ଶରତକୁମାର ରାଉତ


ଅରିନ୍ଦମ ଜାଣିଥିଲା, ସ୍ୱଦେଶ ଓ ବିଦେଶ ମଧ୍ୟରେ ଢ଼େର ଫରକ୍ ରହିଛି । ସ୍ୱଦେଶରେ ଜଣେ ନାଗରିକ ସବୁକିଛିର ସ୍ୱାଧୀନତା ପାଇଥାଏ । ଆଉ ବିଦେଶରେ ସବୁକିଛି ସୀମା ଭିତରେ କରିବାକୁ ପଡ଼େ । କିନ୍ତୁ ତା’ ଦର୍ଶନରେ ବିଦେଶ ତୁଳନାରେ ସ୍ୱଦେଶ ସବୁ କ୍ଷେତ୍ରରେ ଖରାପ ଥିଲା- ସ୍ୱାର୍ଥ ଜଡ଼ିତ ଥିଲା- ଦୁର୍ନୀତି ଯୁକ୍ତ ଥିଲା-ଇର୍ଷା ପରାୟଣ ଥିଲା ଓ ସବୁଠୁ ବୃହତ୍ ଗଣତାନ୍ତ୍ରୀକ ରାଷ୍ଟ୍ର ନାଁରେ ସବୁଠୁ ଅଗଣତାନ୍ତ୍ରିକ ରାଷ୍ଟ୍ର ଥିଲା! ବିଦେଶରେ ନାଗରିକ ମାନଙ୍କ ଭିତରେ ପରସ୍ପର ଘନିଷ୍ଠ ସଂପର୍କ ଥିଲା, ସ୍ୱଦେଶରେ ଏହା କେବଳ ମୁହଁରେ ଥିଲା – ଅନ୍ତରରେ ନଥିଲା! ବିଦେଶରେ ନେତା, ମନ୍ତ୍ରୀ, ଅଫିସର ଓ ସାଧାରଣ ଲୋକେ ନିସ୍ୱାର୍ଥପର ଭାବେ ନିଜର କର୍ତ୍ତବ୍ୟ କରନ୍ତି । ସ୍ୱଦେଶରେ ସମସ୍ତେ ସ୍ୱାର୍ଥପର! ଲୋକେ ନେତାଙ୍କ ପଛରେ ଗାଳି କରିବେ- ଖାଇଗଲା ବୋଲି କହିବେ! କିନ୍ତୁ ସାମ୍ନାରେ ତାଙ୍କର ଢ଼େର ଗୁଣଗାନ କରି ସ୍ୱାର୍ଥ ହାସଲ କରିବେ!
ବିଦେଶରେ ନାଗରିକମାନେ ଆଗ ଓ ପଛରେ ସମାନ କଥା କହିବେ । ବିଦେଶରେ ନେତା ଓ ଅଫିସରମାନେ ସାଧାରଣ ଲୋକଙ୍କ ବିକାଶ ଦିଗରେ ଗୁରୁତ୍ୱ ଦିଅନ୍ତି । ସ୍ୱଦେଶରେ ଲୋକଙ୍କ ବିକାଶ ସଂପର୍କରେ ନେତା-ଅଫିସର କେବଳ ଭାଷଣରେ କହନ୍ତି ଓ ଉନ୍ନୟନ କାର୍ଯ୍ୟ ଫାଇଲ ଭିତରେ ଚାପି ରଖନ୍ତି । ବିଦେଶରେ ପ୍ରତିଭାକୁ ସମ୍ମାନ ଦିଆଯାଏ-ପ୍ରୋତ୍ସାହିତ କରାଯାଏ! ସ୍ୱଦେଶରେ ପ୍ରତିଭାବୁ ଇର୍ଷା କରାଯାଏ! ଜଣକର ପ୍ରତିଭା ଅନ୍ୟପାଇଁ କଷ୍ଟ ଦାୟକ ହୁଏ । ଏଣୁ ତା’ର ପ୍ରତିଭାରେ କଳଙ୍କ ବୋଳିବାକୁ ଚେଷ୍ଟା କରାଯାଏ । ବିଦେଶରେ ନାଗରିକ ମାନଙ୍କୁ ଯଥେଷ୍ଟ ସମ୍ମାନ ଦିଆଯାଏ । ସେମାନଙ୍କ ଅଭିଯୋଗ ଓ ପରାମର୍ଶକୁ ଗ୍ରହଣ କରାଯାଏ ଓ ଶାସନ ପ୍ରକ୍ରିୟାରେ କାର୍ଯ୍ୟକାରୀ କରାଯାଏ । ନିର୍ବାଚନ ବେଳେ ସ୍ୱଦେଶରେ କେବଳ ନାଗରିକ ମାନଙ୍କୁ ସାମାନ୍ୟ ଗୁରୁତ୍ୱ ଦିଆଯାଏ, ତାହା ପୁଣି ଟଙ୍କା ଦେଇ କିମ୍ବା କୌଣସି ପ୍ରକାରେ ପ୍ରଲୋଭିତ କରି!!! ପରେ ନାଗରିକ ମାନଙ୍କ ସହିତ ପଶୁଭଳି ବ୍ୟବହାର କରାଯାଏ! ସେମାନଙ୍କର କୌଣସି ଅଭିଯୋଗ, ପରାମର୍ଶକୁ ଗ୍ରହଣ କରାଯାଏ ନାହିଁ । ଏପରିକି ସାଧାରଣ ମଣିଷର କୌଣସି ଚିଠିର ଉତ୍ତର ଦେବାକୁ ମଧ୍ୟ ସରକାରୀ କଳ ବା ନେତା ଆଗ୍ରହୀ ହୁଅନ୍ତି ନାହିଁ । ଭୋଟ ନେଇ ଆସନକୁ ଚାଲିଯିବା ପରେ ନେତା ମାନେ ଆଉ ଭୋଟରମାନଙ୍କୁ ଚିହ୍ନିପାରନ୍ତି ନାହିଁ! ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ଆଉ ମନେ ପକାନ୍ତି ନାହିଁ!
ଏଥର ଅରିନ୍ଦମ ବିକଶିତ ଦେଶ ଓ ବିକାଶଶୀଳ ଦେଶ ମଧ୍ୟରେ ପାର୍ଥକ୍ୟକୁ ନେଇ ଭାବିଲା । ପ୍ରତିଭାକୁ ଉତ୍ସାହିତ କରା ଯାଇଥିଲେ, ସ୍ୱଦେଶ ବିକଶିତ ଦେଶରେ ପରିଣତ ହୋଇ ସାରନ୍ତାଣି । ସ୍ୱଦେଶରେ ଇର୍ଷାର ଉତ୍ପାତ, ଦେଶର ଆର୍ଥିକ ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି! ଭାଷା-ସଂସୃତି ଓ ସାହିତ୍ୟର ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରୁଛି! ଇର୍ଷାର ନିଆଁରେ ଦେଶର ପ୍ରଚଣ୍ଡ ପ୍ରତିଭାମାନେ ଜଳିପୋଡ଼ି ଯାଉଥିବା କଥା ଭାବି ସେ ମ୍ରିୟମାଣ ହୋଇ ପଡ଼ିଲା! ଏଥର ସେ ନିଜ କଥା ଭାବିଲା- ନିଜକୁ ଏହାର ସଶକ୍ତ ପ୍ରମାଣ ବୋଲି ମନେ କଲା ।
ବାଇଶି ବର୍ଷ ତଳେ ଅରିନ୍ଦମ ସାହିତ୍ୟ ଓ ସମ୍ବାଦପତ୍ର ଜଗତରେ ପ୍ରବେଶ କରିଥିଲା । ସେତେବେଳେ ତାକୁ ୨୦ ବର୍ଷ ବୟସ । ତାକୁ ୨୫ ବର୍ଷ ବୟସ ବେଳକୁ ସେ ଜଣେ ଭଲ ସ୍ତମ୍ଭକାର ଓ ଗାଳ୍ପିକ ଭାବେ ରାଜ୍ୟରେ ପରିଚିତ ହୋଇଥିଲା । ତା’ ଲେଖାଗୁଡ଼ିକ ପତ୍ର ପତ୍ରିକାର ସଂପାଦକ ମାନଙ୍କ ହୃଦୟ ଛୁଇଁ ପାରୁଥିଲା । ସେ ଜଣେ ଭଲ ଗାଳ୍ପିକ, ସ୍ତମ୍ଭକାର ଓ ସାମ୍ବାଦିକ – ଏକଥା ଅନ୍ୟମାନେ ଭଳ ଭାବେ ଜାଣିଥିଲେ । ଏତେ କମ୍ ବୟସରେ ଅରିନ୍ଦମର ଅସ୍ୱାଭାବିକ ପ୍ରତିଷ୍ଠା ବୁଦ୍ଧିଜୀବୀମାନଙ୍କୁ ମଧ୍ୟ ବିସ୍ମିତ କରୁଥିଲା । ହେଲେ ଏହା ହିଁ ଥିଲା ତା’ ପ୍ରତି କେତେକ ଖଳ ପ୍ରକୃତିର ଲୋକଙ୍କର ଇର୍ଷାର କାରଣ!
ଆଉ ଆଜି ସେହି ଇର୍ଷାର ଶିକାର ହୋଇଛି ଅରିନ୍ଦମ । ଗଭୀର ଆତ୍ମବିଶ୍ୱାସୀ ଅରିନ୍ଦମ ସମୟକୁ ଅପେକ୍ଷା କରିଛି । ସମୟ ତା’ ସପକ୍ଷରେ ନିଶ୍ଚୟ ଯିବ, ଏଥିରେ ତା’ର ତିଳେ ହେଁ ସନ୍ଦେହ ନାହିଁ । ଯେଇଁ ଦିନ ଜନୈକ ସଂପାଦକ ମହାଶୟ ହଠାତ୍ ତାଙ୍କ ଦୈନିକ ଖବର କାଗଜ ସଂସ୍ତାରୁ ତାକୁ ସାମ୍ବାଦିକ ପଦରୁ ଛଟେଇ କରିଥିଲେ, ସେ ଦିନ ସେ ଅତିମାତ୍ରାରେ ଆଶ୍ଚର୍ଯ୍ୟ ହୋଇଥିଲା । ଆଉ ଯେତେବେଳେ ଅନ୍ୟ ଖବରକାଗଜର ସଂପାଦକ ମାନେ ତାକୁ ନିଯୁକ୍ତି ଦେବାପାଇଁ ମନା କରିଥିଲେ, ସେ ହତବାକ୍ ହୋଇଯାଇଥିଲା । କେତେକ ଖଳ ପ୍ରକୃତିର ଲୋକେ ତା ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିବା ସେ ଅନୁମାନ କରିଥିଲା । ତଥାପି ଏକଥା ସେ ଶହେଭାଗ ବିଶ୍ୱାସ କରିପାରି ନଥିଲା! ସମସ୍ତଙ୍କ ସହିତ ତା’ର ସୁ-ସଂପର୍କ ଥିଲା । ସଂପାଦକ ମାନେ ତାକୁ ପ୍ରଶଂସା କରୁଥିଲେ । ସାମ୍ବାଦିକମାନଙ୍କ ସହିତ ସେ ମିଳିମିଶି ଚଳୁଥିଲା । ସେ ସାମ୍ବାଦିକମାନଙ୍କ ଭିତରେ ସର୍ବକନିଷ୍ଠ ଥିବାରୁ ସମସ୍ତଙ୍କୁ ସମ୍ମାନ କରୁଥିଲା- ସମସ୍ତେ ତାକୁ ଆଦର କରୁଥିଲେ ।…….. ଜଣ ଜଣ କରି କେତେକ ସଂପାଦକ ଓ ସାମ୍ବାଦିକଙ୍କ ସହ ନିଜ ସଂପର୍କକୁ ନେଇ ସେ ସମୀକ୍ଷା କରିଥିଲା । ନା, କେହି ତାର ଶତ୍ରୁ ନୁହଁନ୍ତି! ତେବେ ହଠାତ୍ ସେ ସମ୍ବାଦପତ୍ର ସଂପାଦକ ମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା କାହିଁକି?……..ତା’ ମନରେ ବିଭିନ୍ନ ଆଶଙ୍କା ଘନୀଭୂତ ହେବାରେ ଲାଗିଲା…. ସମ୍ବାଦପତ୍ର ଗୁଡ଼ିକର ଅବସ୍ଥା ଓ ଏହାର ପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ତା’ ଆଖି ଆଗରେ ନାଚି ଉଠିଲା । ଏଥିନେଇ ସେ ଟିକେ ବିଚଳିତ ହୋଇଗଲା! ଧୀରେ ଧୀରେ ସେ ନିଜକୁ ଆୟତ୍ତ କଲା ଓ ଏସଂପର୍କରେ ସମୀକ୍ଷା କରିବାକୁ ଲାଗିଲା……..ଅତୀତରେ ୪ର୍ଥ ସ୍ତମ୍ଭର ଭୂମିକା ସଫଳତାର ସହ ସଂପନ୍ନ କରାଇବା ସମସ୍ତଙ୍କର ଲକ୍ଷ୍ୟଥିଲା । ସେତେବେଳେ ଦକ୍ଷତାକୁ ଅଗ୍ରାଧିକାର ଦିଆଯାଉଥିଲା । ସାହିତ୍ୟିକ,ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ ଢେର ସମ୍ମାନ ମିଳୁଥିଲା । ଯଦ୍ଦ୍ୱାରା ଦେଶରେ ବିଭିନ୍ନ ଭାଷାଭାଷୀ ସମ୍ବାଦପତ୍ରର ଗୁରୁତ୍ୱ ବୃଦ୍ଧି ପାଇଥିଲା । ସମ୍ବାଦପତ୍ର ସମାଜରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଥିଲା । ହେଲେ ଆଜି ଏ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଦେଇଛି । ସାମ୍ବାଦିକଙ୍କୁ ସେଲ୍‌ସମ୍ୟାନ ହେବାକୁ ବାଧ୍ୟ କରାଯାଉଛି । ନିର୍ଦ୍ଧିଷ୍ଟ ଅବଧିମଧ୍ୟରେ ନିର୍ଦ୍ଧିଷ୍ଟ ପରିମାଣର ବିଜ୍ଞାପନ ସଂଗ୍ରହ କରିବାକୁ ଚୁକ୍ତି କରାଯାଉଛି । ଫଳରେ ଏଥିରେ ଧୂରନ୍ଧର ଥିବା ବ୍ୟକ୍ତିମାନେ ସମ୍ବାଦପତ୍ର କ୍ଷେତ୍ରକୁ ପଶି ଆସୁଛନ୍ତି । ଆଶ୍ଚର୍ଯ୍ୟର କଥା ଯେ,ଏବେ ସାମ୍ବାଦିକ ହେବା ପାଇଁ ଆଉ ଦକ୍ଷତା ଦରକାର ପଡ଼ୁନି!….. ଏପଟେ ସାମ୍ବାଦିକତା ପାଠପଢ଼ି ଆସୁଥିବା କ୍ୟାରିୟର ହୋଲ୍‌ଡର୍ ମାନେ ସାମ୍ବାଦିକତା ପାଇଁ ଆବଶ୍ୟକ ଜ୍ଞାନ, ବୁଦ୍ଧି, ଲେଖା, ପଢ଼ା ଓ କହି ବୋଲିବାକୁ ଅସମର୍ଥ ହେଉଥିବାବେଳେ ସଂଖ୍ୟାଧିକ ଅନ୍‌ପ୍ରଫେସ୍‌ନାଲ ପଶିଆସୁଛନ୍ତି ଏହି ମାହୋଲ୍ ଭିତରକୁ । ‘.. ହେଁସ ମୁତୁରୀ..’ପରି ସମ୍ବାଦପତ୍ର ମାଲିକ ମାନଙ୍କ ସହ ଏମାନଙ୍କର ବି ରାଜ ଯୋଟକ ପଡ଼ୁଛି । ଦକ୍ଷତା ନଥିବା ଏହିଭଳି ବ୍ୟକ୍ତିମାନେ ଏବେ ସହଜରେ ସାମ୍ବାଦିକ ବନିଯାଉଛନ୍ତି । ସେମାନେ ମନଇଛା ଯାହା ଲେଖୁଛନ୍ତି, ଖବର କାଗଜ ଗୁଡ଼ିକ ସେସବୁକୁ ଛାପି ଦେଉଛନ୍ତି । ସେହିପରି ସଂବାଦପତ୍ର କାର୍ଯ୍ୟାଳୟରେ କାମ କରୁଥିବା ଏଇଭଳି ତଥାକଥିତ ସାମ୍ବାଦିକ/ସହ-ସଂପାଦକ/ବାର୍ତ୍ତା ସଂପାଦକ ତୃଟିପୂର୍ଣ୍ଣ ସଂପାଦନା କରି ସଂବାଦପତ୍ରର ମାନ କ୍ଷୁର୍ଣ୍ଣ କରୁଛନ୍ତି! ମାତ୍ର ସୁଦକ୍ଷ ଦୂରଦୃଷ୍ଟି ସଂପନ୍ନ ସାମ୍ବାଦିକମାନେ ସମ୍ବାଦ ପତ୍ରର ଆଢ଼ୁଆଳରେ ରହିଯାଉଛନ୍ତି । କେତେକ ଖବରକାଗଜ ସଂସ୍ଥାର କର୍ମଚାରୀ ନିଜ ସଂପର୍କୀୟ/ବନ୍ଧୁମାନଙ୍କ ଗୁରୁତ୍ୱହୀନ ଲେଖା ମଧ୍ୟ ପ୍ରକାଶ କରୁଛନ୍ତି । ପାଠକଙ୍କ ଦ୍ୱାରା ଆଦୃତ ହେବା ଭଳି ଲେଖାଗୁଡ଼ିକୁ ଆଡ଼େଇ ଦିଆଯାଉଛି! ଅନ୍ୟପକ୍ଷରେ କେତେକ ଦୁର୍ନୀତିଗ୍ରସ୍ତ ରାଜନୈତିକ ବ୍ୟକ୍ତି ଓ ଅପରାଧୀ ପରୋକ୍ଷରେ ଖବରକାଗଜ ସହ ସଂପୃକ୍ତ ହୋଇଛନ୍ତି ଓ ହେବାରେ ଲାଗିଛନ୍ତି! ଏହା ମଧ୍ୟ ସମ୍ବାଦପତ୍ରର ସଂକଟାପନ୍ନ ଅବସ୍ଥାର ପ୍ରମୁଖ କାରଣ! କେତେକ ଖବରକାଗଜ ସଂସ୍ଥାରେ ଦାୟିତ୍ୱହୀନ ଲୋକଙ୍କ ପ୍ରବେଶ ଆରମ୍ଭ ହୋଇଛି । ଏହି ଅଦକ୍ଷ ଅକୃତଜ୍ଞ ମଣିଷମାନେ ସମ୍ବାଦପତ୍ର ମାଧ୍ୟମରେ ଦୁର୍ନୀତି ଆରମ୍ଭ କରିଛନ୍ତି । ପରିଣତି ସ୍ୱରୂପ ସମ୍ବାଦପତ୍ର ବଦନାମ୍‌ର ଦ୍ୱାର ଦେଶରେ ଛିଡ଼ା ହେଲାଣି! ଏପରିକି ପ୍ରଚୁର ଅର୍ଥ ଓ ସାମ୍ବାଦିକତା ଭାଉରେ ଲୋକେ ଦେଶପ୍ରେମ ଓ ଗଣତନ୍ତ୍ରର ଧାରାଭୁଲି ଦେଶକୁ ସଂକଟ ଘେରକୁ ନେଇଯିବା ପାଇଁ ଉଦ୍ୟମ କରୁଛନ୍ତି । ବଡ଼ବଡ଼ ଶିଳ୍ପପତି, ପୁଞ୍ଜିପତି, ରାଜନେତା ମାନେ କେବଳ ସମ୍ବାଦପତ୍ର ବ୍ୟବସାୟରେ ପ୍ରବେଶ କରିନାହାଁନ୍ତି ବରଂ ଏମାନଙ୍କ ଅକ୍ତିଆରରେ ଗଣମାଧ୍ୟମ ରହିଥିବା ସ୍ୱଷ୍ଟ ହୋଇଗଲାଣି । ସେମାନେ ସାମ୍ବାଦିକତାର ଗରିମା ନଷ୍ଟ କରିବା ରାସ୍ତାରେ ଅଛନ୍ତି! ପ୍ରେସ୍ ଗଣତନ୍ତ୍ରର ପ୍ରହରି ନହୋଇ ଖାଉଟି ବସ୍ତୁ ପାଲଟିଗଲାଣି! ଅର୍ଥାତ୍ ଗଣତନ୍ତ୍ର ସୁରକ୍ଷାରେ ସମ୍ବାଦପତ୍ର ନିଜ ଭୂମିକା ନର୍ବାହରେ ଅସଫଳ ହୋଇ ଚାଲିଛି! ଆଜି ସମ୍ବାଦପତ୍ର କ୍ଷେତ୍ରରେ ଚରମ ବିଶୁଙ୍ଖଳା ଦେଖାଦେଇଛିା ଗଣମାଧ୍ୟମ ଓ ଏହାର ପ୍ରତିନିଧିଙ୍କୁ ନେଇ ଚାରିଆଡ଼େ ଭିନ୍ନଭିନ୍ନ ଚର୍ଚ୍ଚା ହୋଇଆସୁଥିିଲେ ହେଁ ସରକାରଙ୍କ ନିରବତା ବୁଦ୍ଧିଜିବୀ ମାନଙ୍କୁ ବିସ୍ମିତ କରୁଛି । ସରକାରଙ୍କ ପ୍ରତିନିଧି ହୁଅନ୍ତୁ କି ମନ୍ତ୍ରୀ, ନେତା କି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି/ଅପରାଧୀ ନିଜ ପ୍ରକୋଷ୍ଟରେ ବସି ଦଳେ ସାମ୍ବାଦିକଙ୍କୁ ଡକାଇ ନିଜ ସ୍ୱାର୍ଥଜଡ଼ିତ ସମ୍ବାଦ ପରିବେଷଣ ପାଇଁ ଖାଲି ପ୍ୟାକେଟ ବାଣ୍ଟିଦେଲେ କାମଶେଷ! ପରଦିନ କାଚରୁ କାଗଜ ସବୁଠି ଚାଲିଥିବ ଖାଲି ତାଙ୍କରି ନାଁରେ ଚର୍ଚ୍ଚା ଓ ପ୍ରଶଂସା! ଏତେ ସହଜରେ ଯଦି ସାମ୍ବାଦିକ ଓ ସମ୍ବାଦପତ୍ରଗୁଡିକୁ କିଣି ହେଉଛି ଆଉ ଠକି ହେଉଛି,ତେବେ ସମ୍ବାଦପତ୍ରର ଭାଗ୍ୟ-ଭବିଷ୍ୟତକୁ ନେଇ ତାଙ୍କ ମୁଣ୍ଡ କାହିଁକି ବଥେଇବ?…ଅସଲି ଓ ନକଲି ସାମ୍ବାଦିକଙ୍କୁ ନେଇ ସେମାନେ କାହିଁକି ତର୍ଜ୍ଜମା କରିବେ?…ଏପରିକି ଅଳ୍ପ କେତେ ଖଣ୍ଡ ଛପାଯାଉଥିବା କେତୋଟି ନିର୍ଦ୍ଦିଷ୍ଟ ଦୈନିକ ସଂବାଦପତ୍ରର ସଂପାଦନା ପଦ୍ଧତି ଏତେ ଦୁର୍ବଳ ଯେ,ପ୍ରକାଶିତ ଅରୁଚିକର/ଅସ୍ୱାଭାବିକ/ବିଭ୍ରାନ୍ତିକର/ଅପରାଧୀ,ଦୁର୍ନୀତିଗ୍ରସ୍ତ ଓ ମାଫିଆଙ୍କ ଦ୍ୱାରା ପ୍ରାୟୋଜିତ ସଂବାଦ ବୁଦ୍ଧିଜୀବୀମାନଙ୍କ ପାଇଁ ଚିନ୍ତାର କାରଣ ହେଉଛି! ହୁଏତ ଆଜି ପର୍ଯ୍ୟନ୍ତ ସେମାନେ ଜନସାଧାରଣଙ୍କ ସ୍ୱାର୍ଥଜଡ଼ିତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରି ନାହାଁନ୍ତି କିମ୍ବା ସେମାନଙ୍କର ଏଭଳି ରିପୋର୍ଟ ସଂଗ୍ରହ କରିବାକୁ ଓ ଲେଖିବାକୁ ଦକ୍ଷତା ନାହିଁ! ବେଳେବେଳେ ଜନସ୍ୱାର୍ଥ ଲୁଟ୍ କରୁଥିବା ନେତା/ଅଧିକାରୀ/ମାଫିଆ/ଅପରାଧୀ ମାନଙ୍କ କଳାକାରନାମା ସଂପର୍କରେ ଅନୁସନ୍ଧାନମୂଳକ ରିପୋର୍ଟ ଲେଖୁଥିବା ସୁଦକ୍ଷ ସାମ୍ବାଦିକଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ସଂବାଦ ପରିବେଷଣ କରିବାକୁ ମଧ୍ୟ ଅପରାଧୀ ମାନଙ୍କ ସହ ହାତ ମିଳାଇଥିବା ଏଭଳି ସଂସ୍ଥା ପଛାଉ ନାହାଁନ୍ତି! ସେହିଭଳି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ କେବଳ ନିଜର ସ୍ୱାର୍ଥ ହାସଲ ହେଲା ଭଳି ସଂବାଦ ଖୋଜି ବୁଲୁଛନ୍ତି! ସଂପୃକ୍ତ ସଂସ୍ଥାର ମାଲିକମାନେ ଅସଲି-ନକଲି ଜାଣିପାରୁ ନାହାଁନ୍ତି!ଏଇଭଳି ସଂସ୍ଥାରେ ୪ର୍ଥ ସ୍ତମ୍ଭର ନୀତି-ନିୟମ ପାଳନ ନହେବା ସ୍ୱାଭାବିକ । ଆଉ ଦେଶରେ ୪ର୍ଥ ସ୍ତମ୍ଭ ଦୁର୍ବଳ ହୋଇ ଯିବା ନିଃସନ୍ଦେହ! ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧିରେ ଏଇଭଳି ସଂବାଦପତ୍ର ଗୁଡ଼ିକର ପ୍ରମୁଖ ଭୂମିକାଥିବା ସନ୍ଦେହକୁ ଅସ୍ୱୀକାର କରାଯାଇ ପାରୁନି । ଅନ୍ୟ ପକ୍ଷରେ ଯେକୌଣସି ବ୍ୟକ୍ତି ଆଜି ଖଣ୍ଡେ ଦୈନିକ/ସାପ୍ତାହିକ ପତ୍ରିକା ପ୍ରକାଶ କରି କାଲି ନେତା,ମନ୍ତ୍ରୀ,ଅଫିସରଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା ଚଲାଉଛନ୍ତି । ୫୦/୧୦୦ ଖଣ୍ଡ ଛପା ଯାଉଥିବା ଏହିଭଳି ସମ୍ବାଦପତ୍ରର ସାମ୍ବାଦିକଙ୍କ ସଂଖ୍ୟା ବଢି ଚାଲିଛି । ଏସବୁ ବୁଦ୍ଧିଜୀବୀ ଓ ବରିଷ୍ଠ ସାମ୍ବାଦିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ସାମ୍ବାଦିକ ବୃତ୍ତି ଭିତରକୁ ପଶି ଆସିବା ପାଇଁ କୌଣସି କଟକଣା ନ ଥିବାରୁ ହିଁ ଏଭଳି ଅଶୋଭନୀୟ ଓ ଅସ୍ୱାଭାବିକ ଘଟଣା ଘଟୁଛି ।….ଏମିତି ଅନେକ କଥା ସମୀକ୍ଷା କଲା ପରେ ସେ ନିଜକୁ ବିଭିନ୍ନ ଘଟଣା ସହିତ ମିଳେଇ ଦେଖିଲା!…..ପ୍ରାୟତଃ ପ୍ରଶାସନ ସ୍ତରରେ ହୋଇଥିବା କେତେକ ଦୁର୍ନୀତିକୁ ସମ୍ବାଦପତ୍ର ମାଧ୍ୟମରେ ସେ ଲୋକଲୋଚନକୁ ଆଣିଛି! ଏଇ କିଛିଦିନ ଭିତରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାଏକ ମହା ଦୁର୍ନୀତିର ଭିତିରି କଥାକୁ ନେଇ ସେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ବିଭିନ୍ନ ସଂବାଦପତ୍ରରେ ଛାପିଥିଲା! ମାତ୍ର ମାଫିଆ ମାନଙ୍କ ପ୍ରୋତ୍ସାହନରେ କେତୋଟି ସଂବାଦପତ୍ର ୪ର୍ଥ ସ୍ତମ୍ଭର ନୀତିନିୟମ ଉଲଂଘନ କରି ତା’ ବିରୁଦ୍ଧରେଏକ ହାସ୍ୟାସ୍ପଦ ସଂବାଦ ପରିବେଷଣ କରିଥିଲେ!….. ମାଫିଆ ମାନଙ୍କ ଦ୍ୱାରା ଏହା ଷଡ଼ଯନ୍ତ୍ର ନୁହେଁ ତ?….ମାଫିଆ ମାନେ କ’ଣ ସେହି କେତୋଟି ସଂବାଦପତ୍ରକୁ ନିଜ ଅକ୍ତିଆରକୁ ନେଇଗଲେ?…..ଏହା ହୋଇ ନଥିଲେ ତା’ର ଅନୁସନ୍ଧାନମୂଳକ ରିପୋର୍ଟ ଗୁଡ଼ିକ ପାଇଁ ଦିନେ ଯେଉଁ ସଂବାଦପତ୍ର ସଂସ୍ଥା ଗୁଡ଼ିକ ତାକୁ ଧନ୍ୟବାଦ୍ ଦେଉଥିଲେ, ତାଙ୍କ ଖବରକାଗଜ ପାଠକ ମାନଙ୍କ ଦ୍ୱାରା ଆଦୃତ ହେଉଛି ବୋଲି କହୁଥିଲେ, ଆଜି ସେମାନେ ତା’ଠାରୁ ମୁହଁ ଫେରାଇ ନିଅନ୍ତେ?…..କେବଳ ସଂବାଦପତ୍ର ସଂସ୍ଥା ଗୁଡ଼ିକ ନୁହଁନ୍ତି,ବୁଦ୍ଧିଜୀବୀ ଓ ସଚେତନଶୀଳ ନାଗରିକ ମହଲରେ ମଧ୍ୟ ସେ ବେଶ୍ ପ୍ରଶଂସିତ! ଏଥିପାଇଁ ଅନେକ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ତାକୁ ପୁରସ୍କୃତ କରାଯାଇଛି ଓ ସମ୍ବର୍ଦ୍ଧନା ଦିଆଯାଇଛି! ହେଲେ ଆଜି……ପୁଣି ସେ ଆଉ କେତେ କ’ଣ ଭାବିଲା……..
ଏଥର ସେ ରାକେଶ କଥା ଭାବିଲା । ରାକେଶ ପ୍ରତିଷ୍ଠିତ ସାମ୍ବାଦିକ । ତା’ ସହ ରାକେଶର ଭଲ ସଂପର୍କ । ସବୁ ସାମ୍ବାଦିକ ଓ ସଂପାଦକଙ୍କ ସହିତ ରାକେଶର ଭଲ ସଂପର୍କ ରହିଛି । ତାକୁ ସେ ନିଶ୍ଚୟ ସାହାଯ୍ୟ କରିବ ବୋଲି ଭାବିଲା । ରାକେଶ କଥା କହିବାରେ ସୁଦକ୍ଷ ଥିଲା । ମୁହୁର୍ତ୍ତକ ମଧ୍ୟରେ ସେ ମନ୍ତ୍ରୀ,ନେତା,ଅଫିସର,ସାମ୍ବାଦିକ,ସଂପାଦକ,ବୁଦ୍ଧିଜୀବୀ ଆଦିଙ୍କୁ ପ୍ରଭାବିତ କରିପାରୁଥିଲା । ଏଇ ଗୁଣ ପ୍ରତ୍ୟେକ ମଣିଷ ପାଇଁ ଆବଶ୍ୟକ । କିନ୍ତୁ ଅରିନ୍ଦମ୍ ଭିତରେ ଏ ଗୁଣ ନଥିଲା । ରାକେଶ୍‌ର ମଧ୍ୟ ଏହା ବାସ୍ତବ ସ୍ୱଭାବ ନଥିଲା । ଏହା ଥିଲା ତା’ର ଛଳନା । ତା’ ଭିତରେ ମଣିଷ ପ୍ରତି ସ୍ନେହ ସୌହାଦ୍ର୍ଦ୍ୟ ନଥିଲା । ଥିଲା ପ୍ରଚଣ୍ଡ ଇର୍ଷାଭାବ । ଯାହା ଜଣାପଡ଼ିବା ଅସମ୍ଭବ । ସାମୟିକ ଭାବେ ପ୍ରତ୍ୟେକ ମଣିଷ ତା’ଚକ୍ରବ୍ୟୁହ ଭିତରକୁ ଆସିଯିବା ସ୍ୱାଭାବିକ ।……

ଦୁଇମାସ ବିତିଯାଇଥିଲେ ହେଁ ତାର କୌଣସି ଲେଖା ପତ୍ରପତ୍ରିକାରେ ପ୍ରକାଶ ପାଇ ନଥିଲା କି ତାର ନିଯୁକ୍ତି ପାଇଁ କୌଣସି ଖବରକାଗଜରୁ ସବୁଜ ସଙ୍କେତ ମିଳି ନଥିଲା । ତାର ସ୍ତମ୍ଭ ଲେଖା ପ୍ରକାଶନ ନହେବା ନେଇ ସେ ଏତେଟା ଦୁଃଖ କରୁ ନଥିଲା । ଅଧିକାଂଶ ଖବରକାଗଜ ସଂପାଦକ ବା ପ୍ରକାଶକ ମାନେ ରାଜନୀତି ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । କେତେଜଣ ମନ୍ତ୍ରୀ, ସାଂସଦ, ବିଧାୟକ ବା କୌଣସି ରାଜନୀତିକ ପଦପଦବୀରେ ଅଧିଷ୍ଠିତ ଥିଲେ । ଅର୍ଥାତ୍ ସମ୍ବାଦପତ୍ରର ନିଜସ୍ୱ ବିଚାର ଧାରା କିଛି ନଥିଲା । ସେହି ସବୁ କାଗଜରେ ସାମ୍ବାଦିକ ଓ ସ୍ତମ୍ଭକାର ମାନଙ୍କର କୌଣସି ଗୁରୁତ୍ୱ ନଥିଲା । ସ୍ତମ୍ଭ ଲେଖା ଯଦିଓ ସମ୍ପାଦକଙ୍କ ନିଜ ଦଳ ସପକ୍ଷରେ ଥିଲା, ତାହେଲେ ତାହା ପ୍ରକାଶ ପାଉଥିଲା । ଏଇ ଦୃଷ୍ଟିରୁ ତା’ର ସ୍ତମ୍ଭଲେଖାଗୁଡ଼ିକ ପ୍ରତ୍ୟାଖ୍ୟାତ ହେଉଥିବା ସେ ଭାବିଲା । ହେଲେ ତାର ଗଳ୍ପ କାହିଁକି ପ୍ରକାଶ ପାଉନି?…. ସେ ସନ୍ଦିହାନ ହୋଇଗଲା ।
ଅରିନ୍ଦମ ମନରେ ରାକେଶ୍‌ର ପ୍ରକୃତିକୁ ନେଇ କ୍ରମେ ଅନେକ କଥା ଉଙ୍କି ମାରିଲା । ତା’ ସହିତ ଓ ଅନ୍ୟ ସହିତ ରାକେଶର କଥା ବାର୍ତ୍ତା ଓ ଚଳନୀ ଆଦିକୁ ସେ ମନେ ପକାଇଲା । ରାକେଶ୍ ପ୍ରଚଣ୍ଡ ଇର୍ଷାଳୁ ବୋଲି ସେ ନିଃସନ୍ଦେହ ହୋଇଗଲା । ସହଜେ ତାର ପ୍ରତିଷ୍ଠା ଚରମ ସୀମାରେ ପହଞ୍ôଚଥିଲା । ରାକେଶକୁ ଏହା ପସନ୍ଦ ନଥିଲା । କେତେକ ମଣିଷର ଏକ ନିର୍ଦ୍ଦିଷ୍ଟ ଗୁଣ ତାକୁ ଖରାପଲାଗିଲା । ସେମାନେ ନିଜର ପାଖ ଲୋକ, ପଡ଼ୋଶୀ, ସଂପର୍କୀୟ ଓ ଚିହ୍ନା ଲୋକଙ୍କ ପ୍ରତି ଇର୍ଷାକରନ୍ତି- ଘୃଣା କରନ୍ତି । ମୁଖ୍ୟତଃ ସବୁ କ୍ଷେତ୍ରରେ ମଣିଷ ନିଜ ପାଖ ଲୋକ ସହିତ ମନେ ମନେ ପ୍ରତିଦ୍ୱନ୍ଦିତା କରିଥାଏ । କେହି ଯଦି ନିଜ ପରିଶ୍ରମ ବଳରେ ଟିକେ ଉପରକୁ ଉଠେ, ସେ ଇର୍ଷା କରେ । ତା’ର ଗୋଡ଼ ଟାଣିବାକୁ ଚେଷ୍ଟାକରେ । କ’ଣ ପାଇଁ?…… ସେ ନିଜ ସହିତ ରାକେଶକୁ ତୁଳନା କଲା ।…. ଜ୍ଞାନୀ-ଗୁଣୀ ଲୋକମାନେ ବି ସତ -ମିଛ ଜାଣିବାକୁ ଉଦ୍ୟମ କରୁନାହାନ୍ତି! ବେଳେ ବେଳେ ଖଳ ଲୋକ ଦ୍ୱାରା ପ୍ରଭାବିତ ହୋଇଯାଉଛନ୍ତି!…….
ଏଇ ଯେମିତି ତା’କ୍ଷେତ୍ରରେ ହୋଇଛି । ସେ ଏକାଧାରାରେ ଜଣେ ଭଲ ସ୍ତମ୍ଭକାର, ସାହିତ୍ୟିକ ଓ ସାମ୍ବାଦିକ! କିନ୍ତୁ ରାକେଶ ଏକ ଛୋଟ ଖବରକାଗଜରେ ସାମ୍ବାଦିକ! କୌଣସି ଏକ ତଥ୍ୟକୁ ନେଇ ଗଠନମୂଳକ ଲେଖାଟିଏ ପ୍ରସ୍ତୁତ କରିବାକୁ ବି ସେ ସମର୍ଥ ନୁହେଁ । କେବଳ କଥା କହିବାରେ ତାର ଦକ୍ଷତା ଅଛି । ଲୋକଙ୍କୁ ପ୍ରଭାବିତ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ପାରୁଛି ।…… କିନ୍ତୁ ଅରିନ୍ଦମ୍‌ର ଏ ଗୁଣ ନାହିଁ ।
ସେ ସବୁଠୁ ବେଶୀ ଦୁଃଖିତ ହେଲା ଏଇଥିପାଇଁ ଯେ, ଯେଉଁମାନେ ଭାଷା-ସାହିତ୍ୟ ଓ ପ୍ରତିଭାର ସୁରକ୍ଷା ପାଇଁ ଜାତି ପାଖରେ ଶପଥ ବଦ୍ଧ, ସେମାନେ ନିଜ ହାତରେ ପ୍ରତିଭାକୁ ଧ୍ୱଂସ କରିଦେଉଛନ୍ତି! ସାହିତ୍ୟ ଓ ସଂସ୍କୃତିରେ କ’ଣ ପାତର-ଅନ୍ତର କି ଇର୍ଷା କି ହିଂସାର ସ୍ଥାନ ଥାଏ?…. ଏ ସବୁରେ ତ କେବଳ ଭରି ରହିଥାଏ ମାନବିକତା! ଏ ସବୁର ସୁରକ୍ଷା ଓ ପ୍ରସାର ପାଇଁ ସମସ୍ତଙ୍କର ଉଦ୍ୟମ ଆବଶ୍ୟକ! ପ୍ରତିଭାର ଉଚିତ ସମ୍ମାନ କରାଗଲେ, ଏଗୁଡ଼ିକର ବିକାଶ ହୋଇଥାଏ । ପ୍ରତିଭା ପୂଜା ସମାଜର ବିକାଶରେ ସହାୟକ ହୋଇଥାଏ । ଆଉ ଦେଶ ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଥାଏ । ଯେଉଁଠି ପ୍ରତିଭାକୁ ଜାଣି ଶୁଣି ତଳକୁ ଚାପି ଦିଆଯାଏ, ଯେଉଁଠାରେ ଭାଷା-ସାହିତ୍ୟ, ଧର୍ମ ଓ ସଂସ୍କୃତିକୁ ହତ୍ୟା କରାଯାଏ, ସେ ଦେଶର ଭବିଷ୍ୟତ କ୍ରମେ ଅନ୍ଧାର ଭିତରକୁ ଠେଲି ହୋଇଯାଏ । କିନ୍ତୁ ଯେଉଁଠି ପ୍ରତିଭାକୁ ସମ୍ମାନ କରାଯାଏ, ଉତ୍ସାହିତ କରାଯାଏ, ସେ ଦେଶ ବିକାଶ ପଥରେ ଆଗେଇ ଯାଏ । ପ୍ରତିଭାର ସମ୍ମାନ ହିଁ ଆଜି ବିକଶିତ ରାଷ୍ଟ୍ରର ପ୍ରତୀକ ହୋଇଛି!
ତଥାପି ସେ ନିଜକୁ ନିୟନ୍ତ୍ରଣରେ ରଖିଥିଲା । ସେ ଜାଣିଥିଲା ଯେ, ବାସ୍ତବତା ଓ ସତ୍ୟର ଜୟ ବିଳମ୍ବ ହେଲେ ହେଁ ସୁନିଶ୍ଚିତ । ସମୟକୁ ଅପେକ୍ଷା କରିବା ତାର କର୍ତ୍ତବ୍ୟ ବୋଲି ସେ ଅନୁଭବ କଲା । ସମୟ ବଡ଼ ବଳବାନ୍ – ସମୟ ହିଁ ଇଶ୍ୱର ।

       
କୋରିଆପଲ୍ଲା, ଓଉପଦା, ପଟ୍ଟାମୁଣ୍ଡାଇ,
କେନ୍ଦ୍ରାପଡ଼ା,ମୋ-୯୩୩୭୩୬୯୪୪

Related Posts

Leave a Reply

Your email address will not be published. Required fields are marked *