ଦେବାଶିଷ ମହାପାତ୍ର
ପୁସ୍ତକ: ସଫଦର ହାସମୀ: ଦୁଇ ପଥପ୍ରାନ୍ତ ନାଟକ-ହଲ୍ଲାବୋଲ, ହତ୍ୟାରେ ଓ ଆଉ କେତୋଟି କବିତା
ଅନୁବାଦ: ମୃଣାଳ
ପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସ, ଢେଙ୍କାନାଳ ୭୫୯ ୦୦୧
ପୃଷ୍ଠା: ୮୪ । ମୂଲ୍ୟ: ୧୦୦ ଟଙ୍କା
ପୁସ୍ତକ ସମୀକ୍ଷା: ଦେବାଶିଷ ମହାପାତ୍ର
ଅନେକ ଦିନ ପରେ ଅନୁବାଦର ଏକ ଅନନ୍ୟ ନମୁନା ପଢ଼ିବାର ସୁଯୋଗ ପାଇଲି । ଭାବ ଓ ଭାଷା, ଉଭୟ ଦୃଷ୍ଟିରୁ ବହିଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଲା । ଏ ଅନୁବାଦ ସତରେ ନିଆରା । ଭାଷା ସରଳ ଓ ସାବଲୀଳ, ଶୈଳୀଟି ଖୁବ୍ ମନଛୁଆଁ । ସାମ୍ୟ, ମୈତ୍ରୀ ଆଉ ବିଶ୍ଵ ଭ୍ରାତୃତ୍ବର ସ୍ବପ୍ନ ଦେଖିଥିବା ବହୁମୁଖୀ ବ୍ୟକ୍ତିତ୍ବ ସଫଦର ହାସମୀଙ୍କ ମୂଳ ହିନ୍ଦୀ ରଚନା ଦୁଇଟି ପଥପ୍ରାନ୍ତ ନାଟକ ‘ହଲ୍ଲାବୋଲ’ ଓ ‘ହତ୍ୟାରେ’ ସହ କେତୋଟି କବିତାର ଅନୁବାଦ କରିଛନ୍ତି ଆମ ସମୟର ଜଣେ ଆଗଧାଡି଼ର ସ୍ତମ୍ଭକାର, ଲେଖକ ଓ ଅନୁବାଦକ ମୃଣାଳ । କେତେ ସୁନ୍ଦର ଭାବରେ, ନିଜ ବାଗରେ, ବଢ଼ିଆ ଭାଷାରେ ସେ ଅନୁବାଦ କରିଛନ୍ତି ତାହା ବହିଟି ପଢ଼ିଲାପରେ ଅନୁଭବ କରିହୁଏ ।
୨୦୧୨ ମସିହା ଜୁନ୍ ମାସ ୧୦ ତାରିଖରେ ପ୍ରଥମ ସଂସ୍କରଣ ଅବସରରେ ମୃଣାଳ କହିଥିଲେ- ‘ମୋର ଏବେ ବିଶ୍ଵାସ ହେବାକୁ ବସିଲାଣି ଯେ ପ୍ରତ୍ୟେକ କଥାର ଏକ ସମୟ ପୂର୍ବ ନିର୍ଦ୍ଧିଷ୍ଟ ହୋଇଥାଏ । ସମୟ ଆସିଲେ ହିଁ କଥାଟି ହୁଏ । ଏ ବହି କ୍ଷେତ୍ରରେ ସେ କଥା ପୁଣି ଥରେ ଘଟିଲା ।’ ବାମପନ୍ଥୀ ଦର୍ଶନ ଓ ଚିନ୍ତାଧାରାର ପଥିକ, ଭାରତରେ ପଥପ୍ରାନ୍ତ ନାଟକକୁ ପ୍ରତିଷ୍ଠିତ କରିଥିବା ସଫଦର ତାଙ୍କ ଜୀବନ କାଳ ଭିତରେ ଅନେକ ନାଟକ ଲେଖିଥିଲେ । ‘ହଲ୍ଲାବୋଲ’ ଓ ‘ହତ୍ୟାରେ’ ସେଥି ମଧ୍ୟରୁ ଦୁଇଟି । ଅନୁବାଦକ ମୃଣାଳ ନାଟକକୁ ଅନୁବାଦ କରି ଧାରାବାହିକ ଭାବେ ଖବରକାଗଜ ପୃଷ୍ଠାରେ ପ୍ରକାଶ କରିଥିଲେ ହେଁ ସମୟର ଡାକରେ ପରେ ପୁସ୍ତକ କରିଛନ୍ତି ।
ସଫଦରଙ୍କ ନାଟକଗୁଡି଼କର ମୁଖ୍ୟ ସ୍ବର ଥିଲା- ସମାଜର ଅବହେଳିତ ଓ ଶୋଷିତ ବର୍ଗର ସମସ୍ୟା ବିରୋଧରେ ଶାଣିତ ସ୍ବରଉତ୍ତୋଳନ । ଦ୍ବିତୀୟ ସଂସ୍କରଣ ଅବସରରେ ମୃଣାଳ ଯଥାର୍ଥରେ କହନ୍ତି- ‘ସେ ନାହାନ୍ତି ସତ, ହେଲେ ତାଙ୍କ ସ୍ବପ୍ନ ରହିଛି । ସ୍ବପ୍ନର ମୃତ୍ୟୁ ନାହିଁ । ଗୋଟିଏ ଆଖିରୁ ତାହା ଅନ୍ୟ ଆଖିକୁ, ଗୋଟିଏ ହୃଦୟରୁ ତାହା ଅନ୍ୟ ହୃଦୟକୁ ପ୍ରସାରିତ ହୋଇଥାଏ ।’
ଏଥର ଅନୁବାଦକୁ ଯିବା । ମୂଳ ରଚନା ଭଳି ଏ ଅନୁବାଦ ବି କିଭଳି ମନକୁ ଛୁଇଁଯାଏ କେତୋଟି ଉଦାହରଣ ଦିଆଯାଉ- ‘ଆମେ ଡ୍ରାମା ଯେମିତି ହୁଏ, ସେମିତି କରିବୁ, ଏଇ ପ୍ୟାର୍ ମହବତ୍ର ଡ୍ରାମା, ପ୍ରେମିକ ପ୍ରେମିକାର ଡ୍ରାମା’ । (ହତ୍ୟାରେ) ‘ମୁଠେ ଭାତପାଇଁ ଦିନରାତି ଯାକୁ ପରିଶ୍ରମ କରିବାକୁ ପଡ଼େ ସେ ଯେ କୌଣସି ଧର୍ମର ମଣିଷ ହେଉନା କାହିଁକି- ଆପଣଙ୍କ ଶତ୍ରୁ ହୋଇନପାରେ । ’(ହଲ୍ଲାବୋଲ) ସଫଦରଙ୍କ ଚରିତ୍ର ଉପଯୋଗୀ ସଂଳାପକୁ ଯଥାର୍ଥ ଭାବେ ଓଡି଼ଆରେ ରୂପାନ୍ତର କରିଛନ୍ତି ମୃଣାଳ ।
କବିତା ବିଭାଗରେ ନୂଆ କଥାଟେ ଲକ୍ଷ୍ୟ କରାଯାଇପାରେ । ମୂଳ ହିନ୍ଦୀ ଅବିକଳ ଦିଆଯାଇଛି । ତା’ ପାଖରେ ଅଛି ଅନୁଦିତ କବିତା । ପ୍ରଥମ କବିତା: ‘ସ୍ଵାଧୀନତା’
‘ଲାଲକିଲ୍ଲା ଆଖ ପାଖରେ ବସିଛି
ସ୍ଵାଧୀନତାର ମେଳା
ସବୁଠୁ ଉପରେ ନାଚୁଛି ଏକୁଟିଆ ତ୍ରିରଙ୍ଗା ।’
ସେମିତି ଆଉ ଗୋଟେ ପଦ ଦେଖନ୍ତୁ-
‘ବହି କିଛି କହିବାକୁ ଚାହେଁ
ବହି ତମ ପାଖରେ ରହିବାକୁ ଚାହେଁ’
‘ହୋଲି’ କବିତାରୁ ପଦେ ଦୃଷ୍ଟାନ୍ତ ଦିଆଯାଇ ଅନୁବାଦ କିଭଳି ସୁଖପାଠ୍ୟ ତା’ ଦର୍ଶାଯାଇପାରେ-
‘ସକାଳେ ସଞ୍ଜେ ଆକାଶ ଦେଖ
ରଙ୍ଗୀନ ଲୁଗା ପିନ୍ଧେ
ଆଉ ଚଢ଼େଇ
ଉପର ତଳ ହୋଇ
ତା’ ଉପରେ କେତେ ଯେ ରଙ୍ଗ ଫିଙ୍ଗେ’
ବହିଟି ବହୁ ଦୃଷ୍ଟିରୁ ଭିଡ଼ ଭିତରୁ ବାରି ହେବା ଭଳି ବହିଟିଏ । ଏଥିରେ ନାଟକ ଅଛି, କବିତା ଅଛି । ଅଛି ବି ଉଦୟ ପ୍ରକାଶଙ୍କ ସଫଦରଙ୍କୁ ଶ୍ରଦ୍ଧାଞ୍ଜଳି କବିତା । ଏ କବିତାର ଧାଡି଼ ଗୁଡି଼କ ବି ଖୁବ୍ ହୃଦୟସ୍ପର୍ଶୀ-
‘ହଁ, ସେମାନଙ୍କୁ ଖୋଜ ନିଶ୍ଚୟ
ସବୁ ଚେହେରାକୁ ଭଲ ଭାବେ ଦେଖ
ହେଲେ ତାଙ୍କ ପାଇଁ କାନ୍ଦନାହିଁ
କାନ୍ଦିକି ସେମାନଙ୍କୁ ହଜେଇ ଦିଅନାହିଁ
ସେ ଏଇଠି କେଉଁଠି ଅଛନ୍ତି
ସେ ଏଇଠି କେଉଁଠି ଅଛନ୍ତି ।’
ଅନୁବାଦର ଭାଷା ସରଳ, ସାବଲୀଳ, ଭାବ ଛଳଛଳ, ଢଳଢଳ । ଜିତେନ୍ଦ୍ର ପତିଙ୍କ ପ୍ରଚ୍ଛଦ ବି ଚମତ୍କାର । ବହିଟି ସାଇତି ରଖିବା ଭଳି ବହିଟିଏ । ଏତିକି କୁହାଯାଇପାରେ, ସାମଗ୍ରିକ ଭାବେ ଏ ବହିଟି ଅନନ୍ୟ ଅନୁବାଦର ଅମଳିନ ସ୍ବାକ୍ଷର ।
ସମୀକ୍ଷକ ଭୁବନେଶ୍ଵରସ୍ଥିତ ପୂର୍ବାଞ୍ଚଳ ଭାଷାକେନ୍ଦ୍ରରେ ଭାଷା ପ୍ରଶିକ୍ଷକ ଅଛନ୍ତି ।
ଲକ୍ଷ୍ମୀସାଗର, ଭୁବନେଶ୍ଵର, ୭୫୧୦୦୬