ଡ. ଶୈଳଜା ମିଶ୍ର
ମଇନା କଥା କ’ଣ କହିବ, ତା’ ବିଷୟରେ ଯେତେ କହିଲେ ବି ସରିବ ନାହିଁ l ଦିନେ ବାପା ସକାଳୁ ଅଫିସ ଗଲାବେଳେ ଗୋଟିଏ ଶୁଖୁଆବାଲାକୁ ଭେଟିଲେ, ସେହି ଲୋକଟି ତା’ ଟୋକେଇରେ ବଣି ଚଢେଇଟିକୁ ବାନ୍ଧି ନେଉଥାଏ l ବାପାଙ୍କ ନଜର ତା’ ଉପରେ ପଡ଼ିବାକ୍ଷଣି ତାକୁ ଦଶ ଟଙ୍କାରେ କିଣି ଆଣି ଘରେ ପଞ୍ଜୁରୀରେ ରଖିଲେ l ବେଶ କିଛିଦିନି ଗଲା ସେ ଖାଇପିଇ ପଞ୍ଜୁରୀ ଭିତରେ ରହିଲା l
ଦିନେ ବାପା ତାକୁ କଥା ଶିଖେଇବାକୁ ଚେଷ୍ଟା କଲେ, ମିଛି ମିଛିକା ବଣିର ଆଢୁଆଳରେ ରହି “ପଡ଼ିଗଲି । ମରିଗଲି । ମୋତେ ରକ୍ଷା କର”, ଏମିତି ବାରମ୍ବାର କହିବାକୁ ଲାଗିଲେ । ବାପାଙ୍କ କଥା ଶୁଣି ବଣି ଜବାବ ଦେଲା- “କ’ଣ ହେଲା, କ’ଣ ହେଲା ?”
ବୋଉ ତାକୁ ପଚାରିଲା- “ତୁ କଥା କହିପାରୁଛୁ ?” ସେ କହିଲା- “ମୋତେ ଖାଇବାକୁ ଦେବୁ ଲୋ ବୋଉ, ମୋତେ ପଞ୍ଜୁରୀ ଭିତରୁ ବାହାର କର ।“ ବୋଉ କହିଲା- “ନା ନା । ତୋତେ ପଞ୍ଜୁରୀ ଭିତରୁ ବାହାର କଲେ ତୁ ଉଡିଯିବୁ ।“ ସେ କହିଲା- “ତୁମ ରାଣ । ନା ନା ତୁମ ରାଣ ମୁଁ ଜମା ତୁମକୁ ଛାଡ଼ି ଯିବି ନାହିଁ l” ବଣି ପଞ୍ଜୁରୀ ଭିତରୁ ବାହାରି ବାପା ଓ ପରେ ବୋଉ କାନ୍ଧ ଉପରେ ବସିପଡ଼ିଲା l ବାପା ସବୁଦିନ ତାକୁ ପାଚିଲା କଦଳୀ, ଲଙ୍କା ଖାଇବାକୁ ଦେଇ କଥା କହିବା ଶିଖେଇଲେ । ଏଭଳି କଥା କହିଲା ଯେ ତା କଥାରେ ବାଟୁଳି ବାଜିଲା ନାହିଁ l ତାକୁ କେହି କଥାରେ ପାରିଲେ ନାହଁ l ଆମେ ସମସ୍ତେ ମଇନା ମଇନା ଡାକିଲୁ l ମଇନାର କଥା ଶୁଣିବା ପାଇଁ ସାଇପଡ଼ିଶା ଲୋକେ ଦେଖିବାକୁ ଆସିଲେ l ମଇନା ସମସ୍ତ ଚଢେଇମାନଙ୍କ କଥା କୁହେ । ଥରେ ବାପା ତାକୁ ପଚାରିଲେ- “ତୁ ଉଡ଼ିଗଲେ କ’ଣ କହୁ ? ସେ କହିଲା- “ଆମେ ଉଡ଼ିଗଲେ ଶ୍ରୀରାମ ଚନ୍ଦ୍ର କହି ଫୁର୍ କରି ଉଡ଼ିଯାଉ ।“
ମଇନା ବାପାବୋଉର ଅତି ଆଦରର l ଘରେ ତାର ହିଁ ଆଇନି ଚାଲେ l ବାପା ଯାହା ଖାଇବା ଆଣନ୍ତି ତାର ଭାଗେକୁ ଆମର ଭାଗେ । ମୁଁ ହେଲି ସବୁଠାରୁ ସାନ ପୁଅ, ହେଲେ ମଇନାକୁ ବାପାବୋଉ ଅଧିକ ଭଲପାଆନ୍ତି l ସାଇପଡ଼ିଶା ଲୋକମାନଙ୍କୁ ସବୁ ଖତେଇ ହୋଇ କଥା କହେ ସେ l ଘରର ଚାଳ ଉପରେ ବସି ବାପାଙ୍କ ଅଫିସରୁ ଫେରିବାର ଖବର ଦିଏ l ବାପା ଅଫିସରୁ ଫେରି ପାଦରୁ ଚପଲ କାଢି ନଥିବେ କି, ସେ ଆମ ଭାଇମାନଙ୍କ ଦୁଷ୍ଟାମ ବଖାଣିବ l ଏମିତି କି ଦିନଯାକର କାମ କଥା ସବୁ ଡ଼ଗଡ଼ଗ ହେଇ କହିପାକାଏ l ବାପାଙ୍କ ସାଇକେଲ ହାଣ୍ଡେଲ ଉପରେ ବସି ହାଟ, ବଜାର, ମେଳା ବୁଲିବାକୁ ଯାଏ l ବାପା ଅଫିସରୁ ଫେରିବାକ୍ଷଣି ବ୍ୟାଗ ଭିତରୁ ସବୁ ଜିନିଷ ଥଣ୍ଟରେ ଆଡ଼େଇ କରି ଦେଖି କହି ପକାଏ- “ମୋ ପାଇଁ କ’ଣ ଆଣିଛ ବାପା ?
ମୋ ବିସ୍କୁଟ ତକ ଖାଇଦିଏ ଆଉ ବୋଉକୁ କହିପକାଏ- “ଏ ବଡ଼ଟୋକାକୁ କିଛି ଖାଇବାକୁ ଦବୁ ନାହିଁ ? କୋଉ ରୋଜଗାର କରିବାକୁ ଯାଉଛି କି ? ଦିନଯାକ ବୁଲିବୁଲି ଆସି ବୋଝେ ଖାଉଛି l” ଘରକୁ ଅଜଣା ଲୋକ ଆସିଲେ ବୋଉକୁ ଡାକ ପକାଏ- “ଆମ ଛୋଟ ପୁଅକୁ ଲୁଚେଇ ଦେ’ । କିଏ କାଳେ ନେଇଯିବ l” ବାପାଙ୍କ ଆଗରେ ଅଳି କରି କହେ- “ଏଇ ଟୋକମାନେ ସବୁ ଖାଇଦେଉଛନ୍ତି, ମୋ ପାଇଁ କିଛି ରଖୁନାହାନ୍ତି l”
ଦିନେ ମଇନା ବାପାଙ୍କ ସାଙ୍ଗରେ ଅଫିସ ଗଲା l ଅଫିସରେ ଲୋକେ ଏତେ ସୁନ୍ଦର ସ୍ପଷ୍ଟ କଥା କହୁଥିବା ବଣିକୁ ଦେଖି ଆଶ୍ଚର୍ଯ୍ୟ ହେଲେ, ମଇନାକୁ ପଚାରିଲେ- “ତୁ କ’ଣ ଖାଉ ?” ମଇନା କହିଲା- “ଆମ ଘରେ କ୍ଷୀର,ବିସ୍କୁଟ, ଭାତ ସବୁ ଖାଏ l” ମୋତେ ତମେ କ’ଣ ଖାଇବାକୁ ଦେଇପାରିବ କି ?
ସବୁଆଡ଼େ କାଗଜ ବିଡ଼ାବିଡ଼ା ହୋଇ ଅଳିଆ ଗଦା ଭଳି ଥୁଆହୋଇଛି l ଅଫିସରେ ବହୁତଗୁଡ଼ିଏ ଲୋକଙ୍କୁ ଦେଖି କାନ୍ଦିବାର ଅଭିନୟ କରି କହିଲା- “ବାପା ! ଚାଲ ଘରକୁ ପଳାଇବା, ଏଠି କ’ଣ ଏତେ ଲୋକ l ମୋତେ ନେଇ ଚାଲ l” ଅଫିସରେ କାମ କରୁଥିବା ଗୋଟିଏ ଲୋକଟିକୁ ଦେଖି ପଚାରିଲା- “ଇଏ କିଏ ? ଇଏ କ’ଣ କରୁଛି ?”
ବାପା ତାକୁ ବୁଝାଇ ଦେଲେ- “ଇଏ ହେଉଛନ୍ତି ଆମ ବଡ଼ବାବୁ । ଅଫିସରେ କାଗଜପତ୍ର କାମ କରନ୍ତି ।“ ବାପାଙ୍କ ଅଫିସରେ ଖାସୀମ ବୋଲି ଗୋଟିଏ ଲୋକ ଥିଲା, ସେ ମଇନା କଥା ଶୁଣି ଖୁବ ହସେ l ସେ କୁହନ୍ତି- “ତୁ ଆମ ଭଳି କେମିତି କଥା ହେଉଛୁ ?” ମଇନା ତାଙ୍କ କଥା ଶୁଣି ଜବାବ ଦିଏ l “ମୋତେ ଦେଖି ହସୁଛ କ’ଣ ପାଇଁ ? ମୁଁ କ’ଣ ମଣିଷ ନୁହେଁ ?”
ମଇନାକୁ ଦେଖା କରିବାକୁ ଗୋଟିଏ ବଣିଟିଏ ଆସେ, ସେ ଡାକିଲେ ଫୁରକରି ଗଛ ଉପରକୁ ଉଡ଼ିଯାଇ ତା’ ସହିତ କଥା ହୁଏ l ବାପା ପଚାରନ୍ତି, ସେ ତୋତେ କ’ଣ କହୁଥିଲା, “ନା ଇ ଯେ, ସେ ମୋତେ ସାଙ୍ଗରେ ନେବା ପାଇଁ ଡାକୁଥିଲା l” ତାହେଲେ ତୁ ଗଲୁନାହିଁ କାହିଁକି ? ମଇନା କୁହେ- “ବାପାବୋଉକୁ ଛାଡ଼ି କୁଆଡ଼େ ଯିବି ନାହିଁ l”
ବର୍ଷା ଦିନ ହୋଇଥାଏ l ଝିପିଝିପି ବର୍ଷା ଲାଗି ରହୁଥାଏ l ମଇନା ଏଇଠି ଆସୁଛି କହି ଫୁର୍ କରି ଉଡ଼ିଗଲା । ତା’ କିଛି ସମୟ ପରେ ଆମେ ତାକୁ ଅନେକ ଡାକିଲୁ ହେଲେ, ମଇନାର ଖୋଜଖବର ପାଇଲୁ ନାହିଁ l ତାକୁ ନିଶ୍ଚୟ ସାହିରେ କିଏ ନେଇଛି ବୋଲି ଭାବି ଜଗି ବି ରହିଲୁ l ଆମ ଘରେ ଖାଇବାପିଇବା ବନ୍ଦ ହୋଇଗଲା l ସେ ଘରର ସଦସ୍ୟ ଭଳି ଥିଲା l ସେ ଗଲାପରେ ତାକୁ ଆମେ ଖୁବ ଝୁରିଲୁ l ବଣି ସିନା କୁଆଡ଼େ ଚାଲିଗଲା, ହେଲେ ତା’ କଥାଗୁଡ଼ିକ ରହିଗଲା l
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।