ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ ସୁରେନ୍ଦ୍ର ମହାନ୍ତି

ସୌଭାଗ୍ୟ ପାଣିଗ୍ରାହୀ

ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ଘରେ ଘରେ ସୁପରିଚିତ ଏକ ନାମ । କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପୂଣ୍ୟ ତିଥିରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଓଡ଼ିଆଙ୍କ ପାଖରେ ତାଙ୍କ ପରିଚୟ ତ ଅନେକ ! ଯେପରି ସେ ଏକାଧାରରେ ସୁସାହିତ୍ୟିକ, ସାମ୍ବାଦିକ, ସମ୍ପାଦକ, ରାଜନୀତିଜ୍ଞ, ସମୀକ୍ଷକ । ସୁରେନ୍ଦ୍ର ମହାନ୍ତିଙ୍କୁ ବାଦ ଦେଇ ସ୍ଵାଧୀନୋତ୍ତର ଓଡ଼ିଆ ସାହିତ୍ୟର ପରିକଳ୍ପନା କରାଯାଇ ନପାରେ । ସୁରେନ୍ଦ୍ର ମହାନ୍ତିଙ୍କ ରଚନା ଖୁବ୍ ବାସ୍ତବବାଦୀ ଓ ହୃଦୟସ୍ପର୍ଶୀ ମଧ୍ୟ । ମହାନିର୍ବାଣରେ ରକ୍ଷଣଶୀଳ ପରିବେଶ ଭିତରେ ମଣିଷ ମନର ଉଦବେଳନକୁ ନିଳୋତ୍ପଳ ଚରିତ୍ର ମାଧ୍ୟମରେ ସେ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି ।

ଆମେ ସମସ୍ତେ ଫ୍ରଏଡ ସାଇକୋଲୋଜି ପଢ଼ି ଆସୁଥିବାବେଳେ ସୁରେନ୍ଦ୍ରଙ୍କ ରଚନାରେ ମଣିଷର ମନସ୍ତତ୍ତ୍ୱ ଉପରେ ଆଲୋକପାତ ଓଡ଼ିଆ ସାହିତ୍ୟର ମାନବୃଦ୍ଧି କରିଛି । ତାଙ୍କର ‘କୃଷ୍ଣାବେଣୀରେ ସନ୍ଧ୍ୟା’ ରଚନା ଖୁବ୍ ଅନନ୍ୟ । ରାଜା ଯେତେବେଳେ ଭକ୍ତି ଭାବନାର ବଶବର୍ତ୍ତୀ ହୋଇ ଅସ୍ତ୍ର ତ୍ୟାଗ କରେ, ସେତେବେଳେ କେଉଁଭଳି କରୁଣ ପରିସ୍ଥିତି ସୃଷ୍ଟି ହୁଏ ଓ ରାଜ୍ୟର ସୁରକ୍ଷା ବିପନ୍ନ ହୁଏ, ତାହା କୃଷ୍ଣାବେଣୀରେ ସନ୍ଧ୍ୟାରେ ପ୍ରତାରୁଦ୍ରଦେବଙ୍କ ଜୀବନୀରୁ ବେଶ୍ ସ୍ପଷ୍ଟ । କେବଳ ସେତିକି ନୁହଁ, ଆଜି ଓଡ଼ିଆ ଅସ୍ମିତା ଏକ ଚର୍ଚ୍ଚିତ ଶବ୍ଦ ହୋଇଥିବାବେଳେ କୃଷ୍ଣାବେଣୀରେ ସନ୍ଧ୍ୟାରେ ବୀରଭଦ୍ର ଓ ଜଗନମୋହିନୀ ଚରିତ୍ର ମାଧ୍ୟମରେ ସେହି ଅସ୍ମିତାର ବାର୍ତ୍ତା ଦେଇଥିଲେ ସୁରେନ୍ଦ୍ର । ‘ନୀଳଶୈଳ’ ରଚନା ଓଡ଼ିଆ ଜାତି ପାଇଁ ତାଙ୍କର ଅନ୍ୟ ଏକ ଶ୍ରେଷ୍ଠ ଅବଦାନ । ସେ ସାହିତ୍ୟିକ ଭାବେ ସାଉଁଟିଥିଲେ ବେଶ୍ ସୁନାମ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଓ ଶାରଳା ସମ୍ମାନ ପାଇଥିବା ବିରଳ ବ୍ୟକ୍ତିତ୍ଵ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି । ତାଙ୍କର ଜୀବନ ସ୍ମୃତି ‘ପଥ ଓ ପୃଥିବୀ’ କେବଳ ତାଙ୍କ ଜୀବନ କାହାଣୀ କାହିଁକି, ତତ୍କାଳୀନ ସମାଜର ଦୃଶ୍ୟପଟ୍ଟର ଏକ ଚିତ୍ର ପାଠକଙ୍କ ଆଗରେ ରଖେ । ଓଡ଼ିଶାର ଆଗଧାଡ଼ିର ଦୈନିକ ଖବରକାଗଜ ସମ୍ବାଦ ଆଜି ଯେଉଁଠି ଛିଡ଼ା ହୋଇଛି, ତା ପଛରେ ରହିଛି ସୁରେନ୍ଦ୍ର ମହାନ୍ତିଙ୍କ ପ୍ରଚ୍ଛନ୍ନ ଅବଦାନ । ସମ୍ବାଦର ସମ୍ପାଦକ ଭାବେ ସମ୍ବାଦର ମାନବୃଦ୍ଧି ଓ ବର୍ଦ୍ଧିତ ଲୋକପ୍ରିୟତା ପଛରେ ସମ୍ବାଦର ପ୍ରଥମ ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଯଥେଷ୍ଟ ରହିଛି । ସମ୍ବାଦରେ ସୁରେନ୍ଦ୍ର ମହାନ୍ତିଙ୍କ ‘ଶେଷ ସ୍ତମ୍ଭ’ କୁ ମିଳିଥିଲା ବେଶ୍ ପାଠକୀୟ ଆଦୃତି । ‘ଗଣତନ୍ତ୍ର’ ଓ ‘କଳିଙ୍ଗ’ ଭଳି ପତ୍ରପତ୍ରିକାର ସମ୍ପାଦନା ମଧ୍ୟ ସେ କରିଛନ୍ତି । ଜଣେ ସାମ୍ବାଦିକ ଓ ସ୍ତମ୍ଭକାର ଭାବେ କେବଳ ଓଡ଼ିଆ ପତ୍ରପତ୍ରିକା ନୁହେଁ, ସେ ଇଂରାଜୀ ଓ ଅନ୍ୟ ଭାଷାର ପତ୍ରିକାରେ ମଧ୍ୟ ନିଜ କଲମର ପ୍ରଭାବ ଦେଖାଇବାରେ ସମର୍ଥ ହୋଇଥିଲେ । ତେବେ ସାହିତ୍ୟିକ ଓ ସାମ୍ବାଦିକ ଭାବେ ସେ ନିଜ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ସାଲିସବିହୀନ ରାଜନୀତିରେ ମଧ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ଭଳି ଜନନାୟକଙ୍କ ଉପସ୍ଥିତି ଆଜିର ପଙ୍କିଳ ରାଜନୀତିରେ ଚିନ୍ତାଶୀଳ ବ୍ୟକ୍ତିଙ୍କ ପାଇଁ ଆଶାର ଆଲୋକ ବର୍ତ୍ତିକା ସଦୃଶ ।

ସୁରେନ୍ଦ୍ର ସାଂସଦ ଭାବେ ଏକାଧିକବାର ରାଜ୍ୟସଭା ଓ ଲୋକସଭାକୁ ଯାଇଛନ୍ତି । କିନ୍ତୁ ବ୍ୟକ୍ତିଗତ ସ୍ଵାର୍ଥସାଧନ ପାଇଁ ସେ କେବେ ସାଲିସ କରିନାହାଁନ୍ତି । କ୍ଷମତା ପାଇଁ ମୁଣ୍ଡ ନୁଆଇଁବା ସୁରେନ୍ଦ୍ରଙ୍କ ଜାତକରେ ନଥିଲା । ସେ ଦଳ ବଦଳେଇଛନ୍ତି ମଧ୍ୟ । କିନ୍ତୁ ସେ ଦଳ ବଦଳେଇବା ପଛରେ ନିଜସ୍ଵ ସଂକୀର୍ଣ୍ଣ ସ୍ଵାର୍ଥ ବା କ୍ଷମତା ଲୋଭ ନଥିଲା, ଥିଲା ବୈଚାରିକ ମତଭେଦ । ଆଜିର ରାଜନୀତିରେ ଦଳବଦଳ ଏକ ସାଧାରଣ ଘଟଣା । କାଲି ଯାହାକୁ ଗିରଫ କରିବାକୁ ଭିନ୍ନ ଦଳର ଲୋକେ ଆନ୍ଦୋଳନ କରୁଥିଲେ, ଆଜି ସେ ଲୋକ ସେହି ଦଳରେ ସାମିଲ ହୋଇଗଲେ ଆନ୍ଦୋଳନ କରୁଥିବା ଦଳ ବି ତାଙ୍କୁ କୋଳେଇ ନେଉଛି । ଅର୍ଥ ଓ କ୍ଷମତା ସର୍ବସ୍ଵ ରାଜନୀତିରେ ଆଦର୍ଶ ଓ ନୈତିକ ମୂଲ୍ୟବୋଧ ଗୁରୁତ୍ଵ ହରାଇ ସାରିଛି । ଆଜି ଯିଏ ଶତ୍ରୁ, କାଲି ସିଏ ମିତ୍ର । ରାଜନୀତିରେ ସବୁ ସମ୍ଭବ । ଦଳୀୟ ସମ୍ବିଧାନ କେବଳ ଅଲଗା ହୋଇପାରେ, ମାତ୍ର ବର୍ତ୍ତମାନ ସମୟରେ ସବୁଦଳର କାର୍ଯ୍ୟଧାରା ପ୍ରାୟତଃ ସମାନ । ଏ ପରିସ୍ଥିତିରେ ପାଖାପାଖି ଚାରି ଦଶନ୍ଧି ତଳେ ସୁରେନ୍ଦ୍ର ମହାନ୍ତି ଲେଖିଥିବା ଉକ୍ତି ବିଶେଷ ଗୁରୁତ୍ଵ ବହନ କରେ । ସେ ଲେଖିଥିଲେ –
ରାଜନୀତି ବଡ଼ ବିଚିତ୍ର ! ବେଶ୍ୟାର ପ୍ରଣୟ ଅଥବା ଜହ୍ନର ଛାଇରେ ବରଂ କେତେକ ସ୍ଥିରତା ଥାଇପାରେ, ମାତ୍ର କ୍ଷମତା ରାଜନୀତିରେ ବନ୍ଧୁତ୍ଵ ଓ ବୈରୀତ୍ଵ ଚଲାମେଘ ପରି ଅସ୍ଥିର । ଏହି ମୁହୂର୍ତ୍ତର ଶତ୍ରୁ ପର ମୁହୂର୍ତ୍ତରେ ପରମବନ୍ଧୁ ବା ସୁହୃଦ । ଯେଉଁ ଛୁରୀଟା ଏତେକାଳ ପଜା ଚାଲିଥିଲା ଶତ୍ରୁ ବେକରେ ପଡ଼ିବା ପାଇଁ, ନିମିଷକ ମଧ୍ୟରେ ତାହା ପୁଣି ମିତ୍ରର ବେକ ଉପରକୁ ଛିଡ଼ିକି ଆସେ ।

“ରାଜନୀତି ସୁବିଧାବାଦର ଏକ ମହାରଣ୍ୟ- ଆତ୍ମରକ୍ଷା ଓ ଆତ୍ମସ୍ୱାର୍ଥ ହେଲା ସେଠାରେ ଏକମାତ୍ର ଧର୍ମ ।”
ସୁରେନ୍ଦ୍ର ମହାନ୍ତିଙ୍କ ଏହି କେଇ ଧାଡ଼ି ବର୍ତ୍ତମାନର ନିତିବିହୀନ ରାଜନୀତିରେ ପ୍ରତ୍ୟହ ଦେଖିବାକୁ ମିଳୁଛି । କେବଳ ସେତିକି ନୁହଁ ସତ କହିବା ଓ ଲେଖିବାର ସାହସ ରଖୁଥିଲେ ସୁରେନ୍ଦ୍ର । ଅର୍ଥ ଜରିଆରେ ମୁଖ୍ୟମନ୍ତ୍ରୀ ଆସନ ହାସଲ କରିଥିବା ଜନୈକ ରାଜନେତାଙ୍କ କଥାକୁ ସିଧାସଳଖ ନିଜ ଲେଖନୀ ଜରିଆରେ ପରପିଢ଼ି ପାଇଁ ଲିପିବଦ୍ଧ କରିଯାଇଛନ୍ତି ସୁରେନ୍ଦ୍ର । ସମୟ ବଦଳିଛି, ଆଜି ସୁରେନ୍ଦ୍ର ମହାନ୍ତି ନାହାଁନ୍ତି, କିନ୍ତୁ ସେ ପଛରେ ଛାଡ଼ି ଯାଇଛନ୍ତି ତାଙ୍କ ସାହିତ୍ୟିକ ସୃଷ୍ଟି, ଯାହା ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରୁଛି । ଗଣମାଧ୍ୟମ ଆଜି ପ୍ରଭାବଶାଳୀ ଗୋଷ୍ଠୀର ମୁଖପତ୍ର ହେବାକୁ ଚେଷ୍ଟିତ, କିନ୍ତୁ ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ବାଦିକ ଓ ସ୍ତମ୍ଭକାର ଜୀବନ ଗଣମାଧ୍ୟମର ବାସ୍ତବ ଉଦ୍ଦେଶ୍ୟକୁ ଚେତାଇ ଦିଏ, ଆଉ ଜଣେ ରାଜନେତା ଭାବେ ତାଙ୍କ ସାଲିସବିହୀନ ଜୀବନ ଉତ୍ତର ପିଢ଼ିକୁ ପ୍ରେରଣା ଦେଉ, ଏହାହିଁ କାମନା । ତେବେ ଓଡ଼ିଆ ଜାତିକୁ ସୁରେନ୍ଦ୍ରଙ୍କ ଅବଦାନ ତୁଳନାରେ ତାଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହା ବୋଧହୁଏ ଆଜିର ଦିନରେ ଆମେ ଦେଇପାରିନାହୁଁ । ସୁରେନ୍ଦ୍ର କେବଳ କଟକ ପୁରୁଷୋତ୍ତମପୁରର ଲୋକନାଥ ମହାନ୍ତିଙ୍କ ପରିବାରର ନୁହଁ, ସେ ସମଗ୍ର ଓଡିଆ ଜାତିର । ତାଙ୍କ ସାରସ୍ଵତ ସାଧନା, ତାଙ୍କ ନିର୍ଭୀକ କଲମ ଚାଳନା, ତାଙ୍କ ସାଲିସବିହୀନ ରାଜନୀତି ପାଇଁ ସେ ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ ପାଲଟିସାରିଛନ୍ତି । ସୁରେନ୍ଦ୍ର ସାହିତ୍ୟ ଓ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଉତ୍ତର ପିଢ଼ିକୁ ସଚେତନ କରାଇବା ଏବେ ଆମ ପାଇଁ ସମୟର ଆହ୍ବାନ ।

ତିର୍ତ୍ତୋଲ, ଜଗତସିଂହପୁର

ଲେଖକ ପରିଚୟ

କଲେଜ ପଢିଲାବେଳଠୁ ଲେଖା ଆରମ୍ଭ ହୋଇଯାଇଥିଲା । ପ୍ରଥମ ଲେଖା ଥିଲା ଗୋଟିଏ ଗପ ‘ଫଗୁଣର ଭେଟି’ । ମୋ ସାହିତ୍ୟ ଜଗତର ଗୁରୁ ଓ ପ୍ରେରଣା କହିଲେ ମୋ ବାପା ଯିଏ କି ସାମ୍ବାଦିକତା ଆରମ୍ଭ କରିଥିଲେ ନିଆଁଖୁଣ୍ଟା, ବଜ୍ରବାଣର ସମ୍ପାଦକ । ସମାଜର ଘଟଣାବଳୀ ଯଦି ଲେଖାରେ ପରିପ୍ରକାଶ ହୋଇପାରେ ଠିକ ସେତେବେଳେ ସମାଜରେ ବିପ୍ଲବ ଆସେ, ପରିବର୍ତ୍ତନ ଆସେ । ସବୁବେଳେ ତେଣୁ ଲେଖା

Related Posts

Leave a Reply

Your email address will not be published. Required fields are marked *