ଭାଗ ~୧୩
ରମେଶ ଏକାବେଳେକେ ରାତି ଖାଇବା ବେଳକୁ ଆସିବ ବୋଲି ଜଣାଇଲା। ରଘୁଭାଇଙ୍କର କିଛି ଖବର ନାହିଁ, ସେ ଝିଅକୁ ନେଇ ହୁଏତ ବ୍ୟସ୍ତ। ଆଜି ଦିନସାରା ଗୋଟେ ପରେ ଗୋଟେ ଅଭିନନ୍ଦନ ବାର୍ତ୍ତା ପଢି ତାର ଉତ୍ତର ଦେବାରେ ଅନେକ ସମୟ ବିତିଲା। ଆଉ କିଛି ଜଣାଶୁଣା ଲୋକ ଭ୍ରାମ୍ୟଭାଷରେ ଡାକିଲେ। ରମେଶ ଆଉ ରଘୁଭାଇ ଆସିଥିଲେ ଆମ ଖଟି ଜମି ଥାଆନ୍ତା।
ଖରାବେଳ ଖାଇବା ପରେ ମୁଁ ଟିକେ ଗଡୁ ଗଡୁ ନିଦ ଲାଗିଗଲା। ନିଦରେ ଗୋଳିଆ ମିଶା ହେଇ କଣ ସବୁ ଦେଖିଲି। ଶ୍ରୀ କୋଉଠି ବସିଛି, ମୋତେ ଡାକୁଛି। ମୁଁ ତା ଆଡକୁ ଯିବି ଭାବୁଛି। ପୁଣି ଗୀତ ଗାଇବାକୁ କିଏ ମୋତେ କହୁଛି। ରମେଶର ମୋର କୁଆଡେ ଯାଉଛୁ। ବହୁତ ଗୁଡାଏ ଲୋକ। ମୁଁ ଗୀତ ଗାଉଛି, ହେଲେ କେହି କିଛି ଶୁଣି ପାରୁନାହାନ୍ତି। ସେମାନେ ପାଟିମୁଣ୍ଡ କରୁଛନ୍ତି। ତାଙ୍କ ଭିତରୁ ଶ୍ରୀ ଉଠିକି ପଳଉଛି। ମୁଁ ଗୀତ ଗାଉଛି।
ଏମିତି ସବୁ ଦୃଶ୍ୟ ମୁଣ୍ଡ ଭିତରେ ଚାଲି ଯାଉଥାଏ, ହଠାତ୍ ନିଦ ଭାଙ୍ଗିଗଲା।
ମୁଁ ଉଠିକି ପାଣି ପିଇଲି। ପୁଣି ଖଟ ଉପରେ ଗଡି ପଡିଲି। ମୁଁ କେତେ ବର୍ଷ ହେଲା ଗୀତ ଗାଉଛି ଆଉ ମୋତେ କେତେ ଲୋକ ସେଥିପାଇଁ ଚିହ୍ନୁଛନ୍ତି, ସମ୍ମାନ ଦେଉଛନ୍ତି। ଯେତେବେଳେ ମୁଁ ପେଶାଦାର ଗାୟକ ଜୀବନ ଆରମ୍ଭ କରୁଥିଲି, ସେତେବେଳେ ମୋର ଶ୍ରୀ ସହ ଦେଖା ହେଇଥିଲା। ସେତେବେଳେ ମୁଁ ମୋ ନିଜ ଦକ୍ଷତା ନେଇ ସନ୍ଦୀହାନ ଥିଲି। ଜୀବନରେ କେତେ ସଫଳ ହେବି ଜାଣି ନଥିଲି। ଶ୍ରୀକୁ ନେଇ କେମିତି ଜୀବନଟେ ବଞ୍ଚିହେବ ତା ବି ଭାବି ପାରୁ ନଥିଲି। ଆଜି ଯଦି ଶ୍ରୀ ଓ ମୁଁ ସ୍ୱାମୀ ସ୍ତ୍ରୀ ହେଇ ଏକାଠି ରହୁଥାନ୍ତୁ — ହୁଏତ ଏମିତି କେବେ କେବେ ଏକୁଟିଆ ଲାଗୁ ନଥାନ୍ତା। କେଜାଣି ପିଲାଙ୍କ ଦେହ ଖରାପ ହେଇଥାନ୍ତା, ଶ୍ରୀ ମୋ ଉପରେ ବିରକ୍ତ ହେଉଥାନ୍ତା, ପିଲାଙ୍କୁ ନେଇ ଡାକ୍ତରଙ୍କ ଦୁଆରରେ ଅପେକ୍ଷା କରୁଥାନ୍ତି, ପରିବା କରିବାକୁ ହାଟବଜାର ଯାଉଥାନ୍ତି, ଘରେ ଆସି ଶ୍ରୀ ସହ ଏଣୁ ତେଣୁ ଗପୁ ଥାଆନ୍ତି — କେଜାଣି ଆମ ଜୀବନର ସ୍ୱରୂପ କେମିତି ହେଇଥାନ୍ତା? ଆମେ ଏକାଠି ଥିବା ସମୟ ତ ସ୍ୱପ୍ନ ଭଳି କଟିଯାଉଥିଲା।
ଶ୍ରୀ ସହ ଦୂର୍ଗାପୂଜା ବେଳେ ଦେଖାହେବ। ସେ କେମିତି ଅଛି, କଣ କରୁଛି, ମୁଁ ତ ଏଇ କେତେ ବର୍ଷ ଭିତରେ ତାକୁ କେବେ ପଚାରିବାକୁ ଚାହିଁନି କି ଜାଣିବାକୁ ଚାହିଁନି। ସତେ ଯେମିତି ସେ କେହି ଜଣେ ଅଜଣା, ଅପରିଚିତ — ତାର ଦୁଃଖସୁଖ, ହାନିଲାଭରେ ମୋର କିଛି ଯାଏ ଆସେ ନାହିଁ।
ମୁଁ ତାକୁ ଦେଖିଲେ କଣ କହିବି? ମୁଁ ଦୌଡିଯାଇ ତା ହାତ ଧରି ତାକୁ କହିବି, “ମୁଁ ତୁମକୁ ସବୁବେଳେ ମନେ ପକାଉଛି।”
ଆଉ ଉତ୍ତରରେ ସେ ବି କହିବ, “ମୁଁ ବି ସବୁବେଳେ ତୁମକୁ ମନେ ପକାଉଛି।”
ତାପରେ ଆମେ ଦିହେଁ ପରସ୍ପରକୁ ଚାହିଁ ରହିବୁ। କେଜାଣି କେତେ ସମୟ…
ମୁଁ ପୁଣି ମନକୁ ମନ ଭାବିଲି, ଅନୁଷ୍ଠାନ ଗହଳି ଚହଳିରେ ତା ସହ ଏକାନ୍ତରେ କଥା ହେବାକୁ ସୁଯୋଗ ମିଳିବ କି ନାହିଁ ସନ୍ଦେହ। ହୁଏତ ସମସ୍ତଙ୍କ ଉପସ୍ଥିତିରେ କେବଳ ଔପଚାରିକ କଥାବାର୍ତ୍ତା ଛଡା ଆଉ କିଛିର ଅବକାଶ ରହିବନି।
ହଠାତ୍ ଶ୍ରୀର ଉପର ଭଉଣୀ ଶ୍ରୀହିତାର ବାହାଘର ଭୋଜି କଥା ମନେ ପଡିଲା।
ତା ଉପର ଭଉଣୀ ଶ୍ରୀହିତାର ବାହାଘରରେ ମୋତେ ଯିବାକୁ କହିଥିଲା। ତା ଆଗରୁ ସେ କୋଉଠୁ କେତେ କଣ କିଣାକିଣି କରୁଛି ମୋତେ କହୁଥିଲା। ସେ କେମିତି ଶାଢୀ ପିନ୍ଧିବ, କେମିତି ସଜେଇ ହେବ, କେମିତି ମଜା କରିବ ଏ ସବୁ କଥା ଭାରୀ ଆଗ୍ରହରେ କହୁଥିଲା। ମୁଁ ତା ଭଉଣୀ ବାହାଘର ଭୋଜିରେ ପହଞ୍ଚିଲାବେଳକୁ ଲୋକ ଭର୍ତ୍ତି। କିନ୍ତୁ ଶ୍ରୀ ମୋତେ ଦେଖି ଦ୍ୱାର ପାଖକୁ ଆସି ମୋତେ ସାଙ୍ଗରେ ନେଇଗଲା। ସେତେବେଳକୁ ବେଦୀରେ ବରକନ୍ୟାଙ୍କ ବାହାଘର କାମ ସରିଥାଏ। ଖାଇବା ଜାଗାରେ ଲୋକ ଭର୍ତ୍ତି। ସେ କିନ୍ତୁ ନଖାଇ ଅପେକ୍ଷା କରିଥାଏ ମୋ ପାଖରେ ବସି ଖାଇବ ବୋଲି।
ଆମେ ଦୁହେଁ ବସି ଖାଇଲୁ। ଚାରିପଟେ ଲୋକ ଗହଳ ଚହଳ ହେଉଥାନ୍ତି। ମୁଁ ପ୍ରାୟ କାହାକୁ ଚିହ୍ନି ନଥାଏ। କେହି କେହି ଶ୍ରୀକୁ କଣ ପଦେ କହି ଚାଲିଯାଉଥାଆନ୍ତି। ଶ୍ରୀହିତା ଓ ତାର ସ୍ୱାମୀ ବରବଧୂବେଶରେ ଖୁବ୍ ଆକର୍ଷଣୀୟ ଦିଶୁଥାଆନ୍ତି, ସେମାନେ ସମସ୍ତଙ୍କର ଅଭିନନ୍ଦନ ଗ୍ରହଣ କରୁଥାନ୍ତି। ଶ୍ରୀର ବଡନାନୀ ଓ ଭିଣୋଇ ଅତିଥିଙ୍କୁ ପାଛୋଟି ଆଣୁଥାନ୍ତି। ଶ୍ରୀର ମାଆ ବାପା ମଧ୍ୟ ନିଜ ବନ୍ଧୁବାନ୍ଧବଙ୍କ ଖାତିର କରିବାରେ ବ୍ୟସ୍ତ ଥାଆନ୍ତି। ମୋର ମନେ ଅଛି ଆମେ ସେଠି ବେଶୀ କିଛି କଥା ହେଇନଥିଲୁ। ପାଖାପାଖି ଦୁଇଟି ଚୌକିରେ ବସି ଖାଇଲୁ। ଶ୍ରୀ ହଳଦୀ ରଙ୍ଗର ହଜାରବୁଟି ପାଟଶାଢୀରେ କି ସୁନ୍ଦର ଦିଶୁଥାଏ, ଦି ହାତରେ ଦି ମୁଠା ରଙ୍ଗବିରଙ୍ଗ ଚୁଡି ପିନ୍ଧିଥାଏ। ଆଉ ତାର ଆଣ୍ଠି ଛୁଉଁଥିବା ବାଳ ମୁକୁଳା କରିଥାଏ। ତାକୁ ଆଖିପୂରେଇ ଦେଖିବାର ପ୍ରଚଣ୍ଡ ଇଚ୍ଛାକୁ ମନ ଭିତରେ ଚାପି, ମୁଁ ତା ଆଡକୁ ନ ଅନେଇ ଖାଇବାରେ ଲାଗିଲି।
“କାମ ସାରି ଆସୁ ଆସୁ ମୋର ଟିକେ ଡେରି ହେଇଗଲା।”
ଶ୍ରୀ ମୋତେ ଚାହିଁ ଶୁଖିଲା ହସଟେ ହସିଲା, କିଛି କହିଲାନି। ସେ ଯେ ମୋତେ କେତେବେଳୁ ଅପେକ୍ଷା କରୁଛି, ସେକଥା ଜଣାପଡୁଥିଲା।
ଶ୍ରୀ ହିତୁନାନୀ ବାହାଘର ପାଇଁ ଗତ ଦୁଇ, ତିନି ସପ୍ତାହ ହେବ ବହୁତ ବ୍ୟସ୍ତ ରହୁଥିଲା। କଣ କେମିତି ହେବ ମୋତେ ଯେତେବେଳେ ସମୟ ପାଉଥିଲା ଫୋନରେ କହୁଥିଲା। ସେଦିନ ରାତି ଦଶଟା ପରେ ଝିଅ ବିଦା ହେବାର କଥା। ବାହାଘର ପରଦିନ ବରଘର ପଟର ଭୋଜି। ଆଠ ଦିନ ପରେ ହିତୁନାନୀ ଭାଇନାଙ୍କ ସହ ଆମେରିକା ଯିବ। ତା ହିତୁନାନୀର ଶାଶୁଘର ଆମେରିକାରେ ବହୁ ବର୍ଷ ହେଲା ରହୁଛନ୍ତି, ସେ ହାତଗଣ୍ଠି ଫିଟେଇବା ଆଗରୁ କେମିତି ମଜା କରିବ, ଏମିତି କେତେ କଥା।
ଖାଇ ସାରିବା ପରେ, ଶ୍ରୀ ମୋ ସହ ବାହାରକୁ ଆସିଲା। ଜାଗା ଅଭାବରୁ ମୁଁ ଗାଡିକୁ କଲ୍ୟାଣ ମଣ୍ଡପ ଫାଟକରୁ ବହୁତ ଦୂରରେ ରଖିଥାଏ। ମୁଁ ଆଗେଇଲି, ଶ୍ରୀ ମୋତେ ବାଟେଇବାକୁ ଆସି ତା ଆଖିରୁ ଅନ୍ତର ନହେବା ଯାଏ ଚାହିଁ ରହିଲା। ମୁଁ ମୋଡାଣିରେ ତାକୁ ଦେଖି ହାତ ହଲେଇଲି। ସେଦିନ ଫେରିବା ବେଳେ ମୋତେ କେମିତି ମାଡି ପଡିଲା। ଶ୍ରୀ ଯେ ମୋ ପାଇଁ କଷ୍ଟ ପାଉଛି ସେ କଥା ସେ ମୁହଁ ଖୋଲି ନ କହିଲେ ବି ମୁଁ ବୁଝିପାରୁଥିଲି। ତା ଭଲପାଇବା ବିନା ମୁଁ କେମିତି ରହିବି, ମୁଁ କଳ୍ପନା କରି ପାରୁନଥିଲି। କିନ୍ତୁ ତାକୁ ନେଇ ସୁଖୀ ସଂସାରଟିଏ କରିପାରିବି ବୋଲି ଆତ୍ମପ୍ରତ୍ୟୟ ବି ନଥିଲା। କେବେ କେବେ ମୁଁ ଅସୁରକ୍ଷିତ ମନେ କରୁଥିଲି — ପାଣି ଫୋଟକା ଜୀବନ, ତା କାନ୍ଥରେ ଉଦଭାସିତ ସାତ ରଙ୍ଗ, ଶ୍ରୀର ଅନୁରାଗ। ଭୟ ଲାଗୁଥିଲା ଯେମିତି ସବୁ କିଛି ଆଖିପିଛୁଳାକେ ମିଳେଇଯିବ।
ସେଦିନ ରାତିରେ ଚର୍ମର ଉଷୁମ ରେଜେଇ ତଳେ ସ୍ନାୟୁ ସବୁ ଜାକିକୁକି ଶୋଇବାକୁ ବସିଲେଣି। ମୁଁ ତଥାପି ଶ୍ରୀଠୁଁ ଇଚିଠିଟିଏ ପାଇବାକୁ ଅପେକ୍ଷା କରୁଥାଏ। ମୁଁ ଭାବୁଥାଏ ସେ ହୁଏତ ବାହାଘର କାର୍ଯ୍ୟବ୍ୟସ୍ତତା ଭିତରେ କ୍ଲାନ୍ତିରେ ମୋତେ ଚିଠି ଲେଖିବାକୁ ସମୟ ପାଇବନି। ରାତି ବାରଟା ପରେ ଶ୍ରୀର ଚିଠି ପାଇଲି।
ତୁମେ ଗଲା ପରେ ମୁଁ କଲ୍ୟାଣ ମଣ୍ଡପର ଗୋଟେ ବିଶ୍ରାମ କକ୍ଷରେ ଖଟ ଉପରେ ଗଡିପଡିଲି। ବାହାରେ ଗହଳି ଚହଳି ଲାଗିଥାଏ। ଆଶ୍ଚର୍ଯ୍ୟ ମୋତେ କେହି କେମିତି ଖୋଜି ନାହାନ୍ତି। ମୋ ମନଟା ସକାଳୁ କେମିତି ଉଦାସ ଲାଗୁଥିଲା। ହିତୁନାନୀ ଯେ ବାହା ହେଇ ଆମେରିକା ଯିବ ସେଥିପାଇଁ ନିଶ୍ଚୟ ନୁହେଁ। ଆଜିକାଲି ଯେମିତି ମୋ ଚାରିପଟେ ଘଟୁଥିବା ଘଟଣା ସବୁରେ ମୋର ଆଗଭଳି ଉତ୍ସାହ ନାହିଁ।
ତୁମଠୁଁ ଦୂରରେ ଥିବା ସମୟରେ ମୁଁ କେବଳ ତୁମକଥା ଭାବୁଛି। ହିତୁନାନୀ ଆମେରିକା ଯିବା ଆଗରୁ ହୁଏତ ଆମର ଦେଖା ହେବା ସମ୍ଭବ ହେବନି। ମୋତେ ଏସବୁ କିଛି ଭଲ ଲାଗୁନି। ତୁମେ ତ ଏବେ ଶୋଇ ପଡିଥିବ। ମୋର ମନ ହେଉଛି, ମୁଁ ଅଦୃଶ୍ୟ ହେଇ ତୁମ ପାଖରେ ପହଞ୍ଚିଯାଆନ୍ତି, ତୁମ ମୁଣ୍ଡ ଆଉଁସି ଦିଅନ୍ତି…
(କ୍ରମଶଃ)
ଖୁବ୍ ଭଲ ଲେଖିଛନ୍ତି