ଦେବବ୍ରତ ଜେନା

ମେଘମନ୍ଦ୍ରା ଜମା ବୁଝେନା କବିତା ।

ବୁଝେନା କାହିଁକି ରୂପା ଢଳେଇ ଚନ୍ଦ୍ରିକାରେ
ମୁଁ ଫଟା ଲାଉତୁମ୍ବାଟିଏ ଧରି ବାହାରିଯାଏ
ଶବ୍ଦ ଭିକ୍ଷା ପାଇଁ ।

ବୁଝେନା ସେ
କାହିଁକି ମୁଁ ଦିନେଦିନେ ଗୋଟେ
ନିଆଁଚଟା ଖରାବେଳକୁ ଲୁହରେ ପଖାଳି
ପୁଣି ଫେରେଇଦିଏ ଆକାଶକୁ ।

କେବେକେବେ ମୁଁ କବିତା ପଢ଼ୁଥିବାବେଳେ
ମୋତେ ଅଟକାଇ ଦେଇ ମଝିରେ କୁହେ
“ଶୁଣ୍ , ଚାଲ୍ ତୋର ମୋର କୁଆଡ଼େ ଗୋଟେ ପଳେଇବା”

ମୁଁ ପଚାରେ ..
କୁଆଡ଼େ ?

ମେଘମନ୍ଦ୍ରା ଚୁପ ରହେ ।

ହେଲେ ତା ଆଖିରୁ
ଅପସରି ଆସେ ଏକ କନକମୃଗ
ଦୌଡ଼ିଯାଏ କିଛିବାଟ
ତା’ପରେ ସ୍ତବ୍ଧ ହୋଇ ଠିଆହୋଇ ଦେଖେ
କେମିତି ଦିଗବଳୟ ପାଖରେ
ଧୂଆଁ ଉଠୁଥାଏ କିଛି ଲାଲ୍ ପକ୍ଷୀଙ୍କ ମୃତ ଶରୀରରୁ ।

ଆଃ !
ମାୟାଅନଳର କବରୀରେ
ଗୁନ୍ଥି ହୋଇ ଛଟପଟ ହୁଏ
ଗୋଟେ ନାମହୀନ ପତଙ୍ଗ ।

ମୁଁ ପୁଣି କବିତା ବହିରେ ମନଦିଏ ।

ସେ ମୋ ଆଖିକୁ ଅନେଇ ରହି ଅପଲକ
ତା କଇଁକଢ ଓଠରେ ଧାଡ଼ିଏ କବିତା ଛୁଏଁ
ଆଉ କହେ
“ଏ ଟୋକା, ଏ ଧାଡ଼ିଟା ବୁଝା ତ”
ମୁଁ ଚୁମାଟିଏ ଦିଏ ତା ଓଠରେ
କହେ “ବୁଝିଲୁ ?”
ସେ କହେ “ନା” ।

ମୋତେ ମେଘମନ୍ଦ୍ରା ଦିଶେ
ଗୋଟେ କବିତା ପରି
ଯାହାକୁ ମୁଁ ଲେଖିଆସୁଛି
ମୋ ଲୋହିତ ଇଛାଙ୍କ
ଅସରନ୍ତି ବାଲୁଚରରେ ।

ମେଘମନ୍ଦ୍ରା କି ବୁଝେ ଯେ
ମୁଁ କାହିଁକି ଉଭୟ ଆଲୁଅ ଓ ଅନ୍ଧାର
ଟୋପାଟୋପା କରି ରଖୁଥାଏ
ଭୋର୍ ର ଦେହରୁ ନିଗାଡ଼ି ତା ପାଇଁ
ଶାମୁକାରେ !

ମେଘମନ୍ଦ୍ରା ଜମା ବୁଝେନା କବିତା ।

ସୁନ୍ଦରପଦା, ଭୁବନେଶ୍ୱର

ଲେଖକ ପରିଚୟ

ଲେଖାଲେଖି ସ୍କୁଲ ସମୟରୁ । ପ୍ରଥମେ ସ୍କୁଲ ଆଉ କଲେଜ ପତ୍ରିକା, ତାପରେ ବିଭିନ୍ନ ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ପତ୍ରିକାରେ ଲେଖା ପ୍ରକାଶ । ତେବେ ବିଧିବଦ୍ଧ ଭାବେ ଲେଖାଲେଖି ୧୯୯୬ ରୁ । ଏଯାବତ ଦୁଇଟି କବିତା ସଂକଳନ ‘ଖରାପ ପିଲାର ପ୍ରେମ କବିତା’, ‘ଏଡ଼ୱାର୍ଡର ମୁହଁ’ ପାଠକାର୍ପଣ ହୋଇଛି । ଯେମିତି ସଙ୍ଗୀତ ମୋତେ ଖୁସି ଦିଏ ମୋତେ ଉଖୁରାଏ, ସେମିତି ସାହିତ୍ୟ ବି ମୋତେ ଖୁସି ଦିଏ । ମୋ ଖୁସି ପାଇଁ, ମୋତେ ଭଲ ଲାଗୁଚି ବୋଲି ସାହିତ୍ୟରେ ମୁଁ ଅଛି ।

Related Posts

Leave a Reply

Your email address will not be published. Required fields are marked *