ବିନୟ ମହାପାତ୍ର
ମୁଁ କାହିଁକି ଗର୍ବ କରିବିନି ଯେ
ଏଇ ସୁନ୍ଦର ଧରିତ୍ରୀ ପାଇଁ,
ଏ ବିଶାଳ ବ୍ରହ୍ମାଣ୍ଡ ପାଇଁ,
ରଙ୍ଗେ ଚହକୁଥିବା
ବାସେ ମହକୁଥିବା ଏଇ
ରଙ୍ଗବେରଙ୍ଗର ଫୁଲମାନଙ୍କ ପାାଇଁ !
ଆଉ ଏ ସବୁର କାରୀଗର
ମୋର ସେହି ପ୍ରଭୁ ପାଇଁ ?
ନିଜେ ତ ଦିଶେନି, ହେଲେ
ନିଜକୁ ଜତେଇ ଦିଏ
କେବେ ସରଳତାରେ,
କେବେ ତାର ପ୍ରଚଣ୍ଡତାରେ,
କେବେ ନିଜେ ସୃଜନରେ ବ୍ୟସ୍ତ ସିଏ,
କେବେ ପୁଣି ବିନାଶର ତାଣ୍ଡବରେ !
ମୁଁ କାହିଁକି ଗର୍ବ କରିବିନି ଯେ,
ସେଇ ମୋର ପ୍ରଭୁ ପାଇଁ,
ଯିଏ ନିଜେ ତ କହେନି କିଛି, ହେଲେ
ନିଜକୁ ପ୍ରକାଶ କରିଯାଏ,
ସୂର୍ଯ୍ୟର ଉଷ୍ମତାରେ,
ତାର ପ୍ରଚଣ୍ଡ ରଶ୍ମିରେ,
କେବେ ଚନ୍ଦ୍ରର ଶୀତଳତାରେ,
କେବେ ସମୁଦ୍ରର ଗାମ୍ଭୀର୍ଯ୍ୟରେ,
ପୁଣି ପ୍ରକୃତିର ଦୟାଳୁତା
ଆଉ ତାର ଅନୁକମ୍ପାରେ ।
କେତେ ରଙ୍ଗରେ କେତେ ଢଙ୍ଗରେ,
କେତେ ଭାବରେ, କେତେ ଭାବନାରେ,
କେବେ ପ୍ରେମରେ, କେବେ ମମତାରେ,
କେବେ ରାଗ, ଅନୁରାଗରେ,
କେବେ କ୍ରୋଧରେ ଆଉ କେବେ କ୍ରୁରତାରେ !
ମୁଁ କାହିଁକି ଗର୍ବ କରିବିନି ଯେ,
ସେଇ ସକଳ ସୃଷ୍ଟିର ସ୍ରଷ୍ଟା
ସେଇ ଶ୍ରେଷ୍ଠ କଳାକାର ପାଇଁ !
ସେହି ଶ୍ରେଷ୍ଠ ଯନ୍ତ୍ରୀ,
ସେଇ ଶ୍ରେଷ୍ଠ ତନ୍ତ୍ରୀ ପାଇଁ !
ସିଏ ତ ଗଢିଛି ମୋତେ,
ମୋ ଦେହେ ଖଞ୍ଜିଛି ଭାବିବାକୁ ମନଟିଏ,
ଭାବ ଲଗାଇବାକୁ ହୃଦୟଟିଏ,
ଚିନ୍ତା, ଚିନ୍ତନ, ଚୈତନ୍ୟର ପାଇଁ
ଜଟିଳ ମସ୍ତିଷ୍କଟିଏ ।
ହେଲେ ଆଜି ମୁଁ ଲଜ୍ଜିତ କାହିଁକି ହୁଏ,
ନିଜକୁ ଅଧମ ମୁଢମତି କହି
ସ୍ରଷ୍ଟାକୁ ମୋର ଗାଳି ଦେଇଦିଏ ?
ସେହି ଶ୍ରେଷ୍ଠ ନିର୍ମାତାର ମୁଁ ଶ୍ରେଷ୍ଠ ରଚନାଟିଏ,
ବ୍ରହ୍ମାଣ୍ଡର ଶ୍ରେଷ୍ଠ ମସ୍ତିଷ୍କ ଖଞ୍ଜା ମୋର ଦେହେ,
ହେଲେ ଆଚରଣେ, ମୋର ବ୍ୟବହାରେ
ସେଇ ଇପ୍ପିତ ଶ୍ରେଷ୍ଠତା ଦିଶେନା କାହିଁକି ?
ସେଥିପାଇଁ କଣ ସେହି ନିର୍ମାତା ଦାୟୀ
ଅଥବା
ମୁଁ ଏକ ନିର୍ମାଣଗତ ତୃଟିଯୁକ୍ତ ସୃଷ୍ଠିଟିଏ ???
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।