ଗାୟତ୍ରୀ ଦାସ
ଶିଳ୍ପୀ …
ଯେବେ ଏକଲାପଣ ଆଚ୍ଛନ୍ନ କରେ,
ଧିମାଧିମା ନିଶା ହୋଇ ତମେ
ଚଢୁଥାଅ ପାଦେ ପାଦେ ,
ନିଦ୍ରା ନିବିଡ଼ ସ୍ଵପ୍ନମାନଙ୍କ ଦେହରେ
ପରସ୍ତ ପରସ୍ତ ମୋହ ସଞ୍ଚି ଦେବାକୁ ।
ଏମିତି ବେଳେବେଳେ ନିରବରେ
ଆକାଶମନସ୍କ ହେବାକୁ ,
ଚୁପଚାପ ତୁମ କଥା ଭାବିବାର ଇଚ୍ଛାକୁ
କଣ ନାଁ ଦେଇପାରିବି କୁହ ତ ?
ଯେତେଥର ଭାବିଛି ସଂପର୍କରେ ନାଁ’ ଟିଏ ଖଞ୍ଜିବି,
ସେତେଥର ଓହରି ଆସିଛି
ସ୍ଵର ଆଉ ବ୍ୟଞ୍ଜନ ସାରଣୀରୁ,
ନିଜ ପ୍ରଶ୍ଵାସର ଶବ୍ଦକୁ
କେଉଁ ବର୍ଣ୍ଣମାଳାରେ ଖୋଜିବି କୁହ ତ !
ମୁଁ କଣ କେବେ କଳ୍ପନା କରିଥିଲି,
ମଧ୍ୟାହ୍ନର ସୂର୍ଯ୍ୟ ଅପରାହ୍ନ ଆଡ଼କୁ ଢଳି ଗଲାବେଳେ
ଚାଙ୍ଗୁଡ଼ିଏ ସୁନା ରଙ୍ଗର ଖରା ହୋଇ ତମେ
ମୋ ଝରକା ଦେଇ ଅଜାଡ଼ି ହେଇପଡ଼ିବ ବୋଲି ?
ସୁନାରୀ ଗଛର ଛାଇରେ ଅସଜଡ଼ା ମନ ଅଗଣାରେ
ପ୍ରୀତିର ପରସ୍ତ ପ୍ରାୟେ ଶେଯେଇ ହୋଇ ପଡ଼ିବ ବୋଲି ?
ଦିନ ଦିନ, ରାତି ରାତି, ଋତୁ ଋତୁ,
ଅପେକ୍ଷିତ ଅନ୍ଧାରକୁ ପାପୁଲିର ରେଖା ଭାବି
ସୋରି ସୋରି ସରି ଯିବାର ଯେ ଥିଲା !
ଯେତେଥର ନିଜ ଭିତରେ ତୁମକୁ ମୁଁ ପାଏ,
କେତେକେତେ ଦୁର୍ବିପାକ ଓହ୍ଲାଇ ଆସନ୍ତି ଚୁପଚାପ ।
କେଉଁଠି କେଉଁଠି ମରୁଝଡ଼,
ଆଉ କେଉଁଠି ଆଗ୍ନେୟ ଫୁଟେ,
କେଉଁଠି ଜଳମଗ୍ନ ହୁଏ ବିସ୍ତୀର୍ଣ୍ଣ ଭୂଖଣ୍ଡ,
ଛାତି ଛୁଇଁ ବରଫ ପାହାଡ଼ଟିଏ ତରଳି ଯାଉଥାଏ ।
ତେବେ ବି କଣ ତମ ପାଇଁ ଛାଏଁ ପାରିଦେଇ ପାରିଲି
ଚତୁଃଷ୍କୋଣୀ ଆସନଟିଏ ହୃଦୟରେ ?
ତମେ ଓହ୍ଲାଇ ଆସିଛ ପୃଥିବୀକୁ
ମୋ ଭାଗର ଭୂଭାଗ ଏବେ ଶ୍ୟାମଳ ଶ୍ୟାମଳ ।
ଏଇ ଏଇ ପଲ୍ଲବୀ ଯିବ ଅରଣ୍ୟ,
ଡାଳରେ ଡାଳରେ ସାବଜେଇ ଯିବେ ଅନୁରାଗ,
ଢେଉ ଢେଉକା ଭାବନା ଲହଡ଼ି ଭାଙ୍ଗିବ ମନରେ ।
ତମେ ଯେ ଶାଳ ଫୁଲର ବାସ୍ନା ହୋଇ
ବିସ୍ତରି ବୁଲିବ ଆଖପାଖ !
ଏଇ ଶିଳ୍ପୀ –
ସେଇ ଫୁଲଫୁଟା ଅରଣ୍ୟରେ
ଫିକା ହଳଦୀ ରଙ୍ଗର
ମହୁଖିଆ କୁନି ଚଢେଇଟିଏ
ପାଲଟି ଯାଆନ୍ତନି ତମେ ?
ଏ ଅପରାହ୍ନ ବିସର୍ଜି ଯାଆନ୍ତା ବାରୁଣୀରେ,
ତାରାମାନେ ଝିଲମିଲ କରନ୍ତେ ନଈ ପାଣିରେ ,
ଜହ୍ନ ଚେଇଁ ଉଠୁଥାଆନ୍ତା ଘଡ଼ି ମାରି,
ରାତି ପକ୍ଷୀଟିକୁ ଗୀତ ଗାଇ
ମା’ ତାର ଉଡ଼େଇ ଦେଉଥାଆନ୍ତା ଆକାଶ ଆଡ଼କୁ ।
ଟୋପାଏ ମହୁ ପିଇ ଉଡ଼ି ଯାଉଥାଆନ୍ତ ତମେ
କେଉଁ ପରିଚିତ ନଜରର ଆଢୁଆଳରୁ ଦୂରକୁ
ଆହୁରି ଦୂରକୁ !
ପପୁଲାର ଷ୍ଟିଲ, ଅନୁଗୁଳ
ଲେଖକ ପରିଚୟ
ଏ କବି ତଥା ଗାଳ୍ପିକା କେବେ ପ୍ରେମର କଥା କୁହନ୍ତି ତ କେବେ ଜୀବନ ଦର୍ଶନର । କେବେ ସୁନ୍ଦର ଶବ୍ଦ ଚାତୁରୀରେ ଭୁଲେଇ ଦିଅନ୍ତି ତ କେବେ ଗୁଢ ତତ୍ତ୍ଵରେ ବୁଡ଼େଇ ଆକ୍ତାମାକ୍ତା କରିଦିଅନ୍ତି । କଲେଜ ବେଳରୁ ଲେଖିବା ଆରମ୍ଭ କରିଥିଲେ ମଧ୍ୟ ଅଟକି ଯାଇଥିଲେ ଜଞ୍ଜାଳ ଜାଲରେ ଛନ୍ଦି ହୋଇ । ୨୦୧୮ ମସିହାରୁ ପୁଣି ଚଳଚଞ୍ଚଳ ତାଙ୍କ କଲମ । କବିତା ପୁସ୍ତକ “ବହ୍ନିଧୂମା” ଏକମାତ୍ର ପ୍ରକାଶିତ ପୁସ୍ତକ । ନିହାରକନ୍ୟା ଯୁବ ପ୍ରତିଭା ସମ୍ମାନ ଏବଂ ସୁଚିତ୍ରା ନବପ୍ରତିଭା ସମ୍ମାନରେ ସମ୍ମାନିତା କବି ।