ଭୁବନେଶ୍ଵର : ରାଜ୍ୟର ଜଣେ ବିଶିଷ୍ଟ ପ୍ରାବନ୍ଧିକ ତଥା ପୂର୍ବତନ ପ୍ରଶାସକ ଶୈଳେନ୍ଦ୍ର ଦ୍ଵିବେଦୀଙ୍କର ପରଲୋକ ହୋଇଯାଇଛି । ରାଜଧାନୀର ଏକ ଘରୋଇ ଚିକିତ୍ସାଳୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଓଡ଼ିଶା ସରକାରୀଙ୍କ ଅଧୀନରେ ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରି ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ଗତ ବର୍ଷ ସେ ସାଧାରଣ ଉଦ୍ୟୋଗ ବିଭାଗରୁ ସ୍ଵତନ୍ତ୍ର ସଚିବ ଭାବେ ଅବସର ନେଇଥିଲେ । ଜଣେ ଦକ୍ଷ ପ୍ରଶାସକ ସହିତ ସେ ଥିଲେ ଜଣେ ବାଗ୍ମୀ ସ୍ତମ୍ଭକାର । ଏକଦା ‘ସମ୍ବାଦ’ ଭଳି ଏକ ଆଗଧାଡ଼ିର ଖବରକାଗଜରେ ତାଙ୍କର ନିୟମିତ ସ୍ତମ୍ଭ ‘ସିଧା କଥା’ ପ୍ରକାଶିତ ହେଉଥଲା ।
ଏତଦବ୍ୟତୀତ ସେ ଥିଲେ ଜଣେ ସୁଦକ୍ଷ ସାହିତ୍ୟିକ । ତାଙ୍କ ରଚିତ ପୁସ୍ତକ ‘ମାୟାମିରିଗ’, ‘ନିଜ ଭିତରକୁ ରାସ୍ତା’, ‘ଜହ୍ନ ଚୋର’, ‘ଏକ ଚିତ୍ର ବାଘର କାହାଣୀ’, ‘ନିଜ ନିଜ ନିର୍ବାଣ’ ଆଦି ପାଠକୀୟ ଆଦୃତି ଲାଭ କରିଥିଲେ । ସୂଚନା ଥାଉ ଯେ ତାଙ୍କ ମୃତ୍ୟୁବେଳକୁ ତାଙ୍କ ପାଖରେ ଥିଲେ ତାଙ୍କ ଧର୍ମପତ୍ନୀ ଶୁଚିସ୍ମିତା ଦ୍ଵିବେଦୀ, ପୁତ୍ର ସମ୍ବିତ, କନ୍ୟା ସଂଚିତାଙ୍କ ସମେତ ପୂର୍ବତନ ମନ୍ତ୍ରୀ ସମୀର ଦାସ, ପୂର୍ବତନ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ପୂର୍ବତନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ ଦାସ, ବରିଷ୍ଠ ବୀମା ଅଧିକାରୀ ସୁରେଶ ବିଶ୍ଵାଳଙ୍କ ସମେତ ବନ୍ଧୁ ଓ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ ।
ସେପଟେ ପ୍ରାବନ୍ଧିକ ଶୈଳେନ୍ଦ୍ର ଦ୍ଵିବେଦୀଙ୍କ ମୃତ୍ୟୁ ଖବର ପାଇ ସୋସିଆଲ ମିଡ଼ିଆରେ ବି ସାହିତ୍ୟିକ ବନ୍ଧୁମାନେ ନିଜ ନିଜ ବ୍ୟକ୍ତିଗତ ଆକାଉଣ୍ଟରେ ତାଙ୍କ ବିୟୋଗ ଜନିତ ଶୋକ ପାଳନ ପୂର୍ବକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କାବ୍ୟକବିତା ପାଇଁ ନିକଟ ଅତୀତରେ ଚେତାବନୀ ପ୍ରଜ୍ଞା ସମ୍ମାନରେ ସମ୍ମାନିତ ବିଶିଷ୍ଟ କବି କେଦାର ମିଶ୍ର ଲେଖିଛନ୍ତି – “ଶୈଳେନ୍ଦ୍ର ଭାଇ ଓଡ଼ିଶାର ସେହି ଅଳ୍ପ କେତେଜଣ ପାଠୁଆ ଲୋକଙ୍କ ଭିତରେ ରହିବେ, ଯେଉଁ ମାନେ ସବୁ କିଛି ପଢି ପାରନ୍ତି ଓ ସବୁ ବିଷୟରେ ଲେଖିପାରନ୍ତି । ଗୋଟେ ସମୟରେ ଜଗତର ସବୁ ମହାନ ଦାର୍ଶନିକ ମାନଙ୍କୁ ନେଇ ପ୍ରତି ରବିବାର “ଅନୁପମ ଭାରତ”ର ସାହିତ୍ୟ ପୃଷ୍ଠାରେ ଏକ ଫିଚର ସ୍ତମ୍ଭ ସେ ଲେଖିଥିଲେ ଯାହାକି ପରବର୍ତ୍ତୀ ସମୟରେ “ଅସନ୍ତୁଷ୍ଟ ହେବାର ଅନୁରାଗ ଓ ଅନ୍ୟାନ୍ୟ” ଶୀର୍ଷକରେ ବହି ହୋଇ ବାହାରିଥିଲା । ପାଠ ଓ ପ୍ରେମ ଭିତରେ ତାଙ୍କର ନିରନ୍ତର ଗତାଗତ । ଏତେ ସ୍ନେହୀ ମଣିଷ କ୍ଵଚିତ ଆସିବେ ଜୀବନରେ ।”
ଅନ୍ୟଜଣେ ଗଣମାଧ୍ୟମ କର୍ମକର୍ତ୍ତା ଓ ସ୍ତମ୍ଭକାର ମାନସ ମଲ୍ଲିକ ଲେଖିଲେ – “ଖବରଟି ଜାଣିବାପରେ ମୁଁ ବିଶ୍ଵାସ କରିପାରୁନି । ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀଯୁକ୍ତ ଶୈଳେନ୍ଦ୍ର ଦ୍ଵିବେଦୀଙ୍କ ଅକାଳ ବିୟୋଗ । ବିଜ୍ଞାନ ଆଉ ଦର୍ଶନକୁ ନେଇ ଖୁବ୍ ଚମତ୍କାର ପ୍ରବନ୍ଧ ଲେଖନ୍ତି ସେ । ଏମିତି ଗୋଟେ ସମୟ ଥିଲା ଯେତେବେଳେ ଦୈନିକ ବିଭିନ୍ନ ସମ୍ବାଦପତ୍ରରେ ତାଙ୍କର ପ୍ରବନ୍ଧ ପ୍ରକାଶିତ ହେଉଥିଲା ଏବଂ ମୁଁ ତାଙ୍କ ପ୍ରବନ୍ଧର ଜଣେ ମୁଗ୍ଧ ପାଠକ । ଅନେକ ସମୟରେ ସେ ମୋ ସହିତ ଫେସବୁକ ମେସେଞ୍ଜରରେ ଚାଟ୍ କରନ୍ତି, ବିଭିନ୍ନ ବିଷୟରେ ମତ ବିନିମୟ ହୁଏ । ଶ୍ରୀଯୁକ୍ତ ଦ୍ଵିବେଦୀଙ୍କ ପରଲୋକ ଓଡ଼ିଆ ବୌଦ୍ଧିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।” ଏହିପରି ବୌଦ୍ଧିକ ତଥା ସାହିତ୍ୟ ମହଲରେ ଅନେକ ବନ୍ଧୁ ତାଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ।
