ଅଞ୍ଜଳି ପଟ୍ଟନାୟକ

ବୋଉ ବୋଲି କ’ଣ କି ?
ଆଞ୍ଜୁଳେ ଅମୃତରେ
ରଞ୍ଚେ ଆକଟ ତ !
ଆକଟ ନଥାଇ
ଖାଲି ଅମୃତ ଥାଇ
କ’ଣ କଳି ହୁଏ ବୋଉକୁ…?!
ଯୋଡ଼େ ଶେଥା ଆଖିର ଗଣ୍ଡରେ
ଖେଳୁଥାଏ ଜୀବନ ମୀନ
ନିଜ କଷ୍ଟକୁ ଲୁଚାଇ ରଖିବାରେ
ଓସ୍ତାଦ୍ ନହେଲେ କୋଉ
ବୋଉ ହେଇ ହୁଏ ଯେ…?!
ସମସ୍ତଙ୍କୁ କଥାରେ ମଣ କରୁଥିବା ବୋଉ ବି
ଅମଣିଆ ହୁଏ
ଅମାନିଆ ହୁଏ
ଔଷଧ ଖାଏନି
ଖାଏନି ବି ପଥି
ଯାବତୀୟ ବିସ୍ମରଣରେ ବି
ସେ ପଚାରି ପକାଏ
ଜଣ ଜଣ କରି ସଭିଙ୍କ ଖାଇବା କଥା,
ସମସ୍ତଙ୍କ ଭିତରେ ତ
ନିଜକୁ ସେ ଗଣିନି କେବେ… !?
ତା ବୋପାଘର ମୋହ ଛାଡ଼ିନି ଆଜି ବି
ପଞ୍ଚଷଠୀ ବର୍ଷ ପରେ,
ଏବେ ବି
ତା ଭାଇ ପୁତୁରା ଝିଆରୀଙ୍କୁ ଦେଖିଲେ
ଝାଡ଼ିଝୁଡ଼ି ହେଇ ବସିପଡ଼େ
ନହେଲା ପରି କିଛି…
ଅନେକ ସମୟ ଧରି ଆକାଶକୁ
ଦେଖୁଥିବା ବୋଉ
ଖୋଜୁଛି ବୋଧେ ବାପାଙ୍କୁ
ଯିଏ ତାକୁ ଠକି ଦେଇଗଲେ
ମଝି ନଈରେ…
ବୋଉ ଆଉ ବାହୁନି ଡଙ୍ଗା କି
ଖୋଜୁନି କାତ,
କଳି ନେଲାଣି ବୋଧେ
ଗଣ୍ଡର ଗଭୀରତା
ଆଉ
ଡଙ୍ଗାର ଆୟୁଷ…
ବୋଉ ଆଜିକାଲି
କହେନି କିଛି
ସୁଖ ଦୁଃଖ ସବୁ ସମାନ ବୋଲି
ପ୍ରବଚନରୁ ଶୁଣିଛି…
ବୋଉ ନଈ ପରି
ସେ ସାଗର ପରି ଥିର
ହେଇ ପାରେନି,
ବୋଉ ସମୁଦ୍ର ହେଲେ
ବୋଉ ହେଇ ରୁହେନା…
ବୋଉ ଗୋଟେ ଜୀବନ୍ମୟ କବିତା
ଅହରହ ଯେ ଜୀଇଁ ଚାଲିଥାଏ,
ନଈ ହେଇ ବହି ଚାଲିଥାଏ… ।
ଅଡିଟ ସୁପରିଟେଣ୍ଡଟ୍, ଦୂର୍ଗାବଜାର, ଢେଙ୍କାନାଳ
ଲେଖକ ପରିଚୟ
କଲେଜ ପଢିଲାବେଳୁ ଲେଖାଲେଖି କରୁଥିଲି ହେଲେ ଏଇ ୬ ବର୍ଷ ହେଲା କବିତା ଲେଖାକୁ ପ୍ରାଧାନ୍ୟ ଦେଇଛି । ପେଶାରେ ସରକାରଙ୍କ ଅର୍ଥ ବିଭାଗରେ ସମୀକ୍ଷା ଅଧିକ୍ଷକ ଭାବେ କାର୍ଯ୍ୟରତ ସିନା କିନ୍ତୁ କର୍ମ କ୍ଷେତ୍ରରେ ଥାଇ ବି କବିତାଠୁ ନିଜକୁ ମୁକୁଳାଇ ପାରେନି ମୁଁ । ନିକଟରେ ପ୍ରକାଶିତ ହୋଇଛି କବିତା ଦୁଇଟି କବିତା ସଂକଳନ ‘ସଫେଦ ଇଂଦ୍ରଧନୁ’ ଓ ‘ସରାଗାତରେ ସୁରଗୀତି’ ।