ସରୋଜ ପଣ୍ଡା

ସେଦିନ ଖୁବ ବର୍ଷା । ତିନ୍ତିତିନ୍ତି ସ୍କୁଟିରୁ ଓହ୍ଲାଇଛି, ପ୍ରିୟାର କଲ୍‌ ଆସିଲା । ସେ କହିଲା,

“ସୁଜାତା ନାନୀ ଆଉ ନାହାଁନ୍ତି ।”

ମୋର ଆଖି ସାମ୍ନାରେ ସୁଜାତା ନାନୀଙ୍କ ମୁହଁ ଦେଖାଗଲା । ମୁଁ ଏପଟୁ କିଛି ଉତ୍ତର ଦେଇପାରିଲିନି । ହଉ ରଖୁଛି, ତିନ୍ତି ଯାଇଛି, ପରେ ଫୋନ କରିବି କହି କଲ୍‌ କାଟି ଦେଲି । ରୁମରେ ପଡ଼ିଥିବା ଚେୟାରରେ ଧଡ଼କିନା ବସି ପଡ଼ିଲି ।

ସୁଜାତା ନାନୀ ! ଆମ ପଡ଼ୋଶୀ । ବୟସ … କେତେ ? ପଇଁଚାଳିଶି ବି ହେବନି । ଗୋରା ଦେହକୁ, ସୁନ୍ଦର ଚେହେରା । ଗୋଟିଏ ପୁଅ, ଗୋଟିଏ ଝିଅ । ସ୍ୱାମୀ ଖୁବ୍ ସରଳ । ଚାଷ କରନ୍ତି । ଗାଁରେ ଛୋଟିଆ ହୋଟେଲଟିଏ ତାଙ୍କର । ସ୍ୱାମୀକୁ ଖୁବ୍ ସାହାଯ୍ୟ କରନ୍ତି ହୋଟେଲ କାମରେ ସୁଜାତା ନାନୀ । ଖଟି ଖାଇଲେ ଘର ଚାଲେ । କିନ୍ତୁ ହସଖୁସି ପରିବାରଟିଏ । ଏବେ ଗତବର୍ଷ ଫେବୃୟାରୀରେ ଝିଅ ବାହାଘର ହୋଇଥିଲା । ପୁଅ ଏବର୍ଷ ମାଟ୍ରିକ ପାସ କରିଛି । ସ୍ୱାମୀ-ସ୍ତ୍ରୀ ଓ ପିଲାମାନଙ୍କୁ ନେଇ ଖୁବ୍ ଖୁସିରେ ସଂସାର ଚାଲିଥିଲା ।

ମୋ ଉପରେ ଖୁବ ଅଭିମାନ ଥିଲା ସୁଜାତା ନାନୀଙ୍କର । ତାଙ୍କ ପାଇଁ ଆବାସ ଯୋଜନାଟିଏ କରି ଦେଇ ପାରିନଥିଲି ବୋଲି । ରାଗରୁଷା ଆଉ ଅଭିମାନ ସବୁ ମୁହଁରେ କହି ଦିଅନ୍ତି ସେ । କିନ୍ତୁ ଆର ଘଡ଼ିକି ପୁଣି ଭୁଲିଯାଆନ୍ତି ସେସବୁ । ଗତ ବର୍ଷ ପଞ୍ଚାୟତ ଜିତିବା ପରେ ଏବେ ହିଁ ତାଙ୍କ ନାଆଁରେ ଆବାସ ଯୋଜନା ଆସିଥିଲା । କିନ୍ତୁ ପକ୍କା ଘରଟିଏ ଦେଖିବା ପୂର୍ବରୁ ସେ ଆରପାରିକି ଚାଲିଗଲେ । ମୋ ଆଖିରୁ ଧାରଧାର ଲୁହ ଗଡ଼ିଲାବେଳେ ମନେପଡୁଥିଲା କିଭଳି ମୋତେ ପଡ଼ିଶା ଭାଉଜ, ମୋର ନିଜ ଭାଉଜ ଓ ପ୍ରିୟା ମଜାକ ଉଡ଼େଇଲାବେଳେ ମୋର ସପୋର୍ଟରେ ସୁଜାତା ନାନୀ ସବୁବେଳେ ଠିଆ ହେଉଥିଲେ । ପ୍ରାୟତଃ ମୁଁ ଘରୁ ବାହାରେ ରହେ । ଯେବେ ବି ପହଞ୍ଚିବି ପଚାରିବେ,

“କିରେ ! ଏତେ ଭାଗଡ଼ା ହୋଇଯାଇଛୁ ? ଏମିତି କ’ଣ ଦେଖାଯାଉଛୁ ?”

ଆମ ତିନି ପଡ଼ୋଶୀଙ୍କ ବାଡ଼ି ଗୋଟିଏ । ଆମ କୂଅରୁ ପାଣି ନିଅନ୍ତି ସେ । ସବୁ ମନେପଡୁଥିଲା ଜଳଜଳ । ଜାଣିନି ଏବେ ଘରକୁ ଗଲେ କେମିତି ବାଡ଼ିକି ଯିବି ।

ପୁଣି ବି ସ୍ମୃତିପଟରେ ଭାସି ଉଠିଲା ଏଇ ପାଞ୍ଚ ମାସ ପୂର୍ବେ ତାଙ୍କରି ଘରେ ଗୋଟିଏ ନାଗ ସାପ ରହିଯାଇଥିଲା । ମୋତେ ପ୍ରିୟା ଡାକ ଛାଡ଼ିଲା,

“ହୋଇବା ! ଆସ ! ସୁଜାତା ନାନୀ ଘରେ ନାଗ ସାପଟି ରହିଯାଇଛି ।”

ମୁଁ ଦୌଡ଼ିଗଲି । ଉପରେ ଚଢ଼ି ଯେବେ ଦେଖିଲି ସେ ଫଁଫଁ ଶବ୍ଦ କରୁଛି । ଫଣା ଉଠାଇ ସେମିତି ଗୋଟିଏ ଜାଗାରେ ବସିଛି । ସେଇଠୁ ଆମ ବନବିଭାଗ ମୁଖିଆଙ୍କୁ ଫୋନ କରି ଜଣେଇଲି । ସେ ଦୁଇଜଣଙ୍କୁ ପଠାଇଲେ । ବହୁତ କସରତ ପରେ ଯାଇ ସାପଟି ଧରାପଡ଼ିଲା । ସେମାନେ ଗଲାପରେ ସୁଜାତା ନାନୀ ବାୟାଣୀମାନଙ୍କ ଭଳି ଏପଟେସେପଟେ ହୋଇ କହିଲେ,

“ଏ ଘର ବିକି ଦେବି । ଆଉ ଏଇଠି ରହିବିନି । ଏ ନାଗ ବାରମ୍ବାର ଆସୁଛି । କି ଅଘଟଣ ଘଟିବ ନିଶ୍ଚେ ।”

ମୁଁ ଶୁଣି କହିଲି,

“ପାଗଳ ହେଲ କି ନାନୀ ! ଘର କାହିଁକି ବିକିବ ?”

ସେ ଉତ୍ତର ଦେଲେ,

“ନାଇଁରେ ବାପା ! ଦଶ ଥର ନାଗ ଭାରିଲାଣି ଏ ଘରୁ । ଘରଦ୍ୱାର ବିକି ଆଉ କୁଆଡ଼େ ପଳେଇବି । ଏଇଠି ରହିଲେ କ’ଣ ଗୋଟେ ଘଟିଯିବ । ମୋ ଘର ହିଁ ଛାଡୁନି ସେ । କିଛି ନା କିଛି ଅଘଟଣ ହେବା ପୂର୍ବରୁ ଏ ଘର ବିକି ପଳେଇବି । ଝୁଆର ଆଉ ନାହିଁ ।”

ଆମ ଘରେ ସବୁଥାନ୍ତି । ସେପଟ ପଡ଼ିଶା ଭାଉଜ ବି ଥାନ୍ତି । ମୁଁ କହିଲି,

“ମୁଣ୍ଡ ଖରାପ କି ତମର ? କୋଉ ଯୁଗରେ ବଞ୍ଚୁଛ ? ସାପ ବାହାରିଲେ ତମକୁ କଣ ହେଇଯିବ ? ମୂଷା ଖାଇବାକୁ ସେ ଆସୁଛି । ଏଇ କଥା ପାଇଁ ଘର ଛାଡ଼ିଦେବ ? ଛାଡ଼ ଛାଡ଼ । ଏଭଳି କଥା ମୁଣ୍ଡରୁ କାଢ । ଘର ବିକିବା କଥା ଭାବି ଦେଉଛ !”

ଏତିକି କହି ମୁଁ ସେଇଠୁ ପଳେଇ ଆସିଲି ।  

ଘଟଣାର ଠିକ ପନ୍ଦର କୋଡ଼ିଏ ଦିନ ପରେ ମୋ ସାନ ଦିଦି ଫୋନ କରି କହିଲେ,

“ଟିଟୁ ! ସୁଜାତାର ଥ୍ରୋଟ୍ କ୍ୟାନ୍ସର ବାହାରିଛି, ତୁ ଟିକେ ବଂଶୀଧର ସାରଙ୍କ ସହ କଥା ହେ । ତାଙ୍କୁ ନେଇକି ଯାଆ ।”

ମୋର ମୁଣ୍ଡ କଣ ହେଇଯାଇଥିଲା । ମୁଁ କହିଲି,

“କ’ଣ କ୍ୟାନ୍ସର ? ଆରେ ଏମିତି କେମିତି ? ହଉ ଦେଖୁଛି ।“

ରିପୋର୍ଟଗୁଡ଼ାକ ପଠେଇବାକୁ କହି କଲ୍ କାଟି ଦେଲି । ଫୋନ ରଖୁରଖୁ ମୋତେ ସୁଜାତା ନାନୀଙ୍କ ସେ କଥା କାନରେ ବାରମ୍ବାର ବାଜିଲା,

“ଏ ଘର ବିକି ଦେବି । ଆଉ ଏଇଠି ରହିବିନି, ଏ ନାଗ ବାରମ୍ବାର ଆସୁଛି । କି ଅଘଟଣ ଘଟିବନା କଣ !”

ମୁଁ ଏସବୁରେ ବିଶ୍ୱାସ କରେନି । ତଥାପି ମୋତେ ସେ କଥା ରାତିସାରା ଶୋଇବାକୁ ଦେଇ ନଥିଲା । ଏମିତି ବି କ୍ୟାନ୍ସର ନାଆଁ ଶୁଣିଲେ ମୋତେ କଣ ହେଇଯାଏ । ମୋର ବଡ଼ ଦିଦିଙ୍କୁ କ୍ୟାନ୍ସର ହେଇଥିଲା । ଜାଣିଛି କେତେ କଷ୍ଟ । କ୍ୟାନ୍ସର ଜଣକୁ ହେବ, କିନ୍ତୁ ପୁରା ପରିବାର ରୋଗୀ ହୋଇଯିବ । ଖୁବ୍ କଷ୍ଟ ସେ କ୍ୟାନ୍ସର ଚିକିତ୍ସା । ଅପରେସନ, ରାଡିଏସନ, କେମୋଥେରପି । ମୋର ଦେହ କଣ ହୋଇଯାଏ ଭାବିଲେ । ମୋର ଦିଦି ଖୁବ ସାହସୀ । ଦିଦି ମୋର ସୁସ୍ଥସବଳ ହୋଇ ଜନ୍ମିଥିଲେ କିନ୍ତୁ ଜନ୍ମର ବର୍ଷେ ପରେ ପୋଲିଓ ଆକ୍ରାନ୍ତ ହୋଇ ଗୋଟେ ଗୋଡ଼ ଖରାପ ହୋଇଯାଇଥିଲା । ଦିଦିଙ୍କ ଯୋଗୁଁ ଆମେ ଭଲ ମଣିଷ ହୋଇପାରିଛୁ, ଭଲ କଥା ଶିଖିପାରିଛୁ । ଖୁବ ସୁନ୍ଦର ମୋ ଦିଦି । କିନ୍ତୁ ବାହା ହେବାକୁ ରାଜି ହେଲେ ନାହିଁ । ସେ ଖୁବ୍ ସ୍ୱାଭିମାନି । କେହି ତାଙ୍କୁ ତାଙ୍କର ଗୋଡ଼ ପ୍ରତି ଇଙ୍ଗିତ କରି କିଛି କହିଦେଉ ସେ ତାହା ସହିପାରିବେ ନାହିଁ ବୋଲି ଅବିବାହିତ ରହିଲେ । କିନ୍ତୁ ଯେବେ କ୍ୟାନ୍ସର ବାହାରିଲା ସେ ତିନି ବର୍ଷ ଖୁବ୍ କଷ୍ଟ ପାଇଲେ । ହେଲେ ଯେମିତି କହିଥିଲି ।  ନିଜର ସ୍ଵାଭିମାନ ଓ ସାହସ ବଳରେ କ୍ୟାନ୍ସରକୁ ସେ ହରାଇ ପାରିଥିଲେ ।

କିନ୍ତୁ ସେଇଦିନୁ ମୁଁ ଜାଣି ଯାଇଥିଲି ଯେ କ୍ୟାନ୍ସର ରୋଗ କିଭଳି ମାନସିକ ଓ ଆର୍ଥିକ ଭାବେ ପରିବାରକୁ ଦୁର୍ବଳ କରିଦିଏ । ଦିଦିଙ୍କ ପରେ ମୁଁ ଯେବେ ବି କାହାର ବି କ୍ୟାନ୍ସର ହେବା କଥା ଶୁଣେ, ନିଜକୁ ଅଟକାଇ ପାରେନି । ଉକ୍ତ ବ୍ୟକ୍ତି କିପରି ଭଲ ହେଇଯାଉ ଏଥିପାଇଁ ଖୁବ୍ ଚେଷ୍ଟା କରେ । ମେଡ଼ିକାଲରେ ମାସ ମାସ ସେମାନଙ୍କ ପାଇଁ ରହେ ଓ ସେମାନଙ୍କୁ ସହଯୋଗ କରେ । କିନ୍ତୁ ଯେବେ ପ୍ରାୟ କ୍ୟାନ୍ସର ରୋଗୀଙ୍କୁ ବଞ୍ଚେଇବାରେ ବିଫଳ ହେଲି, ନିଜକୁ ଧିକ୍କାରିବାକୁ ଇଚ୍ଛା ହେଲା । ମୁଁ ଆଉ ସେମାନଙ୍କ ସହ ଯାଇପାରିଲି ନାହିଁ ।

ସୁଜାତା ନାନୀଙ୍କ ବିଷୟରେ ଜାଣିଲା ପରେ କିନ୍ତୁ ମୋର ବିଶାଖାପାଟଣାର ଅତି ଘନିଷ୍ଟ ଓ ମୋ ମତରେ କ୍ୟାନ୍ସରର ସବୁଠୁ ଉତ୍କୃଷ୍ଟ ଡକ୍ଟର ବଂଶୀଧରଙ୍କ ସହ ଯୋଗାଯୋଗ କରିଲି । ସେ ହଉ ନେଇକି ଆସ କହିଲେ । ମାଗଣାରେ ଚିକିତ୍ସା ହୁଏ ତାଙ୍କ ହସ୍ପିଟାଲରେ ଗରିବମାନଙ୍କ ପାଇଁ । ମୁଁ କହିଲି ସୁଜାତା ନାନୀଙ୍କ ସ୍ୱାମୀଙ୍କୁ । କିନ୍ତୁ ସେ କହିଲେ,

“ଭାଇଯାକ ଗଲେ ବହୁତ ଖର୍ଚ୍ଚ ହେବ ଟିଟୁ । ତେଣୁ କଟକ ମେଡ଼ିକାଲରେ ହିଁ ଦେଖେଇବା ।“

ମୁଁ ବାରମ୍ବାର କହିଲି,

“ଭାଇନା ! କିଛି ଅଧିକ ଖର୍ଚ୍ଚ ହେବନି । ହେଲେ ଦେଖିବା । କୋଉଠୁ କଣ ଯୋଗାଡ଼ କରିବା ।“

କିନ୍ତୁ ସେ ଯେବେ ମନା କଲେ, ମୁଁ ଆଉ ବାଧ୍ୟ କରି ନଥିଲି ।

ଯେବେ ବି ଗାଆଁକୁ ଯାଏ ତାଙ୍କ ଖବର ନିଏ । ରାଡିଏସନ ନେବା ପରେ ସୁଜାତା ନାନୀ ଟିକେ ସୁସ୍ଥ ଦେଖାଯାଉଥିଲେ । ମୋତେ ଖୁସି ଲାଗିଲା ଯେ ସୁସ୍ଥ ହେଉଛନ୍ତି । ହେଲେ ସେଦିନ ଜୁନ ମାସରେ ମୁଁ ବାଙ୍ଗାଲୋରରେ ଥାଏ । ମୋ ସାନ ଦିଦି ଫୋନ କଲେ ଓ କହିଲେ,

“ଟିଟୁ ! ସୁଜାତାକୁ ଆଦୌ ଭଲ ଲାଗୁନି । ଭାରି ଅସୁସ୍ଥ ଲାଗୁଛି । ତୁ ତାଙ୍କ ଭାଇନା ସହ କଥା ହେ । ସେ ବିଶାଖାପାଟଣା ନେବି କହୁଛନ୍ତି ।”

ମୁଁ କହିଲି,  

“ଭଲ ତ ଥିଲେ ! ପୁଣି କଣ ହେଲା ?”

ମୋ ଦିଦି କହିଲେ,

“କେଜାଣି ? ଆଉ ନିଶ୍ୱାସ ନେଇପାରୁନି ।“

ଫୋନ କାଟି ମୁଁ ଭାଇନାଙ୍କୁ ଫୋନ ଲଗେଇଲି । ସୁଜାତା ନାନୀଙ୍କ ନଣନ୍ଦ ଫୋନ ଉଠାଇଲେ ଓ କହିଲେ,

“ଆମେ ବ୍ରହ୍ମପୁର MKCG ରେ ଅଛୁ । ଡକ୍ଟର ଅପରେସନ କରିଦେଲେ ।”

ମୁଁ ଆଉ କିଛି ଉତ୍ତର ଦେଇପାରିଲି ନାହିଁ । ଠିକ ଅଛି କହି ଫୋନ କାଟିଦେଲି । ମୋତେ କିନ୍ତୁ କିଛି ଭଲ ଲାଗି ନଥିଲା । ଅପରେସନ କରିଦେଲେ ଭଏସ ବାକ୍ସଟା ବାହାର କରିଦେଲେ ସେ ଆଉ କଥା କହିପାରିବେ ନାହିଁ । ଏ କଥା ଭାବିଭାବି ତାଙ୍କ ରଡ଼ିଗୁଡ଼ାକୁ ମନେ ପକାଇଲି, ତାଙ୍କ କଥାଗୁଡ଼ାକ ମନେ ପଡ଼ିବାରେ ଲାଗିଲା ।

କିନ୍ତୁ ହଠାତ ଦଶ ଦିନ ତଳେ ଯେବେ ପ୍ରିୟା ଫୋନ କଲା ଓ କହିଲା,

“ସୁଜାତା ନାନୀ ଆଉ ନାହାନ୍ତି । ମୁଁ ହତବାକ ହେଇଗଲି । କେବେ ବିଶ୍ୱାସ କରିନଥିଲି ଯେ ସେ ଛାଡ଼ିକି ଚାଲିଯିବେ । ସ୍ୱାମୀ ଓ ପୁଅ କେମିତି ବଞ୍ଚିବେ ? କିଏ ରୋଷେଇ କରିବ, କିଏ ହୋଟେଲରେ ଭାଇନଙ୍କୁ ସହଯୋଗ କରିବ ? ଭାଉଜ ! ପ୍ରିୟା ମୋର ମଜାକ ଉଡ଼େଇଲେ କିଏ ମୋ ପକ୍ଷ ନେବ ?”

ଆବାସ ଯୋଜନା ଘର ହେଲେ ସେ କେମିତି ଖୁସି ହୁଅନ୍ତେ । ଟିଟୁ ଡାକଟେ ଆଉ ସୁଜାତା ନାନୀଙ୍କ ପାଟିରୁ ଶୁଣି ହେବନି । କେମିତି ଯିବି ଘରକୁ ? ସେ ବାଡ଼ିକୁ ଏହା ଭାବୁଛି । ସତରେ କ୍ୟାନ୍ସର କେତେ ଲୋକଙ୍କ ଜୀବନ ନେଇଯାଏ ! କାରଣ ସେଇ ପାନ, ମସଲା, ଗୁଡ଼ାଖୁ, ଗୁଟକା ଇତ୍ୟାଦି । ସେ ବି ଏସବୁ ଖାଉଥିଲେ । ମୁଁ ଏଇ ସାତ ବର୍ଷ ଭିତରେ ଅନେକ ଏଭଳି ଗୁଟକା ଖାଉଥିବା ଲୋକଙ୍କ କ୍ୟାନ୍ସର ଚିକିତ୍ସା କରେଇଛି, ସେଥିରୁ ସେମାନଙ୍କ କଷ୍ଟ ଓ ମୃତ୍ୟୁ ଖୁବ ନିକଟରୁ ଦେଖିଛି । କିନ୍ତୁ କଷ୍ଟ ଲାଗେ ଯେତେବେଳେ ଯେତେ କହିଲା ପରେ, ବୁଝାଇଲା ପରେ ଲୋକେ ଗୁଟକା, ପାନ, ମସଲା, ମଦ ଛାଡୁ ନାହାନ୍ତି ।

ମୋର ଛାତି କଣ ହେଇଯାଏ ଗୁଟକା ଖାଇବାର ଦେଖିଲେ । ଏମିତିକି ମୋର ଘରେ ମୋର ଭାଇମାନେ ବି ଶୁଣୁନାହାନ୍ତି । ଅନେକ ରାଣ ନିୟମ ଦେଲା ପରେ ବି ଖାଆନ୍ତି । କେତେ ଭୟଙ୍କର ସେ କ୍ୟାନ୍ସର ଚିକିତ୍ସା, ମୋଠୁ ଅଧିକ କେହି ଜାଣିବେ ନାହିଁ । ପ୍ରାୟ ଦୁଇ ଶହ ଲୋକଙ୍କ ଚିକିତ୍ସାବେଳେ ସେମାନଙ୍କୁ ସହଯୋଗ କରିଛି । କିନ୍ତୁ ପ୍ରାୟ କେହି ଜୀବିତ ନାହାନ୍ତି ମାତ୍ର ଦୁଇ-ଚାରି ଜଣଙ୍କୁ ଛାଡିଦେଲେ ।

ଆମ ସରକାର ଗୁଟକା ବ୍ୟାନ କରିଛନ୍ତି । କିନ୍ତୁ ତାହା କାଗଜ କଲମରେ । ଦେଖିବେ ସମସ୍ତ ଦୋକାନ ରେ ସବୁ ଜାଗାରେ ଖୁଲାମଖୁଲା ବିକ୍ରି ହେଉଛି ସେସବୁ । ସତରେ ଖୁବ ରାଗ ଲାଗେ, ସରକାର କାହିଁକି କୁହନ୍ତି ଗୁଟକା ଓଡ଼ିଶାରେ ବ୍ୟାନ ବୋଲି ? ହଜାର ହଜାର କ୍ୟାନ୍ସର ରୋଗୀ ଓଡ଼ିଶାରେ ବଢିବଢି ଯାଉଛନ୍ତି । କିନ୍ତୁ ଗୁଟକା ବନ୍ଦ କରିବାରେ ଆନ୍ତରିକତା ସରକାରଙ୍କ ନାହିଁ । ଲୋକେ ବି ସୁଧୁରୁ ନାହାନ୍ତି । ସଚେତନ ହେଉ ନାହାନ୍ତି । ସୁଜାତା ନାନୀ ଭଳି ଏମିତି କେତେ ଯେ ମଣିଷ କମ ବୟସରୁ ଆରପାରିକୁ ଚାଲିଯାଉଛନ୍ତି ।  

ସେଦିନର କଥା ଆଜି ମୋ ବି କାନରେ ବାଜୁଛି,

“ଏ ଘର ବିକି ଦେବି । ଆଉ ଏଇଠି ରହିବିନି । ଏ ନାଗ ବାରମ୍ବାର ଆସୁଛି । କି ଅଘଟଣ ଘଟିବନା କଣ !”

ସତରେ ସୁଜାତା ନାନୀ ଘରଦ୍ୱାର ବିକ୍ରି କରି ହେଲେ ଚାଲି ଯାଇଥାନ୍ତେ କୁଆଡ଼େ । ଅନ୍ତତଃ ବଞ୍ଚିଥାଆନ୍ତେ ତ ! ଏତକ ଭାବି ମନକୁ ମିଛରେ ବୁଝାଇବାକୁ ଚେଷ୍ଟା କରୁଛି ମୁଁ ସେଇମିତି ସେଇ ଚେୟାର ଉପରେ ବସି । ସେପଟେ ବର୍ଷାରେ ତିନ୍ତି ସାରିଥିବା ମୋ ପୋଷାକ ଶୁଖି ସାରିଲାଣି ଆପେଆପେ । ବୋଧେ ଢେର ସମୟ ବସି ପଡ଼ିଥିଲି !!!

ଗଞ୍ଜାମ

ଲେଖକ ପରିଚୟ

ସ୍କୁଲ ପଢିଲାବେଳଠୁ ଲେଖି ଆସୁଛି । ନିଜର ମନର ଭାବନାକୁ ଶବ୍ଦର ରୂପ ଦେଲେ ନିଜକୁ ଖୁବ ହାଲକା ଲାଗେ ବୋଲି ଲେଖେ । ମୋତେ ସରଳ ଭାଷାରେ କବିତା ଲେଖିବାକୁ ଭଲ ଲାଗେ । ଯେମିତି କି ସାହିତ୍ୟ ଜାଣି ନଥିବା ଲୋକ ବି ତୁମ ଭାବନାକୁ ସହଜରେ ବୁଝିପାରିବ । ସହିତ୍ୟ ବିଷୟରେ ବହୁତ କିଛି ଶିଖିବା ଜାଣିବାର ଆଗ୍ରହ ରହିଛି, ତେଣୁ ଲେଖିବା ଅପେକ୍ଷା ପଢିବାକୁ ବେଶୀ ଭଲପାଏ ।

Related Posts

2 thoughts on “ଗପ ହେଲେ ବି ସତ

Leave a Reply

Your email address will not be published. Required fields are marked *