ଦିପୁନ ପୁହାଣ

ମୋର ଏମିତି ଭଲ ପାଇବାର ନଥିଲା ତତେ
ତୋ ଆଖି ସହ ଆଖି ମିଶେଇବାର ହିଁ ନଥିଲା ମୋର
କି ଏମିତି ହସ ଆଉ ଲାଜ ବିଞ୍ଚି ଦେବାର ନଥିଲା ତତେ
ପ୍ରତିବଦଳରେ…
ବସନ୍ତର ଉତ୍ତଳା ପବନରେ ଝଡ଼ା ପତ୍ର ହେଇ
ଝଡ଼ି ଯିବାର ଥିଲା ଆମର ଏ ଅଳିକ ଦେଖାଚାହାଁ
ତୋ ହାତର ଛୁଆଁ ବାଜି ସବୁଜ ଆଶାଟିଏ
ଗଜୁରିବାର ନଥିଲା ଆଦୌ ମୋ ଭିତରେ ।
ଧୂଳି ଧୂସରିତ, କ୍ଳାନ୍ତ, ଅବସାଦ ନେଇ
ଖରାର ଧାସରେ ଝାଉଁଳି ଯିବାର ଥିଲା
ଆମ ପ୍ରେମର ଆତୁରପଣ
ଓଠର ଓଦା ପିଇପିଇ ଏମିତି ବଞ୍ଚିବାର ନଥିଲା ଆମକୁ
ତୋ ଛାତିର ସହରରେ ଆତ୍ମଘୋଷିତ ପୋଲିସ୍ ସାଜି
ତଲାସିବାର ନଥିଲା ମୋତେ ତିଳ ଚିହ୍ନ
ତୋ ପାଦରେ ପାଦ ମିଳେଇ ଚାଲିବାର ନଥିଲା
ଠିକଣା ବିହୀନ ଏଇ ଆଦିମ ରାସ୍ତାରେ ।
ଜଳିବାର ନଥିଲା ମୋତେ ତୋ ସହ
ଲୁହ ହେଇ ଝରିବାର ନଥିଲା ତତେ ମୋ ଆଖିରୁ
ଡରିବାର ଥିଲା ମୋତେ …
ଡରିଡରି ବଞ୍ଚିବାର ଥିଲା ତତେ ବି …
ଭଲ ପାଇବାର ଜିଦ୍ ରେ ଏମିତି
କୂଳ ଲଂଘିବାର ନଥିଲା କି ବନ୍ଧ ଭାଙ୍ଗିବାର ନଥିଲା ଆମକୁ ।
ବାଟ ହୁଡ଼ିବା ଆଗରୁ
ସୀମା ଲଙ୍ଘିବା ଆଗରୁ
ଥରୁଟିଏ ତ ଭାବିବାର ଥିଲା ଏକଥା ଯେ –
ମୋର ଏମିତି ଭଲପାଇବାର ନଥିଲା ତତେ
କି ତୋର ଏମିତି ଭଲପାଇବାର ନଥିଲା ମୋତେ ବୋଲି ?
କିଛି ବି ନଭାବି
କଛି ବି ନଚିନ୍ତି
ଆକାଶ ପରି, ମାଟି ପରି, ସମୁଦ୍ର ପରି
ଏତେ ବିସ୍ତାର ଭରି ସାରିଲେଣି ଛାତିରେ ଯେତେବେଳେ
ଏ ବେଳକୁ ଆଉ କୋଉ କଥା ?
ଆ !
ମୋ ଛାତିରେ ଗୁଞ୍ଜି ଦେଏ ତୋ ମଥା….
କଳିଙ୍ଗ ନଗର, ଯାଜପୁର
ଲେଖକ ପରିଚୟ
କଲେଜରେ ପଢ଼ିଲା ସମୟରେ ଲେଖାଲେଖି ପ୍ରତି ଆଗ୍ରହ ତିଆରି ହେଇଥିଲା ହେଲେ କବିତା ପତ୍ରପତ୍ରିକାରେ ପ୍ରକାଶ ପାଇଲାବେଳକୁ ୨୦୧୭ । ତେବେ ମୋ କବିତା ଲେଖିବା ପଛରେ ସେମିତି କିଛି ବିଶେଷ କାରଣ ଯଦି ଥାଏ, ତାହା ହେଉଛି ମୋର ଅପ୍ରାପ୍ତି, ମୋ ଏକୁଟିଆପଣ । କବିତାରେ ପ୍ରେରଣା ମୋର ଓଡ଼ିଆ କବିତା ପରମ୍ପରାର ଏକ ଦୀର୍ଘ ଇତିହାସ । ସୌଭାଗ୍ୟକୁ ଓଡ଼ିଆ ଭାଷା ସାହିତ୍ୟର ଛାତ୍ର ମୁଁ । ଏଯାବତ୍ ମୋର ୪ ଟି କବିତା ବହି ପ୍ରକାଶିତ ।
କବିତାଟି ଖୁବ୍ ଭଲ ଲାଗିଲା ନୂତନତ୍ବ ନିମନ୍ତେ