ଭାରତ-ଚୀନ୍ ଯୁଦ୍ଧ ହେଲେ…

ବହି: ଦ ଲାଷ୍ଟ ୱାର: ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ଉଇଲ ସେପ ଇଣ୍ଡିଆଜ ଫାଇନାଲ ସୋ-ଡାଉନ ଉଇଥ୍ ଚାଇନା
ଲେଖକ: ପ୍ରବିନ ସାୟନି
ପ୍ରକାଶକ: ଆଲେଫ
ପୃଷ୍ଠା: ୪୨୪, ମୂଲ୍ୟ: ୯୯୯ ଟଙ୍କା

ବହିର ଆରମ୍ଭଟା ହେଉଛି ଭବିଷ୍ୟତର ଏକ କାଳ୍ପନିକ ଦୃଶ୍ୟରୁ । ତାକୁ ଲେଖକ ‘ଭବିଷ୍ୟତର ଇତିହାସ’ ବୋଲି କହିଛନ୍ତି ।

୨୦୨୪ ଫେବୃଆରି । ଆମ ଯୁଦ୍ଧ ଜାହାଜ ବିକ୍ରାନ୍ତ ସାମରିକ ଅଭ୍ୟାସରେ ଯାଇଛି । ପ୍ରଧାନ ମନ୍ତ୍ରୀ କ୍ୱାଡ୍ର ନେତାମାନଙ୍କ ସହିତ ଗୋଟେ ଭରଚୁଆଲ ଶୀର୍ଷ ବୈଠକରେ ଯୋଗଦେବାପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ସମୟରେ ଚୀନ୍ ଭାରତ ଉପରେ ସାଇବର ଆକ୍ରମଣ ଆରମ୍ଭ କଲା । ପ୍ରଥମେ ଏହା ଆମର ଯୋଗାଯୋଗ ବ୍ୟବସ୍ଥାକୁ ପଙ୍ଗୁ କରିଦେଲା । ବିଜୁଳି ଯୋଗାଣ ବନ୍ଦ ହୋଇଗଲା । ଏୟାର ଟ୍ରାଫିକ କଣ୍ଟ୍ରୋଲ ସମ୍ପୁର୍ଣ୍ଣ ଅଚଳ ହୋଇଗଲା । ରେଳ ଚଳାଚଳ ବନ୍ଦ ହୋଇଗଲା । ମେଟ୍ରୋ ରେଲ୍ ବି ଆଉ ଚାଲିଲା ନାହିଁ । ଏହା ସହିତ ସେମାନେ ତାଙ୍କର ସବ୍ମେରିନ୍ ଦ୍ୱାରା ସମୁଦ୍ର ତଳେ ଥିବା ଇଣ୍ଟରନେଟ କେବୁଲ୍ ଗୁଡିକୁ କାଟିଦେଲେ ଆଉ ଅନ୍ତରୀକ୍ଷରେ ଥିବା ଇସ୍ରୋର ଉପଗ୍ରହଗୁଡ଼ିକ ଉପରେ ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ ଫଲସ୍ ଦ୍ୱାରା ଆକ୍ରମଣ କଲେ । ଏ ଆକ୍ରମଣ ଚାଲୁଥିଲାବେଳେ ସିଆଡେ ଲଦାଖ ଏବଂ ଅରୁଣାଚଳ ପ୍ରଦେଶ ସୀମାନ୍ତରେ ମୁତୟନ ଭାରତୀୟ ସେନା ଉପରେ ମହୁମାଛି ଆକାରର ଡ୍ରୋନମାନଙ୍କ ଦ୍ୱାରା ଆକ୍ରମଣ ଆରମ୍ଭ ହେଲା । କେବଳ ଏତିକି ନୁହେଁ, ହତ୍ୟାକାରୀ ରୋବଟ୍ମାନଙ୍କ ଦ୍ୱାରା ବି ଭାରତୀୟ ସେନା ଉପରେ ଆକ୍ରମଣ ଆରମ୍ଭ ହୋଇଗଲା । ଭାରତୀୟ ସେନାର ସୀମାନ୍ତରେ ଯେଉଁ ଘାଟି ଗୁଡିକ ଥିଲା ତାହା ଉପରେ ଅଟୋମେଟିକ ରୋବଟ୍ ଚାଳିତ ମେସିନଗନ ଦ୍ୱାରା ଆକ୍ରମଣ ଆରମ୍ଭ ହେଲା । ଯେହେତୁ ରାଡର ସିଷ୍ଟମ ଅଚଳ ହେଇଯାଇଛି, ସେତେବେଳକୁ ଭାରତୀୟ ବିମାନ ବାହିନୀ ସମ୍ପୁର୍ଣ୍ଣ ଅନ୍ଧ ଲବଂ ପଙ୍ଗୁ ହେଇସାରିଥିଲେ । ଅନେକ ବିମାନକୁ ଧ୍ୱଂସ କରିଦିଆ ଯାଇଥିଲା । ବିକ୍ରାନ୍ତ ଏବଂ ତା ପାଖାପାଖି ଯାଉଥିବା ଜାହାଜ ଗୁଡିକୁ ମଧ୍ୟ ଧ୍ୱଂସ କରିଦିଆଗଲା । ସେଗୁଡିକ ମଧ୍ୟ ମହାସାଗରରେ ବୁଡିଗଲେ । ଏ ରୋବଟ୍ ଏବଂ ସାଇବର ଆକ୍ରମଣ ପରେ ପରେ ପଶି ଆସିଲେ ଚୀନର ସେନା । ରୋବଟ୍ ଏବଂ ସାଇବର ଆକ୍ରମଣରେ ବର୍ତ୍ତିଯାଇଥିବା ଦିଗ ଗୁଡିକୁ ସେମାନେ ଜୟ କରିବାପାଇଁ ଲାଗିଲେ ଏବଂ ଧ୍ୱଂସ କରିବା ପାଇଁ ଲାଗିଲେ । ସପ୍ତାହେ ଭିତରେ ଚୀନ୍ ଅରୁଣାଚଳ ପ୍ରଦେଶ ଏବଂ ଲଦାଖ ଅଧିକାର କରି ସେଠି ଚୀନ୍ର ପତାକା ଉଡାଇଦେଲା । କହିବା ବାହୁଲ୍ୟ ମାତ୍ର ପାକିସ୍ତାନ ମଧ୍ୟ ତାକୁ ସାହାଯ୍ୟ କଲା ।

ଏହି ଦୃଶ୍ୟଟି ପ୍ରଥମରୁ ଦେବା ଉଦ୍ଦେଶ୍ୟ ଭାବରେ ଲେଖକ କହିଛନ୍ତି ଯେ ନିକଟ ଭବିଷ୍ୟତରେ ଯଦି କେବେ ଚୀନ୍ ଭାରତ ଯୁଦ୍ଧ ହୁଏ, ତାହାହେଲେ ହୁଏତ ଦୃଶ୍ୟଟା ଏହିଭଳି ହେବ ।

ଲେଖକ ଏ କଳ୍ପିତ ଦୃଶ୍ୟର ଟାଇମ ଫ୍ରେମ୍ଟାକୁ ଖୁବ୍ ବେଶୀ ଦୂରରେ ରଖି ନାହାନ୍ତି । ସେ ଫେବୃଆରି ୨୦୨୪ କଥା କହୁଛନ୍ତି । ଅର୍ଥାତ ବର୍ତ୍ତମାନ ଉପଲବ୍ଧ କାରିଗରୀ ଜ୍ଞାନର କଥାହିଁ କହୁଛନ୍ତି । ବହିର ପରବର୍ତ୍ତି ଅଧ୍ୟାୟ ଗୁଡିକରେ ସେ ବିଶ୍ଳେଷଣ କରିବାପାଇଁ ଚାହୁଁଛନ୍ତି ଯେ ଏ ଯେଉଁ ଦୃଶ୍ୟଟି ବାସ୍ତବରେ ସମ୍ଭବ ହେଇପାରିବ ନାଁ ଏହା ସମ୍ପୁର୍ଣ୍ଣ କଳ୍ପ-କାହାଣୀ?

ଲେଖକଙ୍କର ବକ୍ତବ୍ୟ ହେଲା: ଆଜି ଯେଉଁ କାରିଗରୀ ଜ୍ଞାନ ପୃଥିବୀରେ ଉପଲବ୍ଧ ଅଛି ତାକୁହିଁ ବ୍ୟବହାର କଲେ ଏ ଦୃଶ୍ୟ ବାସ୍ତବ ହେଇପାରିବ ।

ଛୋଟ ଛୋଟ ମହୁମାଛି ଆକାରର ଡ୍ରୋନ୍ ଭାରତ ପାଖରେ ମଧ୍ୟ ଅଛି । ରୋବଟିକ୍ ୱେପନ୍ ବା ରୋବୋଟ୍ ଭଳି ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ବି ପୃଥିବୀରେ ଅଛି । ଦକ୍ଷିଣ କୋରିଆ ଏମିତି ସ୍ମାର୍ଟ ମେସିନଗନ ଉତ୍ତର-କୋରିଆ ସହିତ ଡିମିଲିଟାରାଇଜ୍ଡ ଜୋନରେ ମୁତୟନ କରିଛନ୍ତି । ସେମିତି କୃତ୍ତିମ ମେଧା (ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ) ଦ୍ୱାରା ପରିଚାଳିତ ଅସ୍ତ୍ରଶସ୍ତ୍ର ତିଆରି ହୋଇଗଲାଣି, ଯାହା ଯୁଦ୍ଧକ୍ଷେତ୍ରର ସ୍ଥିତି ଅନୁସାରେ ନିଜେ ରଣକୌଶଳ ଠିକ୍ କରିନେବ । ସେଟଲାଇଟ ବା ଉପଗ୍ରହକୁ ଇଲେକ୍ଟ୍ରୋ-ମ୍ୟାଗନେଟିକ୍ ପଲସେସ୍ (ବୈଦ୍ୟୁତିକ-ଚୁମ୍ବକୀୟ ସ୍ପନ୍ଦନ) ଦ୍ୱାରା ଧ୍ୱଂସ କରିଦେବା ବି ଏବେ ସମ୍ଭବ । ଚୀନ ଏମିତି ସେଟଲାଇଟ ଧ୍ୱଂସ କରିବାର କ୍ଷମତା ରଖେ ବୋଲି ପ୍ରମାଣ ମଧ୍ୟ ରହିଛି ।

ଭାରତର ସିଭିଲିଆନ ବା ବେସାମରିକ ଆଉ ମିଲିଟାରୀ ବା ସାମରିକ ଟ୍ରାନସପୋର୍ଟ ଆଉ ପାୱାର ଇନଫ୍ରାଷ୍ଟ୍ରକଚର୍ର ଯୋଗାଯୋଗ ବ୍ୟବସ୍ଥାକୁ କଣ ସାଇବର ଆଟାକ କରିହେବ? ଲେଖକଙ୍କର ଉତ୍ତର: କରିହେବ । ବସ୍ତୁତ ପ୍ରତ୍ୟେକ ଆଧୁନିକ ଦେଶ ଏଥିପାଇଁ ପ୍ରସ୍ତୁତ ହେବାର ଆବଶ୍ୟକତା ରହିଛି । ମୁମ୍ବାଇର ବିଜୁଳି ଯୋଗାଣ ବ୍ୟବସ୍ଥାକୁ କେତେଜଣ ହ୍ୟାକର ବନ୍ଦ କରାଇଦେଇଥିବାର ପ୍ରମାଣ ରହିଛି । ନେସନାଲ ଷ୍ଟକ ଏକ୍ସଚେଞ୍ଜକୁ ମଧ୍ୟ ବନ୍ଦ କରିଦେଇପାରିଥିଲେ କେତେଜଣ ହ୍ୟାକର । ତେଣୁ ଚୀନ ମଧ୍ୟ ଏହା କରିପାରେ ।

ପ୍ରଶ୍ନ: ଚୀନ ପାଖରେ ଏହିଭଳି ହାଇଟେକ ଟେକନଲୋଜି ଅଛିକି? ବା ତିଆରି କରିବାର କ୍ଷମତା ଅଛି କି? ବା ଏହି ସ୍କେଲରେ ତିଆରି କରିବାର କ୍ଷମତା ଅଛି କି ଯେଉଁଥିରେ ଭାରତ ବିପକ୍ଷରେ ଏମିତି ଗୋଟେ ଯୁଦ୍ଧ କରିପାରିବ । ଲେଖକଙ୍କର ଏ କ୍ଷେତ୍ରରେ ମଧ୍ୟ ଉତ୍ତର ହଁ । କୃତ୍ତିମ ମେଧା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ଷେତ୍ରରେ ଚୀନ ବର୍ତ୍ତମାନ ବିଶ୍ୱରେ ସବୁଠୁ ଆଗୁଆ । ଚୀନରେ ଯେଉଁ ମେଗା-କର୍ପୋରେସନ ଗୁଡିକ ରହିଛି ସେମାନେ ହିଁ ସାରା ବିଶ୍ୱକୁ ଏ କ୍ଷେତ୍ରରେ ଦରକାର ଯନ୍ତ୍ରପାତି ଯୋଗାଉଛନ୍ତି । ପାୱାର ଇଣ୍ଡଷ୍ଟ୍ରି ହେଉ, ଟେଲିକମୁନିକେସନ ନେଟୱାର୍କ ହେଉ ଏଥିରେ ଯାହା ଆବଶ୍ୟକତା ତାହାକୁ ଯୋଗାଉଛନ୍ତି । ଫାଇଭ-ଜି ଏବଂ ଇଣ୍ଟରନେଟ ଅଫ ଥିଙ୍ଗ୍ସ କ୍ଷେତ୍ରରେ ଚୀନର ଆଧିପତ୍ୟ ସମ୍ଭାବ୍ୟ ବିପଦ ସୃଷ୍ଟିକରେ ବୋଲି ଅନେକେ ଆଶଙ୍କା ପ୍ରକାଶ କରିଛନ୍ତି ।

ଚୀନର ସାମରିକ ବାହିନୀ କେବଳ ଆକାଶ ମାର୍ଗ, ସମୁଦ୍ର ଏବଂ ଭୂମିକୁ ଦେଖୁନାହାନ୍ତି ବରଂ ସେମାନଙ୍କ ସାମରିକ ଗବେଷଣାରେ ମହାକାଶ ଏବଂ ସାଇବର ସ୍ପେସ୍ ମଧ୍ୟ ସାମିଲ ହେଇଛି । ଏ କ୍ଷେତ୍ରରେ ସେମାନେ ବହୁ ଅର୍ଥ ବରାଦ କରୁଛନ୍ତି । ଆଉ ଏଥିରେ ବ୍ୟୟ କଲା ଭେଳିଆ ଅର୍ଥ ମଧ୍ୟ ତାଙ୍କ ପାଖରେ ଅଛି । କାରଣ ଚୀନର ଅର୍ଥନୀତି ବର୍ତ୍ତମାନ ଭାରତର ଅର୍ଥନୀତିଠାରୁ ପାଖାପାଖି ୫ଗୁଣ ଅଧିକା । ତାଙ୍କର ମନୁଫ୍ୟାକଚରିଂ ଅଧିକା । ସାରାଦେଶରେ ମିଲିଟାରୀ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ତାଙ୍କର କ୍ଷମତା ରହିଛି । ଭାରତର ସେ କ୍ଷମତା ନାହିଁ ବୋଲି ନୁହେଁ- ହେଲେ ଚୀନ୍ ତୁଳନାରେ ସୀମିତ ।

କୃତିମ ମେଧା ଚାଳିତ ଯନ୍ତ୍ରପାତି, ଅସ୍ତ୍ରଶସ୍ତ୍ର ପାଇଁ ଯେଉଁ ବେସିକ ଚିପ୍ ଦରକାର ପଡେ ତାହା ଯଥେଷ୍ଟ ପରିମାଣରେ କରିବାର କ୍ଷମତା ମଧ୍ୟ ଭାରତର ନାହିଁ । ଏ କ୍ଷେତ୍ରରେ ଗବେଷଣାରେ ଭାରତ ଏପର୍ଯ୍ୟନ୍ତ ପଛରେ ରହିଛି ।

ଲେଖକ ଏ ପୁସ୍ତକରେ ପରାମର୍ଶ ଦେଇଛନ୍ତି: ଭାରତ ବର୍ତ୍ତମାନ ପାଇଁ କ୍ୱାଡ ସହିତ ଖୁବ୍ ବେଶୀ ଘନିଷ୍ଠତା କରିବା ଉଚିତ ନୁହଁ । ଚୀନ ଏବଂ ପାକିସ୍ତାନ ସହିତ ଶାନ୍ତି ବଜାୟ ରଖିବାର ଆବଶ୍ୟକତା ରହିଛି ଏବଂ ତା ସହିତ ହାଇଟେକ ଏରିଆରେ ନିଜର ପତିଆରା ବଢ଼େଇବାର ଦିଗରେ ଚିନ୍ତା କରିବା ଏବଂ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି ।

ଆଧୁନିକ ସମର କଳା ଯଦି ଆପଣଙ୍କର ଆଗ୍ରହର ବିଷୟ ହୋଇଥିାଏ, ତେବେ ଏ ବହିଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ।

++

Related Posts

Leave a Reply

Your email address will not be published. Required fields are marked *