ଶିବାଶିଷ ପାଢ଼ୀ
ରବିବାର ଦିନ ଆଉ ଯେଉଁଠି ଯାହା ହେଉ ସେଲୁନରେ କିନ୍ତୁ ଭିଡ଼ ଅଧିକ ଥାଏ । ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼େ । ଆଜି ବି ଅପେକ୍ଷା ହିଁ କରିଥିଲି ମୁଁ । ସେଇଠି ଦେଖା ହୋଇଥିଲା ବନ୍ଧୁ ସତେଜ ସହ । ମୋ ଯିବା ବେଳକୁ ସେଲୁନରୁ ବାହାରୁଥିଲା ସିଏ ହେୟାର ଡ଼ାଇ ଲଗାଇ । ସଜସଜ ଲଗାଇ ଥିବାରୁ ଚୁଟିଗୁଡିକ ଲାଖି ଯାଇଥିଲା ଖପୁରିରେ । କେମିତି ଗୋଟିଏ ଅଜବ ଲାଗୁଥିଲା ସେ ।
ତାକୁ ଦେଖି ମୁଁ ଥଟ୍ଟାରେ କହିଲି – “ଯାହେଉ ! ବୟସକୁ ଦଶ ବର୍ଷ କମାଇ ଦେଇଛୁ ଭାଇ ।“
ହସୁଥିଲା ସତେଜ । ହେଲେ ସବୁବେଳେ ସତେଜ ରହୁଥିବା ତା’ ଚେହେରାରେ କିଛି ଗୋଟିଏ ହଜାଇ ଦେଇଥିବାର ଭାବ ଆଣି, କହିଲା – “ବୟସ ଆଉ କମିବ କି ଭାଇ ?” ମୁଁ ତ ଦଶ ବର୍ଷ ତଳଜୁ ହିଁ ଚିନ୍ତା କରେ । କେତେ ସୁନ୍ଦର ଥିଲା ସେ ସମୟ ନା ?”
ଏବେ ହସିବା ପାଳି ମୋର ଥିଲା । କହିଲି – “ଠିକ କଥା ଯେ … ! ମୁଁ ଜାଣିଛି ତୁ ଦଶବର୍ଷ ପରେ ବି ଏଇକଥା ହିଁ କହିବୁ ଭାଇ । ସେତେବେଳେ କୋଡ଼ିଏ ବର୍ଷ ଜମା କହିବୁ ନାହିଁ !”
କାହିଁକି ?? ପଚାରିଥିଲା ସେ ।
କାରଣ କୋଡ଼ିଏ ବର୍ଷ ବହୁତ ଦୂର ଲାଗିବ ତୋତେ । ତୁ ସେତେବେଳେ ଏଇ ସମୟକୁ ଝୁରିବୁ । ଆଉ ତୁ ଏକା ନୋହୁଁ ପ୍ରାୟ ପଞ୍ଚାନବେ ପ୍ରତିଶତ ଲୋକେ ସେମିତି ହିଁ କରନ୍ତି । ମଣିଷ ସବୁବେଳେ ଅତୀତ କି ଭବିଷ୍ୟତରେ ହିଁ ବଂଚିବାକୁ ଚାହେଁ ତ ଭାଇ ! ସେଇଥିପାଇଁ ବୟସ କମ ଥିବାବେଳେ ଭବିଷ୍ୟତ ଆଉ ବୟସ ବଢ଼ି ଚାଲିବା ସହ ଅତୀତ ତାର ପ୍ରିୟ ହୋଇହୋଇ ଚାଲେ ।
ସହମତିରେ ମୁଣ୍ଡ ହଲାଉଥିଲା ସତେଜ । ହଠାତ ତାର ନଜର ପଡ଼ିଲା ମୋ ଚୁଟି ଉପରେ । ଭଲ କି ନିରେଖି ଦେଖି କହିଲା – “ତୁ ଡାଇ ବ୍ୟବହାର କରୁ ନାହୁଁ । କାହିଁକି ?” ହାଃ ହାଃ ହାଃ … ହସିଦେଲି ମୁଁ । କହିଲି – “ମୁଁ ବଳକା ପାଞ୍ଚ ପ୍ରତିଶତରେ ଅଛି ତ ! ସେଇଥିପାଇଁ ଭାଇ ।
ହାଃ ହାଃ ହାଃ … ହସୁଥିଲା ସତେଜ ! କହିଲା – “ଚାଲ ! ଚା’ ଦୋକାନରୁ ଆସିବା । ତୋର ନମ୍ବର ଆସିବା ଡେରି ଅଛି ।“ ଭଗତ ଚା’ ଦୋକାନକୁ ଯାଉଥିଲୁ ଆମେ । ପଛରୁ ସେଲୁନବାଲା କହୁଥିଲା – “ଆଖପାଖରେ ଥାଆନ୍ତୁ ସାର ! ଏଇ ଗୋଟିଏ ମୁଣ୍ଡ ପରେ ଆପଣଙ୍କ ନମ୍ବର ।
ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!