ଲିଜାଲିନ୍ ବିଶ୍ୱାଳ

ସକାଳକୁ
ତୁମର, ମୋର ଆଉ
ଭେଟ ହେଲା ନାହିଁ ।

ଅନ୍ୟମନସ୍କରେ ଗରମ ପେଜ ପଡ଼ି
ଫୋଟକା ହେଲା ପାଦ ।

କଡ଼େଇରେ ପଡ଼ିଥିବା ସିମେଇତକ ପୋଡ଼ିଗଲା
ଝର୍କା ପାଖରେ ସ୍ଥିର ଥିବା ଆଖିକୁ
ଫେରେଇ ଆଣି ପାରିଲିନି ବୋଲି ।

କିଛି କଥା କ’ଣ
ଏତେ ମାତ୍ରାରେ ସ୍ଥିର କରିଦେଇ ପାରେ !

ଯେଉଁଠୁ ଆମେ ମୁକୁଳି ନଥିଲୁ
ସେଇ ମୁହୂର୍ତ୍ତଟେ ଆକାଶେ ନିରବତାରେ
ଫଟେଇ ଦେଲା ମୋ ଛାତି ।

ସେ ନିରବତା ତଳେ ଦବି ଗଲେ
ଅନେକ ଅସମାହିତ ପ୍ରଶ୍ନ ।

ସବୁ ପରେ, ଯାହା ଯାହା ମୁଁ ଏବେ ସ୍ଵୀକରୁଛି
ସେ ମୋ ଏକାନ୍ତ ନିଜର
ମତେ କୋଳେଇ ନେବାକୁ ତୁମର ବା ଛାତିଟିଏ କାହିଁ !

ତୁମ ପାଇଁ
ତୁମ ଚିତ୍ରିତ ପୃଥିବୀଟେ ଥାଉ
ଯାହାକୁ ଅସଜଡ଼ା କରି ସଜାଡୁ ଥାଅ ତୁମ ଇଛାରେ ।

ତୁମ ଭିତରେ ହଜି ଯାଇଥିବା ମୁଁ’ର
କେବେ କବିତାରେ ତ
କେବେ ଗପରେ ହିଁ ଭେଟ ହେଉ ।

କୁଜଙ୍ଗ, ଜଗତ୍ସିଂହପୁର

ଲେଖକ ପରିଚୟ

କେବେ କେମିତି ଯଦିଓ ଗପ ଲେଖିବାକୁ ଚେଷ୍ଟା କରେ, ହେଲେ ସାଧାରଣତଃ କବିତା ହିଁ ଲେଖେ । କବିତା ମୋଠୁ ସେତିକି ସ୍ନେହ ଆଦର ପାଇଛି କି ନାହିଁ ମୁୁଁ ଜାଣିନି କିନ୍ତୁ ସେ ମତେ ତାର ସବୁତକ ସ୍ନେହ, ପ୍ରେମ ଅଜାଡ଼ି ନୂଆ ଆକାର ଦେଇଛି, ମତେ ବଢ଼େଇଛି । ମୋର ପ୍ରତ୍ୟକଟି ଅସହାୟ ମୂହୁର୍ତ୍ତକୁ ତା ଦେହରେ ଆଉଜେଇ ଦେଇ ଶାନ୍ତିର ହସ ଟିକକ ମୋ ଓଠରେ ଖେଳାଇ ଦିଏ ସେ । ଏଯାବତ ଦୁଇ ଖଣ୍ଡ କବିତା ପ୍ରକାଶିତ ହୋଇସାରିଥିବା ବେଳେ ଅନେକ ପ୍ରଶଂସା ପତ୍ର ଓ ପୁରସ୍କାର ମୋତେ କବିତା ମନସ୍କ ହେବାକୁ ଅଧିକରୁ ଅଧିକ ପ୍ରେରିତ କରିଛି ।

Related Posts

Leave a Reply

Your email address will not be published. Required fields are marked *