ସୁମିତ ପଣ୍ଡା

ନେନ୍ଥାଏ ଦାୟିତ୍ୱ
ଆଶା ଭର୍ତ୍ତି ଝୁଲାଟିଏ ଧରି
ଜୀବନ ଝୁଲୁଛି ତାଲାଟିଏ ପରି !

କିଏ ଜାଣେ କୋଉ ଚାବିକାଠିରେ
ଖୋଲି ହେଇଯିବ
ସାତତାଳ ସାଗରତଳ ସିନ୍ଦୁକର ଫରୁଆ !
ହୀରା ମୋତି ମାଣିକ ନୁହେଁ
ଅସୁରଣୀଟେ ବାହାରି ବାଟ ଓଗାଳିବ !

ସେଇଦିନ ଠାକୁ’ମାର ଗପସବୁ ‘ଗପ’ ବୋଲି ଲାଗିବ !

ଏମିତି ବି ଗୋଟେ ଚାବିକାଠି ଥିବ
ଖୋଲୁଖୋଲୁ ଭାଙ୍ଗିଯିବ ଚାବିକାଠି,
ରହିଯିବ ତାଲା ଭିତରେ ଯେତେକ ଛୁଆଦିନର ସ୍ୱପ୍ନ
ହୁଏତ ତାଲା ସେପାଖେ ସେମାନେ ବାଟ ମୋର ଚାହିଁ ରହିଥିବେ
ଯେଉଁଠିକି ମୁଁ କେବେ ବି ଫେରିବିନି, ଫେରି ପାରିବିନି !

କିଛି ତାଲା, ଚାବିକାଠି ଅପେକ୍ଷାରେ ଆଜି ବି ଅଛନ୍ତି
ଅଥଚ ମୁଁ ଚିହ୍ନି ପାରୁନି ସେଇ ଚାବିକାଠିଟିକୁ
ଯଦିଓ ସେଇ କାଠି ମୋ ପାଖରେ
ଏବେବି ସୁରକ୍ଷିତ ଅଛି ବୋଲି ବେଳେବେଳେ ମନ କହେ !

ଏତେଗୁଡ଼ିଏ ଚାବିକାଠି ଧରି
ମୁଁ ତାଲା ସନ୍ଧାନରେ କାହିଁକି ଯାଉନି !

ମୁଁ ବାହାରିଛି,
ଆଉ ଗୋଟେ ତାଲାଟିଏ ଗଢିବାକୁ,
ସବୁ ତାଲାକୁ ଗୋଟେ ଘର ଭିତରେ କିଳିଦେଇ
ଆଉ ଗୋଟେ ବଡ଼ ତାଲା ଝୁଲେଇ ଦେବି

ହାତରେ ଛେଚିଛେଚି ପ୍ରଥମେ ଭାଙ୍ଗିବି,
ସେଇ ଚାବିକାଠିକୁ !

ଏବେ ଜୀବନ
ତୁ କେତେ ଢଙ୍ଗରେ
ଝୁଲୁଛୁ ଝୁଲୁ ଥା !

ରଘୁନାଥପୁର, ଭୁବନେଶ୍ୱର

ଲେଖକ ପରିଚୟ

ପେସାରେ କମ୍ପ୍ୟୁଟର ଆଗରେ ନିଜକୁ ବସେଇ ଦେଇ ବରାଦ ଦିଆ କୋଡ଼ ଲେଖିବା, ନହେଲେ ନିଶା ହଉଛି ସାହିତ୍ୟ । ଭାଷା ସାହିତ୍ୟର ଏକତରଫା ପ୍ରେମିକଟିଏ ମୁଁ ! ଲେଖକ ଆଉ ନିଜ ପରିଚୟ କଣ ଦେବ, ତା ସାହିତ୍ୟ କୃତି ହିଁ ତା’ର ପରିଚୟ ହେଉ ।

Related Posts

Leave a Reply

Your email address will not be published. Required fields are marked *