ମଣିଷ ଭିତରର ‘ଯାଜପୁର’ କଥା

ବହି: ଯାଜପୁର: ସେ ସମ୍ପର୍କ ସେଇମିତି
ଲେଖକ: ଜ୍ୟୋତି ପ୍ରକାଶ ମହାପାତ୍ର
ପ୍ରକାଶକ: ପଶ୍ଚିମା ପବ୍ଲିକେସନ୍ସ, ଭୁବନେଶ୍ଵର
ପ୍ରଥମ ପ୍ରକାଶ: ୨୦୨୨, ମୂଲ୍ୟ: ୧୬୯/-

ଏ ବହିର ଲେଖକ ଜ୍ୟୋତି ପ୍ରକାଶ ମହାପାତ୍ର ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ମୋର ଛାତ୍ର ଥିଲେ। ପରବର୍ତ୍ତୀ ସମୟରେ ସେଇଠି ମୋର ସହକର୍ମୀ ବି ଥିଲେ ବେଶ କିଛି ବର୍ଷ । ସାହିତ୍ୟରେ ତାଙ୍କର ଅନୁରାଗ ଏବଂ ଯାଜପୁର ପ୍ରତି ତାଙ୍କର ଗଭୀର ଅନୁରକ୍ତି- ଉଭୟ ସହିତ ମୁଁ ପରିଚିତ। ବେଶ କିଛି ମାସ ଧରି ଯାଜପୁରର ସ୍ମୃତି ବିଜଡ଼ିତ ଲେଖା ସେ ତାଙ୍କ ସାମାଜିକ ଗଣମାଧ୍ୟମ ମଞ୍ଚରେ ପୋଷ୍ଟ୍ କରୁଥିଲେ । ତେଣୁ ଯାଜପୁରର ସ୍ମୃତିଲିପି ଧର୍ମୀ ବହିଟିଏ ଯେ କେବେ ନା କେବେ ସେ ପ୍ରକାଶ କରିବେ ଏହା ଥିଲା ନିଶ୍ଚିତ। ତେବେ ତାହା ଯେ ଏତେ ଶୀଘ୍ର ପ୍ରକାଶିତ ହୋଇଯିବ- ତାହା ମୁଁ ଆଶା କରିନଥିଲି।

ଏ ବହିଟିକୁ ଜ୍ୟୋତି ପ୍ରକାଶ ଉତ୍ସର୍ଗ କରିଛନ୍ତି- “ସେ ସମସ୍ତ ମଣିଷଙ୍କୁ ଯେ ଯାଜପୁରକୁ ମୋତେ ଚିହ୍ନେଇ ଦେଲେ । ଯେଉଁମାନେ ଯାଜପୁର ଯୋଗୁଁ ମୋ ପାଖକୁ ଆସିଲେ ଏବଂ ଉଡିଗଲେ । ପ୍ରତିଟି ପକ୍କା ଯାଜପୁରିଆଙ୍କୁ ।”

୧୪୪ ପୃଷ୍ଠାର ଏ ବହିଟିରେ ଅଛି ୩୫ଟି କଥା ଆଉ ଗୋଟିଏ କବିତା । ଏଥିରେ ଯେତେଗୁଡିଏ କଥା ରହିଛି ଏ ସବୁଗୁଡିକ କଥାରେ ଯାଜପୁରର କୌଣସି ନା କୌଣସି ଚରିତ୍ର ଅଛନ୍ତି ବା ଯାଜପୁରରେ ଘଟିଥିବା ଘଟଣା ଅଛନ୍ତି ବା ଯାଜପୁର ଆଖପାଖ ଗାଁ ଅଛି । ପ୍ରତିଟି କଥାରେ ଆବେଗ ଘନ ମୁହୂର୍ତ୍ତମାନ ଅଛି ଯାହା ପାଠକର ହୃଦୟକୁ ଆଲୋଡିତ କରିଦିଏ ।

ଏଠି ରିକସା ବାଲାର କଥା ରହିଛି, ଏଠି ଜିଲ୍ଲାପାଳଙ୍କ କଥା ରହିଛି । ଏଠି ମହାବାତ୍ୟାର ସ୍ମୃତିକଥା ରହିଛି । ଏଠି କେତେଗୁଡିଏ ଅସମ୍ପୁର୍ଣ୍ଣ ପ୍ରେମ କାହାଣୀ ରହିଛି । ଏଠି କୈଶୋର ଓ ଆଦ୍ୟ ଯୌବନର ସ୍ମୃତି ରହିଛି ।

‘କ୍ରିକେଟ୍ ଦୁନିଆ’ ଲେଖାଟିରେ ସେ ଲେଖିଛନ୍ତି: ଯାଜପୁରରେ କ୍ରିକେଟ ଖେଳର ଆମର ଗୋଟେ ଜମାଣିଆ ଗ୍ୟାଙ୍ଗ ଥିଲା। କ୍ରିକେଟ କେମିତି ଖେଳା ହେବ, ବଲ କେଉଁଠୁ ଆସିବ, ପ୍ୟାଡ କେଉଁଠୁ ଆସିବ, ଷ୍ଟମ୍ପ କେଉଁଠୁ ଆସିବ – ସେ ବିଷୟରେ ଯେଉଁ ବିସ୍ତାରିତ ଆଲୋଚନା ହୁଏ – ସେସବୁ କଥା ସେ ବିସ୍ତାରିତ ଭାବରେ ଲେଖିଛନ୍ତି । ତାପରେ କେମିତି ଖେଳାଳୀମାନେ କ୍ରମଶଃ ସେଠୁ ଅନ୍ୟଜାଗାକୁ ଚାଲିଯାଆନ୍ତି – ତାକୁ ବି ଲେଖିଛନ୍ତି । ଏକଥା ଗୁଡିକ ପ୍ରତ୍ୟେକଙ୍କ ଜୀବନରେ ଘଟିଥିବ । କିନ୍ତୁ ଜ୍ୟୋତିପ୍ରକାଶଙ୍କ ଲେଖାର ବିଶେଷତ୍ତ୍ୱ ହେଲା- ଶେଷ ଧାଡ଼ିଗୁଡ଼ିକ । ଏ ଲେଖାଟିର ଶେଷ ତିନି ଧାଡ଼ି ପଢ଼ନ୍ତୁ: ଆଜିକାଲି ମୁଁ ଦେଖେ ପିଲା ଡ୍ୟୁଜ୍ ବଲ୍ କଣ ଜାଣିନାହାନ୍ତି । ଟେନିସ୍ ବଲ୍ରେ ଖେଳୁଛଡ଼୍ତି । ଆଗରୁ ବଲ ଟାଣ ଥିଲା । ଖେଳାଳି ଥିଲେ ନରମ । ଆଜିକାଲି ବଲ ନରମ । ଖେଳାଳି କିନ୍ତୁ ଜୀବନରେ ବେଶ ଗରମ ଓ କପଟିଆ ।

ସେମିତି ‘ମାଟ୍ରିିକ ପରୀକ୍ଷା’ ଲେଖାଟିରେ ଜ୍ୟୋତି ପ୍ରକାଶ ସେ କେମିତି ଆଉ ଏକ ଗାଁରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ, କେମିତି ରହିଥିଲେ- ସେ ବିଷୟରେ ଲେଖିଛନ୍ତି । ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଦେଇଥିବା ଚାଳିଶ ବର୍ଷ ଉପରକୁ ସବୁ ଲୋକଙ୍କର ଏ ପ୍ରକାର ଅଭିଜ୍ଞତା ଥିବ । ଜ୍ୟୋତି ପ୍ରକାଶ ବଡ଼ ହେଲା ପରେ ଆଉ ଥରେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେଇଥିଲେ ସେ ସ୍କୁଲକୁ ଦେଖିବାକୁ ଯାଇଛନ୍ତି । ସ୍କୁଲଟି ଅନେକ ବଦଳିଯାଇଛି । ଦୋକାନ ବଜାର ବଢ଼ିଛି । ଏବେ ଜ୍ୟୋତି ପ୍ରକାଶଙ୍କ ଶେଷ ଧାଡ଼ି କେତୋଟି ପଢ଼ନ୍ତୁ: ଲାଗିଲା- ବୋଧେ ଏଇଠୁ ଜୀବନର ପାହାଚ ଚଢ଼ଇବା ଆରମ୍ଭ କରିଥଇଲି । ଏଇଠୁ ଲଢ଼ିବା ଆରମ୍ଭ କରିଥିଲି । ଜୀବନ ସାଙ୍ଗେ ଲଢ଼େଇ । ଲଢ଼େଇ ସମୟ ସହ । ଭାବିଲି କାହିଁକି ଲଢ଼ିଲ? ନ ଲଢ଼ିଥିଲେ ବରଂ ମୁଁ ମୋ ଗାଁରେ ରହିଥାନ୍ତି । ଛଳନାରେ ଭରପୁର ମଣିଷଙ୍କ ସଂସ୍ପର୍ଶରେ ଆସି ନଥାନ୍ତି । ପୁଣି ଭାବିଲି – ଏଠି ତ ବିନା ଲଢ଼େଇରେ ମଣିଷ ପ୍ରକୃତିଠୁଁ ବି କିଛି ପାଏନା । ଆଉ ମୁଁ ମଣିଷଙ୍କ ସାମ୍ରାଜ୍ୟ ବିଷୟରେ କହୁଛି ଯେ !

ଏମିତି ବହୁତ କଥା ରହିଛି ଏ ବହିରେ ଯାହା ମନକୁ ଆକ୍ତାମାକ୍ତା କରିଦିଏ । ପ୍ରତ୍ୟେକଙ୍କ ଜୀବନରେ କୈଶୋର ଓ ଆଦ୍ୟ ଯୌବନରେ ଏସବୁ ସ୍ମୃତି ଥିବ । କିନ୍ତୁ ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ଲେଖାରେ ତାହା ଭାରି ମାର୍ମିକ ଭାବରେ ଫୁଟିଉଠିଛି । ମୋତେ ଲାଗେ ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଯାଜପୁର ଦେଖିଛନ୍ତି ସେ । ଆଉ ତାହାରି କଥା ଲେଖିଛନ୍ତି ।

ଭାରି ସରଳ ଓ ସାବଲୀଳ ଭାବେ ଲେଖନ୍ତି ଜ୍ୟୋତି ପ୍ରକାଶ । ଛୋଟ ବାକ୍ୟ, ସରଳ ଶବ୍ଦ । ଶବ୍ଦ ଏଠି ମାଟି ଦୀପ । ଯେଉଁଥିରେ ଅର୍ଥକୁ ବାରି ହୁଏ । ନିବିଡ଼ ଭାବେ ଅନୁଭବ କରିହୁଏ । ନିୟନ ଆଲୁଅ ନୁହେଁ ଯାହା ଆଖିକୁ ଝଲସେଇ ଦିଏ ।

ବହିଟିର ପ୍ରଚ୍ଛଦ ତିଆରି କରିଛନ୍ତି ଅଶୋକ ମହାନ୍ତି । ଚମତ୍କାର ପ୍ରଚ୍ଛଦ । ମୁଦ୍ରଣ ଏବଂ ପାଟିପାଟୀ (ଲେ-ଆଉଟ୍) ବେଶ ଉଚ୍ଚମାନର । ବହିଟିକୁ ପଢ଼ିବା ସହିତ ଦେଖିବାକୁ, ଧରିବାକୁ ବି ଭଲ ଲାଗୁଛି ।

++

Related Posts

Leave a Reply

Your email address will not be published. Required fields are marked *