ତରେଶ ମଣ୍ଡଳ
ଦ୍ରୁତ ନଗରୀର ଅଜଣା ଗଳିରେ ସତେ ଯେମିତି ବାରି ହୋଇ ପଡ଼ୁଥିଲା ଚିହ୍ନା ମହକର ଧାରଟିଏ ଅଜଣା ପରିଚୟ ନେଇ । ଟିକେ ଲାଜ ଓ ଟିକେ ମଣିଷ ପଣିଆର ଆଭୁଷଣ ଦେଖାଇ ଫେରାଇ ନେଇଥିଲି ସେ ଆବେଗଭରା ଚେହରାକୁ ଗହଳ ଭିତରୁ
। ସମୟ ଅନ୍ତରାଳରେ ସତେ ଯେମିତି ଆଉ ଥରେ ସତେଜ ହୋଇ ଉଠିଲା ସେ ଚିହ୍ନା ମହକର ଧାରା ଏ ନୀରବ ମନରେ ଓ ବାରମ୍ବାର ଭେଦି
ଦେଇଗଲା ଏ ନିସ୍ତେଜ ହୃଦୟର ପୃଷ୍ଠପୋଷକତାରେ । ଢାଳିଏ ସଙ୍କୋଚପଣିଆର ଅଳଙ୍କାର ଅଭିଧାନ କରି ଧୀରେ ଧୀରେ ଆପଣାର କରୁଥିଲି
ସେ ଅଜଣା ମହକକୁ । ଚିରସ୍ରୋତ ନଦୀ ଭଳି ଭାସି ଚାଲିଥିଲି ସେ ମହକର ଧାରାରେ କେବେ ଯେ ଠିକଣାରେ ପହଞ୍ଚିବି ତାର କିଛି ଅଭିଳାଷ ନ
ଥିଲା । ମୋତେ ଯଦି କେବେ କେହି ପଚାରେ ତୋ ପ୍ରେମିକ ନାମ କଣ ??
ମୁଁ କଣ କୁହେ ଜାଣିଛ ??? “ତୁମେ” ହଁ … “ତୁମେ”
ତୁମକୁ ବି ହସ ଲାଗୁଛି ନା …
ସମୟ ନ୍ୟାସରେ ତାଳ ଦେଉ ଦେଉ ଆପଣା ବର୍ଣ୍ଣବୋଧର ବର୍ଣ୍ଣମାଳାକୁ ଏତେ ଶୀଘ୍ର ଯେ ପାସୋରି ଯିବି ମୁଁ ବି ବିଶ୍ୱାସ କରିପାରୁନାହିଁ। ନିଜକୁ
ବୁଝେଇ ସାରିଛି ଏ ଫର୍ଦ୍ଦ କାଗଜରେ ଯେଉଁ ଦିନ ତୁମେ ହଜିଗଲ ଅଜଣା ନଗରୀର ଅଜଣା ଗଳିରେ ଆଉ ମୁଁ ଚାତକ ଭଳି ଚାହିଁ ବି କିଛି
କରିପାରିଲି ନାହିଁ ।
କେମିତି ବା ଖୋଜି ବୁଲିବି ସେ ଆକାଶରେ ଯେଉଁଠି ତୁମ ପରିଚୟ ଦେବା ପାଇଁ ତୁମ ପରିଚୟ ହିଁ ମୋତେ ଜଣା ନାହିଁ । ଅଭିମାନ ସୁରୁଜର
ମଲା ଚାହାଣି ଭଳି ଚାହିଁ ରହିଛି ଏ ଆକାଶକୁ , ସୁରୁଜ ବି ଚାଲିଗଲାଣି ତା ବାଟରେ ତଥାପି ବସିଛି ଦୁଆର ମୁହଁରେ ତୁମ ଅପେକ୍ଷାରେ । ଇତି
ତୁମ ପାସୋରା ପ୍ରେମିକ …….
“ସ୍ମୃତିର ଢାଳରେ ଅଚିହ୍ନା ମହକ କେମିତି ବା ବାରିବି ମୁହିଁ
ଚାଲିବାର ଥିଲା ସେଇ ତ ମହକେ ଅଜଣା ପଥିକ ହୋଇ ।
ଏମିତି ଧାରେ ବହିଦେଇଗଲ ସୁକୁମାରୀ ଲାଜ ଛାଡ଼ି
ଦେଖି ଦେଖି ଲାଗିଗଲା ହେ ଆଖି ଅଜଣା ଆକାଶେ ଉଡି ।
ମହକ ଧାରେ ବହିଛି ଶବ୍ଦ ସଜୀବ ପ୍ରାଣ ନେଇ
ଧରି କି ପାରିବ ଶବଦକୁ ମୋର ତୁମ ଅଗଣା ଆସି ।
ସନ୍ଧାନରେ ମୋର ଲାଗିଛି କଳଙ୍କ କେଉଁ ଦିନୁ ଛାଡ଼ୁନାହିଁ
ଭିଜା କାଗଜରେ କେମିତି ଧୋଇବି ପାସୋରା ମନକୁ ଆଣି “ ।