ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳ ମାଟିର ଅନ୍ୟତମ ବରପୁତ୍ର । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ସ୍ଵତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । କଟକ ବଡ଼ ମେଡ଼ିକାଲ ଓ କଲେଜ ତାଙ୍କ ନାମରେ ନାମିତ ହୋଇଛି । ୧୭ ଡିସେମ୍ବର ୧୮୭୦ରେ ମୟୂରଭଞ୍ଜର ରାଜପରିବାରରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପା ଥିଲା କୃଷ୍ଣଚନ୍ଦ୍ର ଭଞ୍ଜ । ମୟୂରଭଞ୍ଜରୁ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ତାଙ୍କୁ ମାତ୍ର ୯ ବର୍ଷ ହୋଇଥିବା ବେଳେ ତାଙ୍କ ପିତା ପ୍ରାଣ ହରାଇଥିଲେ । ରାଜ୍ୟ ଶାସନ ଭାର ଗ୍ରହଣ କରିବାକୁ ପଡ଼ିବାରୁ ସେ ପାଠପଢା ଛାଡି ଦେଇଥିଲେ । ପରେ ସେ କଟକ ଯାଇ ବ୍ରେଟାମ କିଡ଼େଲ ସାହେବଙ୍କ ପାଖରେ ରହି ୧୨ ବର୍ଷ ଶିକ୍ଷା ଲାଭ କଲେ । ୧୮୮୮ରେ ରେଭେନ୍ସା କଲିଜିଏଟ ସ୍କୁଲରୁ ଏଣ୍ଟ୍ରାନ୍ସ ପାସ କରଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ । ବିଏ ପଢୁଥିବା ବେଳେ ସେ ରାଜଗାଦିରେ ବସିବାରୁ ପରୀକ୍ଷା ଦେଇ ପାରିନଥିଲେ ।
ସୂଚନାନୁସାରେ ୧୮୯୨ରେ ତାଙ୍କ ଶାସନ କାଳ ଭିତରେ ମୟୂରଭଞ୍ଜ ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହୋଇଥିଲା । ୧୯୦୩ ଡିସେମ୍ବର ୩୦ରେ କଟକ ଇଦଗା ପଡ଼ିଆରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ସମସ୍ତଙ୍କ ସହ ତଳେ ବସି ସଭା ଆରମ୍ଭ କରିଥିଲେ । ରାଜକୋଷର ଅର୍ଥକୁ ସେ ପ୍ରଜାଙ୍କର ବୋଲି ଭାବୁଥିଲେ । ବିଳାସବ୍ୟାସନ, ଚାକଚକ୍ୟ ପ୍ରତି ତାଙ୍କର କୌଣସି ଆଗ୍ରହ ନଥିଲା । ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟର ଶାସନ ପରିଚାଳନା ପାଇଁ ସେ ଷ୍ଟେଟ କାଉନ୍ସିଲ ଗଠନ କରିଥିଲେ । ସେ ନିଜେ ଏହାର ସଭାପତି ମଧ୍ୟ ଥିଲେ । ଏହି କାଉନ୍ସିଲରେ ଉଭୟ ସରକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କୁ ନିଆଯାଇଥିଲା । ଏହି କାଉନ୍ସିଲ ରାଜ୍ୟ ପାଇଁ ଆଇନ ପ୍ରଣୟନ କରୁଥିଲା । ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ରାଜନୈତିକ ପରାମର୍ଶଦାତା । କବିବର ରାଧାନାଥ ରାୟ, ସ୍ଵଭାବ କବି ଗଙ୍ଗାଧର ମେହେର ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା । ଏମିତିକି ସେ ସମୟରେ ତାଙ୍କ ପୁଷ୍ଟପୋଷକତାରୁ ବାରିପଦାରେ ‘ଉତ୍କଳପ୍ରଭା’ ନାମରେ ସାହିତ୍ୟ ପତ୍ରିକାଟିଏ ପ୍ରକାଶ ପାଉଥିଲା ।
ରେଭେନ୍ସା କଲେଜ ପାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅନେକ ଅବଦାନ ରହିଛି । ସେ ଏହି କଲେଜର ବିଜ୍ଞାନ ବିଭାଗ ଖୋଲିବାରେ ସାହାଯ୍ୟ ମଧ୍ୟ କରିଥିଲେ । ତାଙ୍କ ଦାନରେ ହିଁ କଟକରେ ପ୍ରଥମ ମେଡ଼ିକାଲ ସ୍କୁଲ ସ୍ଥାପିତ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ କଲେଜ ଓ ହସପିଟାଲରେ ପରିଣତ ହୋଇଛି । ୧୯୧୨ରେ ଆଜିର ଦିନ ଫେବୃଆରୀ ୨୨ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।