ଶିବାଶିଷ ପାଢ଼ୀ

ନିସ୍ତବ୍ଦ ଥିଲା ପରିବେଶ । ପାଖ ପଡ଼ୋଶୀ ଆସି ଆସି ମାଆଙ୍କ ଶେଷଦର୍ଶନ କରି କି ଯାଉଥିଲେ । କିଏକିଏ ରହୁଥିଲେ ତ ଆଉ କେହିକେହି ନିଜ ଦାୟିତ୍ୱ ତୁଟାଇ ଯାଉଥିଲେ । ବ୍ରାହ୍ମଣଙ୍କ ନିର୍ଦେଶ ଅନୁସାରେ ଚାଲିଥିଲା ପ୍ରସ୍ତୁତି । ଦୁଇ ପୁଅ ଲାଗିଥିଲେ । ଆଉ ଗୋଟିଏ କୋଣକୁ ଚୁପଚାପ ବସିଥିଲେ ବାପା । ଲାଗୁଥିଲା ଯେମିତି ବାପା ତ ନୁହନ୍ତି ପ୍ରତିମାଟାଏ ରଖା ହୋଇଛି କୋଣରେ । ଫରକ ଥିଲା କେବଳ ଜୁଳୁଜୁଳୁ ଚାହୁଁଥିଲେ ବାପା । କିଛି କହୁ ନଥିଲେ କି ଆଖିରୁ ଟୋପାଏ ବି ଲୁହ ଝରୁ ନଥିଲା । ଆଉ ବାପାଙ୍କ ସେ ଅବସ୍ଥା ଦେଖି କୁହାକୁହି ହେଉଥିଲେ ଲୋକେ । ବିଶେଷ କରି ସେଠାରେ ବସିଥିବା ସାହି ମାଇପିଗଣ ମାତିଥିଲେ ଚର୍ଚ୍ଚାରେ ।
ବିଚାରି ସର କେତେ ସେବା କରୁଥିଲା । ତା ପାଇଁ କାନ୍ଦିବା ତ ଦୂରର କଥା ସମବେଦନାର ପଦେ ବି ନାହିଁ । ଛି । ଚର୍ଚ୍ଚା ଚାଲିଥିଲା ଛପିଛପି । ଆଉ ସେତେବେଳେ ଆସିଥିଲା ସେ ସମୟ ।

“ରାମ ନାମ ସତ୍ୟ ହେ … ହରି ନାମ …” ଉଠିଥିଲା କୋକେଇ । ଉଠିଥିଲା ଏକ ସମବେତ କ୍ରନ୍ଦନର ରୋଳ ।
ସେତେବେଳେ ହିଁ ଉଠିଥିଲେ ବାପା । ଖୁବ ଜୋରରେ ପାଟିକରି କୋକେଇ ପଛେ ଦୌଡୁଥିଲେ ସେ । ତାଙ୍କୁ ଧରିବାକୁ ଯାଉଥିଲା ତରୁଣ । କିନ୍ତୁ ହଠାତ କିଛି ଦୌଡ଼ି ପାଦ ଯାଇ ପଡ଼ିଗଲେ ବାପା । ମୁର୍ଚ୍ଛା ହୋଇଗଲେ ସେ ।

ସାଙ୍ଗେସାଙ୍ଗ ଡାକ୍ତରଖାନା ନିଆ ଯାଇଥିଲା । ତରୁଣ ଥିଲା ସାଙ୍ଗରେ । ନିଜ ଜୀବନର ଚାଲିଶ ବର୍ଷରେ ପ୍ରଥମଥର ପାଇଁ ବାପାଙ୍କ କାନ୍ଦିବା ଦେଖିଥିଲା ସେ ।ଭାବୁଥିଲା ପୁରୁଣା କଥା ।

ଯୁଗ୍ମ ପରିବାରର ତିନି ପିଢ଼ିର ଦାୟିତ୍ୱ ବୁଝୁଥିଲେ ମାଆ । ବାପା ଅଫିସରୁ ଆସି ଲାଗି ପଡୁଥିଲେ ଛୁଆଙ୍କ ପାଠପଢ଼ାରେ । ଏକାଠି ବସି ଆଲୋଚନା କରିବାର କି କେବେ କୁଆଡ଼େ ଏକାଠି ଯିବାର ସୁଯୋଗ ଖୁବ କମ ମିଳୁଥିଲା । ଏକାଠି ଥିଲେ ବି ନିଜନିଜ କର୍ତ୍ତବ୍ୟ ପଥରେ ଏମିତି ମଜ୍ଜିଥିଲେ ସେମାନେ ଯେ ଲାଗୁଥିଲେ ଗୋଟିଏ ନଈର ଦୁଇଟି କୂଳ ଭଳିଆ ।

ଆଉ ଆଜି ମାଆଙ୍କ ପାଇଁ ବାପାଙ୍କ ଏତେ ଭଲ ପାଇବାକୁ ପ୍ରଥମ ଥର ପାଇଁ ଅନୁଭବ କରୁଥିଲା ସେ । ଅଭିଭୂତ ଥିଲା ସେ । ବାପାଙ୍କୁ ଡାକ୍ତର ଦେଖୁଁଦେଖୁଁ ଘୋଷଣା କରିଦେଲେ । ମାଆଙ୍କ ପଛେପଛେ ଯାଇ ସାରିଥିବା ବାପା ଶୋଇଥିଲେ ଖୁବ ଶାନ୍ତରେ । ତରୁଣ ଭାବୁଥିଲା ଏଇଟା ହିଁ ପ୍ରକୃତରେ ନିଶବ୍ଦ ପ୍ରେମ ଯେଉଁଠି କେବଳ ପ୍ରେମ କରାଯାଏ । ଯେଉଁଠି କୌଣସି ବାହ୍ୟ ପ୍ରଦର୍ଶନ ନଥାଏ କିନ୍ତୁ ପ୍ରେମର ଫଲ୍ଗୁ ଅହରହ ବୋହୁଥାଏ । ନିଜ ଆଖି ପୋଛି ଚାଲିଥାଏ ସେ ।

ହେମଗିର, ସୁନ୍ଦରଗଡ଼-୧୩, ମୋବାଇଲ – ୯୭୭୮୧୭୪୯୭୮

ଲେଖକ ପରିଚୟ

ପ୍ରାୟତଃ ଚାରି ବର୍ଷ ହେବ ଗଳ୍ପ ଲେଖିବାର ଚେଷ୍ଟାରେ ମୁଁ । ଏ ଯାଏଁ ଚାରୋଟି ଗଳ୍ପ ସଂକଳନ ପ୍ରକାଶିତ ହୋଇସାରିଛି । ବିଭିନ୍ନ ପତ୍ରପତ୍ରିକାରେ ଅନେକ ଗଳ୍ପ ପ୍ରକାଶିତ ହୋଇସାରିଛି । ମୁଖ୍ୟତଃ ସାମାଜିକ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଥିବା ମୋର ଗଳ୍ପ ସବୁର କଳେବରରେ ଛୋଟ ନିଶ୍ଚେ, କିନ୍ତୁ ନିଜ ଭିତରେ ଏକ ବୃହତ ସାମାଜିକ ବାର୍ତ୍ତା ବହନ କରିବାର ସାମର୍ଥ୍ୟ ରଖେ ବୋଲି ପାଠକୀୟ ମତାମତ କୁହେ ।

Related Posts

Leave a Reply

Your email address will not be published. Required fields are marked *