କିଛି ଖଳ ପ୍ରକୃତିର ଲୋକ

ସତ୍ୟନାରାୟଣ ଗନ୍ତାୟତ

ରକ୍ଷା ହୋଇଛି ଖଳ ପ୍ରକୃତିର ଲୋକ ଆଗରୁ “କିଛି” ଲେଖା ହୋଇଛି । ଏହା ଜଣାଉଛି ଯେ ସେମାନଙ୍କ ସଂଖ୍ୟା ଅଧିକ ନୁହଁଇ । ସଭିଏଁ ଖଳ ପ୍ରକୃତିର ହୋଇଥିଲେ ତ’ କଣ ହୋଇଥାନ୍ତା ଓ ହେଉଥାନ୍ତା ଭାବିବା ବେଳକୁ ଭାରି ଡର ମାଡୁଛି । ଖଳ ବୋଇଲେ ଶାନ୍ତ ସୁଧାର ବୋଇଲା ପରି ମାଛିକୁ ମ’ ନକହୁଥିବା ଲୋକ ହୋଇଥିଲେ କଣ ଆମେ ସେମାନଙ୍କ ବିଷୟକ ଏ ଆଲୋଚନା କରୁଥାନ୍ତେ କି ?

ତେଣୁ ତ’ ଏନେଇ ଠାଏ କୁହାଯାଇଛି ମଣିଷ ଭିତରେ କୁଆଡ଼େ ମହଜୁଦ ରହିଥାନ୍ତି ପାଞ୍ଚ ମନ ଓ ପଚିଶି ପ୍ରକୃତି ! ଏହି ପାଞ୍ଚ ମନ ମଧ୍ୟରୁ ଏକ କିସମର ମନ ହେଲା ‘ଅମନ’ ! ପୁଣି କଥା ଏହି ପାଞ୍ଚ କିସମର ମନ ଠେଇଁ ବି ଅଟକିଥିଲେ ଚଳିଥାନ୍ତା । କିନ୍ତୁ ନା, ସେମିତି ନୁହେଁ । କାରଣ ପ୍ରତି କିସମର ମନରୁ କୁଆଡ଼େ ଜାତ ହୋଇଥାନ୍ତି ପାଞ୍ଚଟି କରି ପ୍ରକୃତି । ଏହି କ୍ରମରେ ‘ଅମନ’ଠୁ ସୃଷ୍ଟ ପାଞ୍ଚଟି ପ୍ରକୃତି ଭିତରୁ ଅନ୍ୟତମ ପ୍ରକୃତି ହେଲା ଖଳ ! ଏହା ଯା’ ଭିତରେ ପ୍ରବେଶି ତାକୁ କାବୁ କରିନେଲା, ସିଏ ହିଁ ଆମର ଆଲୋଚ୍ୟ ଖଳ ପ୍ରକୃତିର ଲୋକ ।

ହେଇ ସେଇ ହସହସ ମୁହଁରୁ ମଧୁର ବଚନ ଝରାଇ ମନ ମୋହୁଥିବା ମଣିଷ ଜଣକୁ ଭଲ କରି ଥରେ ଦେଖନ୍ତୁ । ଆମେ ତାଙ୍କୁ ଜଣେ ଖଳ ପ୍ରକୃତିର ଲୋକ ବୋଲି ବର୍ଣ୍ଣିଲେ ଆପଣ କ’ଣ ପରତେ ଯିବେ ? ନା । ଯେବେ ଆପଣ ଭ୍ରମିତ ହୋଇ ତାଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ନିଜର ମଣି ତାଙ୍କଠାରୁ କିଛି ଆଶା ରଖିବେ, ତଦୁତ୍ତାରେ ସିନା ଜାଣିବେ ସେ କେମିତି ବଚନ ମଧୁର ତିଳକ ସରୁ ଜାତୀୟ !

ଏମିତି କଥା । ଖଳ ପ୍ରକୃତିର ଲୋକଙ୍କୁ ଚିହ୍ନିବା ସଦା କାଳେ କାଠିକର ପାଠ ହୋଇଆସିଛି । ଆପଣ ଆମ ପରି ସରଳ ସାଧାସିଧା ଲୋକ ତ’ ସବୁବେଳେ ଏ ମାମଲାରେ ଛନ୍ଦି ହୋଇ ଧନ୍ଦି ହେବା ଥୟ ହୋଇଆସିଛି । ଉଚ୍ଚାରଣ ଏକ ରକମ ତ’ ଆଚରଣରେ ଏମାନେ ଅଭାବିତ ଭାବେ ଭିନ୍ନ । ଆପଣା ସ୍ୱାର୍ଥ ହାସଲ ବେଳକୁ ଏମାନେ ଭଲଲୋକର ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ସ୍ୱାର୍ଥ ପୂରଣର ପରମୂହର୍ତ୍ତରେ ହିଁ ଏମାନଙ୍କ ସ୍ୱରୂପ ଏଡ଼େ ଘାଏଁ ବଦଳିଯାଏ ଯେ ଏମାନେ ହିଁ ଅସଲରେ ଖଳ ପ୍ରକୃତିର ଲୋକ ଭାବରେ ସ୍ୱତଃ ଚିହ୍ନା ପଡିଯାନ୍ତି ।

କ୍ରମେ ଏମାନଙ୍କ ମୁଖା ଖସି ଯାଇ ମୁଖ ଦିଶେ । ହସ ପଛର ବିଷ ବାହାରି ଆସେ । ଏମାନେ ତେଣିକି ସେମାନଙ୍କ ଖଳ ପ୍ରକୃତିକୁ ନେଇ ଆହୁରି ସଜୋର ଖେଳ ଖେଳନ୍ତି । ଏହି ଖଳ ଲୋକମାନେ ଅନ୍ୟର ଦୁଃଖରେ ସୁଖୀ ହୋଇଥାନ୍ତି । ଆଉ ଅନ୍ୟର ସୁଖରେ ତ’ ଏମାନଙ୍କ ଦୁଃଖ କାହିଁରେ କଣ ।

କାମଟିଏ ସୁରୁଖୁରୁରେ ହୋଇଯାଉଛି ମାନେ ଖଳ ଲୋକର ଦିହ ଜଳିଯିବ ବୋଲି ଜାଣ । ତାଙ୍କ ଆଖି ଆଗରେ ଜଣେ ହସିହସି ତା’ ଜୀବନ ନିଜମତେ ସିଏ ଜୀଇଁ ଚାଲିଛି ତ’ ଏମାନଙ୍କ ନାହି ଡେଇଁବ ଇ’ ଡେଇଁବ । ନିଜ ସୁଖ ପାଇଁ ନିଜେ ଲାଗ । ନା । ତା’ ଏମାନଙ୍କ ଦେଇ କେମିତି ହେବ ? ଅନ୍ୟକୁ ଖସାଇ ତଳିଆ କଲେ ଯାଇ ଏମାନଙ୍କୁ ଖୁସି ମିଳିଥାଏ। ଖଚ ମିଛ କହି ଭଲ ଲୋକଙ୍କୁ ଓ ଭଲ କାମକୁ ବିଗାଡି ସ୍ନେହ ଶ୍ରଦ୍ଧା ଓ ସୁସମ୍ପର୍କ ଭରା ପରିବେଶରେ ହିଂସା ଘୃଣା ଆଦି ଛାଏଁ ଭିଆଇ ଶାନ୍ତିକୁ ଅଶାନ୍ତିରେ ପରିଣତ କରାଇଲେ ହିଁ ସନ୍ତୁଷ୍ଟ ହୋଇଥାନ୍ତି ଏହି ଖଳ ଚରିତ୍ରମାନେ । ପରଚର୍ଚ୍ଚା କାନକୁହା ଗୁଜବ ଆଦି ଏମାନଙ୍କ ଭୂଷଣ ।

ସମାଜରେ ସର୍ବତ୍ର ଏମାନଙ୍କ ଆତଯାତ ଲାଗିଥାଏ । ତେଣୁ ଏହି ଖଳମାନଙ୍କ ହାବୁଡ଼ରେ ଥରେ ପଡ଼ିଗଲେ ଏମାନେ ଛଳ ମିତ୍ରତା ବଳରେ ଅନ୍ୟର ଗୋପନ କଥା, ସଫଳତା ତଥା ଭବିଷ୍ୟ କର୍ମପନ୍ଥାଦି ଜାଣିଯାଇ ସେସବୁ ଯେମିତି ଓଲଟପାଲଟ ହୋଇଯିବ ସେଥକୁ ନାନା କୂଟକପଟ, ଫିସାଦି ଓ କାରସାଦି କରିଥାନ୍ତି । ଫଳତଃ କାମ ବିଗିଡ଼ିଯାଏ । ଭଲଲୋକ ତଥାପି ବୁଝି ନପାରି ଭାବେ, ସବୁ ଠିକ୍ ଥିବା ସତ୍ତ୍ୱେ ଏମିତି କେମିତି ହେଲା ? ବାସ୍ତବରେ ଏସବୁ ଯେ ଆମ ଆଖପାଖରେ ମହଜୁଦ ଥିବା “କିଛି ଖଳ ପ୍ରକୃତିର ଲୋକ”ଙ୍କ ଖେଳର କୁଫଳ, ଏହା ବୁଝିବାବେଳକୁ ଅବଶ୍ୟ ବିଳମ୍ବ ହୋଇ ସାରିଥାଏ ।

ତେବେ ମୂଳରୁ କହି ରଖିଛୁ ଯେ କିଛି ଲୋକ ହିଁ ଏଭଳି ଖଳ ପ୍ରକୃତିର । ସଭିଏଁ ଏମିତି ହୋଇଥିଲେ ତ’ ଆମ ସମାଜ ହିଁ ଗୋଟାପଣେ ଅଚଳ ହୋଇ ଯାଇଥାନ୍ତା । ତେଣୁ ସବୁଠାରୁ ବେଶୀ ବିଚାର୍ଯ୍ୟ ବିଷୟ ହେଲା ଠିକିଲେ ଶିଖିବା । ଅନ୍ତତଃ ଥରେ ଜଣେ ଖଳ ବୋଲି ଜଣା ପଡିଗଲା ପରେ ଯେମନ୍ତ ଆଉ ତାକୁ “ଏତେ କାଳର ତା ସହ ସମ୍ପର୍କ, କେମିତି ବା କାଟି ଦେବା , ବରଂ ଥରେ ସୁଧାରିବାର ଚେଷ୍ଟା କରିବା” ଆଦି ଭଲଲୋକ ସୁଲଭ ଭାବନାମାନଙ୍କ ସହ ଭାସି ନଯାଇ ବରଂ “ଦୁର୍ଜନ ଜନ ପରିହାର” ନୀତି ମନେପକାଇ କାମରେ କରି ଦେଖାଇଲେ ଏମାନଙ୍କ ଠାରୁ ଦୂରେଇ ରହିହେବ । ଏଥକୁ ସାବଧାନ୍ ହେବା ଓ ସତର୍କ ରହିବା ସହ ନିଜର ନିଜକୁ ନେଇ ରହିଥିବା ଆତ୍ମବିଶ୍ୱାସ ଟିକକକୁ ସର୍ବାଗ୍ରେ ଆହୁରି ବଢାଇ ଚାଲିବା ଚାହି !

କସ୍ମରୀ ନଗର, ରାୟଗଡ଼ା, ମୋ – ୯୪୩୭୯୦୯୬୭୫

ଲେଖକ ପରିଚୟ

କବିତା, ଗଳ୍ପ, ରମ୍ୟକଥା ଓ ଅନୁବାଦ ସମେତ ସାହିତ୍ୟର ବବିଧ ବିଭାଗରେ ଦୀର୍ଘକାଳ ଧରି କଲମ ଚାଳନା କରି ଆସୁଥିବା ପ୍ରବୀଣ ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସୁପରିଚିତ ସ୍ତମ୍ଭକାର ମଧ୍ୟ । ସାହିତ୍ୟ ସମ୍ପାଦନା ଓ ସଙ୍ଗଠନରେ ବି ଧୂରୀଣ ସ୍ରଷ୍ଟା ଏଲ୍ଆ.ଇ.ସି.ର ପ୍ରଶାସନିକ ସେବାରୁ ଅବସର ପରେ ସମ୍ପ୍ରତି ରାୟଗଡ଼ାର ସ୍ଥାୟୀ ବାସିନ୍ଦା ଭାବେ କସ୍ମରୀ ନଗର, ରାୟଗଡ଼ା ସ୍ଥିତ ନିଜ ନିବାସ “ସୁହାସିତମ୍”ରେ ସୃଜନ ମଗ୍ନ ।

Related Posts

Leave a Reply

Your email address will not be published. Required fields are marked *