ବିଶ୍ଵବିଜୟୀ ଦାଶ
ବିଶ୍ଵ କଥା ସାହିତ୍ୟର ଯଶସ୍ଵୀ ଲେଖକ, ସାରସ୍ଵତ ସାଧକ, ନିଜର ଲେଖନୀ ମାଧ୍ୟମରେ ଓଡ଼ିଶାକୁ ବିଶ୍ଵ ଦରବାରରେ ପହଞ୍ଚାଇଥିବା କଥାଶିଳ୍ପୀ, ଅସାଧାରଣ ପ୍ରତିଭାଧାରୀ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମଠାରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖ ଦିନ ଗୋଟିଏ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମଧୁସୂଦନ ଦାସ ଓ ମାତାଙ୍କ ନାମ କାଦମ୍ବିନୀ ଦେବୀ ।
ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ହିଁ ମନୋଜ ଦାସଙ୍କର ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ‘ଅଲୌକିକ ଶକ୍ତିର ଉତ୍ସ’ ଭାବେ ଅଭିହିତ କରିଛନ୍ତି । ମନୋଜ ଦାସ ବାଲେଶ୍ଵର ଜିଲ୍ଲା ସ୍କୁଲରେ ପଢୁଥିଲେ । ସେ ପଢ଼ିବାବେଳେ ତାଙ୍କ ବଡ଼ ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଥିଲେ । ଦୁଇ ଭାଇ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ । ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ, ସୃଜନ ସମ୍ଭାରର ପରିବ୍ୟାପ୍ତ ହୋଇଯାଇଥିଲା । ୧୯୪୯ ମସିହାରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ସେ ୯ମ ଶ୍ରେଣୀର ଛାତ୍ର ଥିବାବେଳେ ତାଙ୍କର ପ୍ରଥମ କବିତା ସଂକଳନ “ଶତାବ୍ଦୀର ଆର୍ତ୍ତନାଦ” ପ୍ରକାଶ ପାଇଥିଲା । ୧୯୫୧ ମସିହାରେ ତାଙ୍କର ଗ୍ରନ୍ଥ ସଂକଳନ “ସମୁଦ୍ରର କ୍ଷୁଧା” ପ୍ରକାଶ ପାଇଥିଲା ।
୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ନିର୍ବାଚିତ ହୋଇଥିଲେ । ୧୯୫୫ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକରେ ଆଇନ ଅଧ୍ୟୟନ କଲେ । ସେତେବେଳକୁ ‘ଜୀବନର ସ୍ୱାଦ’ ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ଅଧ୍ୟୟନ ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା କଲେ । ସେହି ବର୍ଷ ସେ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କୁ ବିବାହ କରିଥିଲେ । ସେ ତାଙ୍କ ଜୀବନର ଅର୍ଦ୍ଧଶତାବ୍ଦୀ ବ୍ୟାପି ସାହିତ୍ୟ ସାଧନା ଜାରି ରଖି,ସାହିତ୍ୟର ସମସ୍ତ ଦିଗକୁ ସମୃଦ୍ଧ କରିଛନ୍ତି । ତାଙ୍କ ଲେଖନୀ ନିଃସୃତ ଗଳ୍ପ,କବିତାମାନ ଯୁଗେ ଯୁଗେ ଆମ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ ।
କବି ପ୍ରାଣର ଅନନ୍ତ ବିସ୍ତୁତି, ଜୀବନର ଉଦାରତା, ମାନବତାର ଐଶ୍ବର୍ଯ୍ୟ ଓ ଉତ୍ତୁଙ୍ଗ ଜୀବନାଦର୍ଶରେ ସମ୍ମୁଜ୍ଜଳ ତାଙ୍କର କାବ୍ୟ ସାହିତ୍ୟ ଅନନ୍ୟ ଓ ଅତୁଳନୀୟ । ୧୯୬୧ ମସିହାରେ ‘ଆରଣ୍ୟକ’ ପ୍ରକାଶ ପାଇବା ପରେ ଏହା ଓଡ଼ିଆ ଗଳ୍ପ ସାହିତ୍ୟର ମାନଦଣ୍ଡ ନିରୂପିତ ହୋଇଥିଲା । ୧୯୬୩ ମସିହାରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଲେ । ୧୯୬୫/୬୬ ମସିହାରେ ଶେଷ ବସନ୍ତର ଚିଠି ପ୍ରକାଶ ପାଇଥିଲା । ୧୯୬୩ ମସିହାଠାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମ ଠାରେ ଅବସ୍ଥାନ କରି ଆସୁଥିଲେ । ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ । ତାଙ୍କର ଗଳ୍ପ ସଂକଳନ ଗୁଡ଼ିକ ହେଲା ସମୁଦ୍ରର କ୍ଷୁଧା, ମନୋଜ ଦାସଙ୍କ ଗଳ୍ପ, ଅବୋଲକରା କାହାଣୀ, ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ମନୋଜ ପଞ୍ଚବିଂଶତି,ଧୂମ୍ରାଭ ଦିଗନ୍ତ ଓ ଅନ୍ୟ କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, ମନୋଜ ଦାସଙ୍କ କଥା ଓ କାହାଣୀ, ଶେଷ ବସନ୍ତର ଚିଠି, ଆରଣ୍ୟକ, ବିଷକନ୍ୟାର କାହାଣୀ, ଜୀବନର ସ୍ୱାଦ ଆଦି । ତାଙ୍କର କବିତା ସଙ୍କଳନ ଗୁଡ଼ିକ ହେଲା ଶତାବ୍ଦୀର ଆର୍ତ୍ତନାଦ, କବିତା ଉତ୍କଳ, ତୁମ ଗାଁ ଓ ଅନ୍ୟାନ୍ୟ କବିତା ଉପନିବେଶ, ନନ୍ଦାବତୀର ମାଝି, ପଦଧ୍ୱନୀ, ବିପ୍ଳବୀ ଫକୀରମୋହନ । ଏହାବ୍ୟତୀତ ତାଙ୍କ ଦ୍ଵାରା ଲିଖିତ ଉପନ୍ୟାସ ଗୁଡ଼ିକ ହେଲା ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଅମୃତ ଫଳ, ଗୋଧୂଳିର ବାଘ, ପ୍ରଭଞ୍ଜନ, ବୁଲଡ଼ୋର୍ଜସ ଆଦି ।
ପ୍ରଜ୍ଞା – ପ୍ରଦୀପିକା, ଉପକଥା ଶତକ, ସତ୍ୟ-ଅସତ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗ, ସ୍ମୃତି ଓ ବିସ୍ମୃତିର ସାରନାଥ, ଅରଣ୍ୟ ଉଲ୍ଲାସ, ଭାରତର ଐତିହ୍ୟ: ଶତେକ ପ୍ରଶ୍ନର ଉତ୍ତର, ମହାଯୋଗୀ ଶ୍ରୀ ଅରବିନ୍ଦ, ସମୁଦ୍ର କୂଳର ଏକ ଗ୍ରାମ ସନ୍ଧାନ ଓ ସଙ୍କେତ, ବିପୁଳାଚ ପୃଥ୍ୱୀ, କେତେ ଦିଗନ୍ତ ଆଦି ତାଙ୍କ ଦ୍ଵାରା ଲିଖିତ ପ୍ରବନ୍ଧ ଓ ରମ୍ୟରଚନା । ତାଙ୍କ ଦ୍ଵାରା ଲିଖିତ ଶିଶୁ ସାହିତ୍ୟ ହେଲା ରାକ୍ଷସର ସନ୍ଧାନରେ, କନକ ଉପତ୍ୟକାର କାହାଣୀ, ଅମର ସାହିତ୍ୟ, ଆଲୋକ ଓ ଆନନ୍ଦର କାହାଣୀ ଆଦି । ତାଙ୍କ ଦ୍ଵାରା ଲିଖିତ ଇଂରାଜୀ ରଚନାବଳୀ ଗୁଡ଼ିକ ହେଲା ଚେଜିଙ୍ଗ ଦି ରେନବୋ: ଗ୍ରୋଇଙ୍ଗ ଅପ ଇନ ଆନ ଇଣ୍ଡିଆନ ଭିଲେଜ, ୨୦୦୪, ଲେଜେଣ୍ଡ ଅଫ ଦି ଗୋଲ୍ଡେନ ଭ୍ୟାଲି, ୧୯୯୬, ଦି ସବମର୍ଜଡ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ, ୧୯୮୬, ଫେଆରବେଲ ଟୁ ଅ ଘୋଷ୍ଟ: ସର୍ଟ ଷ୍ଟୋରିଜ ଆଣ୍ଡ ଅ ନଭେଲେଟେ, ୧୯୯୪ ଦି କ୍ରୋକୋଡାଇଲ ଲେଡି: ଏ କଲେକସନ ଅଫ ଷ୍ଟୋରିଜ, ୧୯୭୫, ଏ ଟାଇଗର ଆଟ ଟୁଇଲାଇଟ ।
ବିଶିଷ୍ଟ ସାରସ୍ଵତ ସାଧକ ମନୋଜ ଦାସ ହେଉଛନ୍ତି ଅଗଣିତ ସମ୍ବର୍ଦ୍ଧନା ଓ ସମ୍ମାନର ଅଧିକାରୀ । ତାଙ୍କ ସାହିତ୍ୟିକ ଜୀବନରେ ୧୯୬୫ ଓ ୧୯୮୭ ମସିହାରେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୭୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୧ ରେ ଶାରଳା ପୁରସ୍କାର, ୧୯୮୭ ରେ ବିଷୁବ ପୁରସ୍କାର, ୧୯୯୫ ରେ ସାହିତ୍ୟ ଭାରତୀ ସମ୍ମାନ, ୨୦୦୦ ମସିହାରେ ସରସ୍ଵତୀ ସମ୍ମାନ, ୨୦୦୧ ମସିହାରେ ପଦ୍ମଶ୍ରୀ ସମ୍ମାନ, ୨୦୦୧ ରେ ଉତ୍କଳରତ୍ନ ସମ୍ମାନ, ୨୦୦୬ ରେ ସାରଳା ସମ୍ମାନ, ୨୦୦୬ ରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଫେଲୋସିପ, ୨୦୦୭ ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୨୦ ମସିହାରେ ପଦ୍ମଭୂଷଣ ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ବିଶିଷ୍ଟ ସାରସ୍ଵତ ସାଧକ ମନୋଜ ଦାସ ।
ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ସେ ଶେଷ ନିଃଶ୍ବାସଶ୍ଵାସ ତ୍ୟାଗ କରିଛନ୍ତି । ସାହିତ୍ୟ ଜଗତର ଭୀଷ୍ମ ପିତାମହ ଯିଏକି ଓଡ଼ିଆ ସାହିତ୍ୟକୁ ଜାତୀୟ ସ୍ତରରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ସେ ଆଉ ଏ ଇହଧାମରେ ନାହାନ୍ତି ଶୁଣିବା ପରେ ସାହିତ୍ୟ ଜଗତରେ ତାଙ୍କର ଅସଂଖ୍ୟ ପ୍ରଂଶସକ, ତାଙ୍କ ଜନ୍ମସ୍ଥାନ ବାଲେଶ୍ଵରର ଶଙ୍ଖାରୀ ଗ୍ରାମ ଓ ଗୁଣମୁଗ୍ଧ ପାଠକ ମାନଙ୍କ ମଧ୍ୟରେ ଖେଳିଗଲା ଶୋକର ଲହରୀ । ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗ ବିଶ୍ଵ ସାହିତ୍ୟ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କଲା ଯାହାକି କେବେ ପୂରଣ ହୋଇପାରିବ ନାହିଁ । ତାଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତ ହେଉ । ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ସମୟରେ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ । ସେ ଚାଲିଗଲେ ସତ କିନ୍ତୁ ତାଙ୍କର କାଳଜୟୀ ଲେଖା ଗୁଡ଼ିକ ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ବି ଜନ୍ମ ମାଟିରେ ତାଙ୍କର ସବୁ ସ୍ମୃତି ତାଜା ହୋଇ ରହିଛି । ଏବେ ବି ଗାଁ ମାଟି ପବନର ପ୍ରତିଟି ଧୂଳିକଣାରେ ତାଙ୍କର ଆବେଗ, ପବନରେ ପ୍ରତିଧ୍ୱନିତ ହେଉଛି । ଗୁଞ୍ଜରି ଉଠୁଛି ତାଙ୍କ ଲେଖନୀ ନିସୃତ ସେହି କିଛି ଧାଡ଼ି ଲେଖା…
“ମୁଁ ପୁଣି ଆସିବି ଫେରି, ସମୟର ଶୁଭ୍ର ବାଲୁଚରେ
ବାରି ବାରି ପଦଚିହ୍ନ, ଏ ବିସ୍ମୃତ ତିମିର-ଶିବିରେ
ବେନି କରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା-ସଦନେ ।”
ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା – ୭୫୨୦୩୫, ମୋବାଇଲ ନଂ- ୬୩୭୦୨୦୮୪୨୮
ଲେଖକ ପରିଚୟ
ମୋ ଆଦର୍ଶ ଓ ପ୍ରେରଣା ମୋ ଅଜା ଶିକ୍ଷାବିଦ୍ ସ୍ଵର୍ଗତ ବ୍ରଜବନ୍ଧୁ ଦାଶ । ମୁଁ ବି.ଇଡ଼ି (ସ୍ଵତନ୍ତ୍ର ଶିକ୍ଷା) ଅଧ୍ୟୟନ କରୁଛି । ମୁଁ ମୋର ଅଧ୍ୟୟନରୁ କିଛି ସମୟ ବାହାର କରି ଲେଖାଲେଖି କରେ । ମୋର ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରହିଛି । ଆଜିକୁ ୪୦ ରୁ ଅଧିକ ଶୀର୍ଷକ ବହୁ ମୁଦ୍ରିତ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି । ମୋର ଉଦ୍ଦେଶ୍ୟ ଆଜିର ଯୁବପିଢ଼ି ଓ ଛାତ୍ର ପିଢ଼ି ଆମ ମାଟି ର ଇତିହାସ ଓ ମହାପୁରୁଷ ଙ୍କ ଜୀବନୀ ଜାଣନ୍ତୁ ।