ଶିବାଶିଷ ପାଢ଼ୀ
କଣ୍ଡକ୍ଟରର ପଛ ସିଟର ଝରକା ସାଇଡ ସିଟଟା । ପ୍ରାୟ ଛଅ ମାସ ପରେ ପୁଣିଥରେ ସେହି ସିଟରେ ବସିଥିଲି ମୁଁ । ଦୁଇ ବର୍ଷ ଧରି ଏଇ ସିଟଟି ମୋର ପରମାନେଣ୍ଟ ଥିଲା । ପ୍ରତି ରବିବାର ଓ ସରକାରୀ ଛୁଟି ଦିନଗୁଡ଼ିକ ବ୍ୟତୀତ ବର୍ଷ ସାରା ମୋର ସକାଳ ନଅ ପନ୍ଦରରୁ ଦଶଟା ପାଞ୍ଚ ଯାଏଁ ଏଇ ସିଟରେ ହିଁ କଟୁଥିଲା । ଘର ପାଖରୁ ହିଁ ଛାଡୁଥିଲା ବସ । ପ୍ରଥମରୁ ହିଁ ମୋ ପାଇଁ ସିଟରେ ଗାମୁଛା ପକାଇ ଦେଉଥିଲା କଣ୍ଡକ୍ଟର ନରି ।
ବସ ଚାଲିଥିଲା । ରାସ୍ତାର ଉଭୟ ପଟେ ଥିବା ବୀସ୍ତିର୍ଣ୍ଣ ଧାନକ୍ଷେତରୁ ଅଧା ପାଚିଲା ଧାନକେଣ୍ଡାର ବାସ୍ନାକୁ ବୋହି ଆଣୁଥିଲା ମନ୍ଦମନ୍ଦ ପବନ, ଦେଉଥିଲା ଏକ ଅପୂର୍ବ ଶାନ୍ତି । କିନ୍ତୁ ସେ ଶାନ୍ତିକୁ ଭଙ୍ଗ କରି ଦେଉଥିଲେ ମୋର ସହଯାତ୍ରୀ ଜଣକ । ଗୋଟିଏ ସବଜାନତା ଟାଇପ ମଧ୍ୟ୍ୟବୟସ୍କ ଲୋକଟିଏ ଥିଲେ ସେ । ବୋଧେ କୌଣସି ଅଫିସରେ କାମ କରୁଥିଲେ ।
ତାଙ୍କର ଗୋଟିଏ ଦୁଇଟି କଥାକୁ ସମର୍ଥନ କରି ଉତ୍ତର ଦେଇଦେବାଟା ମୋ ପାଇଁ ଯେମିତି ବିପଦ ପାଲଟି ଯାଇଥିଲା । ମୋଦି, ଯୋଗୀଠୁ ନେଇ ନବୀନ ବାବୁ ପର୍ଯ୍ୟନ୍ତ ସମସ୍ତଙ୍କ ଦୋଷ ତ୍ରୁଟି ବଖାଣି ବଖାଣି ମୋ ସହ ଆଖପାଖ ସିଟର ଲୋକଙ୍କୁ ବି ନୟାନ୍ତ କରି ଦେଉଥିଲେ ସେ ।
ଆଜି ଅପେକ୍ଷାକୃତ ଭିଡ଼ ଥିଲା ବସ । ସବୁ ସିଟରେ ଲୋକ ଭର୍ତ୍ତି ଥିଲେ । ତା’ ସହ ଅନେକ ଲୋକ ଠିଆ ଠିଆ ବି ଯାତ୍ରା କରୁଥିଲେ ! ସିଟରେ ସବୁ ଦୂର ଯାତ୍ରୀ ଥିଲେ । ଏଣୁ ଯିଏ ବଡ଼ ନୋଟ ଦେଲା ତାଙ୍କ ପଇସା ପରେ ଫେରାଇବାକୁ କହି ଠିଆ ହୋଇଥିବା ଲୋକାଲ ପାସସେଞ୍ଜର ସବୁଙ୍କୁ “ଆଜ୍ଞା ଟିକେ ପଛକୁ”, “ଟିକେ ମାଡାମ ଆଗକୁ” କହି ନିଜ କାମରେ ବ୍ୟସ୍ତ ଥିଲା ନରି ।
ଏପଟେ ଭଦ୍ର ବ୍ୟକ୍ତି ଆମ ମୁଣ୍ଡ ଖାଉଥିଲେ । ମଝିରେ ମଝିରେ ସେ ଖାଉଥିବା ‘କମଳା ପସନ୍ଦ’ (ଗୁଟୁଖା)ରେ ତାଙ୍କ ଛେପ ମିଶି ତିଆରି କରିଥିବା ନାଲି ରଙ୍ଗର କିଛି ଛିଟା ମୋ ସାର୍ଟରେ ବି ପଡିଥିଲା । “ଅଭଦ୍ର ଲୋକଟି” ମନେମନେ କହୁଥିଲି ମୁଁ । ସେ କିନ୍ତୁ ପ୍ରକୃତରେ ଅଭଦ୍ର ଥିଲେ ଏକଥା ଟିକେଟ କାଟି ସାରି ନରିର ଫେରିବାବେଳକୁ ପ୍ରମାଣିତ ମଧ୍ୟ୍ୟ କରିଦେଲେ ।
ଭଡ଼ା ବାବଦକୁ ଚାଳିଶ ଟଙ୍କା କାଟି ଷାଠିଏ ଟଙ୍କା ଫେରାଉ ଥିଲା ନରି, କିନ୍ତୁ ଭଦ୍ର ବ୍ୟକ୍ତି ଦାବି କଲେ ଆହୁରି ଶହେ ଟଙ୍କା ! କହିଲେ –
“ମୁଁ ବା ଦୁଇ ଶହ ଟଙ୍କିଆ ନୋଟଟେ ଦେଇଥିଲି । ଏ କ’ଣ ଷାଠିଏ । ଆଉ ଶହେ କୁଆଡେ ଗଲା ?”
“ନାଇଁ ଆଜ୍ଞା ! ଆପଣ ଶହେ ଦେଇଥିଲେ । ମନେ ପକାନ୍ତୁ” କହିଥିଲା ନରି । ହେଲେ ରାଗି ଯାଇ ବଡ଼ ପାଟିରେ ଅଶ୍ରବ୍ୟ ଭାଷାରେ ପାଟିତୁଣ୍ଡ ଆରମ୍ଭ କରିଦେଲେ ସେ । ପ୍ରଥମେ ତ ଡରୁ ନଥିଲା ନରି ହେଲେ ଭଦ୍ରବ୍ୟକ୍ତିଙ୍କ ରୌଦ୍ର ରୂପ ଦେଖି ବିକଳ ହେଉଥିଲା ପରେ । ଶେଷକୁ କଥାଟା ମୋ ଆଡକୁ ଆସିଲା । ନରି କହିଲା –
“ଆଜ୍ଞା ! ଆପଣ ତ ପାଖରେ ବସିଥିଲେ । ଆପଣ ନିଶ୍ଚୟ ଦେଖିଥିବେ । ଆପଣ କୁହନ୍ତୁ ତ !”
ମୁଁ ପ୍ରକୃତରେ ଦେଖି ନଥିଲି । କିନ୍ତୁ ନରିକୁ ଏତେ ବର୍ଷ ଧରି ଜାଣୁଥିଲି । ଅତ୍ୟନ୍ତ ସଚ୍ଚୋଟ ପିଲା ଥିଲା ସେ । ଏଣୁ କହିଲି –
“ହଁ, ମୁଁ ଦେଖିଛି । ଆପଣ ଶହେ ଟଙ୍କା ଦେଇଛନ୍ତି । ଭୁଲି ଯାଇଛନ୍ତି ଆପଣ ।“ ମୋ କହିବା ପରେ ମାମଲାର ଅପାତତଃ ସମାଧାନ ହୋଇ ଯାଇଥିଲା । କୃତଜ୍ଞ ଥିଲା ନରି ତ ଅସନ୍ତୁଷ୍ଟ ଥିଲେ ଭଦ୍ରବ୍ୟକ୍ତି ଜଣକ ! କହିଲେ –
“ଆପଣ ଦେଖିଛନ୍ତି ମାନେ ହୋଇଥିବ । ମୋତେ କିନ୍ତୁ ଲାଗୁଥିଲା ସେମିତି । ମୋର ଏଇ ସବୁ ଛୋଟ ଛୋଟ କଥା ମନେ ରହେ ନାହିଁ !”
କିନ୍ତୁ ବନ୍ଦ ହୋଇ ଯାଇଥିଲା ତାଙ୍କ ବକରବକର । ଚୁପ ହୋଇ ଯାଇଥିଲେ ସେ । ମୋ ଷ୍ଟପେଜ ଆସି ଯାଇଥିଲା । ମୁଁ ଓହ୍ଲେଇ ଆସିଲି । ମୋ ସହ ଓହ୍ଲେଇ ଥିଲା ଆଉ ଜଣେ ଯୁବକ । ମୋ ପାଖକୁ ଆସି କହିଲା –
“ଆଜି ଆପଣ ପୁରା ଠିକ କଲେ ଦାଦା । ମଜା ଆସିଗଲା !”
“କ’ଣଟା ଭାଇ ?” ପଚାରି ଥିଲି ମୁଁ ।
“ଦାଦା ଆପଣ ଜାଣି ନାହାନ୍ତି । ସେ ଲୋକଟା ପକ୍କା ବଦମାସ । ଆମରି ଘର ପାଖ ଲୋକ । ଯେଉଁଠି ଭିଡ଼ ଦେଖିବ ଏମିତି କରିବ ସେ । ଚା’ ଦୋକାନ ହେଉ କି ବସ । ଆଜି କିନ୍ତୁ ପାଇଛି ପାନେ” ହସି ହସି କହିଥିଲା ସେ ।
“ତୁମେ ଜାଣି ଥିଲ ତ କହିଲ ନାହିଁ ସେଇଠି” ଆଗକୁ ପାଦ ବଢ଼େଇ କହିଥିଲି ମୁଁ ।
ଚିହ୍ନାଜଣା ଲୋକ ଆଜ୍ଞା ! କେମିତି କହିବି ?? କହି ଚାଲିଗଲା ସେ ଯୁବକ ।
ଏମିତି ବି ଗୋଟିଏ ବାଟରେ ଶହେ ଦୁଇ ଶହ କମେଇ ହୁଏ ଏ କଥା ଜାଣି ନ ଥିଲି ମୁଁ । ଆଶ୍ଚର୍ଯ୍ୟ ହେଉଥିଲି ଜଣେ ଚାକିରିଆ ଲୋକଙ୍କ ଏ ପ୍ରକାର ମନୋବୃତ୍ତି ଦେଖି । ଭାବୁଥିଲି, ଲୋକ କେତେ ତଳକୁ ଯାଇପାରେ ?? ଭାବୁ ଭାବୁ ପହଂଚି ଯାଇଥିଲି ଗୁରୁ ଚା’ ଦୋକାନରେ ।
ଛୋଟ ସହରର ଛୋଟକାଟିଆ ବଜାରର ଠିକ ମଝିରେ ଏକ ବିରାଟ ଅଶ୍ଵସ୍ତ ଗଛ । ମୁଖ୍ୟ ରାସ୍ତା କଡ଼କୁ । ସେଇଠି ଅଳ୍ପ ସମୟ ପାଇଁ ରହେ ବସ ସବୁ । ପ୍ରାୟତଃ ଦିନସାରା ଚଳଚଞ୍ଚଳ ଥାଏ ଗଛ ତଳଟି । ସେଇ ଗଛ ତଳେ ହିଁ ଥିଲା ସେ ଅଖ୍ୟାତ ଗୁରୁଦେବ ଚା’ ଦୋକାନ ଯେଉଁଠି ପ୍ରତିଦିନ ଆସିଲା ଗଲାବେଳେ ଚା’ ପିଉଥିଲି ମୁଁ ।
ମୋତେ ଦୂରରୁ ଦେଖି କୃତକୃତ୍ୟ ହୋଇ ଯାଉଥିଲା ଗୁରୁ ବୁଢ଼ା ।
“ବହୁତ ଦିନ ପରେ ଆସିଲୁ ଭାଇ, ବଦଳି ହେବା ପରେ ତ ଆମକୁ ଭୁଲିଗଲୁ ପୁରା” କହି ବଢ଼େଇ ଦେଲା ସଦ୍ୟ ପ୍ରସ୍ତୁତ, କଡ଼ା ଚା’ ପତିର ସୁଗନ୍ଧରେ ସୁଗନ୍ଧିତ ବାମ୍ଫ ବାହାରୁ ଥିବା ଗୋଟିଏ ହାଫ ଚା । ସୁଖଦୁଃଖ ହେଉ ହେଉ ଚା’ ପିଇ ଦେଲି ମୁଁ । ପଇସା ଦେବା ପାଇଁ ପକେଟ ଅଣ୍ଡାଳି ଦେଖିଲି ମୋ ପାଖରେ ରେଜା ପାଞ୍ଚ ଟଙ୍କା ନାହିଁ । ବଡ଼ ନୋଟକୁ ଛାଡ଼ି କେବଳ ଦଶ ଟଙ୍କିଆ ଗୋଟେ ଥିଲା ।
ଗୁରୁର ଛୋଟ କାଠ ଟଙ୍କା ବାକ୍ସଟି ଖୋଲା ଥିଲା । ସେଥିରେ ବି ପାଞ୍ଚ ଟଙ୍କିଆ ନ ଥିଲା । ଭାବିଲି, ଦଶ ଟଙ୍କା ଦେଇଦେଲେ ପୂର୍ବ ପରି କହିବ – “ଖୁଚୁରା ନାହିଁ ବାବୁ ! ପରେ ନେଇ ଯିବ ।” ତୁଚ୍ଛାଟାରେ କାହିଁକି ପାଞ୍ଚ ଟଙ୍କା ବେକାର ଯିବ ଭାବି କହିଲି –
“ଗୁରୁଦେବ ଚା’ ବଢିଆ ଲାଗିଲା, ଆଉ ହାଫ ଦିଅ ।”
“ହାଃ ହାଃ ହାଃ, ବାବୁ ବହୁତ ଦିନ ପରେ ମୋ ହାତରୁ ପିଉଛ ନା, ଭଲ ତ ନିଶ୍ଚୟ ଲାଗିବ” କହି ଆଉ କପେ ବଢ଼ାଇ ଦେଲା ସେ । ଚା’ ପିଇ ଦଶ ଟଙ୍କିଆ ନୋଟଟିଏ ବଢ଼ାଇ ଦେଇ ବୋଧେ ଏକ ବିରାଟ ଭୁଲ କରିଦେଲି ମୁଁ । ବହୁତ ଦୁଃଖିତ ହୋଇଗଲା ଗୁରୁଦେବ କହିଲା –
“ଏତେ ଦିନ ପରେ ମୋ ପାଖକୁ ଆସିଛ ବାବୁ । ମୁଁ ଟଙ୍କା ନେଲେ କ’ଣ ସୁନ୍ଦର ଦେଖା ଯିବ !”
ବହୁତ ବୁଝାଇବା ସତ୍ତ୍ୱେ ବି ବୁଝୁ ନଥିଲା ଗୁରୁଦେବ ! ଶେଷକୁ ଟଙ୍କାକୁ ପକେଟରେ ପୁରାଇ ମୁଁ ଅଫିସ ଆଡ଼କୁ ପାଦ ବଢାଉଥିଲି ମୁଁ । ମନେ ପଡୁଥିଲେ ବସର ସେ ଅ/ଭଦ୍ର ବ୍ୟକ୍ତି ! ଭାବୁଥିଲି ସେମିତି ଲୋକ ଲୋପ ପାଇ ଯାଆନ୍ତେ କି ! ଆଉ ଖାଲି ଗୁରୁ ପରି ଲୋକଙ୍କ ଉପସ୍ଥିତିରେ ସୁନ୍ଦର ହୋଇଯାଆନ୍ତା କି ଦୁନିଆଁ ।
ଅଫିସ ଆସିଯାଇଥିଲା । ମୋ ଏଲ.ପି.ସି. କାମ ପାଇଁ ନାଏକ ବାବୁଙ୍କୁ ଦେବା ପାଇଁ ଉପର ପକେଟରେ ରଖିଥିବା ପାଞ୍ଚ ଶହ ଟଙ୍କାକୁ ତନଖି ଦେଖି ଦେଖି ପାହାଚ ଉଠୁଥିଲି ମୁଁ !
ଶିବାଶିଷ ପାଢ଼ୀ, ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮
ଲେଖକ ପରିଚୟ
ପ୍ରାୟତଃ ତିନି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେବା ସହିତ ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁ କଳେବରରେ ଛୋଟ ନିଶ୍ଚେ କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ । ‘ଚିହ୍ନା ଚିତ୍ର ଅଚିହ୍ନା ଚରିତ୍ର’ ମାଧ୍ୟମରେ ଅନେକ କିଛି ଅନାଲୋଚିତ ଅବହେଳିତ ଚରିତ୍ରଙ୍କ ସହ ମୁହାଁମୁହିଁ ହେବାର ସୁଯୋଗ ଆଣିଦେବ ବୋଲି ଆଶା !!!
ସାଧାରଣ ଅଥଚ ଅସାଧାରଣ : ଉଭୟ ଚରିତ୍ର ଓ ଚିତ୍ରାୟନ !! ସମକାଳର ଜଣେ ପ୍ରତିଭାବାନ କଥାକାର ଶିବାଶୀଷ ଯେ ବେଶ୍ ଅନୁଶୀଳନାତ୍ମକ , ଅତ୍ୟନ୍ତ ସ୍ପଷ୍ଟ ଭାବେ ବୟାନ କରୁଚି ତାଙ୍କର ଏହି ସୁଲିଖିତ ତରଳ ଗଦ୍ୟ ରଚନା !!
ବିନମ୍ର କୃତଜ୍ଞତା ଜଣାଉଛି ଦାଦା
ଆପଣଙ୍କ ଆଶୀର୍ବାଦ ବହୁତ ଉତ୍ସାହିତ କରିଛି ନମସ୍କାର
ବହୁତ ସୁନ୍ଦର ଚରିତ୍ର ଚିତ୍ରଣ ଲାଗିଲା ଯେମିତି ସେ ବସରେ ମୁଁ ବି ଥିଲି