ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଯୁକ୍ତ ତିନିରେ ବଟାନି ଅନର୍ସ କ୍ଲାସ ସମୟରେ ଲାଗେ, ବିରାଟ ସେ କଲେଜର ପୁରୁଣା ଝରକା ସେପାଖରୁ ବହଳିଆ ବରଗଛ ଯେମିତି ଡାକୁଛି । ତାରି ବଡ଼ବଡ଼ ଡାଳ, ଡାଳ ଉପରେ ବିସ୍ତୃତ ପତ୍ର ଗହଳ, ଗଛ ଅଣ୍ଟାରେ ଲମ୍ବା ଶିଆଳି ପଇତା । ସେ ଝରକା ବାଟେ ବହଳ ଗଛ ଆନମନା କରି ଦେଉଥିଲା ଚିରକାଳ ।
ଦେବକୀ ମ୍ୟାଡାମ ଜେନେଟିକ୍ସ କ୍ଲାସ ନେଉଥିଲେ । ଗୋରା ଡେଙ୍ଗା ମଣିଷ, ଆଖିରେ ଗୋଲ ଚଷମା, ମୁହଁରେ ଦୀପ୍ତି । ଗୋଟେ ହାତରେ ଚକ୍ ଓ ଅନ୍ୟ ହାତରେ ଫର୍ଦ୍ଦେ କାଗଜ – ସେ ପଢ଼େଇ ଚାଲନ୍ତି ତ କ୍ଲାସ ସରେନି । ସଞ୍ଜ ନଇଁ ଆସେ, ମ୍ୟାଡାମଙ୍କ କ୍ଲାସ ସରେନି । ପଢ଼େଇବାର, ପଢ଼େଇବା ବେଳେ ଶୃଙ୍ଖଳା ରଖି ପାଠରେ ହିଁ ବାନ୍ଧି ରଖିବାର ଅପୂର୍ବ କଳା ତାଙ୍କୁ ହିଁ ଜଣାଥିଲା ।
ଦିନ ଖରା ତଥାପି ଲମ୍ବା ଛାଇ ତିଆରି କରି ନଥିଲା, ମଧ୍ୟାହ୍ନ ଆସିବା ପାଇଁ ଆହୁରି ବାକି, କ୍ଲାସ ଚାଲିଥାଏ । ମୋ ନଜର ସେ ବରଗଛ ଉପରେ ପଡ଼ିଗଲା ଓ ଫେରିଲା ନାହିଁ ଆଉ । ଦେବକୀ ମ୍ୟାଡାମଙ୍କ ଶୃଙ୍ଖଳା ନିଆରା, ଏକାଥରେ ସେ ଜାଣିଲେ ମୁଁ ଅନ୍ୟମନସ୍କ । କ୍ଲାସ ଭିତରେ ମୋ ମନ ନାହିଁ ।
ସିଧା ଆସି ସାମ୍ନାରେ ଛିଡ଼ା ହେଲେ ସେ । ଚମକି ପଡ଼ିଲି ମୁଁ । ଚଷମା ବାଟେ ତଳକୁ ଅନେଇଲେ ମତେ, ତାଙ୍କ ଆଖି ହଳକରେ ଆଭା ।
– କୁଆଡ଼େ, ମନ କୁଆଡ଼େ ?? କଣ ଖାଇକି ଆସିଛୁ ??
-ନାହିଁ ନାହିଁ ।
-ମୁଁ ପଚାରୁଛି କଣ ଖାଇ ଆସିଛୁ ??
-ଭାତ
-ଆଉ ?
-ଡାଲମା
-ଆଉ
-ଆଳୁଭର୍ତ୍ତା । ଛୁଙ୍କା ।
-କି ଛୁଙ୍କ ?? କିରେ ତୋ ବୋଉ କଣ ସବୁଦିନେ ସେଇ ଏକା ରାନ୍ଧୁଛିରେ ? ଦୁଇଦିନ ତଳେ ପରା ସେଇଆ ଖାଇଥିଲୁ ! ସମାନ ରାନ୍ଧି ଦେଇ କଲେଜ ଯାଉଛି କି ସେ ?
-ଆଜ୍ଞା
-ଶୁଣୁ, ତାକୁ କହିବୁ – ଖାଇବା ବଦଳେଇ ରାନ୍ଧିଲେ ଭଲ ।
-ଆଜ୍ଞା
-ରହ, ମୋର ଦେଖା ହେବ । ମୁଁ କହିଦେବି ।
ଯାଜପୁର କଲେଜରେ ଡିଗ୍ରୀ ପଢ଼ିବା ସମୟରେ ଦେବକୀ ମ୍ୟାଡାମଙ୍କ ପ୍ରଭାବ ସାରାଜୀବନ ରହିଗଲା, ଓ ମୋ ଖାଇବା ଉତ୍ତର ତାଙ୍କ ମନରେ ବି ।
ବୋଉ ରାନ୍ଧିଲେ କଲେଜ ଯିବ । ଆମେ ତ ଭାଇଭଉଣୀ ମିଶି ସାତ ଜଣ ରହୁଥିଲୁ । ତେଣୁ ସେ ଭାତ, ଡାଲମା, ଆଳୁଭର୍ତ୍ତା ରାନ୍ଧି ଦିଏ । ସଂଜକୁ ଘର ତରକାରୀରେ ବାସେ, ବାଲକୋନି ବି । ଆଉ ରବିବାର ମେହେରବାନ ମିଆଁ ଖାସି ମାଉଁସ କଷାରେ ।
ସ୍କୁଲରେ ପଢ଼ିବାବେଳେ ସେଇ ହିଁ ଥିଲା ଖାଇବା ଥାଳିରେ । ତତଲା ବାମ୍ଫ ଉଠୁଥିବା ଉଷୁନା ଭାତ, ମୋଟା ବହଳିଆ ଡାଲି ଓ ଆଳୁଭର୍ତ୍ତା । ସେବେ ମୁଁ ପାଟପୁରରେ ରହୁଥିଲି, ମୋ ସ୍କୁଲ ମ୍ୟାଡାମଙ୍କ ଘରେ । ପାଠ ନପଢ଼ି ଦୁଷ୍ଟ ହେବାରୁ ଦିନେ ମ୍ୟାଡାମ ଆସି ମୋ ଜାମା ପେଣ୍ଟ, ବହି ଗୋଟେ ବେଗରେ ପୁରେଇ ନେଇ ଯାଇଥିଲେ । ବାପା ହଁ ଭରିଥିଲେ ସେଥିରେ ।
ଯାଜପୁର ଗାନ୍ଧି ଛକରୁ ପାଟପୁର ପାଞ୍ଚ କିଲୋମିଟର ପାଖାପାଖି ହେବ । ସେବେ ରାସ୍ତା ଥିଲା ବୈତରଣୀ ବନ୍ୟାରେ ଅହରହ ଉବୁଟୁବୁ, କାଦୁଆ ଓ ନିହାତି ନିର୍ଜନ ଓ ଏକେଲା । ତେଣୁ ସଅଳ ବାହାରି ଆସି ଆମେ ଗାନ୍ଧି ଛକରେ ପହଞ୍ଚିଲେ ରିକ୍ସା ମିଳି ଯାଉଥିଲା । ନହେଲେ ସେଠୁ ଆଠ କିଲୋମିଟର ଦୂର ଆମ ସ୍କୁଲ, ଚାଲିଚାଲି ଯିବା ହିଁ ଥିଲା ଏକମାତ୍ର ଉପାୟ ।
ତେଣୁ ବଡ଼ବୋଉ (ମ୍ୟାଡାମ ସେଇ ନାଁରେ ଡାକନ୍ତି) ଚୂଲିରେ ରାନ୍ଧି କଂସା ଥାଳିରେ ଉଭୟଙ୍କ ପାଇଁ ବାଢ଼ି ଦେଇଥିବେ । ଖାଇଦେଇ ଆମେ ଚାଲୁ ଗାନ୍ଧି ଛକ ପର୍ଯ୍ୟନ୍ତ ।
ପାଟପୁର ଥିଲା ସ୍ୱପ୍ନର ଇଲାକା । ଗାଁ ଆରମ୍ଭରୁ ଗାଁ ଠାକୁରାଣୀଙ୍କ ଆସ୍ଥାନ, ଟିକିଏ ଦୂରକୁ ଆମ୍ବ ବଣ, ବଣ ଭିତରେ ହଜିଯାଏ ପତଳା ରାସ୍ତା, ରାସ୍ତା ଉପରକୁ ନଇଁ ଆସିଥାଏ ଯାବତୀୟ ଗଛଙ୍କ ଭଳିକି ଭଳି ଲକ୍ଷଲକ୍ଷ ସାବଜା ପତ୍ରଙ୍କ ଆଶୀର୍ବାଦ, କଡ଼ରେ ବୈତରଣୀ – ଅଙ୍କେଇ ବଙ୍କେଇ ବାଲିଭର୍ତ୍ତି ତା ଗର୍ଭ, ଗୋଟିଏ ପାଖକୁ ସେବେକାର ମଣିଷଙ୍କ ମନ ରକମ ସଫା ପାଣିର ସୁଅ, ଯାହା ଉପର ଦେଇ ଜହ୍ନ ଉଠେ ଅଳସ ଭାଙ୍ଗି, ଆକାଶକୁ ରଙ୍ଗାଏ, ପ୍ରତିବିମ୍ବ ପଡ଼େ ନଈ ଚହଲା ପାଣିରେ ।
ଅନ୍ଧାର ଦିନରେ କୃଷ୍ଣପକ୍ଷରେ ନଈ ପାଣି ବୋହିଯିବା ଶଦ୍ଦ ଶୁଭେ, ଧୀରେ – ତାରି ଶବ୍ଦରେ ନିଦ ଢାଙ୍କି ଆଣେ ଆଖି ପତା ।
ପାଟପୁରରୁ ଆରମ୍ଭ ହୋଇଥିଲା ସମୟ ସଙ୍ଗେ ତରତର ହୋଇ ଚାଲିବା, ତା ସାଙ୍ଗେ ଯୁଝିବା, ହାରିଯିବା ଓ ପୁଣି ଚାଲିବା । ଆଉ ତତଲା ବାମ୍ଫଉଠା ଭାତ, ବହଳିଆ ଡାଲି, ଆଳୁଭର୍ତ୍ତା ।
ସାମ୍ବାଦିକ ହେବାର ଢେର ବର୍ଷ ପରେ ଡେରି ରାତିରେ ଖବରକାଗଜ ଅଫିସରୁ ଫେରି ଯେବେ ରୋଷେଇ ଆରମ୍ଭ ହୋଇଥିଲା – ପ୍ରାୟ ସମୟରେ ଥିଲା ଭାତ, ଡାଲମା ଓ ଛୁଙ୍କା ଆଳୁଭର୍ତ୍ତା । ସାଙ୍ଗରେ ଅବଶ୍ୟ ଲତା ଦିଦି ଥାଆନ୍ତି ଟେପ୍ ରେକର୍ଡ଼ରରେ ।
ପରେ ଯୁଆଡ଼େ ମୁଁ ଯାଇଛି ପାହାଡ଼ କି ସମତଳ – ଏଇ ଖାଦ୍ୟ ରହି ଆସିଛି ସାଙ୍ଗରେ । ଅବଶ୍ୟ ଏକା ଥିଲେ ମୁଁ ତାକୁ ରାନ୍ଧେ । ଅଲଗା କିଏ ଥିଲେ – ବଦଳେଇ ଦିଏ । ବାସ୍ନା ଦିଏ ସେ ରନ୍ଧାରେ ।
କିଏ ସେ ପୁରୁଣା, ଏତେ ଗହଳ ଓ ବହଳ ଭଲ ପାଇବାକୁ ବୁଝିବ ଯେ ?? କଥା କଥାକରେ ରୁଷି ଯାଉଥିବା ଏବେକାର ମଣିଷ ମାନେ କେବେ ନା ଏ ଗପ ଶୁଣିବେ, ନା ସେ ଖାଦ୍ୟ ଖାଇବେ ??
ସେ ଖାଇବା ମୋ ମ୍ୟାଡାମଙ୍କ ଅନାବିଳ ଆଦରର କାହାଣୀ କହେ, ମୋ ବୋଉର ତରତର ଓ କେବେ ଥକୁ ନଥିବା ହାତ ଦିଓଟିର ଗପ ମନେ ପକାଏ, ମନେ ପକେଇ ଦିଏ ଦେବକୀ ମ୍ୟାଡାମଙ୍କ ଅଦ୍ଭୁତ ପାଠ ପଢ଼େଇବାର କଳା, ବରଗଛର ଡାକ, ଗପ ଓ କାହାଣୀ କହି ସ୍କୁଲ ପାଠ ଆଡ଼କୁ ଆଉଜେଇ ନେଇଥିବା ମୋ ସ୍କୁଲ ମ୍ୟାଡାମଙ୍କ ଗହଳ ମମତା ।
ଏବେ ଯେବେ ବୋଉ ରାନ୍ଧେ, ମୁଁ ତା କାନରେ କହିଦେଇ ଆସେ – ମୋ ପାଇଁ ବହଳ ଡାଲି ଓ ଛୁଙ୍କା ଆଳୁଭର୍ତ୍ତା ।
ଯାଜପୁର
ଲେଖକ ପରିଚୟ
ଡ. ମହାପାତ୍ର ଜଣେ ଗଣମାଧ୍ୟମ ଶିକ୍ଷାବିତ ଓ ସାମ୍ବାଦିକ ଭାବେ ଢେର ବର୍ଷ କାର୍ଯ୍ୟ କରିଛନ୍ତି । ସେ ବିଭିନ୍ନ ଖବରକାଗଜରେ ନିୟମିତ ସ୍ତମ୍ଭ ଲେଖନ୍ତି । ମାଟି ଓ ମଣିଷଙ୍କୁ ନେଇ ଗପ ଓ କବିତା ଲେଖୁଥିବା ଜ୍ୟୋତି ପ୍ରକାଶ ମହାପାତ୍ରଙ୍କ ‘ଯାଜପୁର-ସେ ସମ୍ପର୍କ ସେଇମିତି’ ନାଁରେ ସଂକଳନଟିଏ ପ୍ରକାଶିତ ହୋଇସାରିଛି । ଏହା ବେଶ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।
