ବିନୟ ମହାପାତ୍ର

ଅନେକ ସମୟ ହେବ ସୂର୍ଯ୍ୟ ବୁଡ଼ି ସାରିଥିଲା, ତଥାପି ଭଲ ଭାବରେ ଅନ୍ଧାର ହୋଇ ନଥିଲା । ଅନ୍ଧାର କେମିତି ହୋଇ ଥାଆନ୍ତା ଯେ ? ସେଫାଳୀ ପରା ମୋ ସାଥିରେ ଥିଲା ! ଜୋତ୍ସ୍ନାର ସୁନେଲି କିରଣରେ ସାରା ପରିବେଶକୁ ରୋମାଣ୍ଟିକ ରଙ୍ଗରେ ରଙ୍ଗେଇ ଦେବା ପାଇଁ ମୋ ସାଥିରେ ଦୁଇ, ଦୁଇଟି ଜହ୍ନ ଥିଲେ । ଗୋଟିଏ ପ୍ରଗଳ୍ଭା ଜହ୍ନ ମୋ ବାହୁ ବନ୍ଧନରେ ମୋତେ ଜାବୁଡି ଧରି ଥିଲା, ଆଉ ଗୋଟିଏ ଜହ୍ନ ଆକାଶରେ ଆମକୁ ଲୁଚିଲୁଚି ଦେଖୁଥିଲା ଏବଂ ଇର୍ଷାରେ ଲାଜେଇ ଯାଉଥିଲା । ସେଫାଳୀ ସାଥିରେ ଥିଲେ ପରିବେଶ ଆହୁରି ବହୁତ ରୋମାଣ୍ଟିକ ହୋଇଯାଏ, ସମୟ ଜଣା ପଡ଼େନି । ଦୂର ପାହାଡ଼ ତଳେ କେଉଁ ଏକ ଝଙ୍କା ଶାଳ ଗଛ ଆରପଟେ ଜହ୍ନ ଆମ ଦୁଇ ଜଣଙ୍କୁ ଲୁଚିଲୁଚି ଦେଖୁଥିଲା । ମିଠାମିଠା ସୁନେଲି ଆଲୋକର ଶୀତଳ ଜୋତ୍ସ୍ନାରେ ସତେ ଅବା ସାରା ଆକାଶଟା ଭିଜି ଯାଇଥିଲା । ପବନ, ତରୁ, ଲତା, ଦୂର ପାହାଡ଼ ଆଉ ଚାରି ପାଖରେ ଥିବା ଉଚ୍ଚାଉଚ୍ଚା ଝଙ୍କାଳିଆ ଶାଳ ବଣ ଏବଂ ବାକିଥିବା ଆଉ ସବୁ କିଛି ପ୍ରେମର ରଙ୍ଗରେ ସତେଯେପରି ଜୁଡୁବୁଡୁ ହୋଇ ଯାଇଥିଲେ ।
 
ରାସ୍ତାର କଡ଼େକଡ଼େ ଟିକିଏ ଦୂରରେ ପାହାଡ଼ି ଝରଣାଟିଏ ବୋହି ଯାଉଥିଲା । ଝରଣାରେ ପାଦ ଛପ୍ ଛପ୍ ପାଣି ବି ଥିଲା, ଆଉ ଝରଣାଟି କୁଳୁକୁଳୁ ଗୀତ ଗାଇଗାଇ ତାର ଅଙ୍କାବଙ୍କା ଜଳଧାରା ସାଥିରେ ବାଲିଗରଡ଼ା ଉପରେ, ପଥର ସନ୍ଧିରେ ଲାଜେଇ ଲାଜେଇ ବଡ଼ ସନ୍ତର୍ପଣରେ କୁଆଁରୀ ଝିଅଟିଏ ପରି ବୋହି ଯାଉଥିଲା । ଯେମିତି ଲାଜୁକୀ ନୂଆ ବୋହୂଟିଏ ପାଦର ପାଉଁଜୀ ରୁଣୁଝୁଣୁ ବଜାଇ, ତାର ଲମ୍ବା ଓଢଣୀ ଭିତରୁ ଏପଟ ସେପଟକୁ ଥରେ ଦେଖି ନେଇ ଜାଆ ଦେଢଶୁର ଘରେ ବଡ଼ ସନ୍ତର୍ପଣରେ ଅଳିନ୍ଦ ଟପି ଚାଲିଯାଉଛି । କେବେକେବେ ମନେ ହେଉଥିଲା, ସତେ ଅବା ମହୁଲି ନିଶାରେ ମତୁଆଲୀ କେଉଁ ଏକ ଅନୁଢା ଧାଙ୍ଗଡ଼ୀ, ତାର ପ୍ରେମିକର ପ୍ରଥମ ପ୍ରଣୟ ସ୍ପର୍ଶରେ ଲାଜେଇ ଯାଇଛି, ଆଉ ତାର ଲାଜଲାଜ ଚଞ୍ଚଳ ହରିଣୀ ଚାଲିରେ, ପାଦ ପାଉଁଜୀର ଝଙ୍କାର ଶୁଣେଇ ଲଟା, ବୁଦା ଘେରା ଏଇ ଝରଣା କୂଳରେ ଖିଲିଖିଲି ହସି କେଉଁଠି ଲୁଚିଯିବା ପାଇଁ ଧାଇଁ ଯାଉଛି । ଝରଣା କୂଳରେ ଝିଙ୍କାରୀ ବି ଥିଲା ଏବଂ ଆମ ମିଳନର ଉତ୍ସବରେ ସିଏ ବି ଆନନ୍ଦ ବିଭୋଇ ହୋଇ ଯାଇଥିଲା, ଆଉ ତାର ସାହାନାଇରେ ମିଳନର ରାଗ ଆଳାପନରେ ମଗ୍ନ ହୋଇ ଯାଇଥିଲା ।
 
ସେଫାଳୀ ତାର ଗୋଟିଏ ହାତରେ ମୋର ଅଣ୍ଟାକୁ କୁଣ୍ଢେଇ ଧରିଥାଏ, ଆଉ ଗୋଟିଏ ହାତରେ ମୋ ହାତକୁ ଜାବୁଡ଼ି ଧରିଥାଏ । ମୋ କାନ୍ଧ ଉପରେ ମଥା ରଖି ଲତାଟିଏ ପରି ମୋ ଦେହରେ ଲଟେଇ ହୋଇ ଯାଇଥିଲା ଯେପରି । ରାତିଜଗା ପକ୍ଷୀଙ୍କର କଳରବ ସହିତ କେଉଁ ଦୂରରୁ ମୂରଲୀର ମଧୂର ସ୍ୱର ଭାସି ଆସୁଥିଲା । ହୋଇପାରେ କେଉଁ ଏକ ବିରହି ପ୍ରେମିକ ତାର ପ୍ରିୟତମା ପାଇଁ ସଙ୍ଗୀତର ସୁରେସୁରେ ମିଳନର ସଙ୍କେତ ପଠାଉଥିଲା । ଆମେ କିନ୍ତୁ ପ୍ରଣୟ ନିଶାରେ ମଶଗୁଲ ଦୁଇ ପ୍ରେମୀ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ ପଥରେ ବେପରୁଆ ଭାବରେ ଏମିତି ଆଗେଇ ଚାଲି ଯାଉଥିଲୁ । ଜଞ୍ଜାଳ ଭରା ସହରର ଗହଳଚହଳ ଆଉ ଦୁନିଆର ଭିଡ୍ ଭାଡ୍ ଠାରୁ ଅନେକ ଦୂରରେ ପ୍ରେମ ପାଇଁ ଆଉଏକ ନୂଆ ଦୁନିଆର ସନ୍ଧାନରେ ବାହାରିଛୁ । ଆମ ପାଇଁ ସମୟର କିଛି ବନ୍ଧନ ନାହିଁ, କିଛି ରୋକ୍ ଟୋକ୍ ନାହିଁ । ଆମେ ଦୁଇ ଜଣ ମୁକ୍ତ ଆକାଶରେ ବିହଙ୍ଗର ଡେଣା ନେଇ ଉଡ଼ି ଯିବାକୁ ଚାହୁଁଥିଲୁ । ଆମକୁ ଆଜି କେହି ଲୁଚିଲୁଚି ଦେଖୁ ନାହାନ୍ତି, ଆମ କଥା କେହି ଲୁଚିଲୁଚି ଶୁଣୁ ନାହାନ୍ତି, ଆମେ ମୁକ୍ତ, ଆମେ ସ୍ୱଚ୍ଛନ୍ଦ, ଆମେ ଆନନ୍ଦ ବିଭୋର, ଧୁଆଁଧୁଆଁ ଜୋତ୍ସ୍ନାର ସମୁଦ୍ରରେ ନିଶ୍ଚିନ୍ତରେ ପହଁରି ବୁଲୁଥିଲୁ ।
 
ରାସ୍ତା ସରି ନଥିଲା, କିନ୍ତୁ ଅମାନିଆ ଟିକି ଝରଣାଟି ଆମର ପଥ ଓଗାଳି ବୋହି ଯାଉଥିଲା । ତାର କୁଳୁ କୁଳୁ କୋକିଳ କଣ୍ଠରେ ଆମକୁ ସତେ ନିମନ୍ତ୍ରଣ ଦେଇ କହୁଥିଲା, ହେ ବାଟୋଇ, ଦି’ଘଢି ଅଟକି ଯାଅନା ! ତୁମର ଏଇ ପ୍ରେମିକା ପରି ମୁଁ ବି ତ କାହାର ପ୍ରେମିକାଟିଏ, ଏମିତି ବେପରୁଆ ଗୀତ ଗାଇଗାଇ ନିତି ବୋହି ଯାଉଛି । ଜାଣିନି, ମୋ ପ୍ରେମିକ କେଉଁଠି ମୋର ପଥ ଚାହିଁ ବସି ରହିଥିବ, କେଜାଣି । ଆସ ମୋ ପାଖରେ ଦି’ଘଡି ବସ, କିଛି ଗପସପ୍ କରିବା । ତୁମେ ତୁମ ପ୍ରେମ କାହାଣୀରୁ କିଛି କହିବ, ମୁଁ ଶୁଣିବି, ଆଉ ମୁଁ ମୋ ପ୍ରେମ କାହାଣୀରୁ କିଛି ତୁମକୁ କହିବି, ତୁମେ ଶୁଣିବ । ପାଦ ଛପ୍ ଛପ୍ ଝରଣା ଜଳରେ ଜହ୍ନ ସତେ ସୁନେଲି ରଙ୍ଗ ଗୋଲେଇ ଦେଇଥିଲା । ଝରଣାର ଜଳ ଆଉଟା ସୁନାର ପତଳା ଧାରାଟିଏ ହୋଇ କୁଳୁକୁଳୁ ବୋହି ଯାଉଥିଲା । ସେଇ କୁହୁକିନୀ ଝରଣାର ଜଳ ସେଫାଳୀକୁ ସତେ ସମ୍ମୋହିତ କରି ଦେଇଥିଲା । କୁନି ଝିଅଟିଏ ପରି ସେ ତାର ଶାଢିକୁ ନିଜ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଦେଇ ଜଳର ଧାରେ ଧାରେ ପାଦ ଛପ୍ ଛପ୍ କରି ଧାଇଁ ଯାଉଥିଲା ସିଏ । ଝରଣାର କୁଳୁକୁଳୁ ସଂଗୀତ ଆଉ ସେଫାଳୀର ପାଦ ପାଉଁଜୀର ମଧୂର ଝଙ୍କାର ନାଦର ଜୁଗଳବନ୍ଦୀ ପରିବେଶକୁ ମୋ ପାଇଁ ଆହୁରି ଅଧିକ ରୋମାଣ୍ଟିକ୍ କରି ଦେଇଥିଲା ।
 
ସେଫାଳୀର ଏଇ ବେପରୁଆ ରୂପ ମୁଁ ଆଜି ପ୍ରଥମଥର ପାଇଁ ଦେଖୁଛି, ପ୍ରେମ କରିବା ସମୟରେ ମଧ୍ୟ ସେ ଏପରି ବେପରୁଆ ଥିଲା, ହେଲେ ସେ ପ୍ରେମ ଜୀବନର ସ୍ୱଚ୍ଛନ୍ଦତାର ପାଦରେ ସନ୍ଦେହର ଏକ ମୋଟା ଜଞ୍ଜିର ବନ୍ଧାଥିଲା, କିନ୍ତୁ ବାହାଘର ପରେ ଏଇ ହନିମୁନ୍ ଟ୍ରିପରେ ବହୁତ ଅଲଗା ଅଲଗା ଲାଗୁଛି ସେଫାଳୀ, ବହୁତ ବଦଳି ଯାଇଛି ସେ । ଛୋଟ କୁନି ଝିଅଟିଏ ହୋଇଯାଇଛି ଯେପରି । ସତେ ବା ନୀଳ ଆକାଶରେ କୁନି ଚଢେଇଟିଏ, ତାର ଡେଣା ଝାଡ଼ି ଉଡ଼ି ବୁଲୁଛି, ନିଶ୍ଚିନ୍ତ, ନିର୍ଭୟ, ବେପରୁଆ ଭାବରେ । ଶୋ’ରୁମରେ ମନ ପସନ୍ଦର ଡ୍ରେସ ଦେଖିବା, ଟ୍ରାଏଲ ରୁମରେ ତାକୁ ପିନ୍ଧି ଆଇନାରେ ନିଜକୁ ଦେଖି ଖୁସି ହୋଇଯିବା ପରେ ବି ମନରେ ସନ୍ଦେହ ରହିଯାଏ, ଏଇ ଡ୍ରେସଟିକୁ କିଣି ପାରିବ କି ନାହିଁ । କିନ୍ତୁ ସେଇଟା କିଣି ସାରିବା ପରେ ପ୍ରାପ୍ତିର ଯେଉଁ ଆନନ୍ଦ ଆସେ ତାହା ଅବର୍ଣ୍ଣନୀୟ । ବୋଧ ହୁଏ ସେମିତି ଡର ସବୁ ପ୍ରେମିକ ପ୍ରେମିକାଙ୍କ ମନରେ ଥାଏ । ସେମାନଙ୍କ ପ୍ରଣୟ, ପରିଶେଷରେ ପରିଣୟରେ ପରିବର୍ତ୍ତିତ ହୋଇପାରିବ କି ନାହିଁର ସନ୍ଦେହ ସବୁ ପ୍ରେମିକ, ପ୍ରେମିକା ମନରେ ଥାଏ ? ଯଦିଓ ପ୍ରେମ ଚିରନ୍ତନ, ସାସ୍ୱତ, ରାଧାକୃଷ୍ଣଙ୍କ ପ୍ରେମକୁ ଆମେ ଶ୍ରଦ୍ଧାରେ, ସମ୍ମାନ ସହିତ ଆବୋରି ନେଇପାରୁ, କିନ୍ତୁ ବାସ୍ତବ ଜୀବନରେ ସେଇ ପ୍ରେମକୁ ପରକୀୟା କିମ୍ବା ଅବୈଧ୍ୟ କହି ଘୃଣା କରୁ । ସବୁ ପ୍ରେମ କଣ ପରିଣୟରେ ସମାପ୍ତ ହୋଇଥାଏ ? ବୋଧ ହୁଏ ସେଫାଳୀର ପରିଣୟ ତାର ପ୍ରେମର ସଫଳତା ଏବଂ ଏଇ ସଫଳତା ଏବଂ ଜୀବନର ପୂର୍ଣ୍ଣତାର ଅନୁଭବକୁ ସେ ମନଭରି ଉପଭୋଗ କରିନେବାକୁ ଚାହୁଁଥିଲା ।

ପାଣିରେ ପାଦ ଛପଛପ କରି ସେଫାଳୀ ଜଳଧାରା ସହିତ ବେଶ ଦୂରକୁ ଚାଲି ଯାଉଥିଲା ଆଉ ମୁଁ ଠିଆ ହୋଇ ମନ୍ତ୍ରମୁଗ୍ଧ ଦର୍ଶକ ସାଜି ସେ ଦୃଶ୍ୟକୁ ମନ ଭରି ଉପଭୋଗ କରୁଥିଲି । ହଠାତ୍ ସେଫାଳୀ ଡାକିଲା ଏ ନିଶିକାନ୍ତ ! ଦେଖ, ଏଇ ପଥର ଉପରେ ବସିବା ପାଇଁ କି ସୁନ୍ଦର ଜାଗାଟିଏ ହୋଇଛି, ଆସ ଏଇଠି ଟିକିଏ ବସିବା କହି ସେଫାଳୀ ପାଣି ଧାରକୁ ଗୋଡ଼ ଲମ୍ବାଇ ସେ ଚଟକା ପଥରଟା ଉପରେ ବସି ପଡ଼ିଲା । ଆମେ ଦୁହେଁ ଦେହକୁ ଦେହ ଲଗାଇ ବସିଗଲୁ, ଏବଂ ପ୍ରକୃତି ରାଣୀର ଅପୂର୍ବ ଶୋଭା ସମ୍ଭାରକୁ ମନଭରି ଉପଭୋଗ କରୁଥିଲୁ । ପାଦ ତଳେ ଝରଣାର ଜଳ ସତେ ଆମ ପାଦକୁ କୁତୁକୁତୁ କରି ବୋହି ଯାଉଥିଲା, ଯେମିତି ବାହାଘର ଖବର ଶୁଣେଇବା ପରେ ଭାଉଜମାନଙ୍କୁ ଟାହିଟାପରା କରିବାର ମଉକା ମିଳିଯାଏ । ବେଳ ଅବେଳରେ ମଉକା ମିଳିଗଲେ ଥଟ୍ଟାରେ କୁତୁକୁତୁ କରିଦେଇ ଚାଲିଯାଆନ୍ତି, ସେମିତି ଏଇ ଝରଣାର ଜଳ ବି ଆମ ପାଦକୁ ଛୁଇଁ ଦେଇ ବୋହି ଯାଉଥିଲା ଆଉ ଆମ ଖୁସିରେ ସାମିଲ ହୋଇ ରୋମାଞ୍ଚିତ ହୋଇ  ଯିବାକୁ ଚାହୁଁଥିଲା ।
 
ସେଫାଳୀ ମୋ ହାତକୁ ତାର ଦୁଇ ହାତ ମୁଠାରେ ଜାବୁଡ଼ି ଧରି ଗୁଣୁଗୁଣୁ ଗୀତ ଗାଇବାକୁ ଲାଗିଲା, ‘ଦୂରେ ବହୁ ଦୂରେ, ନଈ ଆର ପାରେ, ବିରହି କେ ଝୁରେ ମୂରଲୀର ସୁରେ …… ଗୀତ ଗାଉଗାଉ କଣ ହେଲା କେଜାଣି ହଠାତ ଚୁପ ହୋଇଗଲା ସେଫାଳୀ । ମୋ ମୁହଁକୁ ଥରେ ଚାହିଁଲା, ତା ମନକୁ କଣ ଆସିଲା କେଜାଣି, ମୁଁ ବୁଝିବାକୁ ଚେଷ୍ଟା କରିବା ଆଗରୁ ସେ ମୋତେ ପଚାରି ବସିଲା, ଆଛା ନିଶି…! ତାକୁ ଚିଡେଇବା ପାଇଁ, ମୁଁ ତା କଥା କାଟି କହିଲି, ଆରେ ମୋ ନାଆ ନିଶି ନୁହେଁ, ମୋ ନାଆଁ ନିଶିକାନ୍ତ, ତୁମେ ସଟ୍ କଟ୍ କରିବାକୁ ଚାହୁଁଛ ଯଦି ଠିକ୍ ଅଛି, ମୋତେ ନିଶି ନଡ଼ାକି, କାନ୍ତ ଡାକୁନ ! ସେଇଟା ଅବଶ୍ୟ ଟିକିଏ ପୁରୁଣାକାଳିଆ ଛାନ୍ଦ କି ଚମ୍ପୁ ଗାଇଲା ପରି ଲାଗିବ, ‘କାନ୍ତ ବିନା ଦିବା ରଜନୀ ସଜନୀ…’ କିନ୍ତୁ ମିନିଙ୍ଗଫୁଲ ଲାଗିବ, ସେଫାଳୀ ନାକରେ ଗୁଣୁଗୁଣୁ କରି କହିଲା, ଦୁଷ୍ଟ, ମୁଁ କଣ ପଚାରୁଚି ତାର ଉତ୍ତର ଆଗ ଦିଅ । ତାପରେ ଡିସାଇଡ କରିବା ମୁଁ ତୁମକୁ ନିଶି ଡାକିବି ନା କାନ୍ତ ଡାକିବି । ମୁଁ କହିଲି, ଆଚ୍ଛା ପଚାର ।
 
ସେଫାଳୀ କହିଲା, କୁହତ ଦେଖି ! କଣ ହୁଅନ୍ତା ! ଯଦି ଏ ଆକାଶ ନଥାନ୍ତା, ଆକାଶରେ ଜହ୍ନ ନଥାନ୍ତା, ଜହ୍ନରେ ଜୋଛନା ନଥାନ୍ତା ? ବଗିଚାରେ ଫୁଲ ନଫୁଟିଲେ, ଫୁଲରେ ମହକ ନଥିଲେ, ବସନ୍ତ ନଆସିଲେ, ବସନ୍ତରେ କୋଇଲି ଗୀତ ନଗାଇଲେ, କଣ ହୁଅନ୍ତା ? ସତରେ କଣ ଉଜୁଡ଼ି ଯାଆନ୍ତା, ପ୍ରେମ ନକଲେ, ଏମିତି ପ୍ରେମରେ ବିରହ ନଥିଲେ….?
 
ହଠାତ ଏତେ ଗୁଡ଼ାଏ ପ୍ରଶ୍ନ ଏକା ସାଥିରେ ଶୁଣି ମୁଁ ଟିକିଏ ଘାବରେଇ ଗଲି । ପ୍ରଶ୍ନଟାକୁ ଠିକ୍ ଭାବରେ ବୁଝିବା ପାଇଁ ମୁଁ ତା ପ୍ରଶ୍ନକୁ ମନେମନେ ଥରେ ଦୋହରାଇ ନେଲି । ସତେ ତ ! ସତରେ କଣ ହୋଇଯାଆନ୍ତା ଏସବୁ ନଥିଲେ ? ମୁଁ ହତବାକ ହୋଇ ଥରେ ସେଫାଳୀ ମୁହଁକୁ ଚାହିଁଲି, ତା ଆଖିରେ ଦୁଷ୍ଟାମୀର ହସ ଝଲକୁ ଥିଲା, ସତେ ଅବା ସାପସିଢି ଖେଳରେ ସେ ମୋ ଗୋଟିକୁ ସାପ ମୁହଁକୁ ପେଲି ଦେଇ ନିଜେ ସିଢି ଚଢି ଶହେ ଅଙ୍କରେ ପହଞ୍ଚିଯାଇଛି ଅବା ଚେସ୍ ପଟାରେ ମୋ ରାଜା ସାମ୍ନାରେ ଚେକ୍ ଦେଇ ମୋର ସବୁ ବାଟ ବନ୍ଦ କରି ଦେଇଛି । ତା ନୀଳ ଆଖିରେ ଏମିତି ଏକ ଚମକ୍ ଥିଲା, ଆଉ ଥିଲା ଏକ ବିରାଟ ପ୍ରଶ୍ନବାଚୀ, ସତେ କହୁଥିଲା ତୁମେ ନିଜକୁ ଭାରି ସ୍ମାର୍ଟ ମନେ କରୁଛ ନା’, ତେବେ ମୋର ଏଇ ପଜଲଟିକୁ ସଲ୍ଭ କରି ନିଜର ସ୍ମାର୍ଟନେସର ପ୍ରମାଣ ଦିଅ ।
 
ମୁଁ ସେଫାଳୀ ପ୍ରଶ୍ନର ଉତ୍ତର ଖୋଜୁଥିଲି, କିନ୍ତୁ ମୋତେ ଏପରି କାହିଁକି ଲାଗୁଥିଲା, ସେଫାଳୀ ପାଖରେ ଯେପରି ତାର ପ୍ରଶ୍ନର ସଠିକ ଉତ୍ତର ବି ଥିଲା । ହୁଏତ ସେଫାଳୀ ନିଜେ ହିଁ ତା ନିଜ ପ୍ରଶ୍ନର ଉତ୍ତର ଥିଲା, ହେଲେ ତା ପ୍ରଶ୍ନର ଉତ୍ତର ସେ ମୋ ମୁହଁରୁ ଶୁଣିବାକୁ ଚାହୁଁଥିଲା । ମୁଁ ମନେମନେ ଭାବୁଥିଲି, କହିଦେବି, ସେଫାଳୀ ତୁମେ ନିଜେ ହିଁ ତ ତୁମ ପ୍ରଶ୍ନର ଏକ ମାତ୍ର ଉତ୍ତର ! କିନ୍ତୁ ଅଟକି ଗଲି, ଏତେ ସହଜରେ ସିଧାସିଧା ଉତ୍ତର ଦେଇଦେଲେ ସେଫାଳୀ କଣ ସହଜରେ ମୋ କଥା ମାନି ଯିବ ? ସିଏ ବି ମୋତେ ମିଛୁଆ ସାବ୍ୟସ୍ତ କରିବା ପାଇଁ ତାର ଯୁକ୍ତି ଖୋଜିବ । ତେଣୁ ସେଫାଳୀ ମୁହଁରୁ ମୋର ଦୃଷ୍ଟି ଫେରାଇ ମୁଁ ଆକାଶର ଜହ୍ନକୁ ଦେଖିଲି, ପୁଣି ଝରଣାର ଜଳକୁ, ଜଳରେ ଜହ୍ନର ପ୍ରତିବିମ୍ବ ତ ଦିଶୁ ନଥିଲା କିନ୍ତୁ ଜୋତ୍ସ୍ନାର ରଙ୍ଗ ଜଳରେ ମିଶି ଏକ ଅପୂର୍ବ, ସମ୍ମୋହକ ଦୃଶ୍ୟ ସୃଷ୍ଟି କରୁଥିଲା । ଆମେ ଦୁହେଁ ନିରବ ଥିଲୁ, କିନ୍ତୁ ଝିଙ୍କାରୀ ତାର ସାହନାଇ ବଜାଇବାରେ ହେଳା କରୁ ନଥିଲା ।
 
ହଠାତ୍ ନିରବତା ଭାଙ୍ଗି ମୁଁ କହିଲି, ସେଫାଳୀ, ତୁମ ପ୍ରଶ୍ନର ଉତ୍ତର ପାଇଁ ଆମେ ଗୋଟେ ଖେଳ ଖେଳିବା । ତୁମେ ଆଖି ବନ୍ଦ କରି ମନେମନେ ଭାବି ନିଅ ଯେ, ଏଇଟା ଗୋଟେ ସିନେମାର ସେଟ୍, ଆମେ ଦୁଇ ଜଣ ଏଇଠି ଅଭିନୟ କରୁଛେ । ଆକାଶର ଏଇ ଜହ୍ନ ସତ ସତକା ଜହ୍ନ ନୁହେଁ, ସେଇଟା ଆର୍ଟିଫିସିଆଲ ଲାଇଟ୍, ବିଜୁଳିରେ ଜଳୁଛି, ତଳେ ଏଇ ଝରଣା, ସତ ଝରଣା ନୁହେଁ, କାଗଜ, ପଟି, ପ୍ଲାଷ୍ଟିକରେ ତିଆରି ଗୋଟିଏ ସେଟ୍ ଉପରେ ପମ୍ପ ଯୋଗେ ପାଣି ବୋହୁଛି । ଏଇ ଝିଙ୍କାରୀର ଝିଁ ଝିଁ ସ୍ୱର, ପବନର ସାଇଁ ସାଇଁ ଶବ୍ଦ, ବଂଶୀର ସ୍ୱର ଏସବୁ ଆର୍କେଷ୍ଟ୍ରା ପାର୍ଟିର ମ୍ୟୁଜିକ୍, ଡାଇରେକ୍ଟରଙ୍କ କହିବା ଅନୁସାରେ ସେମାନେ ବଜାଉଛନ୍ତି, ଓକେ… ।
 
ସେଫାଳୀ ଆଖି ବନ୍ଦ କରି ବସି ଥାଏ । ମୁଁ ପୁଣି ପଚାରିଲି ସେଫାଳୀ, ତୁମେ ଠିକ୍ ଠିକ୍ ସବୁ କଳ୍ପନା କରି ନେଲ ତ ? ସେଫାଳି ସେମିତି ଆଖି ବନ୍ଦ ରଖି ଛୋଟ ହୁଁ ଟିଏ କହି ପଚାରିଲା, ତା ପରେ..?
 
ତା ପରେ ଆମେ ଖେଳ ଆରମ୍ଭ କରିବା । ଏବେ ଦେଖ ଡାଇରେକ୍ଟର ଜହ୍ନର ସେ ଯେଉଁ ଅର୍ଟିଫିସିଆଲ ଲାଇଟ୍ ଥିଲା ସେଇଟାକୁ ବନ୍ଦ କରି ଦେଲା । ଏବେ ତୁମେ କଣ ଦେଖୁଛ ?
 
ସେଫାଳି ମୋ ପାଖକୁ ଆଉ ଟିକିଏ ଜାକି ହୋଇ ଆସିଲା ଏବଂ କହିଲା, ସବୁ କିଛି ଅନ୍ଧାର, କଳା କିଟି କିଟି ଅନ୍ଧାରରେ କିଛି ଦିଶୁନି ଏଇଠି ।
 
ମୁଁ ପୁଣି କହିଲି, ଏବେ ଡାଇରେକ୍ଟର ଅର୍କେଷ୍ଟ୍ରା ପାର୍ଟିଙ୍କୁ କହି ସବୁ ସାଉଣ୍ଡ ଆଉ ମ୍ୟୁଜିକ୍ ବନ୍ଦ କରି ଦେଲା । ଏବେ କିପରି ଲାଗୁଛି ?
 
ନିଶି.. ସବୁ କିଛି ନୀରବ ଶୂନ୍ ଶାନ୍ ବଡ଼ ଭୟାନକ ଏଇ ପରିବେଶ, କେବଳ ପାଦ ତଳେ ପାଣିର ଥଣ୍ଡା ସ୍ପର୍ଶ ଭଲ ଲାଗୁଛି ।

ସେଇଟା ବି ଏବେ ଡାଇରେକ୍ଟର ବନ୍ଦ କରି ଦେଲା । ଏବେ ଏଇ ସେଟ୍ ଭିତରେ ନା ଜହ୍ନ ଅଛି, ନା ମଳୟ ବୋହୁଛି, ନା କୋଇଲି ଗାଉଛି । ଏବେ ଏଇ ଝରଣାରେ ଜଳ ନାହିଁ, କୁଳୁ କୁଳୁ ମନ ମୋହକ ସଙ୍ଗୀତ ନାହିଁ, ମୂରଲୀର ମୂର୍ଛନା ନାହିଁ, ଏଇଠି କେବଳ ତୁମେ ଅଛ, ମୁଁ ଅଛି ଆଉ ଆମ ପ୍ରେମ……..!
 
ହଠାତ୍ ସେଫାଳୀ ମୋ ମୁହଁ ଉପରେ ତାର ହାତକୁ ରଖି ମୋତେ ଚୁପ୍ କରି ଦେଇ କହିଲା,
ଏବେ ଏଇଠି ପ୍ରେମ ଫ୍ରେମ କିଛି ନାହିଁ,  ଅଛି କେବଳ ନିସ୍ତବ୍ଧ ଅନ୍ଧକାର ଆଉ ଭୟ, ମୋତେ ବହୁତ ଡର ଲାଗୁଛି କହି ସେଫାଳୀ ମୋତେ କୁଣ୍ଢାଇ ଧରିଲା । ମୁଁ ସେଫାଳୀକୁ କୁଣ୍ଢାଇ ଧରି କହିଲି, ଏବେ ଆଖି ଖୋଲି ଦେଖ ସେଫାଳୀ, ସବୁ କିଛି ଏଇଠି ଅଛି, ବସନ୍ତ, ମଳୟ, କୋଇଲି, ଝରଣା, ଝିଙ୍କାରୀ, ମୂରଲୀର ମଧୂର ସ୍ୱନ, ତୁମେ ଆଉ ମୁଁ ଆଉ…… ସେଫାଳୀ ଟିକିଏ ହସି ଦେଇ କହିଲା, ଆଉ ଆମ ପ୍ରେମ ଅଛି । ତୁମେ ଠିକ୍ କହିଛ ନିଶି, ମଣିଷ ପାଇଁ ଏ ସବୁ ଜରୁରୀ, ବହୁତ ଜରୁରୀ, ଏସବୁ ନଥିଲେ ମଣିଷ ଜୀବନ ସତରେ କେତେ ନିରସ ଆଉ ଶୁଷ୍କ ଆଉ ରୁକ୍ଷ ହୋଇଯାଆନ୍ତା, କେତେ ଭୟାନକ ହୋଇ ଯାଆନ୍ତା ଏ ପରିବେଶ । ଆମର ପ୍ରେମ ନଥିଲେ ଏପରି ଭୟାନକ ପରିସ୍ଥିତିରେ ମୁଁ କାହାକୁ କୁଣ୍ଢେଇ ଧରି ନିର୍ଭୟତାର ଅନୁଭବ କରି ପାରିଥାଆନ୍ତି ?
 
ଠିକ୍ ବୁଝିଛ ସେଫାଳୀ, ଏ ସବୁ ନଥିଲେ, ହୁଏତ ଆମ ପ୍ରେମ ରଙ୍ଗହୀନ ଫିକାଫିକା ହୋଇଥାନ୍ତା, ରାଧାର ପ୍ରେମରେ ମୂରଲୀର ମୁର୍ଛନା ପରି, ଏ ଜହ୍ନର ଜୋଛନା, ଝରଣାର କୁଳୁକୁଳୁ ସ୍ୱର, ଫୁଲର ମହକ, ମଳୟର ମଧୂର ପରଶ ଆମକୁ ମତୁଆଲା କରୁଛି, ନହେଲେ ହୁଏତ ତୁମେ ନଥାନ୍ତ ମୁଁ ବି ନଥାନ୍ତି, ଏ ନିବିଡ଼ତା, ଏତେ ଘନିଷ୍ଠତା, ଆଉ ଆମର ଏଇ ପ୍ରେମ ହିଁ ନଥାନ୍ତା ।

ପଟିଆ, ଭୁବନେଶ୍ୱର 

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *