ସଞ୍ଜୁରାଣୀ ମିଶ୍ରଙ୍କ ପୁସ୍ତକ ‘ସ୍ମୃତି ଖିଏ’ ଲୋକାର୍ପିତ

ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଅବସରପ୍ରାପ୍ତ ଅଧ୍ୟାପିକା ସଞ୍ଜୁରାଣୀ ମିଶ୍ରଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ସଂକଳନ ‘ସ୍ମୃତି ଖିଏ’ ଲୋକାର୍ପିତ ହୋଇଯାଇଛି ।ଏହି ସଂକଳନର ପ୍ରଥମ ଭାଗରେ ରହିଛି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ନଅଟି ଅନୁଭୂତି ଉପରେ ପର୍ଯ୍ୟବେଷିତ ୨୨ ଟି କ୍ଷୁଦ୍ରଗଳ୍ପ ଏବଂ ଦ୍ୱିତୀୟ ଭାଗରେ ରହିଛି ସଂଜୁରାଣୀଙ୍କ ନିଜ ପାରିବାରିକ ଜୀବନ, ବୃତ୍ତିଗତ ଝଡ଼ଝଞ୍ଜା, ଗ୍ରାମ୍ୟ ଜୀବନର ଅଭୁଲା ସ୍ମୃତି ଏବଂ ନିଜ ଚତଃପାଶ୍ୱର୍ରେ ଘଟୁଥିବା ବିବିଧ ଘଟଣାବଳୀକୁ ନେଇ ୧୨ ଟି କ୍ଷୁଦ୍ରଗଳ୍ପ ।

ସରସ୍ଵତୀ ବନ୍ଦନା ଓ ଜଗନ୍ନାଥଙ୍କ ଭଜନରୁ ଆରମ୍ଭ ହୋଇଥିବା ଏହି ଲୋକାର୍ପଣ ଉତ୍ସବରେ ଗୌରୀଶଙ୍କର ମିଶ୍ର ସଭାପତିତ୍ଵ କରିଥିବାବେଳେ ସାହିତ୍ୟିକ ଅବନିନ୍ଦ୍ର ଉଦଗାତା ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ଏବଂ ଓଡ଼ିଆ ଅସ୍ମିତାର ବାସ୍ତବ ଅର୍ଥ ସମ୍ପର୍କରେ ଆଲୋକପାତ କରିବା ସହ ଲେଖିକାଙ୍କ ଉଦ୍ୟମର ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ପ୍ରସନ୍ନ କୁମାର ମିଶ୍ର ନିଜ ଅଭିଭାଷଣରେ ପରବର୍ତ୍ତୀ ପିଢ଼ି ପାଇଁ ଏହିଭଳି ସଂକଳନର ଉପାଦେୟତା ନେଇ ନିଜର ମତାମତ ରଖିଥିଲେ ଏବଂ ଅଧ୍ୟାପକ ତଥା ବ୍ୟଙ୍ଗକବି ରମାକାନ୍ତ ମହାପାତ୍ର ନିଜ ଅଭିଭାଷଣ ରଖିବା ସହ ଗାଁକୁ ନେଇ ଏକ ବ୍ୟଙ୍ଗ କବିତା ପ୍ରସ୍ତୁତ କରିଥିଲେ ।

ରଥଯାତ୍ରାର ଉଦଘୋଷିକା ଭାବରେ ଶ୍ରୋତାଙ୍କ ହୃଦୟ ଛୁଇଁଥିବା ଶ୍ରୀମତୀ ମିଶ୍ର ଅଧ୍ୟାପିକା ଜୀବନରେ ହଜାରହଜାର ଛାତ୍ରଛାତ୍ରୀଙ୍କୁ ଉଦବୁଦ୍ଧ କରି ଜାତୀୟ ପ୍ରୋତ୍ସାହନ ପୁରସ୍କାର ସହିତ ଓଡ଼ିଶା ଗୌରବ ସମ୍ମାନର ଅଧିକାରୀଣୀ । ଏଥିସହିତ ତାଙ୍କର ଅନେକ ଗଳ୍ପ ବିଭିନ୍ନ ଦୈନିକ ଖବରକାଗଜ ତଥା ଆକାଶବାଣୀ ଦ୍ଵାରା ପ୍ରକାଶିତ ଓ ପ୍ରସାରିତ ହୋଇଛି ।

Related Posts

Leave a Reply

Your email address will not be published. Required fields are marked *