ଚୁମ୍ବନର ମାନଚିତ୍ର

ସୁଧୀର କୁମାର ପଣ୍ଡା

ଓଠ ଦିଏ ଛୁଆଁ କରେ ସେ କିମିଆ ମନକୁ ହରସ କରେ
ଜାଗା ଛୁଆଁ ନେଇ ଭାବ ସେ ପ୍ରକାଶେ ଭାବ ନେଇ ମନ ଝୁରେ ।

ହାତଟିକୁ ନେଇ ଓଠରେ ଛୁଆଁଇ ଚୁମାଟିଏ ଯେବେ ଦିଅ
ଭଲ ଭାବ ସହ ସମ୍ମାନ ଅନେକ ଏଇ ଭାବ ବୁଝି ନିଅ ।

ଦୁଇ ହାତେ ଯେବେ ମଥାଟିକୁ ଧରି ଚୁମ୍ବନ ଦିଅ କପାଳେ
ପ୍ରେମ ସସମ୍ମାନେ ପ୍ରତିଶ୍ରୁତି ମନେ ଭଲପାଏ ସବୁବେଳେ ।

ନାକର ଉପରେ ସରଳ ଚୁମାଟେ ଯେବେ ହୋଇଯାଏ ଅଙ୍କା
ପ୍ରେମର ଜ୍ୟାମିତି ଅତିଟି ସରଳ ନାହିଁ କିଛି ଅଙ୍କାବଙ୍କା ।

କାନର ତୁଳୀରେ ସରାଗ ବୋଳାରେ ଟଣାହୁଏ ଯେ ଚୁମ୍ବନ
ସେ ଚୁମ୍ବନ ଅଟେ ସପନରେ ଭରା ସପନରେ ଭରା ମନ ।

ମୁଦ୍ରିତ ଚକ୍ଷୁର ପତାର ଉପର ଚୁମ୍ବନ ପରଶ ଭରେ
ଚୁମିଲା ଓଠର ଧରା ହୃଦୟଟି ତୁମ ପାଇଁ ଝୁରି ମରେ ।

କରି ଆଲିଙ୍ଗନ ନିବିଡ଼ କମ୍ପନ ଯେବେ ଓଠ ଛୁଏଁ ଓଠ
ଭାବ ତା ପ୍ରକାଶ କରି ତ ନହୁଏ ଗହନ ଜ୍ୟାମିତି ପାଠ ।

ବ୍ରହ୍ମପୁର, ମୋବାଇଲ – ୯୩୩୭୭୮୨୯୧୨

ଲେଖକ ପରିଚୟ

ଦଶ ବର୍ଷ ପରିସଂଖ୍ୟାନ ସଂସ୍ଥା ନିଲସନସ୍‌ରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କଲାପରେ ବ୍ରହ୍ମପୁର ସହରରେ ନିଜର ଔଷଧ ବ୍ୟବସାୟରେ କାର୍ଯ୍ୟରତ ।  ବିଭିନ୍ନ ଧାରାର କବିତା ବିଶେଷତଃ ଓଡ଼ିଆ ସନେଟ୍, ହାଇକୁ ଓ ଅନୁସୃଜନ କବିତା ରଚନାରେ ସିଦ୍ଧହସ୍ତ । ସେ ବିଭିନ୍ନ ସାହିତ୍ୟ ସଂଗଠନରେ ସମ୍ପୃକ୍ତ ଏବଂ ସାହିତ୍ୟର ବହୁବିଧ ଉନ୍ନତି ପାଇଁ କାର୍ଯ୍ୟରତ ।

Related Posts

Leave a Reply

Your email address will not be published. Required fields are marked *