ବିନୟ ମହାପାତ୍ର
ଜାନୁୟାରୀ ମାସର ଶୀତ ସକାଳ, ଚାରିପଟେ ଘନ କୁହୁଡ଼ି ତାର ବହଳ ଚାଦର ତଳେ ସବୁ କିଛି ଢାଙ୍କି ରଖିଥାଏ । କୁହୁଡ଼ି ଘେରା ସକାଳରେ ଆମ କୂଅ ପାଖ ପିଜୁଳି ଗଛଟା ବି ଭଲ ଭାବେ ଦିଶେନି । ପ୍ରତିଦିନ ସକାଳେ ନିତ୍ୟକର୍ମ ପାଇଁ କୂଅ ପାଖରେ ଆମେ ସାତ ଭାଇଭଉଣୀ ପହଞ୍ଚିଯାଉ । ସେଠାରେ ଆମେ ପହଞ୍ଚି ଦେଖୁ ଆମର ସେଇ ଝଙ୍କାଳିଆ ପିଜୁଳି ଗଛ ତଳେ କେତେଗୁଡ଼ିଏ ଖଣ୍ଡିଆ ପିଜୁଳି ସେମାନଙ୍କର କ୍ଷତାକ୍ତ ନାଲି ପେଟ ଦେଖେଇ ପଡ଼ିଥାଆନ୍ତି, ସତେଅବା କେହି ତାଙ୍କର ପେଟ ଚିରି ଅନ୍ତବୁଜୁଳା ବାହାର କରିଦେଇଛି । ସେଇ ଖଣ୍ଡିଆ ପିଜୁଳିଗୁଡ଼ିକ ବଡ଼ ଭୟାତୁର କଣ୍ଠରେ ଯେମିତି କହୁଥାନ୍ତି, ଆରେ ଦେଖରେ, କାଲି ରାତିରେ ବାଦୁଡ଼ି ଆସି କେମିତି ଆମ ପେଟ ଚିରି ଆମକୁ ଖାଇ ଦେଇଛନ୍ତି !
ଏଇ ପିଜୁଳି ଗଛଟା ଆମର ବାରମାସୀ ପିଜୁଳି ଗଛ, ବର୍ଷର ସବୁ ସମୟରେ ନୂଆନୂଆ ଫୁଲ ଫୁଟୁଥାଏ, କଷି ପିଜୁଳି ବି ଥାଏ, ଆଉ ବହୁତ ସାରା ପାଚିଲା ପିଜୁଳି ବି ଝୁଲୁଥାଏ । ଖୁବ୍ ମିଠା ଆଉ ମାଉଁସିଆ ସେ ପିଜୁଳି, ତାର ମଞ୍ଜି ବି ବହୁତ ନରମନରମ, ଭିତରଟା ତାର ଲାଲ ଟହଟହ । କିନ୍ତୁ ବଡ଼ ବିଚିତ୍ର କଥା, ସବୁଦିନ ଦି’ପ୍ରହରରେ ଆମେ ଯେତେବେଳେ ସ୍କୁଲରୁ ଫେରି ଏଇ ଗଛରେ ଚଢି ପାଚିଲା ପଜୁଳି ଖୋଜୁ, ସେତେବେଳେ ଆମକୁ ଗୋଟିଏ ବି ପାଚିଲା ପିଜୁଳି ମିଳେନା । କିନ୍ତୁ ସବୁଦିନ ସକାଳେ ଗଣ୍ଡାଗଣ୍ଡା ଖଣ୍ଡିଆ ପିଜୁଳି ଏଇ ଗଛ ମୂଳରେ ଏମିତି ପଡ଼ିଥାଏ । ଏଇ ଗଛଟା ବୋଧେ ବାଦୁଡ଼ିମାନଙ୍କର ସାଙ୍ଗ, ଦିନରେ ଆମଠୁ ପିଜୁଳି ଲୁଚେଇକି ରଖେ, ଆଉ ରାତି ହେଲେ ବାଦୁଡ଼ିଙ୍କୁ ଗିଫ୍ଟ ଦେଇଦିଏ ।
ମୁଁ ପିଜୁଳି ଗଛକୁ ଅନେଇ ପାଚିଲା ପିଜୁଳି ଖୋଜୁଥାଏ, ଠିକ୍ ସେଇ ସମୟରେ ବଡ଼ଭାଇ ପଛପଟରୁ ଆସି କାନ ପାଖରେ ବଡ଼ ପାଟିରେ କହେ, ‘ହେଃ, ସେ ଖଣ୍ଡିଆ ପିଜୁଳି ଆଡ଼େ ଚାହିଁ କଣ ଭାବୁଛୁ । ଜଲ୍ଦି ଦାନ୍ତ ଘସିପକା, ସ୍କୁଲ ପାଇଁ ଡେରି ହୋଇଯିବ ।’ ଦାନ୍ତକାଠିଟାକୁ ପାଟିରେ ପୁରେଇ ଜୋରରେ ଭିଡ଼ିଭାଡ଼ି ଦାନ୍ତ ଘସୁଘସୁ, ଭାଇ ପୁଣି କହେ, ‘ନେ ! ଏଇ ଅଙ୍ଗାର ଗୁଣ୍ଡ ଟିକିଏ, ଏଥିରେ ଥରେ ଭଲକରି ଘସି ଦେ, ଦେଖିବୁ ଦାନ୍ତସବୁ କେମିତି ଚକ୍ ଖଡ଼ି ପରି ଏକଦମ୍ ଚକ୍ ଚକ୍ ଧଳା ଦେଖା ଯିବ ।’ ସେତେବେଳେ ଦାନ୍ତ ଘସିବା ପାଇଁ ଟୁଥ୍ ପେଷ୍ଟ କି ବ୍ରସ କିଛି ବି ମିଳୁ ନଥିଲା । ଜଙ୍ଗଲରୁ ଶାଳ କି କରଞ୍ଜ ଦାନ୍ତକାଠି ଆଣି ଆଦିବାସୀମାନେ ବିକ୍ରି କରନ୍ତି, ମୋଟା ପତଳା ହୋଇ ଦଶ କୋଡ଼ିଏଟା ଦାନ୍ତକାଠି ବିଡ଼ା ପାଞ୍ଚ ପଇସାରେ ମିଳିଯାଏ । ବଡ଼ ଲୋକମାନେ କିଏକିଏ ଗୁଡ଼ାଖୁରେ ବି ଦାନ୍ତ ଘସନ୍ତି । କିନ୍ତୁ ତେବେ ବି ତାଙ୍କର ଦାନ୍ତକାଠି ଦରକାର ହୁଏ । ଦାନ୍ତ ଘସିବାକୁ ନୁହେଁ, ବରଂ ଜିଭ ଛେଲିବାକୁ । ଦାନ୍ତକାଠିକୁ ଦାନ୍ତରେ କାମୁଡ଼ି ମଝିରୁ ଦିଫାଡ଼ କରି ଦିଆଯାଏ, ଆଉ ସେଥିରେ ଜିଭ ଛେଲା ହୁଏ । ଭାଇର ଦାନ୍ତଘସା ଜିଭ ଛେଲା ସବୁ ସରିଲାଣି । ସେ ଠିଆ ହୋଇ ମୋତେ ଦେଖୁଥାଏ କାଳେ ମୁଁ ଆଉ ଅଧିକ ଡେରି କରି ଦେବି ବୋଲି । କହିଲା, ‘କିରେ ! ସରିଲା ଦାନ୍ତଘସା ? ଏବେ ଶିଘ୍ର ଜିଭ ଛେଲି ପକା । ମାଆ ଖାଇବାକୁ ଡାକୁଥିବ ।’ ମୁଁ ଦାନ୍ତକାଠିକୁ ଦାନ୍ତରେ ଫାଡି ଦି’ଚିରା କରିବାବେଳକୁ ମାଆ ଡାକ ପକାଏ, ‘ଆରେ ସରିଲା ତମର, ସଅଳ କାମ ସାରି ଆସ, ଖାଇବ । ସିଆଡେ ସ୍କୁଲ ଘଣ୍ଟି ବାଜିଯିବ ଯେ !’
ଶୀତଦିନ ସକାଳ, ତଥାପି ସ୍କୁଲ ତ ଯିବାକୁ ହେବ । ସାଢେ ସାତଟାରୁ ସ୍କୁଲ ଆରମ୍ଭ ହୁଏ ସ୍କୁଲ । ସକାଳୁ ଉଠି ଦାନ୍ତ ଘସି, ସ୍କୁଲ ପାଇଁ ସଫାସୁତୁରା ଡ୍ରେସ ପିନ୍ଧୁ । ଆମ ସ୍କୁଲ ବେଳ ସମୟରେ ସ୍କୁଲ ୟୁନିଫର୍ମ ବୋଲି କିଛି ନଥିଲା, କିନ୍ତୁ ଘରପିନ୍ଧା ଆଉ ସ୍କୁଲପିନ୍ଧା ଡ୍ରେସ ଅଲଗା ଅଲଗା ଥିଲା । ହାପ ପ୍ୟାଣ୍ଟ, ହାପ ସାର୍ଟ । ଶୀତ ହେଉକି ବର୍ଷା କି ଖରା ଦିଅଁ, ବର୍ଷ ସାରା ସବୁଦିନ ସେଇ ଏକା ହାପ୍ ପ୍ୟାଣ୍ଟ, ହାପ୍ ସାର୍ଟ । ସ୍ୱେଟର କାଁଭାଁ କାହାକାହା ପାଖରେ କେମିତି ଥାଏ । କଲେଜ ପଢିଲେ ଯାଇ ଫୁଲ ପ୍ୟାଣ୍ଟ ମିଳୁଥିଲା । ଡ୍ରେସ ପିନ୍ଧିବାକୁ ଗଲାବେଳକୁ ବାପା କେଉଁଠି ଥିବେ କେଜାଣି, ଆସି ପଚାରିବେ, ‘କିଏ କିଏ ସକାଳୁ ଝାଡ଼ା ଯାଇନ ?’ ସେତେବେଳେ ବାଡ଼ିରେ ଆମର ଗୋଟିଏ ବରପାଲି ପାଇଖାନା ଥିଲା । ଆଜିକାଲି ପରି ସେତେବେଳେ ସମସ୍ତଙ୍କ ବାଡ଼ିରେ କୂଅ କିମ୍ବା ପାଇଖାନା ନଥିଲା । ଆଜିକାଲି ପରି ସ୍ୱଚ୍ଛ ଭାରତ କଥା କାହା ମନରେ ଆସି ନଥିଲା ବୋଧେ । ସକାଳ ହେଲେ କିଏ ରସ ଢାଳ, କିଏ ପିତଳ ଢାଳରେ ପାଣି ଧରି ଗାଁ ମୁଣ୍ଡରେ ଥିବା ବିଲ ଭିତରକୁ ନହେଲେ ପୋଖରୀ ହୁଡାକୁ ନିତ୍ୟକର୍ମ ସାରିବାକୁ ଯାଆନ୍ତି । ଆମେ ସାତ ଭାଇଭଉଣୀ, ସକାଳ ଛଅଟାରେ ଉଠି ସାଢେ ଛଅଟା ଭିତରେ ସମସ୍ତେ ଯେ ପାଇଖାନାର ଦର୍ଶନ କରିଥିବେ, ସେ କଥା କହିବା ମୁସ୍କିଲ । କିନ୍ତୁ ବାପାଙ୍କ ଆଗରେ ସମସ୍ତେ ଗୋଟିଏ ସ୍ୱରରେ ହଁ କହି ଦିଅନ୍ତି । କିଏ ସତ କହୁଛି କିଏ ମିଛ କହୁଛି, ପରଖିବାକୁ ବାପାଙ୍କ ପାଖରେ ସମୟ ନଥାଏ । କିନ୍ତୁ ଏଇଟା ରେଗୁଲାର ଫରମାଲିଟି, ବାପା ନିଶ୍ଚୟ ପଚାରୁଥିଲେ ଏବଂ ଆମେ ସମସ୍ତେ ଏକ ସ୍ୱରରେ ହଁ କହି ଦେଉଥିଲୁ ।
ଦାନ୍ତ ଘସିବା ପରେ ମୁହଁ ଧୋଇ ସାରି ପାଣି ଟିକିଏ ନେଇ ହାତରେ ନେଇ ମୁଣ୍ଡବାଳକୁ ଓଦା କରି ଦେଉ, ଯେପରି ଗାଧୋଇଲା ପରି ଦିଶିବ । ଘରେ ମାଆ ତେଲ ଶିଶି ନେଇ ଆମର ଅପେକ୍ଷା କରିଥାଏ, ମେଞ୍ଚାଏ ତେଲ ମୋ ମୁଣ୍ଡରେ ବୋଳି ପକାଏ । ବଡ଼ଭାଇ ନିଜେ ନିଜେ ତା ମୁଣ୍ଠରେ ତେଲ ଲଗାଏ ଆଉ ସିନ୍ଥୁଣି କାଢି ବଡ଼ ଷ୍ଟାଇଲରେ ତା ମୁଣ୍ଡ କୁଣ୍ଡାଏ, ଯେମିତି ଆମର ଜଣେ ପିଉସା ଚୁଟି ଷ୍ଟାଇଲ କରି ମୁଣ୍ଡ କୁଣ୍ଡାନ୍ତି । କିନ୍ତୁ ମାଆ ମୋ ମୁଣ୍ଡ କୁଣ୍ଡାଇ ଦିଏ । ପାଲା ଦିନେ ମୋ ମୁଣ୍ଡର ଚୁଟି ସହଜରେ କୁଣ୍ଡେଇ ହୁଏନା । ଯେତେ ପାଣି ଲଗାଅ କି ତେଲ ବୋଳ, କୁଣ୍ଡେଇ ଦେଲା ପରେ ବି ସବୁ ଚୁଟି ସିଧା ଠିଆ ଠିଆ ହୋଇ ରହନ୍ତି । ସେଇଥିପାଇଁ ମୋ ବଡ଼ ଭାଇ ସବୁବେଳେ ମୋତେ ଟିଙ୍ଗା ବାଳିଆ କହି ଚିଡ଼ାଏ । ମାଆ ବି ବେଳେବେଳେ ବ୍ୟସ୍ତ ହୋଇଯାଏ, କହେ- ‘କଣ କରିବି ତୋ ଚୁଟିକୁ ? ଯେତେ କୁଣ୍ଡେଇଲେ ବି ଠିଆଠିଆ ହୋଇ ରହୁଛି ।’ ବଡ଼ଭାଇ ମୋତେ ଚିଡ଼େଇବାକୁ କହେ, ‘ମାଆ ତା ଚୁଟିକୁ ଟିକିଏ ଇସ୍ତ୍ରୀ କରି ଦେଉନୁ ।’ ମୁଁ ରାଗିଯାଏ । ବଡ଼ଭାଇକୁ ମାରିବାକୁ ବାହାରିଲାବେଳେ ମାଆ ମୋତେ ଧରି ପକାଏ ଆଉ କହେ, ‘ହେଇ ! ସ୍କୁଲ ପାଇଁ ଡେରି ହେଉଛି, ଚାଲ ଜଲ୍ଦି ଜଲ୍ଦି ଖାଇନିଅ, ସ୍କୁଲ ଡେରିରେ ପହଞ୍ଚିଲେ ମାଷ୍ଟ୍ରେ ଏକ ଗୋଡ଼ିଆ ଠିଆ କରେଇଦେବେ । ସ୍କୁଲରୁ ଫେରିଲେ ପଛେ ଝଗଡ଼ା କରିନେବ ।’
ବେଶ ପୋଷାକ ସାରିବା ପରେ ଖାଇବା ପର୍ବ । ଏତେ ସକାଳୁ କିଏ ବା କଣ ରୋଷେଇ କରିପାରିବ? ତେଣୁ ଖରା ହେଉ କି ବର୍ଷା କି ଶୀତ, ସବୁଦିନ ସକାଳେ ବାସି ପଖାଳ । ସ୍କୁଲରୁ ଆସିଲାପରେ, ଦି’ପ୍ରହର ମିଲ୍ ଗରମ ଭାତ, ଡାଲି, ତରକାରୀ, ଭଜା ଆଉ କେତେ କଣ ରନ୍ଧା ହୋଇଥାଏ । ସେ ସମୟରେ ଖାଲି ସହରର ଲୋକେ ରାତିରେ ରୁଟି ଖାଉଥିଲେ, ନହେଲେ ଗାଆଁରେ ତ ରାତିର ଡିନରରେ ସଜ ପଖାଳ, ସକାଳ ବ୍ରେକଫାଷ୍ଟରେ ବାସି ପଖାଳ, ଦି’ପହରର ଲଞ୍ଚଟା କିନ୍ତୁ ଗରମ ଭାତ ଆଉ ପଞ୍ଚଅଡ଼ା ତିଅଁଣ ! ରାତିର ବଳକା ଆଳୁ ଛୁଇଁ ଭଜା କିମ୍ବା ଆଳୁ କି ବାଡ଼ି ବାଇଗଣ ପୋଡ଼ା ସହିତ ମାଆ ବାଢି ଦିଏ ତିନି ଚାରି କଂସାରେ ବାସି ପଖାଳ । ମାଟି ହାଣ୍ଡିର ସେ ଥଣ୍ଡାଥଣ୍ଡା ପଖାଳ । ରୋଷେଇ ତ ରସ ଡେକ୍ଚିରେ ହୁଏ କିନ୍ତୁ ପଖଳା ଯାଏ ମାଟି ହାଣ୍ଡିରେ, ସେଥିରେ ଗିନାଏ ଜୁଆଣ ମିଶା ଯାଏ (ଜୁଆଣ କହିଲେ ଆଗଦିନର ପୁରୁଣା ଖଟା ତୋରାଣୀ ଯେମିତି ଦହି ବସେଇବା ପାଇଁ କ୍ଷୀରରେ ଦହି ମିଶାଯାଏ) । ସେ ପଖାଳର ମହକ ଆଜି ବି ଭୁଲି ହୁଏନା । ଅମୃତର ମହକ ବୋଧ ହୁଏ ଏମିତି ଥାଏ !
ଗୋଟେ କଂସାରେ ଦି’ ଦି’ଜଣ । ମୁଁ ଆଉ ମୋ ବଡ ଭାଇ ଗୋଟିଏ କଂସାରେ ଖାଇ ବସୁ । ଆଜି ବି ମନେପଡ଼ି ବଡ଼ ହସ ଲାଗେ । ମୋ ବଡ଼ଭାଇ ଟିକେ ବେଶି ସୁତୁରା ମଣିଷ, ବସୁ ବସୁ କହିବ, ‘ଯାଆ ! ଭଲ କରି ହାତ ଧୋଇ ଆସ ।’ ତାପରେ, ପୋଡ଼ା ଆଳୁ ବାଇଗଣ କେବଳ ସିଏ ପାଗ କରି ଚକଟିବେ । ମୋତେ କୁଆଡେ ଭଲ ପାଗ କରି ଆସେନା । ଚକଟିବା ଭିତରେ ମୋତେ ଦୁଇ ତିନି ଥର ଭାତ କଂସାରୁ ନ ଉଠେଇଲେ ତାର ଚକଟା ପର୍ବଟା ସମ୍ପୁର୍ଣ୍ଣ ହୋଇପାରେନା । ଥରେ କହିବ, ‘ଯାଆ ! ବାଡିରୁ ଧନିଆ ଗଛ ଦିଟା ଓପାଡ଼ି ନେଇଆ ।’ ବସୁ ବସୁ ପୁଣି କହିବ, ‘ତୁ ଭଲକି ଧୋଇକି ଆଣିନୁ, ଏଇ ଦେଖୁନୁ ଧନିଆ ଚେରରେ କେମିତି ମାଟି ଲାଗିଛି, ଇତ୍ୟାଦି ଇତ୍ୟାଦି ।’ କିନ୍ତୁ ଶେଷ ରେଜଲ୍ଟଟା ବହୁତ ମଜାଦାର ହୁଏ । ଚକଟା ପାଗଟା ଖୁବ୍ ଟେଷ୍ଟି ହୋଇଥାଏ । ମୁଁ ତରବରରେ ଖାଇବାବେଳେ କଂସା ଭିତରେ ମୋ ହାତକୁ ଜାବୁଡି ଧରିବ, କହିବ, ‘ଏତେ ଜଲ୍ଦିଜଲ୍ଦି କାହିଁକି ଭାତ ଗିଳି ପକଉଛୁ ? ଗାଡ଼ି ପଳେଇବ କି ? ତୋ ପେଟ ଭିତରେ ଚୋବାଇବାକୁ କଣ ଆହୁରି ଅଲଗା ଦାନ୍ତ ଅଛି ? ଧୀରେଧୀରେ ଖାଆ । ତଣ୍ଟିରେ ଲାଗିବ ।’ ସକାଳ ପଖାଳ ସାଙ୍ଗରେ କେବେ ଚିଙ୍ଗୁଡି, ଲୁଣି ଶୁଖୁଆ ସୋରିଷ ମସଲା ଦେଇ ଭଜା ହୋଇଥାଏ । କେବେ ରସୁଣ, ଅଦା, କଞ୍ଚାଲଙ୍କା ସହିତ ବଡ଼ିଚୁରା, କେବେ କୋଶଳା ଶାଗଭଜା, କେବେ ଆଳୁ ମୂଳା ଭଜା କେବେ ଆଳୁ ଫୁଲକୋବି ଭଜା । ସାଙ୍ଗ ହୋଇ ଖାଇବସିଲେ ଜଣାପଡ଼େନି, ସକାଳୁ ସକାଳୁ ଆମେ କେତେ ଯେ ପଖାଳ ଖାଇଯାଉ ।
ଆମର ହାପ୍ ଇୟରଲି ପରୀକ୍ଷା ଏଇ ଶୀତଦିନରେ ହୁଏ । ପରୀକ୍ଷା ସରିଲା ପରେ ଧାନକଟା ଛୁଟି ଆରମ୍ଭ ହୋଇଯାଏ । ଯେତେଦିନ ଆମର ପରୀକ୍ଷା ଥାଏ, ସେତେଦିନ ମାଆ ବଡ଼ି ଭୋଅରୁ ଉଠି ଆମ ପାଇଁ ଗରମ ଭାତ, ମୁଗ ଡାଲିର ଡାଲମା ଆଉ ଆଳୁ ଭର୍ତ୍ତା ରାନ୍ଧି ଦିଏ । ମୁଗ ଡାଲିରେ ସବୁ ପରିବା ପଡ଼ିଥାଏ, ବିଶେଷ କରି ମୂଳା ପଡ଼ିଥାଏ ସେଥିରେ । ଆଃ ! ଆଜି ବି ମୋର ମନେପଡ଼ିଯାଏ ସେ ଡାଲମାର ମହକ ଆଉ ତାର ସୁଆଦ । ବାମ୍ଫ ଉଠୁଥିବା ଗରମଗରମ ଭାତରେ, ଘର ତିଆରି ଗୁଆଘିଅ ଆଉ ମୂଳା ବାସନା ବାଲା ସେ ଡାଲମା, ଆଜି ମନେପଡ଼ିଲେ ପାଟିରୁ ଲାଳ ବୋହି ଆସେ, ଆଉ ଆଖିରୁ ଲୁହ ଝରି ଆସେ । ମନେ ପଡ଼ିଯାଏ ମାଆର ସେଇ କମନୀୟ, ମମତାମୟୀ ରୂପ । ତାର ସେ ପ୍ରେମମୟୀ ହୃଦୟରେ କେତେ ଯତ୍ନରେ ନିଜ ସନ୍ତାନମାନଙ୍କ ପାଇଁ ଅମୃତ ପରଶି ଦିଏ ତାର ହାତରନ୍ଧା ବ୍ୟଞ୍ଜନରେ । ସେଥିରେ ଯେତିକି ତେଲ ମସଲା ନଥାଏ ତା’ଠାରୁ ଅନେକ ବେଶି, ତାର ମମତା ମିଶିଥାଏ । ଆଜି ବି ମନେପଡ଼େ ସେଇ ପିଲାଦିନ । ସବୁ ଦୁଷ୍ଟାମୀ, ଅଳି ଅଝଟ, ଜିଦ୍, ରାଗ ରୁଷା ସବୁ କିଛି କେତେ ସହଜତାର ସହିତ ସେ ସହି ଯାଉଥିଲା । ଆଜି ସେ ଆଉ ନାହିଁ, ହେଲେ ଏଇ ହୃଦୟ ଭିତରେ ଆଜି ବି ତାର ସ୍ମୃତି ସେମିତି ତାଜା ହୋଇରହିଛି । ସେ ସ୍ଥାନ ଆଉ କେହି ନେଇ ପାରିବନି । ମାଆ ଆଖି ସାମ୍ନାରେ ଥିଲେ ବୋଧ ହୁଏ ତାର ଭଲପାଇବା ସେତେ ଭଲ ଭାବରେ ଅନୁଭବ କରିହୁଏନା କିନ୍ତୁ ତାରି ଅନୁପସ୍ଥିତିରେ ତାର ଅଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ।
ଖାଇସାରିବା ପରେ ସ୍କୁଲ ଯିବା ପର୍ବ । ସ୍କୁଲ ବସ୍ତାନୀକୁ କାନ୍ଧର ଓହଲେଇ ଚାଲ ସ୍କୁଲ । ସେତେବେଳେ ତ ସ୍କୁଲ ବ୍ୟାଗ, ଟିଫିନ୍ ବାକ୍ସ କି ୱାଟର ବଟଲ କିଛି ନଥିଲା । ବହି ରଖିବାକୁ ସମସ୍ତଙ୍କ ପାଖରେ ଗୋଟିଏ ଗୋଟିଏ ବହି ବସ୍ତାନୀ ଥାଏ । ବସ୍ତାନୀ କହିଲେ ମୋଟା କନାରେ ତିଆରି ବ୍ୟାଗଟିଏ । ତା ଭିତରେ ବସିବା ପାଇଁ ଗୋଟିଏ ଆସନ, ଖଣ୍ଡେ ମାଟି ସିଲଟ, କାହା କାହା ପାଖରେ ଟିଣ ସ୍ଲେଟ ବି ଥାଏ, ସେଥିରେ ଅକ୍ଷର ଆଉ ସଂଖ୍ୟା ପ୍ରାକ୍ଟିସ କରାଯାଏ । ମିଶାଣ, ଫେଡାଣ ଆଦି ଅଙ୍କ କଷା ହୁଏ । ଦୁଇଚାରି ଖଣ୍ଡ ବନଖଡି, ଚକ୍ ଖଡି ମୋଟା ଆଉ ଛୋଟ, ବନଖଡି ସରୁ ଆଉ ଲମ୍ବା । ଖଣ୍ଡେ ଛବିଳ ମଧୂ ବର୍ଣ୍ଣବୋଧ ବହି, ଆଉ ଖଣ୍ଡେ ଅଙ୍କ ବହି । ଲୋୟର ପ୍ରାଇମେରୀ ସ୍କୁଲ କହିଲେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ । ଯାହା ପାଠପଢା ହୁଏ ସେ ସବୁ କେବଳ ସ୍କୁଲରେ ହୁଏ । ନା କିଛି ଖାତା ନା ପେନ କି ପେନସିଲ ନା ହୋମୱାର୍କ । କେବଳ ଓଡ଼ିଆ ପାଠ । ଅ, ଆ, ଇ, ଈ, ଏକ, ଦୁଇ, ତିନ, ଚାରି, ପାଞ୍ଚ । ପଣିକିଆ, ଦି’ଦୁଣେ ଚାର, ଦୁଇ ତିରିକି ଛଅ, ଦୁଇ ଚଉକ ଆଠ, ଦୁଇ ପଞ୍ଚା ଦଶ ଏମିତି ପଚିଶକ ପର୍ଯ୍ୟନ୍ତ ପଣିକିଆ । ସ୍କୁଲରେ ପ୍ରାର୍ଥନା ପରେ କ୍ଲାସରେ ପ୍ରଥମେ ପଣକିଆ ବୋଲା ସହିତ କ୍ଲାସ ଆରମ୍ଭ ହୁଏ । ପଣକିଆ ବଡ଼ବଡ଼ ପାଟିରେ ଆବୃତ୍ତି କରାଯାଏ । ପଣିକିଆ ବୋଲା ହେଲାବେଳେ, ଲାଗେ ସ୍କୁଲ ଯେମିତି ପଡୁଛି, ଉଠୁଛି । ଚତୁର୍ଥ ଶ୍ରେଣୀ ହେଲେ ଯାଇ ପିଲାଙ୍କର ମାଇନର ସ୍କୁଲ ହୁଏ । ସେତେବେଳେ ପିଲାମାନଙ୍କୁ କାଠି କଲମ ଆଉ ସ୍ୟାହି ଦୁଆତ ଆଉ ଖାତା ମିଳେ ଲେଖିବାକୁ । ଫାଉଣ୍ଟନ ପେନ କେହି ଦିଅନ୍ତିନି ପିଲାଙ୍କୁ, ବଲପେନ ତ ସ୍କୁଲ କାମରେ ଆଲାଉ ହୁଏନା । ଚତୁର୍ଥ ଶ୍ରେଣୀରେ ଇଂରାଜୀ ଶିଖାଯାଏ । ଏ, ବି, ସି, ଡି, ଇ, ଏଫ, ଜି, ୱାନ, ଟୁ, ଥ୍ରୀ, ଫୋର, ପାଇଭ ଆଦି ପଢା ହୁଏ । ବା ବା ବ୍ଲାକ ସିପ୍ ହାଭ ୟୁ ଏନି ଉଲ୍ ରାଇମ୍ସ ଶିଖାଯାଏ ।
ଆମେ ସବୁଦିନ ସମୟ ଆଗରୁ ସ୍କୁଲରେ ପହଞ୍ଚିଯାଉ । କିନ୍ତୁ ହେଡ଼ମାଷ୍ଟ୍ରେ ଆସିଲେ ଯାଇ କ୍ଲାସରୁମର ତାଲା ଖୋଲାଯାଏ । ଆମ ସ୍କୁଲର ହେଡ଼ମାଷ୍ଟ୍ରେ, ଗାଆଁ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ବି ଥିଲେ । ସ୍କୁଲଟି ଆମର ଚାରି ବଖରାର ଉଚ୍ଚା ଚାଳଛପର ଘରଟିଏ ଥିଲା । ତିନି ବଖରା ତିନି କ୍ଲାସ ପାଇଁ ଆଉ ଗୋଟିଏ ବଖରାରେ ହେଡ଼ମାଷ୍ଟ୍ରେଙ୍କ ଅଫିସ୍, ଷ୍ଟୋର ଆଉ ଆଲମାରୀ ପାର୍ଟିସନ ପଛ ପଟେ ଟିଚରସ କମନ ରୁମ । ଷ୍ଟାଫ କହିଲେ ହେଡମାଷ୍ଟ୍ରଙ୍କୁ ମିଶାଇ ଚାରି ଜଣ ଶିକ୍ଷକ । ସ୍କୁଲରେ ତ ଘଣ୍ଟିଟିଏ ବି ଟଙ୍ଗା ହୋଇଥାଏ । ସେଇଟା ଦିନରେ ଦୁଇଥର ବାଜେ । ଥରେ ସକାଳ ପ୍ରାର୍ଥନା ପାଇଁ, ଆଉଥରେ ଦିନ ବାରଟା ବେଳେ ସ୍କଲ ଛୁଟି ହେବା ପାଇଁ । ସେତେବେଳେ ସମସ୍ତଙ୍କ ପାଖରେ ଘଡ଼ି ନଥିଲା କି ଆଜିକାଲି ପରି ମୋବାଇଲ ବି ନଥିଲା ସମୟ ଦେଖିବାକୁ । ହେଡମାଷ୍ଟ୍ରଙ୍କ ଅଫିସରେ ଗୋଟିଏ ପେଣ୍ଡୁଲମ୍ ଘଡ଼ି ଥାଏ । ସେଇଟାକୁ ଦେଖି ହେଡ଼ମାଷ୍ଟ୍ରେ ଯେତେବେଳେ କହିବେ, ସେତେବେଳେ କେହିଜଣେ ଶିକ୍ଷକ ଘଣ୍ଟି ବଜେଇ ଦିଅନ୍ତି । କେହି ନିକଟରେ ନଥିଲେ କେବେକେବେ ନିଜେ ହେଡମାଷ୍ଟ୍ରେ ବି ଘଣ୍ଟି ବଜେଇ ଦିଅନ୍ତି ।
ଆମ ସ୍କୁଲଟି ଝାଟିମାଟିର ଘର, କାନ୍ଥ ମାଟିର, ଚଟାଣ ବି ମାଟିର, ଉପରେ ଚାଳ ଛପର । କ୍ଲାସ ଘର ପ୍ରତି ଶନିବାର ସ୍କୁଲ ଛୁଟି ପରେ ଗୋବରରେ ଲିପା ପୋଛା ହୁଏ । ବର୍ଷାଦିନେ କେବେକେବେ କ୍ଲାସ ରୁମରେ ପାଣି ଗଳିଲେ ସକାଳକୁ ସେଠି ଛତୁ ବି ଫୁଟିଯାଏ । କ୍ଲାସରେ ଫର୍ଣ୍ଣିଚର କହିଲେ, କେବଳ ସାରଙ୍କ ପାଇଁ ଗୋଟିଏ ଟେବୁଲ, ଆଉ ଗୋଟିଏ ଚଉକି ଏବଂ କାନ୍ଥରେ ଟଙ୍ଗା ହୋଇଥାଏ କଳାପଟାଟିଏ । ପିଲାମାନେ ପାଳି କରି କ୍ଲାସ ରୁମରେ ଝାଡୁ ଲଗାନ୍ତି । କ୍ଲାସ ଝାଡୁ ଲଗା ସରିଲା ପରେ ଆମେ ସବୁ ବସ୍ତାନୀ ନେଇ ଧାଡ଼ିଧାଡ଼ି ହେଇ ବସିବା ପାଇଁ ରଖୁ । ବସ୍ତାନୀରୁ ଆସନ କାଢି ବିଛେଇ ଦେଉ । ପୁଅ, ଝିଅ ସମସ୍ତଙ୍କ ପାଇଁ ଗୋଟିଏ ସ୍କୁଲ । କୋଡ଼ିଏ ତିରିଶ ଜଣ ପୁଅ ଆଉ ଦୁଇ ତିନି ଜଣ ଝିଅ ଥାଆନ୍ତି ଆମ କ୍ଲାସରେ । ଝିଅମାନଙ୍କ ପାଇଁ ଆଗ ଧାଡ଼ିଟି ଛାଡି ଦିଆଯାଏ । କ୍ଲାସର ପ୍ରଥମରୁ ଯିଏ ଥରେ ଯେଉଁ ସ୍ଥାନରେ ବସିଗଲା, ସେ ଜାଗାଟି ତା ପାଇଁ ପକ୍କା ହୋଇଯାଏ । କିନ୍ତୁ ବେଳେବେଳେ ପିଲାମାନେ ନିଜର ସାଙ୍ଗ ବଦଳେଇ ଦିଅନ୍ତି, ତେଣୁ ଜାଗା ବି ବଦଳେ । ସେଇ ସମୟରେ ପିଲାଙ୍କ ଭିତରେ ଝଗଡ଼ା ହୁଏ । ସେତେବେଳେ ଶିକ୍ଷକଙ୍କର ମଧ୍ୟସ୍ଥତାର ଆବଶ୍ୟକତା ହୁଏ । ଏଇ ସମୟରେ ପ୍ରାର୍ଥନା ପାଇଁ ଘଣ୍ଟି ବାଜେ । ସବୁ ପିଲା ନିଜନିଜ କ୍ଲାସରୁ ବାହାରି ସ୍କୁଲ ବାରଣ୍ଡାରେ ଧାଡ଼ି ହୋଇ ଠିଆ ହୋଇଯାଆନ୍ତି । ଦୁଇଜଣ ଝିଅ ପ୍ରାର୍ଥନା ବୋଲନ୍ତି- ‘ଆହେ ଦୟାମୟ ବିଶ୍ୱବିହାରୀ’ । ବାକି ସବୁ ପିଲା ପାଳି ଧରନ୍ତି ।
ପ୍ରାର୍ଥନା ପରେ କ୍ଲାସ ଆରମ୍ଭ ହୁଏ । ମାଷ୍ଟ୍ରଙ୍କ ଟେବୁଲ ଉପରେ କଞ୍ଚା କନିଅର ବେତଟିଏ ଥୁଆ ହୋଇଥାଏ । ଏଇଟା କ୍ଲାସ ମନିଟରର ଡିୟୁଟି । ସବୁଦିନ ନୂଆ ବେତ । ସେ ସମୟରେ ପାଠପଢା ବଡ଼ କଡ଼ା ଥିଲା, ମାଷ୍ଟ୍ରେ ବି । ସେମାନେ କିନ୍ତୁ ପିଲାମାନଙ୍କୁ ନିଜର ପୁଅଝିଅ ପରି ସ୍ନେହ କରୁଥିଲେ । ବଡ଼ ସ୍ନେହରେ ଧ୍ୟାନ ଦେଇ ସବୁ ବୁଝାଇ ଶିଖଉଥିଲେ । କିନ୍ତୁ ବେତର ଡର ବି ଥିଲା ପିଲାଙ୍କ ମନରେ । ଏଇ ଡରକୁ ତାଜା କରିବା ପାଇଁ ମଝିରେମଝିରେ ତାର ବ୍ୟବହାର ବି କରୁ ଥିଲେ । କିଏକିଏ ତ ବେତ ବାଜିବା ଆଗରୁ ଠିଆ ଠିଆ ପ୍ୟାଣ୍ଟରେ ପରିଶ୍ରା କରି ଦେଉଥିଲେ । ସେ ପୁଅ ହେଉ କି ଝିଅ ହେଉ, କିଛି ଫରକ ନଥିଲା ମାଷ୍ଟ୍ରଙ୍କ ପାଖରେ । ବେତ ମାଡ କଥା ଘରେ ମାଆବାପାଙ୍କ ପାଖରେ କେବେ ଅଭିଯୋଗ କଲେ ବି ସେଥିରେ କିଛି ଫରକ ପଡୁ ନଥିଲା । ବରଂ ମାଆବାପା ଓଲଟି କହୁଥିଲେ, ‘ତୁ ପାଠ ପଢିବୁନି, ତାହେଲେ ମାଷ୍ଟ୍ରେ ତୋତେ ବେତରେ ମାରିବେନି ତ ଆଉ କଣ ଗେଲ କରିବେ ?’ ତେଣୁ ସ୍କୁଲ କଥା ସ୍କୁଲରେ ହିଁ ରହେ । ଆଉ ତା’ପରଦିନ ସବୁ ପିଲା ପାଠ ଘୋଷି କି ଆସିଯାଆନ୍ତି । ଯେଉଁଦିନ ପାଠ ଘୋଷା ହୋଇ ନଥାଏ, କେତେ ଦିଅଁଙ୍କୁ ଡାକୁ, ହେ ପ୍ରଭୂ ଆଜି ମାଷ୍ଟ୍ରେ ସ୍କୁଲ ନଆସନ୍ତେ କି ହେଲେ । କିନ୍ତୁ ପ୍ରଭୂ କେବେ ବି ଆମ ଗୁହାରି ଶୁଣନ୍ତିନି ! ଖରା ହେଉ କି ବର୍ଷା ହେଉ, କି ଝଡ଼ିତୋଫାନ, କେବେ କୌଣସି ଶିକ୍ଷକ ଛୁଟି କରିବା ମୁଁ କେବେ ବି ଦେଖିନି । ସେଇ ମାଟିଝାଟିର ସ୍କୁଲରେ ମାଷ୍ଟରମାନଙ୍କର ସ୍ନେହ ଆଦର ଓ କଡ଼ା ଅନୁଶାସନ, ଦେଶ ଜାତିକୁ କେତେ କେତେ ମହାନ ଡାକ୍ତର, ଅଫିସର, ଇଞ୍ଜିନିୟର, ଓକିଲ ଓ ଜଜ୍ ଦାନ କରିଛି ।
ଆଜିର ସବୁ ସୁଖ ସୁବିଧା ଭିତରେ ଛାତ୍ରମାନଙ୍କ ଭିତରେ ଆଜି ସେ ଅନୁଶାସନ ନାହିଁ । ଶିକ୍ଷକମାନଙ୍କ ପ୍ରତି ଛାତ୍ରଙ୍କର ସେ ଭକ୍ତି, ସେ ସମ୍ମାନ ନାହିଁ । ଶିକ୍ଷା ଆଜି ବ୍ୟବସାୟ ପାଲଟିଯାଇଛି । ଆଜି କେହି ଜ୍ଞାନ ଅର୍ଜନ ପାଇଁ ନୁହେଁ ବରଂ ଭଲ ଚାକିରିଟିଏ କି ଅଧିକ ରୋଜଗାର ପାଇଁ ପାଠ ପଢୁଛନ୍ତି । ଶିକ୍ଷକ ବି ସେମିତି, ବିଦ୍ୟା ଦାନର ମନୋବୃତ୍ତି ନାହିଁ, ଖାଲି ବିଦ୍ୟା ବିକ୍ରୟ ପାଇଁ ଅଛନ୍ତି । ଯେଉଁଠି କିଣାବିକାର ସମ୍ବନ୍ଧ ଥାଏ ସେଠି ସମ୍ବେଦନା, ସମ୍ମାନ ବା ପ୍ରେମର ଭାବ କେଉଁଠୁ ଆସିବ ?
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।