାନିବା ସମ୍ଭବ ହୋଇଥାଏ ।

“ବାଳକେ ମୋର ବୋଲ କର, ବେଳହୁଁ ଗୋବିନ୍ଦ ସୁମର” ବୋଲି ଯେଉଁ ମହତ୍ତର କଥାଟି କୁହାଯାଇଛି, ତାହା ବାହ୍ୟତଃ ବୋଲ ସିନା । ବାସ୍ତବରେ କିନ୍ତୁ ତା ଭିତରେ ବାଲ୍ୟକାଳରୁ ହିଁ ସତ କର୍ମ ସମ୍ପାଦନାର୍ଥେ ସତ୍ ଚିନ୍ତନ କରତଃ ତାକୁ ସଦାଚାରରେ ସିଦ୍ଧ କରିବାକୁ ଏକ ସଠିକ ଦିଶା ପ୍ରଦର୍ଶିତ ହୋଇଛି । ଏନେଇ ଭକ୍ତକବି ତ ଏ ଅନିତ୍ୟ ସଂସାରରେ ବାଲ୍ୟକାଳୁ ଧର୍ମ ରୂପୀ ଧନ ସଞ୍ଚିବା ପାଇଁ ପ୍ରାଞ୍ଜଳ ଭାବେ ଗାଇ ଯାଇଛନ୍ତି । ଏଥକୁ ଆମ କହିବା କଥା ହେଲା ବୋଲ ନମାନିଲେ, କଥା ନଶୁଣିଲେ, ଶୁଣିବା ପରେ ବି ତାହା ମାନି କାମ ନକଲେ ବା ନଚଳିଲେ ଜୀବନର ସାରବତ୍ତାନୁଭବ ଦୂରେ ଥାଉ, ଜୀବନ ଅସାର ବା ସ୍ଥଳ ବିଶେଷରେ ଦୁର୍ବିସହ ମନେ ହୋଇଥାଏ ।

ବୋଲ ମାନିବା ନିଜର ଏକ ସଂସ୍କାର । ବୋଲକରାଏ ଅହଂ ଭୁଲି କାମରେ ମନ ଦେଇଥାନ୍ତି । ସେମାନେ ସର୍ବାନ୍ତଃକରଣରେ କର୍ମୀ, ଯଦିଓ କର୍ମବୀର କର୍ମଯୋଗୀ ଆଦିରେ ବିଭୂଷିତ ହେବା ପ୍ରତ୍ୟାଶା ନରଖି ଅନ୍ୟର କଥାକୁ ସମ୍ମାନ ଦେବାରେ ଅଭ୍ୟସ୍ତ ରହିଥାନ୍ତି । ଅବୋଲକରା ଏଭଳି ଚରିତ୍ର, ଯିଏ ଗାଆଁ ଗହଳିରେ କାହାର ହଜିଲା ଗାଈ ଖୋଜି ଆଣି ଦିଅନ୍ତି ତ କାହା ବାଧକରେ ସେବାଯତ୍ନ ସହ ଚିକିତ୍ସା ବ୍ୟବସ୍ଥା ପାଇଁ ଆଗୁସାର ହୋଇଯାଆନ୍ତି । ଏମିତି କି ଗାଆଁ କି ସହର ସବୁଠି ନାନାଦି କାମରେ ନିଜର ଅନୁପମ ଇଚ୍ଛା ଶକ୍ତି ଓ ସ୍ୱଭାବ ସୁଲଭ ସେବା ମନୋଭାବକୁ କାମରେ ଲଗାଇଥାନ୍ତି ।

କ୍ରମେ ଆଉ କାହା ବୋଲ ମାନିବା ବି ଲୋଡ଼ା ପଡ଼େନି । ଏମାନେ ସ୍ୱତଃପ୍ରବୃତ୍ତ ଭାବେ ଜଡ଼ିତ ହୋଇ ଆପଣା ଭୂମିକା ତୁଲାଇ ନିଅନ୍ତି ବହୁ କ୍ଷେତ୍ରରେ ।

ବୋଲକରା ଅନାୟାସେ ହୋଇପାରେ ଆତ୍ମବିସ୍ମୃତ । ପର ଦୁଃଖରେ ଦୁଃଖୀ ହେବା ତ ନିଶ୍ଚିତ, ପର ସୁଖରେ ହିଁ ଆପଣାର ସୁଖ ସାଉଁଟିଥାଏ । ତେଣୁ ବୋଲକରା ହେବା ନାକରା ନୁହଁଇ, ବରଂ ମହତ୍ତର ।

କିନ୍ତୁ କାଳକ୍ରମେ ଦେଖାଯାଏ ଯେ ଜଣେ ଜଣେ ଆଜୀବନ ଘରେ ବାହାରେ ସର୍ବତ୍ର ବୋଲକରା ହୋଇ ରହିଯାନ୍ତି, ଯେଉଁମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ନମଣି କିଞ୍ଚିତ ବି ଗୁରୁତ୍ୱ ଦିଆଯାଏନି, ଯାହା ନିଶ୍ଚେ ନିନ୍ଦନୀୟ । ଅପର ପକ୍ଷରେ ବୋଲହାକ କରିକରି ଫି’ କଥାରେ ହଁ ମାରିବା ବି କେତେକଙ୍କ କ୍ଷେତ୍ରରେ ଏଡ଼ିକି ଦିହସୁହା ହୋଇଯାଏ ଯେ ଏମାନେ ଘରେ ବାହାରେ ସବୁଠି ସବୁ କଥାରେ ନଭାବି ନଚିନ୍ତି ହଁ ମାରି ମାଡ଼ି ଚାଲନ୍ତି । ଏମିତି ବୋଲ ମାନି ବଡ଼ବଡ଼ିଆଙ୍କ ପାଖଲୋକ ପାଲଟି ଯାଉଯାଉ ନିଜ ନିଜକୁ ଅବଲୀଳା କ୍ରମେ ଏକ ଶକ୍ତିକେନ୍ଦ୍ର ଭାବେ ପ୍ରଦର୍ଶନ କରିବା ଏମାନଙ୍କ ଧ୍ୟେୟ ହୋଇଯାଏ । ଏହି କାରଣରୁ ସମକାଳର ବହୁ କ୍ଷେତ୍ରରେ ବୋଲକରା ଓ ଦିହଲଗା ଭିତରେ ତିଳେ ହେଁ ତଫାତ ଥିବା ପରି ଲାଗେନି ।

ବୋଲ ମାନିବା କିନ୍ତୁ ଭଲ କାମ । ତେଣୁ ବୋଲକରାଙ୍କଠୁ ହିଁ ଆହୁରି ଭଳିକି ଭଳି ଭଲ କଥା ମାନ ଆଶା କରାଯାଇଥାଏ । ଯିଏ ଅବୋଲକରା, ସିଏ ତ ଏସବୁ ଜଞ୍ଜାଳଠୁ ସଦା ଦୂରେ, ତାକୁ କଥା ଶୁଣାଇ ଶୁଣାଇ ଥକିଯିବା ଅବଧାରିତ । ବୋଲକରାଙ୍କ କ୍ଷେତ୍ରରେ କିନ୍ତୁ ଭୁଲରେ କେହି କିଛି ନକହିଲେ ହେଁ କହିବା ପରି “କହଇ ମନ ଆରେ ମୋ ବୋଲକର.. ” କହି ତା ଗୁରୁ ରୁପୀ ମନ ନିଶ୍ଚେ ତାକୁ ଆହୁରି ଦିବ୍ୟଗୁଣ ସମ୍ପନ୍ନ ହୋଇ ଦିବ୍ୟ ପଥର ଯାତ୍ରୀ ହେବା ପାଇଁ ଶୁଣାଇ ଚାଲିଥାଏ !!

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ।

Related Posts

One thought on “ବୋଲକରା

  1. ମାନ୍ୟ ଲଖକ ଶ୍ରୀ ସତ୍ୟ ନାରାୟଣ ଗନ୍ତାୟତଙ୍କ ବୋଲକରା ପ୍ରବନ୍ଧ ଟି ଭଲ ଲାଗିଲା। ସମାଜରେ ବଲୋକରା ମାନଙ୍କ କାଟତି ରହିଆସିଛି। ଆଗତୁରା ଉପରେ ପଡି‌ ମଧ୍ୟ କିଛି କାମ କରୁଥିବା ବ୍ୟକ୍ତି ଦପ୍ତର ରେ ବୋଲକରା ପଦବାଚ୍ୟ ପାଇଁ ଯୋଗ୍ୟ ହୁଏ। ବିଭିନ୍ନ ଦୃଷ୍ଟାନ୍ତ ଦେଇ ଲେଖିଥିବା
    ଭଲ ପ୍ରବନ୍ଧ ପାଇଁ ଶୁଭେଚ୍ଛା ଜଣାଉଛି।

Leave a Reply

Your email address will not be published. Required fields are marked *