ସୁପ୍ରିୟା ପ୍ରଶାନ୍ତ

ଭାଗ –

ରାଗ ଶ୍ରୀ

ଶ୍ରୀ ଆସିଲେ ରୂପହୀନ ସମୟ ରୂପ ନିଏ, ଗନ୍ଧହୀନ ସମୟରେ ଭରିଯାଏ ଅସୁମାରୀ ଫୁଲର ମହକ। କିନ୍ତୁ ସେ ତ ଆଉ ଆସେନି। ଶ୍ରୀ ଆସିବା ନ ଆସିବା ଭିତରେ ସମୟ ବା କାହିଁକି ଅଟକି ରହିବ? ମୁଁ ଶ୍ରୀକୁ ସବୁଦିନ ପାଇଁ ମୋର କରି ରଖିପାରିଥାନ୍ତି। ଅଥଚ ମୁଁ ସେତେବେଳେ ନିର୍ଦ୍ଦିଷ୍ଟ ରୂପେ କିଛି ବି ଚିନ୍ତା କରିପାରିଲିନି। ଆଉ ଏବେ? ଏବେ ମୁଁ ସେଇ ଶ୍ରୀକୁ ଖୋଜେ, ମୁଁ ତାକୁ ଝୁରି ହୁଏ ଯିଏ ବିନା ପ୍ରଶ୍ନରେ ମୋର, କେବଳ ମୋର ହେଇ ଯାଇଥିଲା। ମୁଁ ସେଇ ଶ୍ରୀକୁ ଭୟ କରେ ଯିଏ ଖାଲି ଗୁଡେଇ ତୁଡେଇ ପ୍ରଶ୍ନ କରେ, କଥା କଥାରେ ଚୂନ ମାରେ। ମୁଁ ତା ସ୍ମୃତିକୁ ଆଡେଇ ଚାଲି ଯିବାକୁ ଚାହେଁ। ବାହାରକୁ ଦେଖିଲେ ତ ମୁଁ ଶ୍ରୀକୁ ପୁରାପୁରି ଭୁଲିଯାଇଛି!

ଶ୍ରୀ ଓ ମୁଁ ଅଲଗା ହେବା ସମୟରେ—ଯେତେବେଳେ ତା ବାହାଘର ଠିକ୍ ହେଇସାରିଥିଲା—ସେ ତଥାପି ମୋ ଆଶା ଛାଡି ନଥିଲା। ମୁଁ ତାକୁ ମୋର ପ୍ରତିଶ୍ରୁତି ଦେବା ବଦଳରେ ବରଂ ନିଜକୁ ବୁଝାଇ ଦେଇଥିଲି—ଶ୍ରୀ ଯେତେବେଳେ ସଂସାର କରିବ ସେ ନୂଆ ଯେତେ ବନ୍ଧନ ଭିତରେ ମୋତେ ଭୁଲିଯିବ। ମୁଁ ତା ମନର କୋଉ ଅପନ୍ତରା କୋଣକୁ ସ୍ୱତଃ ଠେଲି ହେଇଯିବି, ସେ ମୋତେ ଆଉ ଖୋଜିବନି, ନୂଆ ନୂଆ ସଂପର୍କର ଆକର୍ଷଣରେ ହଜିଯିବ। ମୋତେ ହୁଏତ ବେଳେ ବେଳେ ସମବେଦନା ଦେଖାଇବ, କଦବା କ୍ୱଚିତ୍ ସରାଗ ଦେଖେଇ କହିବ ନିଜର ଯତ୍ନ ନେବ, ଭୋକରେ ରହିବନି, କିଛି ନ ମିଳିଲେ ବିସ୍କୁଟ ଖାଇବ! ମୁଁ କଣ ତା ମନରେ ବେଦନାର ଗଭୀର ଝରଟିଏ ହେଇ ଚିରକାଳ ରହିଯିବି ବୋଲି କେବେ ଭାବିଥିଲି?

ୟା ଭିତରେ ଛଅ ବର୍ଷ ବିତିଗଲାଣି। ସେଥିପାଇଁ ବୋଧେ ପୁଣି ସବୁ ନୂଆ ଭଳି ମନେ ହେଉଛି। ଯେମିତି ହେମନ୍ତର ଗୋଟେ ଲମ୍ବା ରାତିରେ ପ୍ରେମର ଅନ୍ତହୀନ ଆଳାପ। ଶ୍ରୀକୁ ପୁଣି ଥରେ ଭେଟିବାର ଅବକାଶଟିଏ ଆସି ପହଞ୍ଚିଛି, ମୁଁ ଏକବାରେ ଅସ୍ଥିର ଅନୁଭବ କରୁଛି। ଅନୁରାଗର ପହିଲି ପୁଲକର ସ୍ମୃତି ମନକୁ ଏକବାରେ ଜଡେଇ ଧରିଛି। ରାସ୍ତାକଡର ଅଜଣା ପେନ୍ଥା ପେନ୍ଥା ହଲଦୀ ଫୁଲ, ଆକାଶ ଭର୍ତ୍ତି କଳା ବାଦଲ, ଆଉ ମୁଁ ଏକମୁହାଁ ଶ୍ରୀକୁ ଭେଟିବାକୁ ଯେମିତି ଉତ୍ତରା ପବନରେ ଭସା ବାଦଲଟେ କେଉଁ ହସକୁରୀ ସୋରିଷ କିଆରୀରେ ଘଡିଏ ବରଷି ଯିବାକୁ ବ୍ୟାକୁଳ…ସେଭଳି ଉନ୍ମାଦନା କେବେ ତ ଅନୁଭବ କରି ନ ଥିଲି। ତା ସହ ଯେତେ ଏଣୁ ତେଣୁ କଥା ହେଉଥିଲି ଯେମିତି ସେ ସବୁର କେବେ ଶେଷ ନଥିଲା। ତାକୁ କିଛି କହିବାକୁ ମୋ ମନରେ ଆଦୌ ସଂକୋଚ ନଥିଲା। ତା ପାଖରେ ନିଜ ମନକୁ ଖୋଲି ଦେବା କେତେ ସହଜ ଥିଲା ସତେ। ମୋର ତ ସାଙ୍ଗସାଥି ଅନେକ, ସେମାନଙ୍କ ଭିତରୁ କେତେଜଣ ଅତି ଘନିଷ୍ଠ, କିନ୍ତୁ ଶ୍ରୀ ପାଖରେ ମୁଁ ଯେତେ ସହଜ ହେଇ ପାରୁଥିଲି ଆଉ କାହା ପାଖେ ସେମିତି ହେବା ସମ୍ଭବ ହେଇନି। ସେ ଏତେ ସାବଲୀଳ ଓ ନିରିମାଖି ଥିଲା ଯେ ତା ପାଖରେ କୌଣସି ଔପଚାରିକତାର ଆବଶ୍ୟକ ନଥିଲା। ଆମେ ଆମ ମନରେ ଉଠୁଥିବା ସବୁ ଅଧାଗଢା ଖିଆଲକୁ ବି ପରସ୍ପରକୁ ନକହି ରହି ପାରୁନଥିଲୁ। କେବେ କାଠଯୋଡି ନଈ କୂଳରେ ତ କେବେ ବାରବାଟୀର କେଉଁ ଗଛ ତଳେ ବସି ଆମେ ଯେତେବେଳେ ଗପୁଥିଲୁ ପୁରା ଦିପହର ନିମିଷକେ ଚାଲିଯିବା ଭଳି ମନେ ହେଉଥିଲା।

“ତୁମ ବୋଉ ତ ଚାହୁଁ ନଥିଲେ ତୁମେ ଗାୟକ ହୁଅ। ତା ହେଲେ ପୁଣି କେମିତି ଗାୟକ ହେଲ?” ଶ୍ରୀ ପଚାରିଲା।

“ମୋତେ ସେତେବେଳେ ଛଅ ବର୍ଷ। ଦାର୍ଜିଲିଙ୍ଗରେ ଥିବା ଗୋଟେ ଆବାସିକ ବିଦ୍ୟାଳୟରେ ମୋ ନାମ ଲେଖାଗଲା। ସେତେବେଳେ ମୋ ଭଉଣୀ କୁସୁମକୁ ବର୍ଷେ ହେଇଥିବ। ମୋର ମନେ ଅଛି ନନା ବୋଉ କୁସୁମକୁ ଧରି ଆମେ ଗୋଟେ କାରରେ କଟକରୁ ଦାର୍ଜିଲିଙ୍ଗ ଯାଇଥିଲୁ। ମୁଁ ଭାରି ଖୁସି ଥିଲି। ମୁଁ ବୁଝି ପାରୁନଥିଲି ମୋତେ  ନନାବୋଉଙ୍କୁ ଛାଡି, ମୋ କୁନି ଭଉଣୀକୁ ଛାଡି ରହିବାକୁ ପଡିବ। ମୋତେ କୁହାଯାଇଥିଲା ତୁ ଗୋଟେ ନୂଆ ବିଦ୍ୟାଳୟରେ ପଢିବୁ। ତୋତେ ସେଠି ବହୁତ ସାଙ୍ଗ ମିଳିବେ। ତୁ ଯାହା ଚାହିଁବୁ ଖେଳି ପାରିବୁ। ଘରେ ନନା ଯେତେବେଳେ ତାବଲା ଅଭ୍ୟାସ କରୁଥିଲେ, ମୁଁ ଯାଇ ତାଙ୍କ ପାଖରେ ବସୁଥିଲି। କେବେ କେବେ ହାତ ବାଡଉଥିଲି। ତାଙ୍କ ସାଙ୍ଗମାନେ କହୁଥିଲେ—କଲ୍ୟାଣକୁ ବି ତବଲା ଶିଖାଇବା ଆରମ୍ଭ କର। କେଜାଣି ବୋଉକୁ କାହିଁକି ଏକଥା ଭଲ ଲାଗୁ ନଥିଲା। ବୋଉ କହୁଥିଲା—ନା, ମୋ ପୁଅ କଳାକାର ହେବନି। ଯୋଉ କଷ୍ଟ ମୁଁ ଜଣେ କଳାକାରକୁ ବାହା ହେଇ ଭୋଗୁଛି…. ନାଁ ଥାଉ, ବହୁତ ହେଲା କଳା ସାଧନା। ମୁଁ ସେସବୁ କିଛି ବୁଝି ପାରୁନଥିଲି।”

“ବୋଉ ଏମିତି କାହିଁକି ଭାବୁଥିଲେ ଯେ?” ଶ୍ରୀ ମଗ୍ନ ହେଇ ଶୁଣୁ ଶୁଣୁ ପଚାରିଲା।

“ମୁଁ ତ ସେତେବେଳେ ଛୋଟ ଥିଲି। ନନାଙ୍କୁ ବୟସ କମ୍; ତବଲାବାଦକ ଭାବେ ସେତେ ପ୍ରସିଦ୍ଧ ହେଇ ନଥିଲେ। ଜଣେ କଳାକାରର ଜୀବନ ଓ ଜୀବିକା କଥା ତୁମକୁ କୋଉ ଅଛପା? ପ୍ରଥମ ପର୍ଯ୍ୟାୟର କଷ୍ଟ ଆଉ ଅନିର୍ଦ୍ଦିଷ୍ଟତା ଯିଏ ଅଙ୍ଗେ ନିଭେଇଛି ସେ ଜାଣିଛି। ମୋ ମାଉସୀମାନଙ୍କ ଚଳଣି ବେଶ୍ ଭଲ ଥିଲା। ବଡ ମଉସା ଦୁଇଜଣ ସରକାରୀ ଚାକିରିଆ, ମାସ ଶେଷରେ ଦରମା। ବୋଉର ବୋଧେ ସେଥିପାଇଁ ଟିକେ ମନ ଊଣା ରହୁଥିଲା। ମୁଁ ସ୍ନାତକ ପଢିଲାବେଳକୁ ଯାଇ ନନା କଟକରେ ଘର ତିଆରି କଲେ। ସେତେବେଳକୁ ନନାଙ୍କୁ ପଚାଶ ବର୍ଷ ହେବ। ବୋଉର ସବୁବେଳେ ଚିନ୍ତା ଥିଲା, ପିଲାମାନେ ବଡ ହେଉଛନ୍ତି। ନିଜ ଘର ନାହିଁ, କୋଉଠି ଝିଅକୁ ଭଲ ପ୍ରସ୍ତାବ ମିଳିବନି। ବୋଉର ସଦାବେଳେ ଯାବତୀୟ ଚିନ୍ତା। ତାର ସ୍ୱଭାବ ହିଁ ସେମିତି ଥିଲା। ତାର ଭୟ ଥିଲା ମୁଁ ସେଇ ପରିଚିତ ସଂଗୀତ ପରିବେଶରେ ବଢିଲେ ଆଉ ପାଠଶାଠ ପଢିବିନି, ସଂଗୀତ ନିଶା ମୋତେ ଧରିବ।”

“କିନ୍ତୁ ସେଇ ନିଶା ତ ଶେଷକୁ ଧରିଲା। ତୁମେ ଯଦି ଗୀତ ଗାଇ ନଥାନ୍ତ….ହେ ଭଗବାନ୍ କଣ ହେଇଥାନ୍ତା!” ଶ୍ରୀ  ଆଶ୍ୱସ୍ତିର ଲମ୍ବା ନିଶ୍ୱାସଟେ ମାରି କହିଲା।

“କଣ ହେଇଥାନ୍ତା? ତୁମ ସହ ହୁଏତ ପରିଚୟ ହେଇ ନଥାନ୍ତା। ତୁମେ ଯଦି ମୋ ଜୀବନରେ ଆସି ନଥାନ୍ତ, ତାହେଲେ ମୋର କଣ ହେଇଥାନ୍ତା?” ମୁଁ ଶ୍ରୀକୁ ଚାହିଁ ଅସୁରକ୍ଷିତ ଭାବେ କହିଲି।

“ମୁଁ ନ ଆସିଥିଲେ ଆଉ କିଏ ଆସିଥାନ୍ତା।” ଶ୍ରୀ ଦୁଷ୍ଟ ହସି ଆଖି ନଚେଇ କହିଲା।

“ସେ କଣ ତୁମ ଭଳି ହେଇଥାନ୍ତା?”

“ମୋ ଭଳି ହେଇକି କଣ ଅଧିକ ହେଉଛି ଯେ? ଛାଡ ସେ କଥା। ତୁମେ କୁହ ତ ତୁମେ ଆବାସିକ ବିଦ୍ୟାଳୟରେ ପହଞ୍ଚିଲା ପରେ କଣ ହେଲା। ଆଉ ତୁମେ ଗୀତ ଗାଇବା କେମିତି ଆରମ୍ଭ କଲ?” ଶ୍ରୀ ମୋ ଜୀବନ କାହାଣୀର ଆଦ୍ୟପ୍ରାନ୍ତ ଶୁଣିବାକୁ ଅଡି ବସିଲା।

“ସେଠି ଯାଇ ପ୍ରଥମେ ତ ମୋତେ ବୋଉକୁ ଛାଡି ରହିବାକୁ ପଡିଥିଲା। ମୋର ଆଉ ଭଲରେ ମନେ ନାହିଁ। ସେଠି ଘରଠୁଁ ଦୂରରେ କିନ୍ତୁ ବହୁତ ସାଙ୍ଗ ମିଳିଗଲେ। ଖେଳକୁଦରେ ସମୟ ବିତିଗଲା। ମୋର ମନେ ଅଛି ତୃତୀୟ ଶ୍ରେଣୀରେ  ଗୋଟେ ଆନ୍ତଃବିଦ୍ୟାଳୟ ଗୀତ ପ୍ରତିଯୋଗିତା ପାଇଁ ସବୁ ଶ୍ରେଣୀରୁ ପିଲା ବଛା ହେଉଥିଲା। ଆମ ସଂଗୀତ ଶିକ୍ଷକ ଶୁଭେନ୍ଦୁ ବସୁ ଆମ ଶ୍ରେଣୀରୁ ମୋତେ ବାଛିଥିଲେ। ସ୍ୱାଧୀନତା ଦିବସ ଅବସରରେ  ମୋତେ “ସାରେ ଜାହାଁ ସେ ଆଚ୍ଛା” ଗାଇବାକୁ ପଡିଥିଲା। ଆଉ ମୁଁ ଭଲ ଗାଇଥିବାରୁ ପୁରସ୍କାର ମିଳିଥିଲା।”

“ତୁମେ ପୁରସ୍କାର ପାଇଲାରୁ ବୋଉ କଣ କହିଲେ।”

“ସେତେବେଳେ ମୁଁ ଦୂରରେ ରହିଥିବାରୁ ଖରାଛୁଟିରେ ଆଉ ବଡଦିନ ଛୁଟିରେ ଘରକୁ ଯାଉଥିଲି। ବୋଉ ସେତେବେଳେ ମୋତେ ତା ଆଖି ସାମ୍ନାରୁ ଦଣ୍ଡେ ଅଲଗା କରୁ ନଥିଲା। କୁସୁମ ସହ ଖେଳିବା, ଦିଜଣ ମାଉସୀଙ୍କ ଘରକୁ ବୁଲିଯିବା, ଅଜାଆଈଙ୍କ ଘରକୁ ଯିବା ଏମିତିରେ ସମୟ କଟୁଥିଲା। ମୁଁ ସଂଗୀତକୁ ପେଷା ରୂପେ ନିଏ ବୋଉ ସେ କଥା ଚାହୁଁ ନଥିଲା, କିନ୍ତୁ ଗୀତ ଗାଇଲେ ସେ ଖୁସି ହେଉଥିଲା। ସେ ଆଶା କରୁଥିଲା ମୁଁ ଭିନ୍ନ ପରିବେଶରେ ବଢିଲେ ଆଉ ସଂଗୀତମନସ୍କ ହେବିନି।”

“ହଁ, ସମସ୍ତେ ସେମିତି ହିଁ ଭାବନ୍ତି। ମୋତେ ବି ମୋ ସାନନାନୀ ସଦାବେଳେ ବିରକ୍ତ କରେ। ତୁ କଣ କରିବୁ? କଣ ଖାଲି ନାଚିବୁ? ପ୍ରତିଯୋଗୀତାମୂଳକ ପରୀକ୍ଷା ଫରୀକ୍ଷା ପାଇଁ ପ୍ରସ୍ତୁତ ହଉନୁ କାହିଁକି ଇତ୍ୟାଦି ଇତ୍ୟାଦି।” ଶ୍ରୀ ତା ସାନନାନୀ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଲା।

“ତୁମେ କଣ କରିବ? କଣ ଭାବିଛ?”

“ମୁଁ…?” ଶ୍ରୀ ଭାବି ଭାବି କହିଲା, “ସେକଥା ଭାବିନି ତ! ସେଇ ସାନନାନୀର ଏ ପ୍ରକାର ଚିନ୍ତାଧାରା। ନ ହେଲେ ବାପା କି ମାଆ ମୋତେ କିଛି କୁହନ୍ତିନି। ବଡନାନୀ ତ ମୋତେ ଏବେ ବି ମତେ ଏତେ ଗେହ୍ଲା କରେ ଯେମିତି ମୁଁ କୁନି ପିଲାଟିଏ। ମୋ ବଡ ନାନୀ କେତେ ଭଲ ନାଚୁଥିଲା। ସେ  କିନ୍ତୁ ବାହାଘର ପରେ ନାଚ ଛାଡିଦେଲା।” ଶ୍ରୀ ମନ ଊଣା କରି କହିଲା।

“ତୁମ ସାନନାନୀଙ୍କୁ ନାଚଗୀତ ଭଲ ଲାଗେନି କି?”

“ଆରେ ହଁ, ଭଲ ଲାଗେ। ସେ ଗୀତ ଗାଏ।” ଶ୍ରୀ ମୋତେ ଚାହିଁ ଆଖି ବଡ ବଡ କରି ହାତ ହଲେଇ କହିଲା, “ସେ ଯାହା ଗାଇଲେ ବି ମନେ ହୁଏ ଯେମିତି ବୈଷ୍ଣବ ପାଣିଙ୍କ ଗୀତିନାଟ୍ୟର ରଣବାଦ୍ୟ ବାଜୁଛି। ସବୁବେଳେ ସଂଗୀତ ପ୍ରତିଯୋଗିତାରେ କେମିତି ପ୍ରଥମ ହେବ ସେଇ ଚିନ୍ତା ତାର। ମୋ ଉପରେ ସବୁବେଳେ ହାକିମ। ମୁଁ ଯେ ବଡନାନୀ ପାଖରେ ରହୁଛି, ତାର ଭାରୀ ବାଦ। ବଡନାନୀ ମୋତେ ବେଶୀ ଭଲପାଏ ତ, ସେଥିପାଇଁ।”

ମୁଁ  ହସିଲି।

“ମୁଁ ସତ କହୁଛି। ତୁମେ ବିଶ୍ୱାସ କରୁନ? ସେ ନିଜେ ପରା ସେ କଥା କହେ। ନହେଲେ ମୁଁ କେମିତି ଜାଣିଥାନ୍ତି? ମୋ ଉପରେ ହାକିମାତିର ସୀମା ନାହିଁ। ମୋ ଦ୍ୱାରା କିଛି ହେବନି, ମୁଁ ହୁଣ୍ଡିଟେ, ମୋତେ ଠିକ୍ ରେ ଚାଲି ଆସେନି, ମୁଁ କାହାକୁ କଣ କହିବି ତା ଜାଣିନି—ସବୁବେଳେ ତାର ଥଟ୍ଟା। ମୋର ଇଛା ନଥିବ, ମୋତେ କହିବ ଏ ନାଚ ପ୍ରତିଯୋଗିତାକୁ ଯାଆ, ସେଠିକି କାହିଁକି ଯାଉନୁ। ଆଉ ନାଚରେ ପୁରସ୍କାର ମିଳିଲେ କହିବ ହଁ କେହି ଭଲପିଲା ତ ଭାଗ ନେଇ ନଥିଲେ। କିଟିମିଟିଆ ପ୍ରକୃତି ତାର। ମୋତେ ଭଲ ଲାଗେନି।” ଶ୍ରୀ କହିଲା।

“ସମସ୍ତେ କଣ ଆଉ ତୁମ ଭଳି ହେଇଥାନ୍ତେ?”

“ତୁମେ ମୋ ବଡନାନୀକୁ ଜାଣିନ। ସେ କେତେ ଭଲ, କେତେ ସୁନ୍ଦର ତୁମେ ଭାବିପାରିବନି।”

“ତୁମଠୁଁ ବି ବେଶୀ?” ମୁଁ ମୁଚୁକି ହସି ପଚାରିଲି।

“ହଁ, ବେଶୀ ବେଶୀ ବେଶୀ…ଛାଡ ସେ କଥା। ତାପରେ କଣ ହେଲା। ତୁମେ ରୀତିମତ କେବେଠୁଁ ସଂଗୀତ ଶିଖିଲ କୁହନା?” ଶ୍ରୀ ନିଜ ପ୍ରଶଂସା ଶୁଣିବାଠୁଁ ମୋ ବିଷୟରେ ଶୁଣିବାକୁ ବେଶୀ ଆଗ୍ରହୀ ଥିଲା।

“ଘରକୁ ଫେରିବନି କି? ଚାରିଟା ବାଜିଲାଣିଯେ,” ମୁଁ ହସିକି କହିଲି।

ଶ୍ରୀ ମୁହଁ ଶୁଖେଇ ଉଠି ଠିଆହେଲା। ମୁଁ ତାକୁ ବାଦାମବାଡିରେ ପୁରୀ ବସ୍ ରେ ବସେଇ ଦେଲି।

ବସ୍ ନ ଛାଡିବା ଯାଏ ମୁଁ ବାହାରେ ତା ଝରକା ପାଖେ ଠିଆ ହେଇଥାଏ। ଶ୍ରୀ ଝରକାରେ ମୁଣ୍ଡ ଗଳେଇ କେବେ ମୋ ଆଡେ, କେବେ ଅଚିହ୍ନା ଲୋକଙ୍କୁ ଚାହୁଁଥିବ। ବାଦାମବାଡିରୁ ଦୂରଦୂରାନ୍ତଙ୍କୁ ଯିବାକୁ ଥିବା ବସ୍ ର ପେଁ ପାଁ ହର୍ଣ୍ଣ, ଭଜା ଚିନାବାଦାମ ବିକାଳୀଙ୍କ ଭିଡ, ଲୋକଗହଳି, ଘୋଘୋ ଶବ୍ଦ ଟିକେ ବି କ୍ଲାନ୍ତିକର ମନେ ହେଉ ନଥିବ, ବସ୍ ଭିତରେ ଜଣେ ପରେ ଜଣେ ଯାତ୍ରୀ ପଶୁଥିବେ, ଆଉ ମୁଁ ଶ୍ରୀ କେମିତି ନିରାପଦରେ ସଞ୍ଜ ଆଗରୁ ପୁରୀରେ ପହଞ୍ଚିବ ଭାବୁଥିବି, କିନ୍ତୁ ବସ୍ ଛାଡିବା ଡେରି ହେବାରେ ଆଦୌ ବ୍ୟସ୍ତ ହେଉ ନଥିବି। ସେତେବେଳେ ମନେ ହେଉଥିବ ଯେମିତି ଆମେ ସମସ୍ତେ ଗୋଟେ ରୋମାଞ୍ଚକର ଯାତ୍ରାର ଯାତ୍ରୀ, ସଂଗୀତମୟ ଆମର ଏଇ ସଂସାର, ଆମେ ସମସ୍ତେ ଗୋଟିଏ ସ୍ବରରେ ବନ୍ଧା।

(କ୍ରମଶଃ)

ପ୍ରତିମାସ ପ୍ରଥମ ଓ ତୃତୀୟ ଶୁକ୍ରବାରରେ ପଢନ୍ତୁ ବିଶିଷ୍ଟ ଲେଖିକା ତଥା ଅନୁବାଦିକା ସୁପ୍ରିୟା ପ୍ରଶାନ୍ତଙ୍କ ଏହି ନୂତନ ଉପନ୍ୟାସ କେବଳ www.odishasahitya.com ରେ

Related Posts

3 thoughts on “ଅସମାପ୍ତ

Leave a Reply

Your email address will not be published. Required fields are marked *