ସ୍ଵର୍ଗତ ଡ. ରତ୍ନାକର ଚଇନିଙ୍କ ସ୍ମୃତିରେ
ଛବିରାମ ସେଠୀ

ଜନ୍ମିଥିଲ ତୁମେ ଗାଁ’ର ମାଟିରେ
କଟକର ସାଲେପୁରେ
ପାଠ ପଢୁଥିଲ ସାଙ୍ଗ ସାଥୀମେଳେ
ନେମାଳ ବିଦ୍ୟାଳୟରେ । (୧)
ଗାଁ’ର ମାଟିରେ ଖେଳିବୁଲି ତୁମେ
ପାଠରେ ଲଗାଇ ମନ
କିଏ ଜାଣିଥିଲା ଏତେ ବଡ଼ ହୋଇ
ରଖିବ ଜାତିର ନାମ । (୨)
ଉଚ୍ଚଶିକ୍ଷା ପାଇଁ ଗାଁ’ ମାଟି ଛାଡ଼ି
ସହର ଆସିଲ ଧାଇଁ
ସାଇକେଲ ଚଢ଼ି ଧରି ଚୁଡ଼ାମୁଢ଼ି
ରତ୍ନାକର ନାମ ବହି । (୩)
ରେଭେନ୍ସା କଲେଜ କଟକରେ ତୁମେ
ଭାଷାରେ ସ୍ନାତକୋତ୍ତର
ଉତ୍କଳ ବିଶ୍ୱ ବିଦ୍ୟାଳୟେ ହେଲ
ପି,ଏଚ୍ ଡିର କର୍ଣ୍ଣଧାର । (୪)
ସାରସ୍ୱତ ପଥେ ପାଦ ଥାପି ଦେଇ
ଲେଖନୀକୁ ଚଳାଇଲ
ସରଜିଲ କେତେ କଥା ଓ କବିତା
ମହକ ଖେଳାଇ ଦେଲ । (୫)
ଲେଖିଛ ଏଠି ଯେ କବି ହୋଇ ତୁମେ
ବାସ୍ତବର ନାଟ୍ୟକାର
ରଚିଅଛ ଏଠି ଆଶା ବୃନ୍ଦାବନ
ସନ୍ଥକବି କୃଷ୍ଣଙ୍କର । (୬)
ଉତ୍କଳ ସାହିତ୍ୟ ସମାଜର ତୁମେ
ହୋଇଥିଲ ସଭାପତି
ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ
ରଖିଲ ମାଟିରେ ପ୍ରୀତି । (୭)
ଛାଡ଼ି ଚାଲିଯିବ ଅଜଣା ରାଇଜେ
କାହାକୁ ନଥିଲା ଜଣା
ଓଡ଼ିଆ ଜାତିର ଚିର ନମସ୍ୟ ହେ
ପାଠକ ହୋଇଲେ ବଣା । (୮)
ଝୁରୁଛନ୍ତି ଏଠି ଆତ୍ମୀୟ ସ୍ୱଜନ
ଝୁରନ୍ତି ପାଠକଗଣ
ତୁମେ ଏ ଜାତିର ଚିର ନମସ୍ୟ ହେ
ମାଟିର ଯୋଗ୍ୟ ସନ୍ତାନ । (୯)
ମରି ମଧ୍ୟ ତୁମେ ଅମର ରହିଛ
ଓଡ଼ିଆ ମାଟିର ଶିରେ
ବଂଚିଛି ତୁମର ଅମୃତ ସୃଜନୀ
ଉତ୍କଳ ବାଣୀ ଭଣ୍ଡାରେ । (୧୦)
ଏତିକି ମାଗୁଣି ଶ୍ରୀଚରଣେ ତବ
ଶ୍ରୀଜଗନ୍ନାଥଙ୍କ ଠାରେ
ସ୍ଵର୍ଗରେ ଥାଇକି ଆଶିଷ ଦିଅନ୍ତୁ
ଉତ୍ତର ପିଢ଼ିଙ୍କ ଠାରେ । (୧୧)
ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮
ଲେଖକ ପରିଚୟ
ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।