ଡା. ଇପ୍ସିତା ପ୍ରଧାନ
-ଓଃ ! କି ଚିକ୍କଣ ପାଦ ଆପଣଙ୍କର ମାଡାମ ! ବରଫ ଖଣ୍ଡେ ଥୋଇଦେଲେ ଖସିଯିବ ! ନିଜ ପାନଖିଆ ଦାନ୍ତକୁ ନିକୁଟି ନିକୁଟି ବଟ କହୁଥିଲା । ତା’ ଟେରା ଆଖିଟା ପ୍ରକୃତରେ ମାଡାମଙ୍କ ପାଦ ଉପରେ ଥିଲା ନା ମାଡାମଙ୍କ ଛାତି ଉପରେ ସୁମି ଜାଣି ପାରୁନଥିଲା । ବଡ଼ ଅଶ୍ଳୀଳ ଢଙ୍ଗରେ ତା’ ଦି ଆଖିର ଡୋଳା ଏପଟ ସେପଟ ଡେଉଁଥିଲେ ।
ଶଳା, ହାରାମି ବଟ…..ଝିଅପିଲା ଦେଖିଲେ ପାଟିରୁ ଲାଳ ଗଡ଼େ ତା’ର ! ମାଇପଠୁ ତେଣେ ଘରେ ନିତି ଜୋତା ପାହାର, ଝାଡୁ ପାହାର ଖାଉଥିବ….. ହେଲେ ଏଠି ହସ୍ପିଟାଲ୍ରେ ସେଣ୍ଡା ଟେକି ବୁଲୁଥାଏ ! କେଜାଣି କି କାମ କରେ ସେ ହସ୍ପିଟାଲ୍ରେ ! କ’ଣ ତା’ର ପଦବି ? ହେଲେ ସମସ୍ତେ କୁହନ୍ତି, ଏମ୍.ଡି. ଙ୍କର କାଳେ ସେ ଭାରି ପାଖଲୋକ । ହସ୍ପିଟାଲ୍ରେ ଏତେ ଡାକ୍ତର, ଏମ୍.ଏସ୍., ମ୍ୟାନେଜର, ଆଉ ଆଉସବୁ ବାବୁମାନେ ଥାଉଥାଉ ଏମ୍.ଡି. ଏ ବଟ ପରି ଅସଭ୍ୟ, ଅପାଠୁଆ, ନିର୍ଲଜ ଲୋକଟାକୁ କାହିଁକି ପାଖ ଲୋକ କରିଚନ୍ତି ? ଦିନସାରା ହସ୍ପିଟାଲ ଭିତରେ ପଇଁତରା ମାରୁଥିବ, ରିସେପ୍ସନ୍ ପାଖରେ ଠିଆ ହୋଇ ଚିତ୍କାର ଛାଡୁଥିବ, ଆମ ସୁଇପର ଝିଅମାନଙ୍କୁ ବି ଦେଖିଲେ ଦାନ୍ତ ନେଫେଡ଼ି କଥା ଯୋଡ଼ିବ ନହେଲେ ସୁସୁରି ମାରିବ । ଠିକ୍ କୁହେ ପଦ୍ମୀନି ଅପା, “ଯାହାର ଯେମନ୍ତ ପ୍ରକୃତି…..ଶଳା ମଲା ଯାଏଁ ଯିବନି ।” ଏଇ ପ୍ରକୃତି ପାଇଁ ଦି-ତିନି ଦିନ ତଳେ ତା’ ସ୍ତ୍ରୀ ତାକୁ ଗାନ୍ଧୀ ମାର୍କେଟ ଉପରେ ସୋଧି ଥିଲା । ଆଉ କୁକୁର ଭଳିଆ ରାତିସାରା ଘର ବାହାରେ ଛିଡ଼ା ହୋଇ ରହିବାକୁ ପଡ଼ିଥିଲା ବଟକୁ । ହେଲେ ରମ୍ୟା ମାଡାମଙ୍କୁ ବି ଏମିତିଆ ନେଫେଡ଼ା କଥା କହୁଚି !
ହଉ ପଛେ ନେଫେଡ଼ା, ହେଲେ ସତ କଥାଟା କହିଛି ବଟ…..ସତରେ ରମ୍ୟା ମାଡାମଙ୍କ ଦେହ-ହାତ ଭାରି ଚିକ୍କଣ । ମାଡାମଙ୍କ ଉପରେ ପାଣି ଢାଳି ଦେଲେ ସବୁତକ ନିଗଡ଼ି ଆସିବ । ସୁମିକୁ ଲାଗେ ରମ୍ୟା ମାଡାମଙ୍କ ଦେହ ରକ୍ତ-ମାଂସରେ ନୁହେଁ, ଗଢ଼ା ହୋଇଛି ମାର୍ବଲରେ । ରିସେପ୍ସନ୍ରେ ଏମ୍.ଡି. ଯେମିତିଆ ଗଣେଶ ମୂର୍ତ୍ତି ରାଜସ୍ଥାନରୁ ଆଣି ରଖିଚନ୍ତି ଠିକ୍ ସେମିତିଆ ମାର୍ବଲରେ ତିଆରି ସେ । ଧଳା-ଚିକ୍କଣ ମାର୍ବଲରେ ଯେମିତି କିଏ ଚିମୁଟାଏ ହଳଦି ମିଶେଇ ବନେଇଚି ତାଙ୍କ ଦେହର ରଙ୍ଗ ! ପାଉଁରୁଟି ଉପରେ ଯେମିତିଆ ବଟର ଲଗେଇ ଖା’ନ୍ତି ରମ୍ୟା ମାଡାମ, ସେମିତିଆ ଚିକ୍ଚିକ୍ କରେ ତାଙ୍କ ଦେହ । ଯେତେବେଳେ ବି ସୁଯୋଗ ମିଳେ ସୁମି ତାଙ୍କୁ ଚାହିଁ ରହିଥାଏ, ଚେଷ୍ଟା କରେ ରମ୍ୟା ମାଡାମଙ୍କ ଚିକ୍କଣ ଚମଡ଼ାର ରହସ୍ୟ ଜାଣିବାକୁ ! କି କ୍ରିମ୍ ଲଗାନ୍ତି ସେ, କ’ଣ ଖା’ନ୍ତି ? ଯୋଗ କରନ୍ତି କି ? କେଜାଣି ? ସୁମି ସୁଇପର ହେଲେ ବି ମାଡାମ ତାକୁ ଭାରି ଭଲପା’ନ୍ତି । ରାତି ଡ୍ୟୁଟି ଥିଲେ ସୁମିକୁ ଡାକନ୍ତି ମୁଣ୍ଡରେ ତେଲ ମାଲିସ କରିଦେବା ପାଇଁ । ସୁମିର, ତା’ ଘର, ତା’ ବାପା-ବୋଉ, ଭାଇ-ଭଉଣୀ, ସାଙ୍ଗ ସବୁ କଥା ପଚାରନ୍ତି । ହେଲେ ସୁମି ଯେତେଥର ପଚାରେ, ‘ମାଡାମ, ଆପଣ କି କ୍ରିମ୍ ଲଗଉଚନ୍ତି ?’ ଉତ୍ତରରେ ସେ ଖାଲି ହସି ଦିଅନ୍ତି । କେତେଥର ମାଡାମ ବାଥରୁମରୁ ବାହାରୁ-ବାହାରୁ, ସୁମି ସେଇ ବାଥରୁମ୍ରେ ପଶିଛି.. ଦେଖିବାକୁ, ଖୋଜିବାକୁ ଯେ କାଳେ କିଛି କ୍ରିମ୍ କି ଫେସୱାସ୍ର ଖୋଳ ମିଳିଯିବ ଆଉ ସେ ନିଜେ ବି ରମ୍ୟା ମାଡାମ୍ଙ୍କ ପରି ଚିକ୍ଚିକ୍ କରିବ ! ହେଲେ ଦେଢ଼ ବର୍ଷ ଭିତରେ ସୁମି କିଛି ବି ସୁରାକ୍ ପାଇନି ! ଯାହା ପଚାରିଲେ ଖାଲି ହସିଦିଅନ୍ତି ମାଡାମ, ଆଉ କୁହନ୍ତି “ତୁ ତ ନିଜେ କେତେ ସୁନ୍ଦର ।”
-ଇଲୋ ସୁମି ! ତୋ ବାହାଘର କେବେ ହେଉଚି କିଇଲୋ ? ବଟର ଚିତ୍କାରରେ ସୁମି ଚମକି ପଡ଼ିଲା ।
-ହାଃ…..ତୋର ତ ଏବେକୁ କ’ଣ ରଙ୍ଗ ଫିଟି ପଡ଼ିିଲାଣି ! ଇଲୋ କି ସ୍ନୋ-କ୍ରିମ୍ ଲଗଉଚୁ କି ଲୋ ? ସୁମିର ଇଚ୍ଛା ହେଉଥିଲା ସ୍ପଞ୍ଜ୍ ମପ୍ଟା ଉଠେଇ ପାହାରେ ଦିଅନ୍ତା ବଟକୁ । ତାକୁ ଥରେ ଖାଲି କଟମଟ କରି ଚାହିଁଦେଇ ବାଥ୍ରୁମ୍ ଭିତରକୁ ପଶିଗଲା ସୁମି । ବାଥ୍ରୁମ୍ ଅଇନାକୁ ଚାହିଁଲା । ନିଜ ଗାଲ ଉପରେ ଟିକେ ହାତ ବୁଲେଇ ଆଣିଲା । ମୁହଁଟାକୁ ଆଉଟିକେ ପାଖକୁ ନେଲା ଅଇନାର, ହେଃ…..ଲାଇଟ୍ଟା ବୋଧେ ଠିକ୍ରେ ପଡୁନି । ପାଦ ଉଠେଉ, ଟିପ ଉପରେ ଠିଆ ହେଇ ପୁଣି ଟିକେ ନିରେଖି ଦେଖିଲା ନିଜକୁ । ଟିକେ ଗୋରା ଦିଶୁଚିକି ? ଟିକେ ଚିକ୍ଚିକ୍ ବି ଲାଗୁଚି ତ । ଏବେ ବଟ କହିଲା ……..ପଦ୍ମୀନି ଅପା ବି କହୁଥିଲା ଫିମେଲ ୱାର୍ଡ ଆଗରେ ଯୋଉ ସିକ୍ୱିରିଟି ଗାର୍ଡଟା ଠିଆ ହୁଏ ସେ ବି ସୁମିକୁ କେତେ ଦିନ ହେଲା କଣେଇ କଣେଇ ଚାହୁଁଚି, ମୁଚୁକି ହସୁଚି । ଚାହୁଁଥାଉ, ହସୁଥାଉ…….ସୁମି ଏମିତି ଯାଇତାଇ ଟୋକା ଦେଖି ଫସିଯିବ ନା କ’ଣ ? ଏମିତିଆ ସିକ୍ୱିରିଟି ଗାର୍ଡ କି ସୁଇପରକୁ କୋଉ ଗରଜରେ ବାହା ହେବ ? ସୁମି କ’ଣ ଏମିତିଆ ସେମିତିଆ ଝିଅ ହେଇଚି ? ସେ ବି ଦଶମ ପାସ୍ । ତା’ଙ୍କ ଗାଁରେ କେତେଟା ଝିଅ ଦଶମ ପଢ଼ିଚନ୍ତି ? କେତେଟା ଝିଅ ଭୁବନେଶ୍ୱରରେ ହସ୍ପିଟାଲରେ ଚାକିରି କରିଚନ୍ତି ? ତା’ ବର……ହେଃ, ବର ନୁହେଁ ! ତା’ ମିଷ୍ଟର ତ ନିହାତି ଚାକିରି କରୁଥିବ ଦିଲ୍ଲୀ ନହେଲେ ବାଙ୍ଗାଲୋରରେ । ଯେମିତି ଚାକିରି କରନ୍ତି ରମ୍ୟା ମାଡାମଙ୍କ ମିଷ୍ଟର । ମାସେ ତଳେ ମାଡାମ ଦିଲ୍ଲୀ ଯାଇଥିଲେ । ଶନିବାର ସକାଳେ ଯାଇଥିଲେ……..ସୁମି ଦେଖିଲା ବେଳକୁ ରବିବାର ରାତି ଡ୍ୟୁଟି କରୁଚନ୍ତି ! ଆଶ୍ଚର୍ଯ୍ୟ ହୋଇ ସୁମି ପଚାରିଲା – ମାଡାମ, ଆପଣ ବା ଦିଲ୍ଲୀ ଯାଉଥିଲେ ? କ୍ୟାନ୍ସେଲ କରିଦେଲେ କି ?
-ସନ୍ଧ୍ୟା ସାତଟାରେ ଫେରିଲିରେ । ମୁଣ୍ଡଟା ଭାରି-ଭାରି ଲାଗୁଚି, ସୁବାସକୁ ଡାକିବୁତ, ଚା ଟିକେ ଆଣିବ ।
-ଅଧା ବାଟରୁ ଫେରି ଆସିଲେ ? ସୁମି ଜାଣିଚି ତା’ଙ୍କ ଗାଁର ହରିଆଦି, ନକୁଳାଦି, ଆଉ-ଆଉସବୁ ଲୋକ ଦିଲ୍ଲୀରେ କାମ କରନ୍ତି, ଥରେ ଟ୍ରେନ୍ ରେ ବସିଲେ ଛତିଶ ଘଣ୍ଟା କି ଚାଳିଶ ଘଣ୍ଟା ଲାଗେ ପହଁଞ୍ଚିବାକୁ । ମାଡାମ ନିହାତି ଅଧାବାଟରୁ ଫେରି ଆସିଚନ୍ତି ନହେଲେ ମୋଟରୁ ଯାଇ ନାହାଁନ୍ତି ।
-ଆଲୋ ଅଧା ବାଟରୁ କାଇଁ ଫେରିବେ କିଲୋ ? ପଛରୁ ଦିଦି କହିଲେ । ମୁହଁ ବୁଲେଇ ଚାହିଁଲା ସୁମି । –ଛୁଟି ନେଇଥିଲେ ଅଧା ବାଟରୁ ଫେରିବାକୁ ? ମାଡାମ ଫ୍ଲାଇଟରେ ଆସିଥିବେ, ମାନେ ଉଡାଜାହଜରେ, ଦୁଇ ଘଣ୍ଟା ଲାଗିଥିବ ଏଠି ପହଁଚିବାକୁ । ତୁ ଗଲୁ ସୁବାସ କୁ ଡାକି ଆଣିବୁ ।
ବଢିଆ ତ ! ମୋଟରୁ ଦୁଇ ଘଣ୍ଟା…….ଏତେ ଦିନ କାମ କରି, ଦିଲ୍ଲୀରେ ରହି ଏ ଫ୍ଲାଇଟ ବିଷୟରେ ଜାଣିପାରିଲେନି ହରିଆଦି କି ନକୁଳାଦି ? ବଢିଆ ହେବ, ବାପାଙ୍କୁ ହରିଆଦି ଯୋଉ ଦିଲ୍ଲୀରେ ଚାକିରି କରୁଥିବା ପୁଅର ପ୍ରସ୍ତାବ ଦେଇଥିଲେ, ବାପା ପଚାରିଲେ ସୁମି ‘ହଁ’ ମାରିଦେବ । ତା’ପରେ ଏଠି ଚାକିରି କଲେ ବି କିଛି ଅସୁବିଧା ନାହିଁ । ତା’ ଗାଁରେ ତ ପହଁଞ୍ଚିବାକୁ ତା’କୁ ଚାରି-ପାଞ୍ଚ ଘଣ୍ଟା ଲାଗିଯାଏ । ଦିଲ୍ଲୀ ଗଲେ ତ ମୋଟରୁ ଦୁଇ ଘଣ୍ଟା ! ମ୍ୟାନେଜର ପାଖରେ ବି ଛୁଟି ପାଇଁ ଗୋଡ଼ ଭାଙ୍ଗି ଠିଆ ହେବାକୁ ପଡ଼ିବନି । ଅଫ ଡେ’ରେ ଗଲେ, ସୁମି ତା’ପର ଦିନ ଆସି ପୁଣି ଡ୍ୱିଟି କରିବ ।
ତୋ ମନ କୁଆଡ଼େ ଅଛି କିଲୋ ? ଖାଇଲାବେଳେ ପଚାରିଲା ପଦ୍ମିନୀ ଅପା ।
-କୁଆଡ଼େ ମାନେ ?
-ସେ ସିକ୍ୱିରିଟି ଟୋକା କିଛି କହୁଥିଲା କି ?
-ସେ କାଇଁ କ’ଣ କହିବ ? ମୋର କିଛି କାମ ନାଇ ତା’ କଥା ବସି ଶୁଣୁଥିଲି ! ଥାଳି ଉପରୁ ଆଖି ଉଠେଇ ସୁମି ମୁହଁକୁ ଚାହିଁଲା ପଦ୍ମୀନି ଅପା ।
-କ’ଣ ହେଲା ? ଏମିତି କାଇଁ ଅନେଇଚ ? ଖିଆପିଆ ସାର. ଶିଘ୍ର କାମ ସରିଲେ ବଜାର ଯିବା ବା ? ତମ ଝିଅର ଆଜି ଡ୍ରେସ୍ କିଣା ହେବ ପରା ?
-ହଁ । ଶୁଖିଲା ହଁ ଟେ ମାରି ପଦ୍ମୀନି ଅପା ଭାତ ଗୁଣ୍ଡାଏ ପାଟିରେ ଦେଲା, ହେଲେ ତା’ ଆଖି ଦୁଇଟା ବାରମ୍ବାର ସୁମି ମୁହଁ ଆଡ଼କୁ ମାଡ଼ ଯାଉଥିଲା ।
ସୁମି ଜାଣିଚି ପଦ୍ମୀନି ଅପା ମୁଣ୍ଡରେ କୋଉ ପ୍ରଶ୍ନ ଘୂରି ବୁଲୁଚି । ଆଉ କେତେ ଲୋକ ବି ତାକୁ ସେଇ ପ୍ରଶ୍ନ ନେଇ ଚାହୁଁଚନ୍ତି । ହେଲେ ସେ କାହାକୁ କିଛି କହିବନି । କହିବନି ମାନେ କହିପାରିବନି । ବାବା ମନା କରିଚନ୍ତି । କଥାଟା କାଳେ ଯେତେ ଗୋପନ ରହିବ ସେତେ ଭଲ, ସେତେ ଭଲ ଫଳ ମିଳିବ । ଆଉ ସୁମି ଏତେଦିନେ, ଏତେ କଷ୍ଟରେ ଏସବୁ ପାଇଚି ମାନେ ଜମା କାହା ଆଗରେ ପାଟି ଖୋଲିବନି । ପୁଣି ଏ ପଦ୍ମୀୂନି ଅପା କି କୋଉ ଦିଦି ଆଗରେ ତ ଜମା ନୁହେଁ । ଏମାନେତ ସବୁ ମନା କରନ୍ତି ସେ ବାବାର ପାଖ ମାଡିବାକୁ । ସେ ବି କୋଉ ନିଜେ ଯାଇଥିଲା ବାବା ପାଖକୁ । ଓଲଟା ବାବା ନିଜେ ତାକୁ ଡାକିନେଇଥିଲେ ତାଙ୍କ ତାଟି ଘେରା ଟୁଙ୍ଗିକୁ । ଭାରି ସିଦ୍ଧି ପ୍ରାପ୍ତ ବାବା ସେ, ଖାଲି ଏଇଠି ହସ୍ପିଟାଲ ଆଗରେ, ରାସ୍ତା କଡ଼ରେ ଟୁଙ୍ଗି କରି ବସୁଚନ୍ତି ବୋଲି କେହି ଜାଣିପାରୁ ନାହାନ୍ତି । ଅନ୍ୟ ବାବାମାନଙ୍କ ପରି ଟି.ଭି.ରେ ନିଜର ପ୍ରଚାର କରୁ ନାହାଁନ୍ତି । ସେଥିପାଇଁ କେହି ଜାଣିପାରୁ ନାହାନ୍ତି ତାଙ୍କ ମହିମା । ନହେଲେ ସୁମି ତ କିଛି କହିନି, ସେ କେମିତି ଜାଣିଲେ ତା’ ମନ କଥା ? ଦିନେ ଡ୍ୱିଟି ସାରି ଘରକୁ ଫେରିବ ବୋଲି ବସକୁ ଅପେକ୍ଷା କରି ହସ୍ପିଟାଲ ଛକରେ ଠିଆ ହେଇଥିଲା । ପଛଆଡୁ କିଏ ଜଣେ ହଠାତ୍ କହିଲା – କାଇଁ ଏତେ ଚିନ୍ତା କରୁଚୁ ? ବଢିଆ ରାଜକୁମାର ପରି ବର ମିଳିବ ତୋତେ ।
ସୁମି ପଛକୁ ବୁଲି ଚାହିଁଲାବେଳକୁ ହସ୍ପିଟାଲ ଛକ ବାବା ତା’ ପାଖରେ ଠିଆ ହୋଇଥିଲେ । ବାବା ମାନେ ଟି.ଭି. ରେ ପ୍ରବଚନ ଦେବାକୁ ଯେମିତିଆ ମୋଟାସୋଟା, ଦାଢ଼ିବାଲା ବାବା ଆସନ୍ତି ସେମିତିଆ ନୁହଁ । ଅଳ୍ପ ଉଚ୍ଚା ଆଉ ପତଳା ଗଢଣର ଲୋକଟେ, ସବୁବେଳେ ପିନ୍ଧିଥିବ ଗୋଟେ ନାଲି ରଙ୍ଗର ଧୋତି ଆଉ ବେକରେ ପଡିଥିବ ନାଲି ଗାମୁଛାଟେ । ମୁହଁରେ ଦାଢ଼ି ନାହିଁ, ହଳେ ପତଳା ନିଶ ଖାଲି । ଆଉ ବାଁ ହାତରେ ସ୍ଟିଲ ରଙ୍ଗର ଘଣ୍ଟା । ବାବା ପୁଣି ଯୋଡ଼ିଲେ – ଆରେ ଏଡେ-ଏଡେ ଆଖିରେ ଚାହିଁଚୁ କ’ଣ ? ଶୁଣ ସବୁଦିନ ସକାଳୁ ଗାଧେଇପାଧେଇ ତୁଳସୀ ମୂଳରେ ପାଣି ଦେବୁ, ତା’ ପରେ ଗୋଟେ କଳା ବୃଷଭକୁ, ଷଣ୍ଢକୁ ମ କେରାଏ ଘାସ, ମୁଠାଏ ଚଣା ଆଉ ଗୋଟେ ପାଚିଲା କଦଳୀ ଖାଇବାକୁ ଦେବୁ । ଦେଖିବୁ ସପ୍ତାହେ ଭିତରେ ଶୁଭ ସମାଚାର ପାଇବୁ ।
ପ୍ରଥମେ ତ ସୁମି ବିଶ୍ୱାସ କରିବ କି ନାଇଁ ଭାବୁଥିଲା । ହେଲେ ତା’ପର ଦିନ ସକାଳୁ ଘର ଆଗରେ ଷଣ୍ଢଟେ ଠିଆ ହେଇଥିବାର ଦେଖି, ଆପେ-ଆପେ ଆଣି ଖାଇବାକୁ ଦେଲା । ଚାରି-ପାଞ୍ଚ ଦିନ ପରେ ବୋଉ ଫୋନ କରି ଦିଲ୍ଲୀ ପ୍ରସ୍ତାବ କଥା କହିଲା । ସେଦିନ ସନ୍ଧ୍ୟାରେ ଘରକୁ ଫେରିଲାବେଳେ ବାବା ପୁଣି ଦେଖା ହେଲେ । ସୁମି ବାବାଙ୍କୁ ଚାହିଁ ଟିକେ ହସି ଦେଲା । ବାବା କହିଲେ – କିଛି ଖବର ପାଇଲୁ ତ ? ଯା ଭୋଳା ବାବା ତୋର ମଙ୍ଗଳ କରିବେ । ଘରୁ ବାହାରିଲାବେଳେ ସବୁଦିନ ପୂର୍ବଦିଗ ଆକାଶକୁ ଚାହିଁ ମୁଣ୍ଡିଆ ମାରି ବାହାରିବୁ, ତୋର ଉନ୍ନତି ହେବ । ସତକୁ-ସତ ସପ୍ତାହେ ହେଇଚି କି ନାଇଁ ଦିନେ ହସ୍ପିଟାଲରେ ବଟ କହିଲା- ସୁମିଲୋ, ମିଠା ଖୁଆ ମିଠା । ଦରମା ବଢିଲା ଏ ମାସରୁ ତୋର ।
ସେଦିନ ସନ୍ଧ୍ୟାରେ ବାବା ଦେଖା ହେଲେ ପୁଣି ଛକରେ । ସୁମି ଛୋଟ ମୁଣ୍ଡିଆଟେ ମାରିଲା । ଟିକେ ଚାହିଁଲା ବାବାଙ୍କ ଆଡ଼େ । ଟିକେ ଥତ-ମତ ହେଲା । ବାବା ତାକୁ ଚାହିଁ ହସିଦେଲେ – ଏବେ ଘରକୁ ଯା, କାଲି ବଡ଼ିଭୋଅରରୁ ଆସିବୁ, ତୋ ମନ କଥା ନିଶ୍ଚୟ ପୂରା ହେବ ।
-ବଡି ଭୋଅରରୁ ବସ କୋଉଠୁ ପାଇବି ?
-ତାହାଲେ ଆଜି ଘରକୁ ଫେରନା ଏଇଠି……
-ଏଁ ? ଡବ-ଡବ କରି ଚାହିଁଲା ସୁମି ।
-ଆରେ ଚମକି ପଡୁଚୁ କ’ଣ? ଏଇଠି ମେଡିକାଲରେ ରାତିରେ ରହିଯା । ଭୋଅରରୁ ମୋ ପାଖକୁ ଆସିବୁ । କାଲିର ମୂହୁର୍ତ୍ତ ପୁଣି ଆସିଲା ବେଳକୁ, ସାତ ବର୍ଷ-ତିନି ମାସ-ତିଦି ଦିନ ସମୟ ଲାଗିବ ।ତୋ ମନ କଥା ଖୋଲିକି କହିବୁ, ସବୁ ୂପୂରା ହେବ ।
ସୁମି ସେଇ ରାତି ହସ୍ପିଟାଲରେ ରହି, ଭୋରରୁ ଛକକୁ ଗଲା । ସୁମି ପହଞ୍ଚିଲା ବେଳକୁ ବାବା ଧ୍ୟାନ ମୁଦ୍ରାରେ ବସିଚନ୍ତି । ସୁମି ଠିଆହୋଇ ଭାବିଲା, ବାବାଙ୍କୁ ଡାକିବ ନା ଫେରିଯିବ ? ହେଲେ ତା’ ଭାବନା ପୂରା ହେବା ପୂର୍ବରୁ ବାବା ଡାକିଲେ -ଆ ମା’, ଭିତରକୁ ଆ ।
ସୁମି ଭିତରକୁ ଗଲା । ଚାରିପଟୁ ତାଟି ଦିଆହୋଇ ବନା ହେଇଚି ଛୋଟିଆ ଟୁଙ୍ଗିଟେ, ଉପରେ ଜରି ପାଲଟେ ଟଣା ହୋଇଚି । ଗଲା ଦୁଇ ମାସ ହେଲା ବାବା ଆସି ଏଇଠି ରହୁଚନ୍ତି । ଚାରି ଆଡ଼କୁ ଆସ୍ତେ କରି ନଜର ବୁଲେଇ ଆଣିଲା ସୁମି । କାଇଁ ରୋଷେଇ ସରଞ୍ଜାମତ ଦେଖା ଯାଉନି ! ବାବା ଖାଉଚନ୍ତି କ’ଣ ଆଉ କେମିତି ? ଶୋଇବା ପାଇଁ ବି ଶେଯ ନାଇଁ ! ଗୋଟେ ପଟ ତାଟିକୁ ଲାଗି ଟଙ୍ଗା ହେଇଚି ଦଉଡିଟେ, ସେଇଥିରେ ସୁଖା ହେଇଚି ଖଣ୍ଡେ ନାଲିଆ ଧୋତି ଆଉ ନାଲିଆ ଗାମୁଛାଟେ । ଟୁଙ୍ଗି ମଝିରେ ଗୋଟେ ଆସନ ପକେଇ ବସିଚନ୍ତି ବାବା, ସାମନାରେ ଶିବଙ୍କର ଗୋଟେ ଫଟୋ, ଦିପଟେ ଜଳୁଚି ତା ସାମନାରେ, ବ୍ୟାପିଥିବା ଅନ୍ଧାରକୁ ଧୂର କରିବା ଚେଷ୍ଠା ନେଇ । କଦଳୀରେ ଗେଞ୍ଜା ହେଇଚନ୍ତି ଅଧାଜଳା ଧୂପକାଠି ସବୁ, ଶୂନ୍ୟରେ ମିଳେଇ ଯିବାର ବ୍ୟାକୁଳତା ନେଇ । ପାଖରେ ପଡ଼ିଥିବା ଆସନ ଆଡ଼କୁ ଠାରି ବାବା ସୁମିକୁ ବସିବାକୁ କହିଲେ । ସୁମି ବସିଲା । ବାବା ଆଖି ବନ୍ଦ କରି କ’ଣ ସବୁ ମନ୍ତ୍ର ପଢିଲେ । ଦୀପଟାକୁ ଟିକେ ତେଜି ଦେଇ ବାବା ଉଠି ଯାଉ-ଯାଉ କହିଲେ – ଯାହା ତୋର ମନସ୍କାମନା ଭୋଳା ବାବାକୁ କହିପକା । ମୁଁ ପୂଜା ସାରି ଦେଇଛି, ମୁଁ ବାହାରେ ଅଛି, ତୋରର ଯାହା କହିବା କଥା କହିକି ଆସିବୁ । ସୁମି ତା ମନ କଥା କହି ବାହାରକୁ ଆସିଲାବେଳକୁ ବାବା ଜଗୁ ଭାଇ ଦେକାନରେ ଚା ପିଉଥାନ୍ତି । ସୁମିକୁ ଯିବାକୁ କହି ଠାରି ଦେଇ, ବାବା ଚା ପିଇବାରେ ମନ ଦେଲେ ।
ଦୁଇ ଦିନ ପରେ, ସୁମି ସକାଳୁ କବାଟ ଖୋଲିଲା ବେଳକୁ ବାବା ସାମନାରେ ଠିଆ ହେଇଚନ୍ତି, ପଛରେ ତାଙ୍କୁ ଟିକେ ଛାଡ଼ି ଠିଆ ହୋଇଛି ସେ କଳା ଷଣ୍ଢ । ସୁମି ଟିକେ ଡରିଗଲା ପ୍ରକୃତରେ । –ଶୁଣ ତୋ ପାଇଁ ଯଉ ମଲମଟା ଦରକାର, ସେଟା ଏଠି ମିଳିବନି ତା ପାଇଁ ମୋତେ ଟିକେ ଦକ୍ଷିଣକୁ ଯାତ୍ରା କରିବାକୁ ପଡ଼ିବ । ଜଙ୍ଗଲରୁ ଜଡି-ବୁଟି ଆଣି ସେଠି ତିନି-ଚାରି ଦିନ ପୂଜା କଲା ପରେ ତୋ ମଲମଟା ବନି ପାରିବ । ସେଠି ସାଧୁ-ସନ୍ଥ ପୂଜାରେ ବସିବେ, ଭୋଗ-ରାଗ ପାଇଁ ଟିକେ ଖର୍ଚ୍ଚ ପଡ଼ିବ ।
ସୁମି ଭାବିଲା ପଚାରିବ କେତେ ଖର୍ଚ୍ଚ ପଡ଼ିବ, ହେଲେ ତାକୁ କାଇଁ ମାଡିମାଡି ପଡିଲା ପଚାରିବାକୁ । ତା’ ମନ କଥା ବୋଧେ ବାବା ବୁଝି ପାରିଲେ, କହିଲେ –ଦେ, ଯାହା ଦେଉଚୁ ଦେ । ଛୁଆଟାଠୁ କ’ଣ ନେବି, ଖାଲି ପୂଜା ସାମଗ୍ରୀ ଖର୍ଦି କରିବା ବାବଦ ଦେଇଦେ ଯାହା ପାରୁଚୁ ।
ସୁମି ଘର ଭିତରକୁ ଯାଇ ପର୍ସ ଉଣ୍ଡାଳିଲା, ଗୋଟେ ପାଁସ ଟଙ୍କିଆ ନୋଟ ବାହାରିଲା, ଆଉ କିଛି ଖୁଚୁରା ମିଶି ଦୁଇଶହ –ମୋଟରୁ ସାତ ଶହ ! ମନକୁ-ମନ କହିଲା ସୁମି । ଥାକ ଉପରେ ଟିକେ ଖୋଜିଲା କିଛି ପାଇଲାନି । ନଜରଟା ତା’ର କୁମ୍ପି ଉପରେ ପଡ଼ିଲା –ଥାଉ, ସେଟା ଅରୁର ବହି କିଣା ହେବ । ସୁମିର ମନେପଡ଼ିଲା ଏଥର ଘରୁ ଆସିଲାବେଳେ ବୋଉ ତାକୁ କିଛି ଟଙ୍କା ଦେଇଥିଲା ଶାଢ଼ିପଟା କିଣିବାକୁ, ଆଟାଚିରୁ ତାକୁ ବାହାର କଲା, ଗଣିଲା ତିନି ହଜାରଟଙ୍କା । ସରଟା ଏବେ ଯାଏଁ ଶୋଇଚି, କି ନିଦ କେଜାଣି ତା’ର ? ଏତେ ଖୁଡ୍-ଖାଡ୍ରେ ବି ଭାଙ୍ଗୁନି !
ବାହାରକୁ ଆସି ସୁମି ଦେଖିଲାବେଳକୁ ବାବା ଆଉ କବାଟ ପାଖରେ ନଥିଲେ । ଟିକେ ଡରିଗଲା ସୁମି, ଡେରି ହେଲା ବୋଲି ରାଗିକି ପଳେଇଲେ କି ? ବାହାରକୁ ଭଲକି ଚାହିଁଲା ବେଳକୁ, ବାବା ସେ ଷଣ୍ଢକୁ ଘାସ ଖୁଆଉଚନ୍ତି । ଏବେକୁ ଟିକେ ଖରା ପଡ଼ି ଆସିଲାଣି । ସକାଳୁଆ ଖରାରେ ଚିକ୍-ଚିକ୍ କରୁଚନ୍ତି ସୁମି ବଗିଚାର ଫୁଲ ସବୁ, ରମ୍ୟା ମାଡାମଙ୍କ ମୁହଁ ଭଳି । ପାଦ ଶବ୍ଦ ଶୁଣି ବାବା ବୁଲିକି ଚାହିଁଲେ, ଆଖି ଦୁଇଟା ବି ତାଙ୍କର ଚିକ୍-ଚିକ୍ କରୁଥିଲେ ଖରା ପଡ଼ି । ସୁମି ପାଖକୁ ଆସିଲେ ବାବା- ଆସିଲୁ ମା’ ?
ହାତରେ ଥିବା ଟଙ୍କାକୁ ବଢେଇଦେଲା ସୁମି ବାବାଙ୍କ ହାତକୁ । ହାତରେ ଟଙ୍କାଟା ଧରି ବାବା ସୁମି ଆଡକୁ ଚାହିଁଲେ, ତା’ଙ୍କ ମୁହଁରୁ ହସଟା ଲିଭି ଯାଇଥିଲା । ସୁମି କିଛି ବୁଝି ପାରିଲାନି । ବାବା କହିଲେ –ଦେଖ ମା’,ଏସବୁ କଥାରେ ହାତ ଜାକିଲେ ହେବନି । ଯେତେ ଖୋଲା ମନରେ ଦେବୁ ଫଳ ବି ସେମିତିଆ ପାଇବୁ ।
ଖୋଲା ମନ ମାନେ ? ତା ପାଖରେ ତ ଯାହା ଥିଲା ସବୁ ଦେଇଚି ସେ । ସୁମି କହିଲା –ବାବା ୟାଠୁ ବେଶୀ ତ ନାହିଁ ମୋ ପାଖରେ ।
-ଆଉ ନାହିଁ ? ବାବା ଆଶ୍ଚର୍ଯ ହୋଇ ପଚାରିଲେ । -କ’ଣ କରିବା ? ଶୂନ୍ୟକୁ ଚାହିଁ ପଚାରିଲେ ବାବା । ପୁଣି ସୁମି ଆଡ଼କୁ ଚାହିଁଲେ । ସୁମି ଆଖି ସେତେବେଳକୁ ଛଳଛଳ ହୋଇ ଗଲାଣି । ଖାଲି ଡବଡବ କରି ଚାହିଁଥାଏ ସେ ବାବାଙ୍କୁ ।
-ତୋ ବେକରେ ଯେଉଁ ଚେନ୍ଟା ପଡିଛି ସୁନାର ତ ? କାନ୍ଦେନା, ସେଇଥିରେ କାମ ଚଳେଇ ଦେବା । ପିଲା ଲୋକଟା ତୁ, ଭୋଳା ବାବାକୁ ମୁଁ ବୁଝେଇ ଦେବି । ତୋ ଇଚ୍ଛା ପୂରଣ କରିବା ଦାୟୀତ୍ୱ ଏଥର ମୋର । ତୁ ଖାଲି ସବୁଦିନ ଯେମତି ତୁଳସୀ ଗଛରେ ପାଣି ଦେଉଥିଲୁ, ବାସ ସେୟା କରିବୁ । ବାକି ସବୁ ମୁଁ ସମ୍ଭାଳିନେବି । କିଛି ବ୍ୟସ୍ତ ହେବା ଦରକାର ନାଇଁ ତୋର । ଦେଖିବୁ ଖାଲି ପୂଜାଟା ସରିଯାଉ, କେମିତି ରଙ୍ଗ ଫିଟି ପଡ଼ିବ ତୋର । ଜନ୍ମ କାଳରେ ରାହୁ ଟିକେ ଭାରି ଥିଲା ବୋଲି ଏମିତି ମଳିନ ଦିଶୁଚୁ ତୁ । ଭୋଳା ବାବା ସାମନାରେ ଏ ରାହୁ-ଫାହୁ କିଛି ନୁହଁ । ପୂଜାଟା ଖାଲି ସରୁ, ଦେଖିବୁ ମୁଁ ଆସି ପହଞ୍ଚିବା ପୂର୍ବରୁ ୟାଡେ କେତେ କଥା ହେଇ ଯିବଣି । ଆଉ ଖାଲି ମଲମଟା ଆସି ପହଞ୍ଚିଲେ ରାଜକୁମାର ସବୁ ଧାଡ଼ି ଦେଇ ଠିଆ ହେବେ ଏଇ ଦୁଆରେ । ଏତିକି କହି ବାବା ସୁମି ମୁଣ୍ଡରେ ହାତ ରଖିଦେଲେ ।
ସୁମି ତା’ ବେକରୁ ଚେନ୍ଟା କାଢି ବାବାଙ୍କ ହାତରେ ଦେଲା । ତା’ ହାତକୁ ଗୋଟେ ଛୋଟ ଡବା ଦେଇ ବାବା କହିଲେ –ଶୁଣ ମୁଁ ଆଜିଠୁ ସାତ ଦିନ ପରେ ଫେରିବି । ସେବେଯାଏଁ ଏଇ ମଲମ ସବୁଦିନ ରାତିରେ ଭୋଳା ବାବାକୁ ସ୍ମରଣ କରି ଳଗେଇ ଶୋଇବୁ । କାହା ଆଗରେ ଏ ବିଷୟରେ କିଛି କହିବୁନି, ଭାରି ଗୋପନରେ ହୁଏ ଏ କାମ । କଥା ଫିଟିଲେ ଫଳ ଓଲଟା ହୋଇପାରେ । ହୁସିଆରିରେ ଚଳୁଥିବୁ ।
ଆଜିକୁ ଛ’ ଦିନ ହେଲାଣି, ସୁମି ସକାଳୁ ଗାଧେଇ ତୁଳସୀ ଗଛରେ ପାଣି ଦେଉଚି, ରାତିରେ ଭୋଳା ବାବାଙ୍କୁ ସ୍ମରଣ କରି ମଲମ ଲଗଉଚି……ସବୁ ସନ୍ଧ୍ୟାରେ କ୍ୟାଲେଣ୍ଡରରେ ଗାର ଟାଣୁଚି । ସମସ୍ତେ ତ ଏବେଠୁ କହିଲେଣି ‘ସୁମି କ’ଣ ହେଇଚି କି ତୋର ? ଆଜିକାଲି ଭାରି ସୁନ୍ଦର ଦିଶୁଚୁ !’ ହେଲେ ସୁମି କାହାକୁ କିଛି କହୁନି, ପଦ୍ମୀନି ଅପା ବି କେତେଥର ପଚାରି ସାରିଲାଣି, ହେଲେ ବାବାଙ୍କ ରାଣ-ନିୟମ ସେ କେମିତି ଭାଙ୍ଗିବ ? କାଲି ରାତି ପାହିଲେ ବାବା ଆସି ମଲମ ଧରି ପହଞ୍ଚିବେ, ଆଉ ରମ୍ୟା ମାଡାମଙ୍କୁ କ୍ରିମ କି ମେଡିସିନ୍ର ନା’ ପଚାରିବାକୁ ପଡ଼ିବନି । ଏଥର ଦରମା ବଢିକି ଆସିଲେ ସେ ଗୋଟେ ବଡ଼ କଳା ରଙ୍ଗର ନେଟବାଲା ମୋବାଇଲ କିଣିବ, ତା’ ଗୋରା ରଙ୍ଗକୁ ଭାରି ମାନିବ । ରମ୍ୟା ମାଡାମଙ୍କ ଠାରୁ ସେ ଦିଲ୍ଲୀ ଫ୍ଲାଇଟର ନମ୍ବରଟା ବି ମାଗି ଆଣିବ, ନହେଲେ ପଛକୁ ଯଦି ଭୁଲି ଯାଏ ? ହରିଆଦି ଭଳି ଚାଳିଷ ଘଣ୍ଟା କିଏ ଟ୍ରେନ୍ ରେ ବସି ଯିବ ? ଦିଲ୍ଲୀ ଗଲେ ସେଇ ଦିନେ ଦୁଇ ଦିନ ସେ ଜମା ରୋଷେଇ କରିବନି, ବାହାରେ ହୋଟେଲ୍ ରେ ଖାଇବ ତା’ ମିଷ୍ଟର ସହ ବୁଲିବୁଲି ।
ବାବାଙ୍କର ଆଜି ବି ଦେଖା ନାହିଁ ! ସପ୍ତାହେ କହି ଯାଇଥିଲେ ଆଜିକୁ ନ’ଅ ଦିନ ହେଲାଣି, ବାବାଙ୍କ ଟୁଙ୍ଗି ଖାଲି ପଡିଚି । ତିନି ଦିନ ହେଲା ସୁମି ଭୋଅରରୁ ଆସି ଟୁଙ୍ଗି ପାଖରେ ପହଞ୍ଚି ଯାଉଚି । ଦକ୍ଷିଣର ସେ ଜଙ୍ଗଲଟା କେତେ ବାଟ କେଜାଣି ? ଫେରିବା ପାଇଁ ବାବା ପାଖରେ ପଇସାପତର ଥିବ କି ନାଇଁ ? ସେ ତ ଏତେ କମ ଟଙ୍କା ଦେଇଥିଲା ବାବାଙ୍କ ହାତରେ ! ଚାଲିକି ଆସୁଥିବେ ଯଦି ? ସୁମି ତାହେଲେ ଘରୁ ସୋରିଷ ତେଲ ରଷୁଣ ପକେଇ ଫୁଟେଇ ଆଣି ବାବାଙ୍କ ପାଦ ମାଲିସ କରିଦେବ ।
-ଘରୁ କିଛି ଖବର ଆସିଛି କିଲୋ ? ଏତେ ବ୍ୟସ୍ତ ଜଣା ପଡୁଚୁ ? ପଚାରିଲା ପଦ୍ମିନୀ ଅପା । ଚୁପ ରହିଲା ସୁମି । କାହାକୁ କିଛି ନ କହିବାକୁ କହି ଯାଇଚନ୍ତି ବାବା । ଆଜି ସନ୍ଧ୍ୟାରେ ଘରକୁ ଫେରିଲାବେଳେ ବାବାଙ୍କ ଟୁଙ୍ଗି ପାଖକୁ ଯିବ, ଯଉ ମଲମଟା ସେ ଦେଇଥିଲେ, ସେ ମଲମଟା ବି ଆଜି ସରିଯିବ । ସନ୍ଧ୍ୟା ସୁଧା ବାବା ନିଶ୍ଚୟ ଫେରି ଆସିଥିବେ । ସ୍ୱପ୍ନଗୁଡା ସବୁ ଗୋଟେ-ଗୋଟେ କରି ପୁଣି ମାଡ଼ି ଆସିଲେ ତା’ ମନ ଭିତରକୁ ।
ହସ୍ପିଟାଲ ଛକ ଉପରେ କ’ଣ ଗୋଟେ ଖାପଛଡା ଲାଗୁଚି । ଚାରି ଆଡକୁ ନିରିଖେଇ ଚାହିଁଲା , ଅନ୍ଧାରରେ ବୋଧେ ଠିକରେ ଦେଖାଯାଉନି ।
-ମୁନିସିପାଲିଟିବାଲା ଆଜି ପୁଣି ଗଛ କାଟି ଦେଇଚନ୍ତି କି ? ନିଜକୁ-ନିଜେ ସୁମି କହୁଥିଲା । ଛକ ପାଖଟା ଏତେ ଫାଙ୍କା-ଫାଙ୍କା ଦିଶୁଚି ! ଖୋଳା-ଖୋଳି ଚାଲି ଥିଲା କି ? କାଇଁ ରେଜା-କୂଲିଙ୍କ ଭିଡ଼ ତ ଦିଶୁନି ? ଗୋଟେ ଟ୍ରାକ୍ଟରରେ କ’ଣ ସବୁ ଲଦା-ଲଦି ଚାଲିଚି । ତାହେଲେ ଆଜି ଗଛ-ପଛ କଟା ହେଇଚି । ନାଇଁ ତ ଛକ ଉପର ସେ କୃଷ୍ନଚୁଡା ଆଉ ବଉଳ ଗଛତ ସେମତି ଠିଆ ହୋଇଚନ୍ତି । ଅରମାଗୁଡ଼ା ସଫା କରା ହେଇଚି ବୋଧେ । ଭଲ । ଭାରି ଅରମା ହେଇଥିଲା ହସ୍ପିଟାଲ ଛକଟା, ଅପରିସ୍କାର ଦିଶୁଥିଲା । ବାବାଙ୍କ ଟୁଙ୍ଗି ପାଖଟା ବି ସଫା ହେଇ ଯାଇଥିବ । ଖୁସି ହେଇଗଲା ସୁମି, ସରୁ ହସ ଧାରେ ଖେଳିଗଲା ତା’ ମୁହଁରେ ।
-ଆରେ-ଆରେ କ’ଣ କରୁଚ ତମେ ? ବାବାଙ୍କ ଟୁଙ୍ଗିର ତାଟି ଉଠଉଥିବା ଗୋଟେ ଲୋକର ହାତକୁ ଧରି ପକେଇ ପଚାରିଲା ସୁମି ।
-ସ୍ୱଚ୍ଛ ଭାରତ ଅଭିଯାନ । ସହର ଭିତରୁ ସବୁ ଅଳିଆ-ଅବର୍ଜନା ସଫା କରା ହେବ । ପୂରା ଚିକ୍-ଚିକ୍ କରିବ ଆମ ସହର ।
ଦି ଟୋପା ଲୁହ ସେତେବେଳକୁ ଚିକ୍-ଚିକ କରୁଥିଲା ସୁମି ଆଖିରେ । ବାବାଙ୍କ ଟୁଙ୍ଗି ଉଠେଇଦେଲେ ଏମାନେ । ବାବା ଆସି କୋଉଠି ରହିବେ ? ଆଉ ତାଟି କିଣା ହେବା ଯାଏଁ ସେ ବାବାଙ୍କୁ ନେଇ ତା’ ଘରେ ରଖିବ । ବାବା ଯଦି ଫେରି ଆସିଥିବେ, ଭାରି ବାଧିଥିବ ତାଙ୍କୁ ଟୁଙ୍ଗି ଭଙ୍ଗା ହେବା ଦେଖି । କେତେ ଶୂନ୍ୟତା ସେଠି । ଚାରି ଆଡକୁ ଆଖି ବୁଲେଇଲା ସୁମି, କାଇଁ ବାବା ତ ଦେଖା ଯାଉ ନାହାଁନ୍ତି ! ପଳେଇଲେ କି ରାଗିକି, ସୁମିକୁ ଏଠି ନ ପାଇ ? ଏଇଠି ଦିନସାରା ଜଗି ଥିଲେ ଭଲ ହେଇଥାନ୍ତା, ଯାଉ ପଛେ ଦିନକ ଦରମା । ଲୁହ ପୋଛି ପୁଣି ଚାରିଆଡକୁ ଚାହିଁଲା ସୁମି, କାଳେ ଲୁହ ପାଇଁ ସେ ଠିକ୍ ରେ ଦେଖିପାରୁ ନଥିବ । ଟ୍ରାକ୍ଟରଟା କେତେବେଳୁ ଚାଲିଗଲାଣି ଅଳିଆ ଆଉ ମଜୂରିଆ ଗୁଡାଙ୍କୁ ନେଇ, ଖାଲି ଟିକେ ଡିଜେଲ୍ ବାସ୍ନାଟା ରହିଯାଉଚି । ସ୍ଟ୍ରିଟ ଲାଇଟ ଆଲୁଅରେ ପିଚୁ ରାସ୍ତା ଚିକ୍-ଚିକ୍ କଲାଣି । ଗାଡି ସବୁର ଲାଇଟ ଆଖିରେ ପଡି ଆଖି ଝଲସି ଯାଉଚି । ଜଗୁ ଭାଇ କେବିନ୍ ଆଗରେ ସନ୍ଧ୍ୟା ଚା ପାଇଁ ଭିଡ ଜମିଗଲାଣି । ସୁମିର ଆଖି ଦି’ଟା ବଡ-ବଡ ହେଇଗଲା, ସତେଯେମିତି କ’ଣ ଗୋଟେ ଭୁଲି ଯାଇଥିଲା ଏବେ ମନେ ପଡ଼ିଗଲା । ଜଗୁ ଭାଇ ସହ ଭାରି ଭାବ-ଦୋସ୍ତି ବାବାଙ୍କର, ପ୍ରାୟ ସେଇଠି ବସିଥା’ନ୍ତି ତା’ କେବିନ୍ ଆଗ ବେଞ୍ଚ ଉପରେ । ଟୁଙ୍ଗି ଭଙ୍ଗା ଦେଖି ବାବା ବୋଧେ ସେଇଠି ଅପେକ୍ଷା କରିଚନ୍ତି; ଆଉ ସେ ଏଠି ଠିଆ-ଠିଆ କେତେ କ’ଣ ଅଶୁଭ କଥା ଭାବିଗଲାଣି । ଲୁହ ପୋଛି, ମଲମ ଡବାଟାକୁ ମୁଣ୍ଡରେ ଲଗେଇ, ମନେ-ମନେ ଭୋଳା ବାବାଙ୍କ ନା’ ନେଲା ସୁମି । ମନଟା ତା’ର ହାଲକା ହେଇଗଲା । ମୁହଁରେ ହାଲକା ହସ । ଟିକେ ଜଲ୍ଦି-ଜଲ୍ଦି କରି ପାଦ ପକେଇଲା ସେ ଜଗୁ ଭାଇ କେବିନ୍ ଆଡେ । ହେଇତ, ଜଗୁ ଭାଇ କେବିନ୍ ଆଗ କାଠ ବେଞ୍ଚ ଉପରୁ କ’ଣ ଗୋଟେ ନାଲିଆ-ନାଲିଆ ଦେଖା ଯାଉଥିଲା, ହେଲେ ଧୋତି ନା ଗାମୁଛା ସୁମି ଠିକ୍ରେ ବାରି ପାରୁନଥିଲା !
ଶୈଳଶ୍ରୀ ବିହାର, ଭୁବନେଶ୍ୱର, ଫୋନ୍ ନଂ- ୮୦୧୮୦୫୩୩୯୫
ଲେଖକ ପରିଚୟ
ଅର୍ଜନ କରିଥିବା ସାର୍ଟିଫିକେଟ୍ ଆଉ ପେଷାରେ ଡାକ୍ତର । ହେଲେ ଲେଖାଲେଖି ଏବଂ ଛବି ଆଙ୍କିବା ଝୁଙ୍କ୍ ଟା ପିଲାବେଳୁ ଅଛି । ସ୍କୁଲରେ ଥିବା ସମୟରୁ ବିଭିନ୍ନ ଇ°ରାଜୀ ଏବଂ ହିନ୍ଦୀ ଖବରକାଗଜରେ ଲେଖା ପ୍ରକାଶ ପାଇଛି, କଲେଜ ସମୟରେ ବିଭିନ୍ନ ହେଲ୍ଥ ମାଗାଜିନରେ ମଧ୍ୟ । ଓଡ଼ିଆ ଗପ ଲେଖିବା ଆରମ୍ଭ କିନ୍ତୁ ୨୦୧୬-୧୭ ମସିହାରୁ । ଚାରିପାଖରେ ଏପଟସେପଟ ହେଉଥିବା ମଣିଷ ଆଉ ପରିସ୍ଥିତିର ଉତ୍ତର ନିଜକୁ ଦେବା ଭିତରେ ସେଇଟା କେତେବେଳେ ଗପ ହୋଇଯାଏ ଜଣା ପଡେନି । ଅବଶ୍ୟ ଆଉ ଗୋଟିଏ ଲୋଭ ବି ଅଛି, ବୋଉ କୁହେ ମୁଁ କାଳେ ଗପ ଲେଖି ବସିଲା ବେଳେ ଠିକ୍ ବାପାଙ୍କ ପରି ଲାଗେ ! କେବେ ବହି ପବ୍ଲିସ୍ କଲେ ଜଣେଇବି, ସେ ଲୋଭ ଏବେ ଆସିନି । ସମାଜଠୁ ଅଲଗା ହୋଇ ସାହିତ୍ୟର ଅସ୍ତିତ୍ଵ କିମ୍ବା ଅର୍ଥ ନଥାଏ, ସେଇଥିପାଇଁ ମୋତେ ଲାଗେ କୌଣସି ଲେଖକଙ୍କ ଲେଖା ଦ୍ୱାରା ସମାଜର ଉପକାର ନହେଉ ପଛେ କିନ୍ତୁ ତାହା କେବେ ବିଶୃଙ୍ଖଳା କିମ୍ବା ହି°ସାର କାରଣ ନହେଉ ।