ବାଦାମୀ ରଙ୍ଗର ବେଶ୍ୟା

(ଭାଗ – ୧)

ଶିବସୁନ୍ଦର

ଚହଳ ପଡ଼ିଥାଏ ଦିଲ୍ଲୀରେ ଆସନ୍ନ କାର୍ଯ୍ୟକ୍ରମକୁ ନେଇ । ଟିଭିରେ ଘନଘନ ନ୍ୟୁଜ, “ରାଷ୍ଟ୍ରପତିଙ୍କ ହାତରୁ ବେଷ୍ଟ୍ ଆଇ.ଏ.ଏସ୍ ଆୱାର୍ଡ ପାଇଥିବା ମହିଳା ଜଣଙ୍କ କ’ଣ ଜଣେ ବେଶ୍ୟା ? ତେବେ କ’ଣ ଭବିଷ୍ୟତ ଯୁବପିଢିର ? କାହିଁକି ଦିଲ୍ଲୀରେ ବେଶ୍ୟାମାନଙ୍କ ପାଇଁ ଏତେ ବଡ଼ ସଭା, ଏତେ ବଡ଼ ଆୟୋଜନ ?”

ଅକଳ୍ପିତ ବିଷୟର ସତ୍ୟାସତ୍ୟ ସହ ଅବଗତ ନଥିବା ଜାତୀୟ ସ୍ତରୀୟ ଗଣମାଧ୍ୟମ ବାକ୍ୟ ଶେଷରେ ପ୍ରଶ୍ନ ଚିହ୍ନ ଲଗେଇ ପୂର୍ଣ୍ଣବିରାମ ଲଗେଇ ଚାଲିଥାନ୍ତି କାହା ଭବିଷ୍ୟତରେ । ହେଲେ ସେ ସନ୍ଧ୍ୟା ଅଭୁଲା ଥିଲା । ସେ ଶବ୍ଦରେ ଶିହରଣ ଥିଲା । ଦିଲ୍ଲୀର ତମାମ୍ ବେଶ୍ୟା ନିମନ୍ତ୍ରିତ ହେଇଥିବାରୁ ଅନେକ ଅଫିସର୍ ତଥା ରାଜଧାନୀର ମାନ୍ୟଗଣ୍ୟ ବ୍ୟକ୍ତି ନିଜକୁ ସେ କାର୍ଯ୍ୟକ୍ରମରୁ ନିବୃତ୍ତ କରିଥାନ୍ତି । ଆଇ.ଏ.ଏସ୍ ଅଫିସର ଜଣଙ୍କ ମଞ୍ଚ ଉପରକୁ ଉଠୁଥିଲେ, ନ୍ଯୁଜ ଚ୍ୟାନେଲଗୁଡ଼ା ଆରମ୍ଭ କରୁଥାନ୍ତି ଲାଇଭ୍ ଟେଲିକାଷ୍ଟ୍, ତଳେ ବେଶ୍ୟାମାନେ ବେସ୍  ଖୁସିଥାନ୍ତି ତାଙ୍କ ପାଇଁ ଗୋଟେ ଭବ୍ୟ ଆୟୋଜନ ଦେଖି ।

“ମୋ ମାଆର ଗୋଟେ କୁକୁର ଥିଲା ଆଉ ମୋ ମାଆ ଗୋଟିଏ ବେଶ୍ୟା ।” ମହିଳା ଆଇ.ଏ.ଏସ୍ ଅଫିସରଙ୍କ ପ୍ରଥମ ବାକ୍ୟ ହିଁ କାହାକୁ ସ୍ତବ୍ଧ କରିଦେଲା ତ କାହାକୁ ଜିଜ୍ଞାସୁ ।

“ସେ ରାତି ମୋ ମାଆ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ହେଲେ ତାର ଅଜାଣତରେ ଅଦୃଶ୍ୟ ପରଦା ପଛରୁ ତା ଭାଗ୍ୟ ଲେଖୁଥିଲା । ସେ ଜୀବନର ଶେଷଯାଏଁ ନିଷ୍ପତ୍ତି ନେଇ ପାରିନଥିଲା ଯେ ସେ ସେଇ ଚୋରକୁ ଅଭିଶାପ ଦବ ନା ଆଶୀର୍ବାଦ ।” ଲାଇଭ୍ ଦେଖୁଥିବା ଅନେକ ଲୋକଙ୍କ ମନରେ ପ୍ରଶ୍ନ ଯେ କିଏ ସେ ଚୋର ଆଉ ଏମିତି କ’ଣ ସମ୍ପର୍କ ତାର ବେଶ୍ୟା ସହ ଯାହା ଦ୍ଵନ୍ଦ ସୃଷ୍ଟି କରୁଛି ଅଭିଶାପ ଆଉ ଆଶୀର୍ବାଦ ଭିତରେ ।

କେଇକ୍ଷଣର କ୍ଷୁଦ୍ର ବିରାମ ଆଉ ତା’ପରେ ଅନେକ ସମୟ ଯାଏଁ ଜାରି ରହିଥିଲା ତାଙ୍କ ବକ୍ତବ୍ୟ । ତାଙ୍କ ମାଆଙ୍କ ସହ ଘଟିଥିବା ସେ ଘଟଣାକୁ ସର୍ବସାଧାରଣ କରିବାକୁ ତାଙ୍କ ଭିତରେ ତିଳେ ମାତ୍ର ସଂକୋଚ ନଥିଲା । ମାଆ ମୁହଁରୁ ଶୁଣିଥିବା ଅତୀତକୁ ମାଆ ଭଳି ସନ୍ତର୍ପଣର ସହ ଥୋଇ ଦେଲେ ଅଫିସର ଠିକ୍ ଈଶ୍ୱରଙ୍କ ପାଦତଳେ ଫୁଲଟିଏ ଥୋଇଦେଲା ପରି ।

“ଗୁରୁବାର୍ ରାତି ଦଶଟା । ନାଲିରଙ୍ଗର କାର୍ ଟେ ଆସି ବେଶ୍ୟାପଡ଼ାରେ ଲାଗିଲା । କାର୍ ର କାଚ ଭିତରୁ ସେ ହଳେ ଆଖି ନିମିଷକେ ବାଛିନେଲା ଜଣେ ବାଦାମୀ ରଙ୍ଗର ବେଶ୍ୟାକୁ । ସେ ତାକୁ ତା ସହ ଦୂରକୁ ନେଇଯିବାକୁ ଚାହୁଁଥିଲା । କୁଆଡ଼େ ମୋ ମାଆ ଦେଖିବାକୁ ଗୋଟେ ରୂପସୀ, ବାଦାମ ପରି ରଙ୍ଗ ତା ଅଙ୍ଗ ପ୍ରତ୍ୟେଙ୍ଗର ଆଉ ତାର ସ୍ଥାନ କୁଆଡ଼େ ସେ ବେଶ୍ୟାପଡ଼ାର ଶିଉଳିଲଗା ପଥର ଉପରେ ନୁହେଁ ବରଂ କୋଉ ମହଲର ଗଜଦନ୍ତ ପଲଙ୍କରେ । ସେ ତା କଥାରେ ବିଶ୍ୱାସ କରୁନଥିଲା ହେଲେ ତାର ଗରିବୀ ତାକୁ ପଛରୁ ପେଲୁଥିଲା ସେ ନାଲି କାର୍ ଆଡ଼କୁ । କିଛିବାଟ ରାଜରାସ୍ତାରେ ବିତିଲା ପରେ ରାସ୍ତାକୁ ଲାଗିଥିବା ମହୁଲ ଅରଣ୍ୟ ଭିତରକୁ ଯିବାକୁ ଲାଗିଲା କାର୍ ଟି । ମୋ ମାଆ ଭିତରେ ଭୟ ବସା ବାନ୍ଧିବା ଆରମ୍ଭ କରି ସାରିଥିଲା ଯେ ମହଲର ଗଜଦନ୍ତ ପଲଙ୍କ କଥା କହୁଥିବା ଏ ଲୋକଟା ତାକୁ ଜଙ୍ଗଲ ଭିତରକୁ ନେଉଛି କାହିଁକି ! ତଥାପି ବାଇଚଢ଼େଇଟିଏ ଭଳି କଥା ଗୋଟେଇବାରୁ ସେ ଜାଣିଲା ଯେ ସେ ପଡ଼ିଛି ଗୋଟେ ଚୋର ହାବୁଡ଼ରେ ଆଉ ସେ କାର୍ ମଧ୍ୟ ଏଇ ଆଖପାଖରୁ କୋଉଠୁ ଚୋରି ହେଇଛି । ତା ଭିତରେ ସାହସ ପାଉନଥାଏ ପଚାରିବାକୁ ଯେ ତା ପକେଟ୍ ରେ ଟଙ୍କା ଅଛି କି ନାଇଁ । ଯଦି ସେଇ ରାତି ବିନା ଟଙ୍କାରେ ମାହାଳିଆରେ ବିତିଯାଏ ତେବେ ସକାଳଟା ଖୁବ୍ ଅସହନୀୟ ହେବ । ରାସ୍ତାରେ ମରି ପଡ଼ିଥିବା ଗୋଟିଏ ମାଆ କୁକୁରର କୋଳରୁ ସେ ଗୋଟେଇ ଥିବା କୁକୁର ଛୁଆଟା କ୍ଷୀର ପ୍ୟାକେଟ୍ ର ଅପେକ୍ଷାରେ ଥିବ । ବୋଧେ ପୁଣି ବାକି ମାଗିବାକୁ ପଡ଼ିପାରେ ତାକୁ । ତାର ମଣିଷ ଛୁଆରେ ଲୋଭ ନଥିଲା କି ତା ଦେହର ଭଡ଼ାଟିଆଙ୍କ ବୀର୍ଯ୍ୟରୁ ସେ ଅନାର୍ଯ୍ୟଙ୍କ ଉତ୍ପତ୍ତି ଚାହୁଁ ନଥିଲା । କେବଳ ଚିନ୍ତା ସେ କୁକୁର ଛୁଆର, ହେଲେ ଏଇ ଚୋରଠାରୁ ପଇସା ପାଇବାର ଆଶା ମଉଳି ଚାଲିଥାଏ ଯେମିତି ଫେରି ଯାଉଥିବା ବାଦଲକୁ ଦେଖି ଝାଉଁଳିଯାଏ ମୟୁର । ବାସ୍ ଗୋଟିଏ ଚିନ୍ତା ଯେ କେମିତି ସେ ମୁକୁଳିବ ସେ ଅମାବାସ୍ୟାର ଅନ୍ଧାରରୁ । ଜଙ୍ଗଲ ଭିତର ଗୋଟିଏ ଚାଳଘରେ ଅଟକିଲା ଗାଡ଼ି । ଚୋର ତା ହାତଧରି ଭିତରକୁ ଟାଣିନେଲା । ଲଣ୍ଠନ ଭିତରେ ନାଚୁଥାଏ ହଳଦିଆ ଆଲୁଅ । କବାଟ ଖୋଲାଥାଏ ପବନର ଯାଆଆସ ପାଇଁ । ଝିଙ୍କାରୀର ଶବ୍ଦ କାନରେ ନାଚୁଥାଏ । ଯୁବକଟି ତା ବାହୁଦ୍ୱୟରେ ତାକୁ ଆବଦ୍ଧ କରି କହିଲା, “ହଇଲୋ ବେଧେଇ…ତୋ ପେଟ କେତେ ନରମ୍ । କୋଉ ରସ ଘସୁଛୁ ତୋ ପେଟରେ ?”

ଭାଷା ଅଭାଷା ଶୁଣିବା ଗୋଟେ ବେଶ୍ୟାର ଆଜନ୍ମ ପ୍ରାରବ୍ଧ । ସେ ମୁହଁପୋତି ଚୁପ୍ ଥିଲା । ବେଶ୍ୟା ହେବାଟା ତାର ସୌକ୍ ନଥିଲା ବରଂ ପରିସ୍ଥିତି ଥିଲା । ଗଣଦୁଷ୍କର୍ମ ପରେ ନାହେଇ ପାରିଥିଲା ତାର ବିବାହ ନା ଚାକିରି । ଉଚ୍ଚଶିକ୍ଷିତା ହୋଇଥିଲେ ମଧ୍ୟ ତା ଭବିଷ୍ୟତରେ ଲାଗିଥିଲା ପ୍ରଶ୍ନଚିହ୍ନ । ଦୁଷ୍କର୍ମ ତା ଶରୀର ସହ ହୋଇଥିଲା ନା ଶିକ୍ଷା ସହ ? ସରକାରୀ ପ୍ରୋତ୍ସାହନ ମଧ୍ୟ ନାହିଁ ? ଯଦି ତା ଶରୀର ଅପବିତ୍ର ତେବେ ଏ ସହର ପବିତ୍ର କେମିତି । ଚୋରଟି ତାର ପଞ୍ଚମନ ପଚିଶ ପ୍ରକୃତିର ଚରମକୁ ଉଠେ । ଖସେଇ ଦିଏ ତା ଦେହରୁ ନାଲି ରଙ୍ଗର ଶାଢ଼ୀ । ଚୋର ଆଖିକୁ ଦିଶୁଥାଏ ତ କେବଳ ସୁଉଚ୍ଚ ପର୍ବତ ଦ୍ୱୟ । ସେ ପର୍ବତର ଯନ୍ତ୍ରଣା ଅବା ଆମ୍ପୁଡ଼ା ଦାଗକୁ ସ୍ପଷ୍ଟ କରୁ ନଥିଲା ଲଣ୍ଠନ ଆଲୁଅ, ହେଲେ ତାହା ସତେଜ୍ ଲାଗୁଥିଲା ଚୋର ହାତକୁ ଠିକ୍ ବ୍ରେଲି ଅକ୍ଷରରେ ଲେଖା ହେଇଥିବା କାହାଣୀ ପରି । ସେ ଅଲଜ୍ଜ୍ୟାଙ୍କ ପରି ପଚାରେ,

“କୋଉ ହନ୍ତାଳକୁ ଦେଖେଇଥିଲୁ ଛାତି ଦାଗ ଏଯାଏଁ ଯାଇନି ।” କେମିତି ସେ କହିଥାନ୍ତା ଯେ ଗଣଦୁଷ୍କର୍ମର ଦାଗ ତା ଛାତିରୁ ଲିଭୁନି ।       ଆଜି ତ ଗୋଟିଏ ଲୋକ ତା ଦେହରେ ଅଧିକାର୍ ଜାହିର୍ କରୁଥାଏ ହେଲେ ସେଦିନ ଏକାସହ ଚାରିଜଣ ଝୁଣି ଖାଇଥିଲେ ତାକୁ ଯେମିତି ଛୁଆ ବିଲେଇଟେ ଦୁଆର ଟପି ରାସ୍ତାକୁ ପଳେଇ ଆସିଲେ ଚାରିଗୋଡ଼କୁ ଚାରିପଟୁ ଭିଡ଼ନ୍ତି କୁକୁର । ଜଣେ ବେକ ପାଖରୁ ମାଡ଼ିବସେ, ବାସ୍ ନିଃସହାୟ ।

ଚୋର ତା ଦେହରେ ସୂତାଟିଏ ବି ଛାଡ଼ିନଥାଏ । ହଳଦିଆ ଆଲୁଅରେ ସୁନାପରି ଚମକୁଥିବା ତା ବାଦାମୀ ରଙ୍ଗର ଦେହକୁ ଶିଆଳ ପରି ଝାମ୍ପୁଥାଏ ଚୋର । ନିଜ ପ୍ୟାଣ୍ଟ ଖୋଲି କେଉଁ ଅପରିଷ୍କୃତ ଇଲାକା ଭିତରେ ତା ଭାଗ୍ୟକୁ ଦରାଣ୍ଡିବାକୁ ଆଦେଶ ଦେଲା ଚୋର । ସେ ବାଧ୍ୟଥିଲା । ସେ ଜିଭ ଲଗେଇ ସଫା କରି ଚାଲିଥିଲା କଳଙ୍କ । ନୂଆ ନୂଆ ବାନ୍ତି ଲାଗୁଥିଲା ହେଲେ ଏବେ ସେ ଅଭ୍ୟସ୍ତ । ଯେତେ ମସିଆ କି ଝାଳନାଳ ହେଇଥାଉ ନା କାହିଁକି ସେ ରାହୁ ପରି ନକ୍ଷତ୍ରକୁ ପୂର୍ଣ୍ଣ ଗ୍ରହଣ ଲଗାଏ । ଅଧ୍ୟାୟ ପରି ବିତେ ରାତି । କେବେ ଖଟରେ ଶୋଇ ତ କେବେ ଆଣ୍ଠେଇ ପେଟେଇ । କେବେ ସେ ଚଢ଼େ ଅସୁରର ଜଙ୍ଘ ଉପରକୁ ତ କେବେ ଅସୁର ଚଢ଼େ ତା ଜଙ୍ଘ ଉପରକୁ, ଯୁଦ୍ଧ ଜାରି ରଖିବାକୁ । ତା ପାଉଁଜିର ଶବ୍ଦ ଗୋଟିଏ ନିର୍ଦ୍ଧିଷ୍ଟ ତାଳରେ ଗାଉଥାନ୍ତି ଝମ୍ ଝମ୍ ଗୀତ । ନାରୀଟିଏ ପରାଜିତ ହେଇସାରିଲା ପରେ ବି ଯୁଦ୍ଧ ଜାରି ରଖିବାକୁ ବାଧ୍ୟହୁଏ ଯେ ପର୍ଯ୍ୟନ୍ତ ପରାଜିତ ନହୋଇଛି ପୁରୁଷର ପୁରୁଷାର୍ଥ । ଚୋର ଆଖି ମୁଦ୍ରିତ ଭାବେ ପଡ଼ି ରହିବାଟା ଯୁଦ୍ଧର ପରିସମାପ୍ତି ଘୋଷଣା କରୁଥିଲା ହେଲେ ନାରୀର ଯୁଦ୍ଧ କେବେ ସରେନି । ତାର ସଂଘର୍ଷ ସରେନି । ସେ ଘରର ଚାରିକୋଣ ଦରାଣ୍ଡି ଖୋଜୁଥାଏ ତା ନାଲିବ୍ଲାଉଜ୍ ର ଛିଣ୍ଡି ଯାଇଥିବା କପଡ଼ାକୁ । ସକାଳେ ସିଲେଇ କରି ଧୋଇଦେଲେ ହୁଏତ ପୁଣି ନୂଆ ପରି ଦିଶିବ କୋଣାର୍କ । ଚନ୍ଦ୍ରଭାଗା ପରି ସରୁ ଅଣ୍ଟାରେ ଶାଢ଼ୀର କୁଞ୍ଚ ଖୋସି ସେ ପଇସା ମାଗିଲା ବେଳକୁ ଚୋର ମୁହଁରୁ ଭାଷା ବାହାରିଲା, “କୋଉ ପଇସା ବେ ? ଖଟ ନଭାଙ୍ଗିଲା ଯାଏଁ ପଇସା ଦେବିନି । ଆଜି ରାତିଟା ରହିଯାଆ ଖଟ ସହ ତୋ ଅଣ୍ଟା ଭାଙ୍ଗିଦେବିଲୋ ବେଧେଇ ।” ଚୋରଟି ଆଖି ବନ୍ଦ କରି ପଡ଼ିରହିଲା । ଦ୍ଵିତୀୟଥର ପଇସା ମାଗିବାର ଆସ୍ପର୍ଦ୍ଧା ନଦେଖେଇ ଚୁପ୍ କି ଅନ୍ଧାରରେ ସେଠୁ ବାହାରିଗଲା ଦଳିତା । ନାଲିରଙ୍ଗର ଗାଡ଼ି ଅନାଥ ପରି ପଡିଥାଏ ମାଟିରାସ୍ତାର କୋଣରେ, ଖଟରେ ବେପରୁଆ ଭାବେ ପଡ଼ିଥିବା ତାର ଚାଳକ ପରି । ତାକୁ ଘାରୁଥାଏ ଆଉ କାହା ହାବୁଡ଼ରେ ନପଡ଼ିବାର ଭୟ । ଗୋଡ଼ରୁ ପାଉଁଜି କାଢ଼ି ସେ ଅନବରତ ଦୌଡୁଥାଏ ରାଜରାସ୍ତା ଆଡ଼କୁ ହେଲେ କାହାର କ୍ରନ୍ଦନ ତାକୁ ଭିଡ଼ି ଧରିଲା । ରାସ୍ତାରେ ପଡିଥିବା କୁକୁରଛୁଆ ପରି ସେଇ ଚିତ୍କାରରେ ମଧ୍ୟ କରୁଣତା ଥିଲା । ବିପଦ ଭିତରେ ଥାଇବି ସେ ପଛେଇ ପାରିଲାନି ପାଦ । ବୋଧେ ଏହାହିଁ ନାରୀକୁ ମହିୟସୀ କରିତୋଳେ । ସେ ଆଗେଇ ଗଲା ସେ କରୁଣ ଶବ୍ଦ ଆଡ଼କୁ ଯେଉଁଠୁ ମୁଁ ଚିତ୍କାର କରୁଥିଲି ଅନବରତ ନବଜାତ ହୋଇ । ସେ ମୋତେ ଉଠେଇଲା । ଚାରିଆଡ଼କୁ ଦେଖିଲା, ଦରାଣ୍ଡି ହେଲା, କାଳେ ଛୁଆଟାର କିଏ ବାପାମାଆ ଥିବେ । ହେଲେ ମୋ ଯୋନୀ ଦେଖି ସେ ଜାଣି ପାରିଲା ଝିଅଜନ୍ମର ଅଭିଶାପକୁ । କିଏ ଜଣେ ପୁଣି ଝିଅଜନ୍ମକୁ ଅଲୋଡ଼ା ଭାବିଛି । ଜନ୍ମିତ ଶିଶୁକୁ କେମିତି ଛାଡ଼ିପାରନ୍ତି ବାପାମାଆ । ସେ ମୋତେ ଉଠେଇ ତା ସାଙ୍ଗରେ ନେଇଗଲା ଯଦିଓ ମଣିଷ ଛୁଆ ପାଳିବାର ତାର କୌଣସି ଇଚ୍ଛା ନଥିଲା । ଗୁରୁବାର ରାତିରେ ମିଳିଥିବାରୁ ସେ ମୋ ନାଁ ଦେଲା ଲକ୍ଷ୍ମୀ । ଜାତକ ତିଆରି କଲା ମିଳିଥିବା ସମୟକୁ ଜନ୍ମ ସମୟ ଭାବି । ମୋତେ ବି ଲାଗେ ସେ ରାତିରେ ମୁଁ ଦୁଇଥର ଜନ୍ମ ନେଇଛି ।

କ୍ରମଶଃ …

ତୁଳସୀପୁର, କଟକ

ଲେଖକ ପରିଚୟ

ଯୁବ ଔପନ୍ୟାସିକ ଭାବରେ ପ୍ରସିଦ୍ଧି ଲାଭ କରିଥିବା ଶିବସୁନ୍ଦରଙ୍କ ଲିଖିତ ଦୁଇଟି ଉପନ୍ୟାସ “ଉଲଭା ପରୀ” ଓ “ରକ୍ତସିଂହା” ପ୍ରକାଶିତ ହୋଇ ଖୁବ ପାଠକାଦୃତ ହେଇଛି ।

Related Posts

Leave a Reply

Your email address will not be published. Required fields are marked *