ରାମାବତାର ଓ ଗାନ୍ଧିଜୀ

ବିଶ୍ୱେଶ୍ୱର ମାଝୀ

ଆମ ଜନମାନସରେ ଶ୍ରୀରାମ (ଯୁଗାବତାର ବା ଆଦର୍ଶାବତାର) କଥା ବହୁ ପ୍ରଭାବବିସ୍ତାରୀ । କିନ୍ତୁ ଧୂର୍ତ୍ତ ମଣିଷ ତାଙ୍କ ନୀତି ବା ଆଦର୍ଶ ଅନୁସରଣ ନକରି, ତାଙ୍କୁ ମନ୍ଦିରରେ ବାନ୍ଧି ରଖି ପୂଜାପାଠ କରିବାରେ ଧାର୍ମିକତା ପ୍ରକାଶ କରେ । ଆମ ସମୟର ଜଣେ ସାଧାରଣ ମଣିଷ ଶ୍ରୀରାମଙ୍କୁ ନିଜ ଆଦର୍ଶ ଭାବରେ ଗ୍ରହଣ କରି ଜୀବନ ଯୁଦ୍ଧରେ ସଫଳ ହେବା ସହ ଜନନାୟକ ଓ ମୁକୁଟବିହୀନ ସମ୍ରାଟ ଆଖ୍ୟାୟିତ ହୋଇଥିଲେ । ସମସାମୟିକ ନେତୃତ୍ଵ ତଥା ଜନତା ସ୍ଵତଃସ୍ଫୁର୍ତ ଭାବରେ ତାଙ୍କୁ ଜାତିର ଜନକ ବା ବାପୁଜୀ ସମ୍ବୋଧନ କରିଥିଲେ । କେବଳ ଦେଶ ନୁହେଁ, ବିଦେଶରେ ପ୍ରତି ପ୍ରମୁଖ ସହର, ବିଶେଷ କରି ଆମ ଦେଶକୁ ୨୦୦ ବର୍ଷ ଶାସନ କରିଥିବା ବ୍ରିଟେନରେ ମଧ୍ୟ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରଯିବା ସହ ବିଦେଶୀ ଓ ଦେଶୀୟ ପ୍ରସିଦ୍ଧ ଲେଖକଙ୍କ ଦ୍ବାରା ତାଙ୍କ ଜୀବନୀକୁ ନେଇ ସର୍ବାଧିକ ପୁସ୍ତକ ରଚନା କରାଯାଇଛି । ଦିଲ୍ଲୀର ଯମୁନା କୂଳରେ ଥିବା ରାଜଘାଟର ତାଙ୍କ ସମାଧି ସ୍ଥଳ, ବିଶ୍ଵର ଏକ ପ୍ରମୁଖ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ ସ୍ଥଳର ମାନ୍ୟତା ପ୍ରାପ୍ତ । ଗାନ୍ଧିଜୀ ସହସ୍ରାବ୍ଦର ଶ୍ରେଷ୍ଠ ମାନବ ଭାବରେ ଦେଶକୁ ଗୌରାବାନ୍ଵିତ କରିଛନ୍ତି । ତାଙ୍କ ନୀତି ଅନୁସରଣ କରି ଭାରତ ଓ ଦକ୍ଷିଣ ଆଫ୍ରିକା, ଦୁଇଟି ଦେଶ ନିରସ୍ତ୍ର ଲଢେଇରେ ସ୍ଵାଧୀନ ହେବା ସହ ଗାନ୍ଧୀବାଦ ଏକ ମାନ୍ୟତାପ୍ରାପ୍ତ ଦର୍ଶନ ଭାବରେ ଲୋକପ୍ରିୟ ହୋଇପାରିଛି । ତାଙ୍କ ନିରସ୍ତ୍ର ଅସ୍ତ୍ର ଦ୍ୱୟ ଅହିଂସା ଓ ସତ୍ୟାଗ୍ରହ ଅବତାରମାନଙ୍କୁ ମଧ୍ୟ ଆହ୍ଵାନ କରେ । ଏହି ପରିପ୍ରେକ୍ଷୀରେ ଶ୍ରୀରାମ ଓ ଗାନ୍ଧିଜୀଙ୍କର ଏକ ତୁଳନାତ୍ମକ ଆଲୋଚନା କରାଯାଇପାରେ । ଯଥା :-

୧) ସତ୍ୟନିଷ୍ଠ ନୀତି ରଘୁକୁଳର ରୀତି ହେଲେ ମଧ୍ୟ ଶ୍ରୀରାମ ଏହାକୁ ପାଳନ କରିବା ପାଇଁ ଜୀବନ ବାଜି ଲଗାଇବାକୁ ପଛାଇ ନଥିଲେ । ପିତୃସତ୍ୟ ପାଳନ କରି ସେ ବିନା ଦ୍ଵିଧାରେ ୧୪ ବର୍ଷ ବନବାସ କରିଥିଲେ ।

ଗାନ୍ଧିଜୀ ବାଲ୍ୟକାଳରୁ ହରିଶ୍ଚନ୍ଦ୍ର ନାଟକ ଦେଖିଲା ପରେ ସତ୍ୟକୁ ଜୀବନର ବ୍ରତ କରିବା ସହ ପ୍ରତ୍ୟେକ କାର୍ଯ୍ୟରେ ସତ୍ୟର ପରୀକ୍ଷା କରିଥିଲେ । ନିଜ ପ୍ରିୟ ପୁତ୍ରର ରୋଗଶଯ୍ୟାରେ ଜଳ ଚିକିତ୍ସା ଉପଯୋଗ କରିବା ସିଦ୍ଧାନ୍ତରେ ଦୃଢ଼ ରହି ସଫଳ ହୋଇଥିଲେ । ତାଙ୍କ ଆତ୍ମଜୀବନୀର ନାମ ରଖିଥିଲେ, ‘ସତ୍ୟ ସହିତ ମୋ’ ପରୀକ୍ଷା’ । ବାଲ୍ୟକାଳର ଭୁଲ ମଧ୍ୟ ସେ ପିତାମାତାଙ୍କ ନିକଟରେ ସ୍ଵୀକାର କରି ଉକ୍ତ ଭୁଲର ପୁନରାବୃତ୍ତି କରୁ ନଥିଲେ ।

୨) ଶ୍ରୀରାମ ବାଲ୍ୟକାଳରୁ ଆଦର୍ଶ ପ୍ରତିଷ୍ଠା ପାଇଁ ଜୀବନ ସମର୍ପଣ କରିଥଲେ । ଏକ ଆଦର୍ଶ ରାଜା ଭାବରେ ସେ ପ୍ରଜାଙ୍କ ମାନ ରଖିବାକୁ ପ୍ରାଣପ୍ରିୟା ପତ୍ନୀଙ୍କୁ ବନବାସ ପଠାଇବା ସହ ଶେଷ ଜୀବନରେ ପ୍ରିୟ ଭାଇ ଲକ୍ଷ୍ମଣଙ୍କୁ ତ୍ୟାଗ କରିଥିଲେ ।

ବାଲ୍ୟକାଳରୁ ଶେଷ ପର୍ଯ୍ୟନ୍ତ, ଗାନ୍ଧିଜୀଙ୍କ ଜୀବନ, ଆଦର୍ଶ ପ୍ରତି ସମର୍ପିତ ଥିଲା । ସେ ଇଂରେଜ ସରକାର ବିରୁଦ୍ଧରେ ଲଢ଼େଇ କରୁଥିଲେ ମଧ୍ୟ ଇଂରେଜମାନଙ୍କୁ ଘୃଣା କରୁନଥିଲେ । ସେଥିପାଇଁ ଚୌରିଚୌରା ପୁଲିସ ପୋଡ଼ି ଘଟଣା ପରେ ସେ ଶେଷ ପର୍ଯ୍ୟାୟରେ ଥିବା ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିଲେ । ସାବରମତୀ ଆଶ୍ରମରେ ‘କୁଟି ଖାଅ’ ନୀତି କସ୍ତୁରବାଙ୍କ ପାଇଁ ମଧ୍ୟ ସମଭାବରେ ଲାଗୁ କରିଥିଲେ । ଆଶ୍ରମରେ ନିଜ ମୁଣ୍ଡରେ ପାଇଖାନାର ମଇଳା ବହି, ଅସ୍ପୃଶ୍ୟମାନଙ୍କୁ ସାମ୍ୟତା ପ୍ରଦର୍ଶନ କରୁଥିଲେ ।

୩) ଶ୍ରୀରାମ ବନବାସ କାଳରେ ସୀତାହରଣ ପରେ ପ୍ରବଳ ପ୍ରତାପୀ ରାବଣ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ବେଳେ କୌଣସି ପଡ଼ୋଶୀ ରାଜାଙ୍କ ସହଯୋଗ ନଲୋଡ଼ି ଅରଣ୍ୟର ଭାଲୁ, ମାଙ୍କଡ଼ମାନଙ୍କୁ ପ୍ରଶିକ୍ଷଣ ଦେଇ ଯୁଦ୍ଧ କରିଥିଲେ । ଏହାଦ୍ୱାରା ସେ ଦଳିତ ଓ ଲାଞ୍ଛିତମାନଙ୍କ ଦକ୍ଷତା ବୃଦ୍ଧି କରାଇ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ କରାଇଥିଲେ । ତାଙ୍କ ସଂସ୍ପର୍ଶରେ ଆସି ହନୁମାନ ଜଣେ ମର୍କଟ ହୋଇ ମଧ୍ୟ ଭଗବାନ ପଦକୁ ଉନ୍ନୀତ ହୋଇଥିଲେ ।

ଗାନ୍ଧିଜୀଙ୍କ ଜୀବନ କେବଳ ତ୍ୟାଗ ଉପରେ ପ୍ରତିଷ୍ଠିତ ଥିଲା । ସେ ଜଣେ ବିଲାତ ପଢୁଆ ବାରିଷ୍ଟର ହୋଇ ମଧ୍ୟ ଆଣ୍ଠୁ ଲୁଚୁ ନଥିବା ଲୁଗା ଖଣ୍ଡେରେ ଜୀବନର ଶେଷ ପର୍ଯ୍ୟନ୍ତ କଟାଇଥିଲେ । ସେ ସାବରମତି ଆଶ୍ରମରେ ଏକ ସରଳ ନିରାଡ଼ମ୍ବର ଜୀବନଯାପନ କରୁଥିଲେ । ଜୀବନରେ କେବେହେଲେ ଉଡାଜାହାଜ ଯାତ୍ରା କରିନଥିଲେ ତଥା ରେଳଯାତ୍ରା କେବଳ ତୃତୀୟ ଶ୍ରେଣୀ ଡବାରେ କରୁଥିଲେ। ଦେଶ, ୧୯୪୭ ଅଗଷ୍ଟ ୧୫ରେ ନିଜର ସ୍ଵାଧୀନତାର ମହାପର୍ବ ପାଳନ କରୁଥିଲାବେଳେ ସେ ନୂଆଖାଲିରେ ଏକ ନିରାଡମ୍ବର ପରିବେଶରେ ସମୟ କଟାଉଥିଲେ।

ଦକ୍ଷିଣ ଆଫ୍ରିକାରୁ ଆରମ୍ଭ କରି ଭାରତର ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ, ଗାନ୍ଧିଜୀଙ୍କ ଜୀବନ, ସାମାଜର ସାଧାରଣ ବର୍ଗର ଜନତାଙ୍କ ହୃଦୟ ଜିତି ନିରସ୍ତ୍ର ଆନ୍ଦୋଳନରେ ସଫଳ ହୋଇଥିଲେ । ଯାହାର ଫଳସ୍ୱରୂପ, ପରମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକା ସେହି ଅହିଂସା ଆନ୍ଦୋଳନ ମାଧ୍ୟମରେ ଆପାର୍ଥିଡ ବା ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଲଢି ସ୍ଵାଧୀନ ହୋଇଥିଲେ । ଲବଣ ସତ୍ୟାଗ୍ରହ ସମୟରେ ସେ ବନ୍ଦୀ ଥାଇ ମଧ୍ୟ ହଜାରହଜାର ଜନତା ଧାଡ଼ିରେ ଯାଇ ଲୁଣ ମୁଠାଏ ଉଠାଇବାକୁ ପୋଲିସ ଲାଠି ଖାଇ ହାତ ଫାଠାଇ ରକ୍ତ ଝରାଇଥିଲେ ମାତ୍ର ପ୍ରତିବାଦ କରୁନଥିଲେ, ଯାହା ସାରା ପୃଥିବୀରେ ଚହଳ ପକାଇ ଦେଇଥିଲା ।

୪) ଶ୍ରୀରାମଙ୍କର କୌଣସି ଉଚ୍ଚାଭିଳାଷ ବା ପଦମୋହ ନଥିଲା । ତେଣୁ ସ୍ୱୟଂ ଭରତ ଅରଣ୍ୟକୁ ଆସି ତାଙ୍କୁ ଫେରାଇ ନେବାକୁ ଚାହିଁଲେ ମଧ୍ୟ ସେ ଜନକ, ବଶିଷ୍ଠ ଆଦି ଗୁରୁଜନଙ୍କ ପ୍ରସ୍ତାବ ସବିନୟ ପ୍ରତ୍ୟାଖ୍ୟାନ କରିଥିଲେ । ବନବାସ ସମାପ୍ତି ପରେ ରାଜକାର୍ଯ୍ୟ ପରିଚାଳନା ସହ ସେ ଭିକ୍ଷାବୃତ୍ତି କରି ନିଜର ଭରଣପୋଷଣ କରୁଥିଲେ ।

୫) ଶ୍ରୀରାମ ସବୁ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କ ସତ୍ତା ଅନୁଭବ କରୁଥିଲେ । ସେ ଅଭିଶପ୍ତା ପାଷାଣୀ ଅହଲ୍ୟା ଉଦ୍ଧାର କରିବା ସହ, ଗୃଧ୍ର ଜଟାୟୁଙ୍କ ଅନ୍ତିମ ସଂସ୍କାର କରିଥିଲେ ତଥା ଶ୍ରମଣା ନାମକ ଶବରୀ ମାତା ଖଟାମିଠା ଚାଖି ଖୁଆଉଥିବା ଫଳ ଆଗ୍ରହରେ ଗ୍ରହଣ କରିଥିଲେ । ବାନର ସୁଗ୍ରୀବ ତଥା ରାବଣର ଭାଇ ବିଭୀଷଣକୁ ମଧ୍ୟ ନିଜର ମିତ୍ର ଭାବରେ ଗ୍ରହଣ କରିଥିଲେ ତଥା ଗୁଣ୍ଡୁଚି ମୂଷାକୁ ତା’ର ଶ୍ରେୟ ପ୍ରଦାନ କରି ଆଉଁଷି ଦେଇଥିଲେ ।

ଗାନ୍ଧିଜୀଙ୍କ ଜୀବନରେ ଅସ୍ପୃଶ୍ୟତାର ପ୍ରାଚୀର ଭାଙ୍ଗିବା ପାଇଁ ସାଲିସବିହୀନ ସଂଗ୍ରାମ କରିବା ସହ ସବୁ ଧର୍ମକୁ ସମାନ ସମ୍ମାନ ପ୍ରଦର୍ଶନ କରୁଥିଲେ। ପୃଥିବୀର ଅନେକ ଦେଶର ଲୋକ, ବିଶେଷ କରି ୟୁରୋପୀୟମାନେ ସାବରମତୀର ଅନ୍ତେବାସୀ ଥିଲେ । ସେ ନିଜେ ଆଶ୍ରମ ପରିସରରେ ଅନ୍ତେବାସୀଙ୍କ ସହ ମଳ ଉଠାଉଥିଲେ, ଅସ୍ପୃଶ୍ୟ ଘରେ ଭୋଜନ କରୁଥିଲେ ତଥା ମହିଳାମାନଙ୍କ ସାମାଜିକ ସମ୍ମାନ ବୃଦ୍ଧି ପାଇଁ ସମର୍ପିତ ଥିଲେ । ତାଙ୍କ ପାଇଁ ରାମରାଜ୍ୟର ଚିତ୍ର ଥିଲା- ଯେଉଁଠି ଏକ ମହିଳା ନିଶାର୍ଦ୍ଧରେ ନିର୍ଭୟର ସହ ରାଜରାସ୍ତାରେ ଯାଇପାରିବ ।

ଗାନ୍ଧିଜୀ ଆଦର୍ଶଗତ ବିରୋଧ ହେତୁ ଆତତାୟୀର ଗୁଳିରେ ଆହତ ହେଲେ ମଧ୍ୟ ‘ହେ ରାମ’ ଉଚ୍ଚାରଣ କରି ମୃତ୍ୟୁଶଯ୍ୟାରେ ଟଳି ପଡ଼ିଥିଲେ । ଦେଶରେ ଶୋକର ଛାୟା ଖେଳିଗଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଶକୁ ବ୍ୟଥିତ ଚିତ୍ତରେ ସମ୍ବୋଧିତ କଲେ, “ଆଲୁଅ ଲିଭିଗଲା ।” ଏବେ ଯୁଗରେ ଯୁଗାବତାର ତଥା ପୂର୍ଣ୍ଣାବତାର ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ରରୁ ଅନେକ ଭୁଲ ଖୋଜା ଯାଉଛି, ଯାହା ମୂଳ ରାମାୟଣ ବା ମହାଭାରତରେ ନାହିଁ, ଅର୍ଥାତ ଉଦ୍ଦେଶ୍ୟ ପ୍ରଣୋଦିତ ।

ଦେଶ ବିଭାଜନ ସମୟରେ ଅମାନୁଷିକ ହିଂସା ପ୍ରତିହତ କରିବାକୁ ସରକାର ଅସଫଳ ହେଲାବେଳେ ନିଜ ବାର୍ଦ୍ଧକ୍ୟରେ ଗାନ୍ଧିଜୀ ଆମରଣ ଅନଶନ କରିବାରୁ, ହିନ୍ଦୁ-ମୁସଲିମ ଉଭୟ ସମ୍ପ୍ରଦାୟର କ୍ରୂରପନ୍ଥୀ ନେତା ତାଙ୍କ ନିକଟରେ ଅସ୍ତ୍ରତ୍ୟାଗ କରି, ଅନଶନ ଭାଙ୍ଗିବାକୁ ଆକୁଳ, ଅଶ୍ରୁଳ ଅନୁରୋଧ କରିଥିଲେ ।

ଲେଖକ ମହାଶୟ ଏକ ପ୍ରତ୍ୟକ୍ଷ ଅନୁଭବ କଥା କହିବାକୁ ଯାଇ କହିଛନ୍ତି ଯେ ୨୦୦୧ ମସିହାରେ ସେ ଏକଦା ଦିଲ୍ଲୀ ଗସ୍ତ କରିଥିଲେ । ରାଜଘାଟରେ ଜଣେ ଚୀନା ନାଗରିକ ସମାଧି ତଳେ ବସି ଗୋଟିଏ ସରଳ ବାଦ୍ୟଯନ୍ତ୍ର ସହିତ ଏକ ମଧୁର ଧୂନ ତୋଳୁଥାଆନ୍ତି । ଜାଣିବାକୁ ପାଇଲି, ସାରାଦିନ ସେ ସେପରି କରିବାକୁ ସମର୍ପିତ ଥିଲେ । ବିଦେଶରେ ଆମ ପରିଚୟ ଗାନ୍ଧିଜୀ, ତାଙ୍କ ଶହୀଦ ହେବାର ଶତବର୍ଷ ସ୍ପର୍ଶ କଲେ ମଧ୍ୟ । ଧରାପୃଷ୍ଠକୁ କ୍ୱଚିତ୍ ଏପରି ମହାମାନବ ଆସିଥାନ୍ତି, ଆଉ କେବେ ସେପରି କିଏ ଆସିବେ, ସେ ଆଶା ନିରର୍ଥକ ମନେହୁଏ । ତାଙ୍କ ବିଚାରଧାରାର ଘୋର ବିରୋଧୀ ନେତାଜୀ ସୁଭାଷଙ୍କ ଠାରୁ ଶହୀଦ ଭଗତ ସିଂହଙ୍କ ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବ୍ୟକ୍ତିତ୍ୱକୁ ଆନ୍ତରିକତାର ସହ ସମ୍ମାନ କରୁଥିଲେ ।

ଶ୍ରୀରାମଙ୍କ ପୂର୍ବଜ ରାଜା ହରିଶ୍ଚନ୍ଦ୍ରଙ୍କ ଚରିତ୍ରରୁ ପ୍ରେରଣା ପାଇ, ନିଜକୁ ଶ୍ରୀରାମଙ୍କ ଆଦର୍ଶରେ ନିର୍ମାଣ କରିଥିବା ମହାପୁରୁଷ ଗାନ୍ଧିଜୀ, ସାରା ବିଶ୍ଵ ପାଇଁ ଏକ ଆଦର୍ଶ । ଗାନ୍ଧିଜୀ ଜଣେ ଧୂଳିମାଟିର ମଣିଷ ଥିଲେ, ତାଙ୍କ ଜୀବନ ତୃଟିଶୂନ୍ୟ, ଆଶା କରିବା ଧୃଷ୍ଟତା । ମାତ୍ର ସାମଗ୍ରିକ ଜୀବନ ଅନୁଧ୍ୟାନ କରି ଜଣକର ଚରିତ୍ର ମୂଲ୍ୟାୟନ ଯଦି ସଠିକ ପନ୍ଥା ହୁଏ, ତେବେ ତାଙ୍କ ପରି ଆଧ୍ୟାତ୍ମବାଦୀ, ସରଳ, କର୍ମଠ, ନିଷ୍ଠାପର, ସଦାଚାରୀ, ସଚ୍ଚୋଟ ତଥା ଦେଶ ମାତୃକା ଓ ମାନବଜାତିର ସେବକ ତଥା ମାନବବାଦର ପ୍ରମୂର୍ତ୍ତ ପ୍ରତୀକ; ଅପୂର୍ବ ଅଦ୍ୱିତୀୟ ତଥା ଅପ୍ରତିଦ୍ୱନ୍ଦୀ । ବିଗତ ସହସ୍ରାବ୍ଦରେ ବିଶ୍ଵର ଶ୍ରେଷ୍ଠ ମାନବ ଭାବରେ ଯାହାଙ୍କୁ ନିର୍ଦ୍ୱନ୍ଦରେ ସ୍ଵୀକୃତି ମିଳିଛି, ସେହି ଅଜାତଶତୃ, କେବଳ ଜଣେ- ମୋହନଦାସ କରମଚାନ୍ଦ ଗାନ୍ଧା, ଭାରତର ବାପୁଜୀ- ବିଶ୍ଵ କହେ ମହାତ୍ମା ।

ବୈକୁଣ୍ଠ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୪୩୭୬୯୭୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *