ବିନୟ ମହାପାତ୍ର

ରମାକାନ୍ତk ବାବୁ ଏମିତି ଚାଲୁ ଚାଲୁ ଥରେ ପଛକୁ ଫେର ଚାହିଁଲେ, ପଛର ଦୃଶ୍ୟ କିଛି ସ୍ପଷ୍ଟ ଦିଶୁନି । ପଛରେ ସବୁ କିଛି ଯେପରି, ଧୂଆଁଳିଆ କୁହୁଡ଼ି ଭିତରେ ନିଜର ସତ୍ତା ଲୁଚାଇ ଦେଇଛନ୍ତି । ଯେମିତି ମାଘ ମାସର ଘନ କୁହୁଡ଼ିର ଚାଦରରେ ଢଙ୍କା ଏକ ଅଳସ ସକାଳ । ସବୁକିଛି ନିଜ ଜାଗାରେ ଠିକ୍ ଠିକ୍ ଅଛନ୍ତି, କିନ୍ତୁ ଲାଗୁଛି ସତେଯେପରି ସେଠାରେ କିଛି ନାହିଁ । ସଂସାରଟା ଏମିତି ଏକ ପ୍ରହେଳିକା, ସବୁ ଥାଇ ବି କିଛି ନଥାଏ, କିଛି ନଥାଇ ବି ସବୁକିଛି ଥାଏ । ଦିନର ପ୍ରଥମ ସୂର୍ଯ୍ୟ ଉଇଁ ଗଲାପରେ ବି କଅଁଳିଆ ସୂର୍ଯ୍ୟ ନୂଆ ବୋହୂଟିର ମଥାରେ ନାଲି ସିନ୍ଦୁର ବିନ୍ଦୁଟିଏ ପରି ଦିଶୁଥାଏ, ଖରା ଜମାରୁ ଦିଶେନା, ଉଷ୍ମତା ଟିକିଏ ବି ନଥାଏ । ଏମିତି ଏକ ସକାଳୁ ସେ ତାଙ୍କର ଚାଲିବା ଆରମ୍ଭ କରିଛନ୍ତି ଯେ, ଏଯାଏ ସରିବାର ନାଆଁ ନେଉ ନାହିଁ । ସମୟର କେତେ ଆଗକୁ ଚାଲି ଆସିଲେଣି ସିଏ !

ଦି’ପହର ଯାଇ ଅପରାହ୍ନ ହେବାକୁ ହେଲାଣି, ଏବେ ଆଉ ସୂର୍ଯ୍ୟର ତୀବ୍ର କିରଣ ଦେହକୁ ଜାଳି ଦେଉନି । ବୈଶାଖର ଦେହଜଳା ଖରା, ଶ୍ରାବଣର ମୂଷଳ ଧାରା ବର୍ଷା ହେଉ କି ମାଘ ମାସର ବାଘ ପରି ଶୀତ, ସେଥିରେ କିଛି ଫରକ ପଡୁନି ତାଙ୍କୁ, ସେସବୁ ଏବେ ଆଉ କଷ୍ଟ ଦେଉନି, ବରଂ ସବୁ ତାଙ୍କର ଦେହସୁହା ହୋଇ ସାରିଲାଣି ଯେପରି । ଅପରାହ୍ନର ସୂର୍ଯ୍ୟ ବି ଥକି ଗଲାଣି ତାଙ୍କ ସାଥିରେ ଚାଲିଚାଲି । ପଥ ସତେଯେମିତି ଲମ୍ବା ହୋଇଯାଇଛି, ସରିବାର ନାଆଁ ନେଉନି । କିନ୍ତୁ ଏ ପଥ ସରିବ କେମିତି ? କୁଆଡ଼େ ଯାଉଛନ୍ତି ସିଏ ? କିଛି ଗନ୍ତବ୍ୟ ତ ଧାର୍ଯ୍ୟ କରି ନାହାନ୍ତି ! କେଉଁଠି ପହଞ୍ଚିବାକୁ ଥିଲା ତାଙ୍କୁ ? ସବୁ କିଛି ଅନିର୍ଦ୍ଦିଷ୍ଟ, କିଛି ବି ଧାର୍ଯ୍ୟ ନାହିଁ, ସେ ଖାଲି ଏମିତି ଦିଶାହୀନ ହୋଇ ଚାଲିଛନ୍ତି । ରାସ୍ତା ଭୁଲିଗଲେ ଅବା ବାଟବଣା ହୋଇଗଲେ ବୋଲି କହିହେବନି, କେମିତି କହିବେ ବାଟବଣା ହୋଇଗଲେ ବୋଲି ? ଆଗରୁ କିଛି ଦିଶା ନିର୍ଦ୍ଦିଷ୍ଟ ହୋଇ ନଥିଲା । ତେଣୁ ସେ ଯେଉଁ ପଥରେ ଚାଲୁଛନ୍ତି ସେଇଟା ହିଁ ଠିକ୍ ବୋଲି, ମାନି ନେବାକୁ ହେବ ।

ନଦୀକୁ ଜଣା ଥାଏ ତାକୁ ସମୁଦ୍ର ପର୍ଯ୍ୟନ୍ତ ଯିବାକୁ ଅଛି, ଟିକି ଚଢେଇଟି ବି ଜାଣିଥାଏ, ସଂଧ୍ୟା ହେଲେ ତାକୁ ସେଇ ନିର୍ଦ୍ଧିଷ୍ଟ ବୃକ୍ଷ ଡାଳରେ ବନ୍ଧା ତାର ଟିକି ନୀଡ଼ଟିକୁ ବାହୁଡ଼ିବାକୁ ହେବ, ହେଲେ ରମାକାନ୍ତ ବାବୁ ? କେହି ତ ତାଙ୍କୁ କହିନି, କେଉଁଠିକୁ ଯିବାକୁ ଅଛି, ସେ ନିଜେ ବି କାହାକୁ କେବେ ପଚାରି ନାହାନ୍ତି । ଯିବାର କିଛି ଉଦ୍ଦେଶ୍ୟ ନାହିଁ, କିଛି ଲକ୍ଷ୍ୟ ନାହିଁ, କିଛି ଗନ୍ତବ୍ୟ ମଧ୍ୟ ସ୍ଥିର ନାହିଁ । ସକାଳୁ ସକାଳୁ ଏମିତି ବାହାରି ପଡ଼ିଥିଲେ ଏଇ ଯାତ୍ରାରେ ।

ସୂର୍ଯ୍ୟ ଯେତେବେଳେ ଉଇଁଲା, ସିଏ କାଉ ହାତରେ ଖବର ପଠେଇ ଥିଲା । କହିଲା ଚାଲ ମୋ ସାଥିରେ । ରମାକାନ୍ତ ପଚାରିଲେ କୁଆଡ଼େ ଯିବା ? ସୂର୍ଯ୍ୟ କହିଲା ମୁଁ କଣ ଜାଣିଛି ? ଏମିତି ଚାଲିବା, ଯେ ପର୍ଯ୍ୟନ୍ତ ରାସ୍ତା ଦିଶୁଥିବ । ତା’ପରେ ତୁ ଫେରିବୁ, କାଲି ସକାଳେ ମୁଁ ବି ଫେରିବି, କାଲି ପୁଣି ଦେଖା ହେବ । ରମାକାନ୍ତ ପଚାରିଲେ କାଲି ପୁଣି କେଉଁଠି ଭେଟିବା ? ସୂର୍ଯ୍ୟ କହିଲା ମୋ ପାଇଁ, ସେଇ ଗୋଟିଏ ରାସ୍ତା ନିର୍ଦ୍ଦିଷ୍ଟ ହୋଇଛି, ମୁଁ କେବଳ ସେଇ ରାସ୍ତାରେ ଯିବି ଏବଂ ଆସିବି, କିନ୍ତୁ ସଂସାରର ଏଇ ଭିଡ଼ଭାଡ଼ ଜନପଥରେ ତୁ କେଉଁ ରାସ୍ତାରେ ଯିବୁ ସେକଥା କାହାକୁ ଜଣା ? ତୋ ରାସ୍ତା କଥା ତୋତେ ମଧ୍ୟ ଜଣା ନାହିଁ । ସେ ଯାହା ହେଉନା କାହିଁକି, ଯିଏ ଯେଉଁ ରାସ୍ତାର ଯାଉନା କାହିଁକି ସବୁ ନଦୀ ସେଇ ସମୁଦ୍ରରେ ହିଁ ମିଶିବେ, ତୋ ସହିତ କାଲି ବି ଦେଖା ହୋଇଯିବ, ଆମେ କାଲି ପୁଣିଥରେ ଭେଟିବା, ନିଶ୍ଚୟ ଭେଟିବା !

କିଛି ଗନ୍ତବ୍ୟ ନଥିଲା, ତଥାପି ବହୁତ ଦୂର ଯିବାକୁ ଥିଲା, ରାସ୍ତା ବହୁତ ବାକି ଥିଲା ଚାଲିବାକୁ । ରାସ୍ତା ବି ଗୋଟିଏ ନଥିଲା, ଅନେକ ରାସ୍ତା, ବାଛିବା କଷ୍ଟ । ରମାକାନ୍ତ ସୂର୍ଯ୍ୟକୁ ପଚାରିଲେ, କେଉଁ ରାସ୍ତାଟି ଠିକ୍ ରାସ୍ତା ? ସୂର୍ଯ୍ୟ କହିଲା ମୋର ତ ସେଇ ଗୋଟିଏ ରାସ୍ତା, ତୋ ରାସ୍ତା କଥା କିନ୍ତୁ ମୋତେ ଜଣା ନାହିଁ । ନିଜକୁ ପଚାରେ ! ମୋ ପାଖରେ କିଛି ବିକଳ୍ପ ନାହିଁ ବୋଲି ମୁଁ ପ୍ରତିଦିନ ସେଇ ପୂର୍ବରେ ଉଏଁ ଆଉ ପଶ୍ଚିମରେ ଅସ୍ତ ହୋଇଯାଏ । ମୋ ପାଇଁ ସେଇ ଗୋଟିଏ ରାସ୍ତା ନିର୍ଦ୍ଦିଷ୍ଟ । ତୋ ପାଖରେ କିନ୍ତୁ ହଜାର ବିକଳ୍ପ ଅଛି । ସୁବିଧାରେ ପହଞ୍ଚିବା ପାଇଁ, ନିରାପଦରେ ପହଞ୍ଚିବା ପାଇଁ ଅନେକ ରାସ୍ତା । ଆଉ କେତେ ରାସ୍ତା ସିଧା ସିଧା, କିଛି ସଟକଟ୍, ଜଲ୍ଦି ପହଞ୍ଚି ଯିବ, କିନ୍ତୁ ବହୁତ ରିସ୍କି । ନେଇ ଆଣି ଥୋଇ ପାରିଲେ ହେଲା । କିଛି ରାସ୍ତା ବହୁତ କଠିନ, ବିପଦରେ ପରିପୂର୍ଣ୍ଣ, ସେଥିରେ ପୁଣି ସୁଖ ମିଳବ କି ନାହିଁ ସେକଥା କିଛି ସ୍ପଷ୍ଟ ଜଣାନାହିଁ, କିନ୍ତୁ ସନ୍ତୋଷ ନିଶ୍ଚୟ ମିଳିବ, ନାମ ଯଶ ବି ମିଳିପାରେ । ହେଲେ କଷ୍ଟ ଅଛି ସେ ରାସ୍ତାରେ ।

ସୂର୍ଯ୍ୟ ଟିକିଏ ବିରାମ ନେଇ ପୁଣି କହିଲା, ସେଥିପାଇଁ ଭଗବାନ ମଣିଷକୁ ମନ, ବିବେକ, ବୁଦ୍ଧି, ଜ୍ଞାନ ସବୁ ଦେଇଛନ୍ତି, ନିଜ ରାସ୍ତା ନିଜେ ଠିକ୍ କରିବାକୁ । ମୋତେ କାହିଁକି ପଚାରୁଛୁ ? ନିଜେ ସ୍ଥିର କର ନିଜ ରାସ୍ତା ! ତୋର ମନକୁ ପଚାର, କହନ୍ତି ପରା, ‘ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’, କିନ୍ତୁ ସାବଧାନ, ଏଇଠି ଆଉ କାହାକୁ ରାସ୍ତା ପଚାରିବୁନି । କାହାର କିଛି ଭରସା ନାହିଁ, ସହଜରେ ସମସ୍ତଙ୍କୁ ବିଶ୍ୱାସ ବି କରି ହୁଏନି । ଏମିତି ଅନେକ ଅଛନ୍ତି, ଛଳେ ବଳେ କୌଶଳେ ତୋର ଦୁର୍ବଳତାର ସୁଯୋଗ ନେଇ ତୋର ଭରସା ଜିତିବେ ଶେଷରେ ତୋର ଅଣ୍ଟି ଆଉ ତଣ୍ଟି ଉଭୟ କାଟି ନେବେ । କେତେ ତ ତାମସା ଦେଖିବାକୁ ଓଲଟା ସିଧା ରାସ୍ତା ଦେଖେଇ ଦେବେ । ଆଉ ଏମିତି ବି ଅନେକ ଅଛନ୍ତି, ସେମାନେ ତୋତେ ସିଧାସଳଖ ଖାଲରେ ପକେଇ ଦେଇ ଉପରେ ଠିଆ ହୋଇ ରହିବେ, ତାଳି ବଜାଇ ତାମସା ଦେଖିବେ । ଠିକ୍ ରାସ୍ତା ବତେଇ ଦେଲା ଭଳି ବହୁତ କମ ଲୋକ ମିଳିବେ ଏଇ ଦୁନିଆରେ । ତେଣୁ ନିଜର ମନ ଆଉ ବିବେକ ଅନୁସାରେ ନିଜ ରାସ୍ତା ନିଜେ ବାଛିବା ସବୁଠାରୁ ନିରାପଦ ।

ପଥ ଜଣା ନଥିଲା, ସମୟର ବନ୍ଧନ ନଥିଲା, ସମୟର ବନ୍ଧନ ନଥିଲା କହିଲେ ବୋଧ ହୁଏ ଠିକ୍ ହେବନି, ପ୍ରକୃତରେ ସମୟର ବନ୍ଧନ ତ ଥିଲା, କିନ୍ତୁ ତାର ସୀମା ଜଣା ନଥିଲା । ସମୟ ଜଣା ନାହିଁ, କେବଳ ଚାଲିବାକୁ ବହୁତ ରାସ୍ତା ବାକି ଥିଲା । ରାସ୍ତା ଯେଉଁଆଡ଼େ ନେଇଗଲା ପାଦ ଠିକ୍ ଠିକ୍ ତାକୁ ଅନୁସରଣ କରୁଥିଲା । ହଜି ଯିବାର ଡର, ଥକି ଯିବାର ଭୟ ଥିଲା । କିନ୍ତୁ, ଏବେ ଆଉ ଡର ଲାଗୁ ନଥିଲା ରମାକାନ୍ତଙ୍କୁ । ଜୀବନରେ ଏଇ ଚାଲିବା ଭିତରେ ଅନେକ କିଛି ଦେଖିଛନ୍ତି । ଉଠାଣି ଗଡ଼ାଣି ଖାଲ ଢିପ ସବୁ ଦେଖିଛନ୍ତି ।

ଆଗରୁ ଟିକିଏ ଡରଡର ଲାଗୁଥିଲା, ଉଠାଣି ଦେଖିଲେ ମୁଣ୍ଡ ବୁଲେଇ ଦେଉଥିଲା, ଭାବୁଥିଲେ ଚଢି ପାରିବି ତ ! କେତେଥର ଚେଷ୍ଟା କରି ହାରିଛନ୍ତି, କେତେଥର ଜିତିଛନ୍ତି ବି । କେବେ ଡରକୁ ଡରେଇ ଦେଇଛନ୍ତି, କେବେ ନିଜେ ଡରି ଯାଇ ରାସ୍ତା ବଦଳେଇ ନେଇଛନ୍ତି, କିନ୍ତୁ କେବେ ଚାଲିବା ବନ୍ଦ କରି ନାହାନ୍ତି । ଥକି ଗଲେ ଦି’ଘଡି କେଉଁ ଗଛ ମୂଳରେ ବସି ପଡ଼ନ୍ତି, ପଛକୁ ଦେଖନ୍ତି, ରାସ୍ତାରେ ନିଜ ଅନୁଭୂତିର ରୋମନ୍ଥନ କରନ୍ତି, ନିଜର ପରାଜୟରୁ କଣ ଶିଖିଲେ ତାର ତର୍ଜମା କରନ୍ତି । କେତେ ଚାଲିଲେ ସେ କଥା ଭୁଲି ଆଗକୁ ଦେଖନ୍ତି । ଭାବନ୍ତି ଆଗକୁ ଯାଉଥିବା ପଥ ବିଷୟରେ କିଛି ଜଣା ନାହିଁ । ତା ବିଷୟରେ ଭାବିଲେ ଲାଭ କଣ ହେବ ? ସିଏ ତ ଅନିଶ୍ଚିତ, ବର୍ଷା ଆସିବ ବୋଲି ଏବେ ଠାରୁ କଣ ଛତା ଖୋଲି ରଖିବେ ? କିଏ ଜାଣିଛି ଯେତେବେଳେ ବର୍ଷା, ଝଡ଼ ତୁଫାନର ରୂପ ନେଇ ଚାଲି ଆସିବ, ସେତେବେଳେ ଏଇ ଛତା କେତେ କାମକୁ ଆସିବ ! ବାଆକୁ ବତା ପରି ଛତା ବି ଉଡ଼ି ଯିବ । ଏଇ ଛତା ସେତେବେଳେ ତାଙ୍କର ରକ୍ଷା କରିପାରିବ କି ନାହିଁ କିଏ ଜାଣେ ?

ଭବିଷ୍ୟତ କଥା ଭାବି ଏବେ ଆଉ ଡର ଲାଗେନା । ମନ ବ୍ୟଗ୍ର ହୋଇ ଯାଏନା । ଯେତେ ସବୁ ରାସ୍ତା, ସବୁଗୁଡ଼ିକ ଏକାପରି ଲାଗନ୍ତି, କେବଳ ସାଧାରଣ ରାସ୍ତାଟିଏ ପରି ଲାଗନ୍ତି । ରାସ୍ତା ତ ଉଠାଣି ଗଡ଼ାଣି, ଉବଡ଼ଖାବଡ଼ ହେବଇ ହେବ । ଏଇଟା ଡ୍ରଇଁରୁମର ଟାଇଲ ବିଛା ଚଟାଣ ନୁହେଁ ଯେ ଚାଲିବାକୁ ମଖମଲି ଗାଲିଚା ମିଳିବ । ଏଇଟା ରାସ୍ତା, ଯେପରି ମିଳିବ, ସେଇଟା ଭଲ, ତା ଉପରେ ଯିବାକୁ ହିଁ ପଡ଼ିବ ।

ପ୍ରଥମ ଦିନରୁ ଏମିତି ଚାଲିବା ଆରମ୍ଭ ହୋଇଯାଇଛି, କେବେ ମାଆ ବାପା କୋଳରେ ଥାଇ, ଆଉ କେବେ ନିଜର ସନ୍ତାନକୁ କୋଳରେ ନେଇ ଚାଲିଛନ୍ତି, ରାସ୍ତା ଏବେ ବି ଚାଲିଛି । ବେଳେବେଳେ ରମାକାନ୍ତଙ୍କୁ ଲାଗେ, ସେ ଯେପରି ଗୋଟିଏ ସ୍ଥାନରେ ସ୍ଥାଣୁ ପାଲଟି ଯାଇଛନ୍ତି । ବାସ୍ ନିଜକୁ ଜାବୁଡ଼ି ଧରି ଗୋଟିଏ ଜାଗାରେ ଠିଆ ହୋଇଛନ୍ତି ଏବଂ ପାଦ ତଳର ରାସ୍ତା ନଦୀଟିଏ ପରି ବୋହି ଚାଲିଛି । ସେ ସୂର୍ଯ୍ୟ ପରି ସ୍ଥିର ଆଉ ପୃଥବୀ ତାଙ୍କର ପରିକ୍ରମା କରି ଚାଲିଛି । ବେଳେବେଳେ ମନେହୁଏ ସିଏ ତ ସମୟର ରେଳଗାଡ଼ିରେ ଝରକା ପାଖ ସିଟ୍ ରେ ବସିଛନ୍ତି । ପାହାଡ ପର୍ବତ, ଗଛ, ବିଜୁଳି ଖୁଣ୍ଟ, ନଦୀ ନାଳ, ପୋଲ ସହର ଆଉ ଷ୍ଟେସନ ସବୁ କିଛି ପଛକୁ ଦୌଡ଼ି ଯାଉଛନ୍ତି । କିଛି ବୁଝିହୁଏନା, କିଏ ଚାଲିଛି, କିଏ ସ୍ଥିର ! ହେଲେ ଏଇ ଚାଲିବା ସେମିତି ନିରନ୍ତର ଜାରି ରହିଛି ।

କେବେ ସରିବ ଏ ଯାତ୍ରା ? ଆକାଶକୁ ଚାହିଁଲେ, ସୂର୍ଯ୍ୟକୁ ଦେଖିଲେ, ସୂର୍ଯ୍ୟ ବି କ୍ଳାନ୍ତ ଦିଶୁଥିଲା । ରମାକାନ୍ତ କହିଲେ, ବାସ ବହୁତ ହୋଇଗଲା । ଏବେ ଏ ଚାଲିବା ବନ୍ଦ ହେଉ । ସୂର୍ଯ୍ୟ ଟିକିଏ ନିରେଖି ଦେଖିଲା ରମାକାନ୍ତଙ୍କୁ । ଟିକିଏ ହସି ଦେଇ ପୁଣି କହିଲା, ଆରେ, ଏତିକି ରାସ୍ତା ଚାଲିବାରେ ଥକି ଗଲୁ । ତୁ ଦେଖୁଛୁନା ମୋତେ ? କେଉଁ ଅନାଦି କାଳରୁ ମୁଁ ଚାଲୁଛି ପୁଣି ଅନନ୍ତ କାଳ ଯାଏ ଏମିତି ଚାଲୁଥିବି । ପୃଥିବୀ ଗୋଲ ବୋଲି ମୁଁ ଯେତେ ବେଳେ ପୃଥିବୀର ଆରପଟକୁ ଚାଲି ଯାଏ ଏବଂ ତୁ ମୋତେ ଦେଖି ନପାରୁ, ସେତେବେଳେ ତୁ ଭାବୁ ମୁଁ ଶୋଇଗଲି ବୋଲି, ହେଲେ ତେବେ ବି ମୁଁ ଚାଲୁଥାଏ, ଏମିତି ନିରନ୍ତର ଅବିଶ୍ରାନ୍ତ । ହଠାତ୍ ସୂର୍ଯ୍ୟ, କଥା ବନ୍ଦ କରି ରମାକାନ୍ତଙ୍କୁ ସନ୍ଦେହ ଭରା ଦୃଷ୍ଟିରେ ଦେଖି ପଚାରି ଦେଲା, ଆରେ, ତୁମେ ସିଏନା’, ଯିଏ ସକାଳ ପହରରୁ ମୋ ସାଥିରେ ଚାଲୁଛି ?

ରମାକାନ୍ତ ଆଶ୍ଚର୍ଯ୍ୟ ହୋଇ ସୂର୍ଯ୍ୟକୁ ଚାହିଁ ପଚାରିଲେ, ମୋତେ କଣ ତୁମେ ଚିହ୍ନି ପାରୁନ ? ହଁ, ମୁଁ ସେଇ, ଯିଏ ସକାଳୁ ଚାଲିଛି ତୁମ ସାଥିରେ, କିନ୍ତୁ ତୁମର କଣ ହେଲା ? ହଠାତ୍ ଏମିତି ଦୋଦୋ ଚିହ୍ନା ହେଲାପରି ସନ୍ଦେହର ଏ ପ୍ରଶ୍ନ କାହିଁକି ? ମୁଁ କଣ ବଦଳି ଯାଇଛି ? ସୂର୍ଯ୍ୟ ହସିଲା, ଅଳ୍ପ ନୁହେଁ ବହୁତ ହସିଲା ଏବଂ କହିଲା, ମୋତେ କଣ ପଚାରୁଛୁ ? ମୋ ପାଖରେ ତ ଆଇନା ନାହିଁ, ନହେଲେ ଦେଖେଇ ଦିଅନ୍ତି । ହୁଏତ ତୁ ତୋ ନିଜକୁ ଦେଖି ଚିହ୍ନି ପାରିବୁ କି ନାହିଁ, ମୋତେ ସନ୍ଦେହ ଲାଗୁଛି । ଗୋଟାଏ କାମ କର, ସେଇ ଗଛ ମୂଳକୁ ଦେଖ, ରାସ୍ତା କଡ଼ରେ ତୋତେ କିଛି ଦିଶୁଛି ?

ରମାକାନ୍ତ କହିଲେ, ହଁ, ସେଇଠି ଭଣ୍ଡାରୀଟିଏ ଠିଆ ହୋଇଛି । ଗଛର ଗଣ୍ଡିରେ କଣ୍ଟାଟିଏ ପିଟି ବଡ଼ ଆଇନାଟାଏ ଟାଙ୍ଗିଛି ଆଉ ଆଇନା ସାମ୍ନାରେ ଚଉକିଟିଏ ପଡ଼ିଛି । ସେ ଅପେକ୍ଷା କରିଛି, କାଳେ କିଏ ନୂଆ ଗରାଖ ଆସିବ, ଦାଢି କି ବାଳ କଟେଇବ ।

ସୂର୍ଯ୍ୟ ଟିକିଏ ହସି ଦେଇ କହିଲା, ସେଇଠିକି ଯାଅ, ସେ ଆଇନାରେ ଥରେ ନିଜକୁ ଦେଖି ନେ । ରମାକାନ୍ତ କହିଲେ, ତୁମେ ଏଇଠି ମୋର ଅପେକ୍ଷା କରିବନା’ ? ଚାଲି ଯିବନି ତ ? ସୂର୍ଯ୍ୟ କହିଲା, ନାହିଁ ନାହିଁ ମୁଁ କୁଆଡ଼େ ଯିବିନି, ଏଇଠି ତୁମର ଅପେକ୍ଷା କରିଛି । ଯାଅ, ଶିଘ୍ର ନିଜ ମୁହଁ ଦେଖି ଆସ, ଡେରି କରନି । ସେ ତାର ଦୋକାନ ବନ୍ଦ କରି ଦେଲେ ଆଉଥରେ ତୁମ ପାଇଁ ଖୋଲିବନି ।

ରମାକାନ୍ତ ଗଲେ ସେଇ ଗଛ ମୂଳକୁ, ତାଙ୍କୁ ଦେଖୁଦେଖୁ ଭଣ୍ଡାରୀ ପିଲାଟି ବି ଖୁସି ହୋଇଗଲା । ଭାବିଲା ନୂଆ ଗରାଖଟିଏ ଆସିଗଲା । ସେ ତାର କଇଁଚି, ଖୁର ଟିକେ ସଜାଡ଼ି ନେଇ ପଚାରିଲା ମଉସା, ଚୁଟି କାଟିବ ନା ଦାଢି ?

ରମାକାନ୍ତ ଆଶ୍ଚର୍ଯ୍ୟ ହୋଇ ତାର ମୁହଁକୁ ଚାହିଁଲେ, ଭାବିଲେ ଇଏ ମୋତେ ମଉସା ଡାକୁଛି ? ସାର୍ ନ’ଡାକି ମଉସା ? କମ୍ ସାହାସ ତ ନୁହେଁ ଟୋକାର, ତା ଆଇନାରେ ମୁହଁ ଦେଖିବି ବୋଲି କଣ ଚାଲି ଆସିଲି ଯେ ମୋତେ ଚୁଟି ଦାଢି କାଟିବା କଥା ପଚାରିଲାଣି । ଆଜି ଯାଏ ସେ ଯେବେ ବି ଚୁଟି ଦାଢି କାଟିଛନ୍ତି ସବୁବେଳେ ବଡ଼ବଡ଼ ଏୟାରକଣ୍ଡିସନଡ଼ ହେୟରଷ୍ଟାଇଲର, ହେୟର ଡ୍ରେସର ପାଖରେ କାଟିଛନ୍ତି । ଯାହାର ଫିଜ୍ ଥରକେ ପାଞ୍ଚ ହଜାରରୁ କମ୍ ନୁହେଁ । ନିଜ ଅସନ୍ତୋଷକୁ ମନରେ ଲୁଚାଇ ରଖି କହିଲେ, ନାହିଁ, ନାହିଁ, ମୁହଁରେ କଣ କିଛି ଲାଗିଗଲା ତ ସେଇଟା ଦେଖିବାକୁ ଆସିଛି ।

ପିଲାଟି ଟିକିଏ କଡ଼କୁ ଘୁଞ୍ଚି ଯାଇ କହିଲା, ହଉ ଦେଖ । ରମାକାନ୍ତ ଦର୍ପଣ ଆଗରେ ଠିଆ ହୋଇ ଗଲେ, ମୁହଁ ଉଠାଇ ଦର୍ପଣକୁ ଦେଖିଲେ, ହଠାତ ସମ୍ନାରେ ଭୂତ ଦେଖିଲା ପରି ଚମକି ପଡ଼ିଲେ, ଦୁଇ ପାଦ ପଛକୁ ଘୁଞ୍ଚି ଯାଇ ପଚାରିଲେ, ଆରେ, ଇଏ କିଏ ?? କାହାକୁ ଦେଖୁଛନ୍ତି ସିଏ ? ପୁଣିଥରେ ସାହସ କରି ଦର୍ପଣ ଆଡ଼କୁ ମୁହଁ ଉଠାଇ ଅନେଇଲେ, କିନ୍ତୁ ଆଇନାରେ କାହାକୁ ଦେଖୁଛନ୍ତି ରମାକାନ୍ତ ? ନିଜର ସନ୍ଦେହ ଦୂର କରିବା ପାଇଁ, ଗାଲରେ ହାତ ମାରିଲେ, ନାକରେ ହାତ ମାରିଲେ, ଦାନ୍ତ ଦେଖାଇ ହସିଲେ, ଶେଷରେ ଜିଭ ଦେଖେଇ ଖତେଇ ହେଲେ । ପୁଣି ନିଜକୁ ପଚାରିଲେ ମୁଁ ସିଏ ? ଯିଏ ଏଇ ଆଇନାରେ ଦେଖା ଯାଉଛି ? ସତରେ କଣ ମୁଁ ସିଏ ? ବିଶ୍ୱାସ ହେଉନି ଯେ ମୁଁ ସିଏ, ଯିଏ ଏ ଆଇନାରେ ଦିଶୁଛି ??

ରମାକାନ୍ତ ମୁହଁ ବୁଲାଇ ଭଣ୍ଡାରୀ ପିଲାଟି ଆଡ଼କୁ ଥରେ ଦେଖିଲେ । ସିଏ ବି ଚାହିଁଛି ତାଙ୍କୁ, ତା ଆଖିରେ ସତେଯେପରି ସନ୍ଦେହ ଆଉ କୌତୁହଳର ଫେଣ୍ଟାଫେଣ୍ଟି ଏକ ଭାବ ଭରି ରହିଛି । ସେ ଆଁଟା କରି ଅନାଇଛି ରମାକାନ୍ତଙ୍କୁ, ଯେମିତି ତା ସାମ୍ନାରେ ଗୋଟାଏ ବଦ୍ଧ ପାଗଳ ଠିଆ ହୋଇଛି । ରମାକାନ୍ତ ପିଲାଟିକୁ ପୁଣି ଦେଖିଲେ, ବିରକ୍ତଭରା ସ୍ୱରରେ କହିଲେ, ହେଃ, କଣ ଦେଖୁଚୁ ? ପିଲାଟି ଘାବରେଇ ଯାଇ କହିଲା, କିଛି ନାହିଁ ମଉସା, କିଛି ନାହିଁ ।

ତାପରେ କଥା ବଦଳେଇବାକୁ ପଚାରି ବସିଲା, ମଉସା ଚୁଟି କାଟିବ ନା ଦାଢି ? ଚୁଟି କାଟିଲେ କୋଡ଼ିଏ ଟଙ୍କା, ଦାଢି କାଟିଲେ ଦଶ ଟଙ୍କା, ଦାଢି, ଚୁଟି ଉଭୟ କାଟିଲେ ପଚିଶ ଟଙ୍କା । ରମାକାନ୍ତଙ୍କର ଭୃକୁଞ୍ଚିତ ହୋଇଗଲା । ପିଲାଟି ଟିକିଏ ଡରି ଯାଇ କହିଲା, ଆଜ୍ଞା ଗଲା ରବିବାର ଦିନ ଠାରୁ ରେଟ୍ ବଢି ଯାଇଛି ସବୁଠି । ହଉ ହଉ ବସ, ଚୁଟି ଦାଢି ଉଭୟ କାଟି ଦେବି, କୋଡ଼ିଏ ଟଙ୍କା ଦେବ । ଖାସ୍ ଆପଣଙ୍କ ପାଇଁ ପୁରୁଣା ରେଟ ଲଗେଇ ଦେବି, କାହାକୁ କହିବେନି ଏକଥା ।

ରମାକାନ୍ତ ତାର କଥା ନଶୁଣିଲା ପରି ମୁହଁ ବୁଲେଇ ପୁଣି ଦର୍ପଣକୁ ଦେଖିଲେ, ନିଜକୁ ନିଜେ ଚିହ୍ନି ପାରୁନାହାନ୍ତି । ଭାବିଲେ ମିଛଟାରେ ସୂର୍ଯ୍ୟକୁ ଏତେ କଥା କହିଗଲେ । କୁଆଡ଼େ ଗଲା ତାଙ୍କର ସେହି ସୌମ୍ୟ ସୁଦର୍ଶନ ମୁହଁଟା ? ଡଉଲଡାଉଲ ଅଣ୍ଡାକୃତି ମୁଖ, କୁଞ୍ଚକୁଞ୍ଚିଆ ଘନ କଳା କେଶ, ନାକ ତଳର ସେଇ ପତଳା ନିଶ, ଡେଲି ସେଭିଂ ଚିକ୍କଣ ଗାଲ ? କିନ୍ତୁ ସାମ୍ନା ଦର୍ପଣରେ ଏଇ ଯେଉଁ ଲୋଳିତ ଚର୍ମ, ଧଳା କଳା ମିଶା କର୍କଶ ଦାଢି, ଅଧା ଚନ୍ଦା ମୁଣ୍ଡ, କପାଳରେ ଏ କୁଞ୍ଚିତ ରେଖା, କିଏ ଏଇ ବୃଦ୍ଧ ? ମୁଁ ?? ମୁଁ ନିଜେ ??? ମିଷ୍ଟର ରମାକାନ୍ତ ??? ରମାକାନ୍ତ ଏମ୍ପାୟାରର ମାଲିକ, ବିଶ୍ୱର ହାତଗଣତି ଧନବାନ ବ୍ୟକ୍ତିମାନଙ୍କ ଭିତରୁ ଜଣେ ??

ରମାକାନ୍ତ ହଠାତ୍ ପଛକୁ ବୁଲିପଡ଼ି, ଏକମୁହାଁ ହୋଇ ଧାଇଁଲେ ସୂର୍ଯ୍ୟ ପାଖକୁ, କହିଲେ, ଏବେ ବୁଝିଗଲି, ତୁମେ କାହିଁକି ମୋତେ ସନ୍ଦେହ ଭରା ଦୃଷ୍ଟିରେ ଦେଖୁ ଥିଲ । କିନ୍ତୁ ଏସବୁ ହେଲା କେତେବେଳେ ?? ସୂର୍ଯ୍ୟ ଟିକିଏ ସମବେଦନାର ହସ, ହସି କହିଲା, ସକାଳ ଆଉ ସଞ୍ଜ ଭିତରେ କେତେ ପାର୍ଥକ୍ୟ ସେ କଥା କଣ ବୁଝିପାରୁନୁ ? ସକାଳ ସଞ୍ଜ ଭିତରେ କେତେ ଯେ ସମୟ ବିତିଯାଏ, ମଣିଷ ସତେ ଯେପରି ଭ୍ରମରେ ପଡ଼ିଥାଏ । ଆଖିରେ କଳା ଚଷମା ଲଗାଇ ନିଏ ଆଉ ଜୁଟିଯାଏ ଧାଁଦୌଡ଼ରେ । ସେଇ ଭ୍ରମରେ କିଛି ବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା, କିନ୍ତୁ କେବେ ନିଜ ଆତ୍ମାର ଶ୍ରେଷ୍ଠତା କଥା ଭାବେନି । ସମୟ ଚାଲିଯାଉଛି, ସେ କଥା କେବେ ବି ଭାବେନା ।

ମଣିଷ, ସମୟକୁ ହାତ ମୁଠାରେ ବାନ୍ଧି ରଖିବାକୁ ବୃଥା ଚେଷ୍ଟା କରେ । ଯାହା ଯେତେ ମିଳିଲା, ସବୁ ଏକାଠି କରିବା ନିଶାରେ ପାଗଳ ହୋଇଯାଏ । ନିଜେ ଦେଖିପାରେନା, ଆଙ୍ଗୁଳି ସନ୍ଧିରୁ ଝୁରୁ ଝୁରୁ ହୋଇ ଚୋରାବାଲି ପରି ସମୟ ଖସି ଯାଉଛି । ମୁଠାକୁ ଯେତେ ଜୋରରେ ବନ୍ଦ କରିବାକୁ ଚେଷ୍ଟା କରେ, ସେତେ ଜୋରରେ ବାଲି ଝରି ଯାଏ । ଶେଷରେ ଯେବେ ହାତ ମୁଠା ଖୋଲି ଦେଖେ, ସେତେବେଳେ ଦୃଷ୍ଟିକୁ ଆସେ ଦୁଇଟି ହାତ ଯେ ଶୂନ୍ୟ ରହିଗଲା, କିଛିବି ତ ନାହିଁ ହାତ ମୁଠାରେ !

ଯେତେବେଳେ ସେ ଆସିଥିଲା, ସେତେବେଳେ ହାତ ଯେମିତି ଖାଲି ଥିଲା, ଜୀବନର ଶେଷ ଦିନରେ ଠିକ୍ ସେମିତି ଦୁଇ ହାତ ଶୂନ୍ୟ ରହିଯିବ । ରମାକାନ୍ତ ସୂର୍ଯ୍ୟର ମୁହଁକୁ ବଲବଲ କରି ଚାହିଁ ରହି ଥାଆନ୍ତି । ସୂର୍ଯ୍ୟ ଆଡୁ ମୁହଁ ଫେରାଇ ନିଜର ଦୁଇ ହାତକୁ ଉଠାଇ ଦେଖିଲେ, ମୁଠା ଖୋଲି ଦେଲେ । ଏ କଣ ଦେଖୁଛନ୍ତି ସିଏ ? ହାତ ତ ଶୂନ୍ୟ, ସତରେ କିଛି ନାହିଁ ତାଙ୍କ ହାତରେ, ଯେମିତି କେବେ କିଛି ବି ନଥିଲା ତାଙ୍କ ହାତ ମୁଠାରେ, କୁଆଡ଼େ ଗଲା ସବୁ?

ରମାକାନ୍ତ ପୁଣିଥରେ ସୂର୍ଯ୍ୟକୁ ଦେଖିଲେ । ସୂର୍ଯ୍ୟ ଟିକିଏ ହସିଲା, କହିଲା, ଦେଖ୍ ବେଳ ସରି ଆସିଲାଣି । ଏବେ ତ ଯିବାକୁ ହେବ । ମୋତେ ଦେଖ, ମୁଁ ଆସିଲାବେଳେ ଯେମିତି ଦିଶୁ ଥିଲି ଏବେ ବି ସେମିତି ଦିଶୁଛିନା’ ? ସକାଳେ ଯେମତି ଲାଲ ଟୁକ୍ ଟୁକ୍ ମୁହଁ ଦେଖାଇ ହସୁ ଥିଲି, ଏବେ ବି ସେମିତି ହସୁଛି ନା’ ! କିନ୍ତୁ ତୋର କଣ ହେଲା ? ତୋର ସକାଳର ରୂପ ଏବେ ସିନା ନାହିଁ, କିନ୍ତୁ ତୋ ମୁଁହର ସେ ହସ କୁଆଡ଼େ ଗଲା ? ଜଣେ ଆଶାବାନ ଉଦଯୋଗୀ ପୁରୁଷ ଥିଲୁ ତୁ, ସବୁବେଳେ ସବୁକିଛି ଜିତି ଯିବାର ଲକ୍ଷ୍ୟ ନେଇ ଧାଉଁଥିଲୁ । କିନ୍ତୁ ହଠାତ୍ ତୋ ମୁଁହରେ ଏ ନିରାଶର ଭାବ କେଉଁଠୁ ଆସିଲା ? କେତେ କ୍ଳାନ୍ତ ଦେଖା ଯାଉଛୁ ତୁ ? ସକାଳେ ଯେମିତି କାନ୍ଦିକାନ୍ଦି ଆସିଥିଲୁ, ଏବେ ବି କଣ ସେମିତି କାନ୍ଦିକାନ୍ଦି ଫେରିଯିବୁ ? ଏବେ ତ ଟିକିଏ ହସି ଦେ, ଯେମିତି ମୁଁ ହସୁଛି ! ଯିବା ଆସିବା ତ ଲାଗି ରହିବ ।

କାଲି ମୁଁ ବି ଆସିବି, ତୁ ବି ଆସିବୁ । ଦୁଃଖ କାହିଁକି ? ଖାଲି ହାତ ଦେଖି ଦୁଃଖ ଲାଗୁଛି ?? ଆରେ ଏଥିରେ ଦୁଃଖ କାହିଁକି ? ସେ ସବୁ ତ ସ୍ୱପ୍ନ ଥିଲା । ମାୟା ଥିଲା, ଦୃଷ୍ଟିଭ୍ରମ ଥିଲା । ଯାହା ଦେଖିଲୁ ତାହା ମାୟା ଥିଲା, ଯାହା କରିଲୁ, ଦେଲୁ ନେଲୁ ପାଇଲୁ ସବୁ ମାୟା ଥିଲା । ନା ତୁ କାହାର ଥିଲୁ, ନା କେହି ତୋର ନିଜର ଥିଲା । ଜୀବନଟା ତ ଗୋଟାଏ ଜର୍ଣ୍ଣିଂ ଥିଲା । ଗାଡିରେ ବସିଲୁ, କେତେ ଯାତ୍ରୀ ଆସିଲେ ଗଲେ, କିଏ ପାଖରେ ବସିଲା, କିଏ ଭାଇ ଡାକିଲା କିଏ ବନ୍ଧୁ, କିଏ ସମ୍ପର୍କ ବଢେଇ ଦେଲା । କିନ୍ତୁ ଶେଷରେ ସମସ୍ତେ ନିଜ ନିଜର ଯାତ୍ରା ସମାପ୍ତ ପରେ ନିଜ ନିଜ ଷ୍ଟେସନରେ ଓହ୍ଲେଇ ଗଲେ, ଆଉ ଯିଏ ବାକି ରହିଗଲେ ସେମାନେ ବି ଦିନେ ଓହ୍ଲେଇ ଯିବେ । ତୁ ଏବେ ଏଇଠି ଓହ୍ଲେଇ ପଡ, ତୋର ଯାତ୍ରା ଏଇଠି ଶେଷ । ମୁଁ ଯିବି, ତୁ ବି ଓହ୍ଲେଇ ପଡ଼ ଏଇ ଷ୍ଟେସନରେ ।

ଓହ୍ଲାଇଲାବେଳେ ଥରେ ତୋର ସହଯାତ୍ରୀ ମାନଙ୍କୁ ଦେଖିନେ । ଦେଖ୍, କେତେଜଣ ହାତ ହଲେଇ ଟା ଟା ବାୟ ବାୟ କରୁଛନ୍ତି । କେତେଜଣ ମନ ଦୁଃଖରେ କାନ୍ଦୁଛନ୍ତି, କିଏ ଦୁଃଖରେ ବିଭୋର ହୋଇ ଯାଉଛି, କିଏ ବାହୁନି ବାହୁନି କାନ୍ଦୁଛି । ତୁ ଓହ୍ଲେଇ ଗଲାପରେ କେତେଜଣ ଖୁସି ବି ହେବେ, ପାର୍ଟି ମନେଇବେ, ଆଉ କେତେଜଣ ହାତ ଦେଖେଇ ଖତେଇ ହେବେ । ଏମିତି ବି କିଛି ଲୋକ ଥିବେ ଯେଉଁମାନଙ୍କୁ କିଛି ଫରକ ବି ପଡ଼ିବନି । ତୁ ଥିଲୁ କି ଗଲୁ ସେଥିରେ ତାଙ୍କର କିଛି ଯାଏ ଆସେନା । କିନ୍ତୁ ତୋର କଣ ଜାଣିବାକୁ ଇଚ୍ଛା ହେଉନି, ତୋର ଏଇ ଯାତ୍ରା, ଏକ ସଫଳ ଯାତ୍ରା ଥିଲା କି ନାହିଁ ? ରମାକାନ୍ତ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ ରହିଲେ ସୂର୍ଯ୍ୟର ମୁହଁକୁ । ସୂର୍ଯ୍ୟ କହିଲା ତୁ ଓହ୍ଲେଇ ଗଲାପରେ ଲୋକେ ହିସାବ କରିବେ । କେତେ ଅର୍ଜନ କଲୁ ତାର ହିସାବ ନୁହେଁ, କେତେ ଖର୍ଚ୍ଚ କଲୁ ତାର ବି ନୁହେଁ, କେତେ ସଞ୍ଚିଲୁ ସେ କଥାରେ କାହାର କିଛି ଯାଏ ଆସେନା, ତୋ ସଞ୍ଚୟରୁ ଯାହା କିଛି ବି ମିଳିବ, ସେସବୁ କେବଳ ତୋର ପତ୍ନୀ ପୁତ୍ର କନ୍ୟାଙ୍କୁ ମିଳିବ, ବରଂ ଦୁନିଆକୁ କେତେ ଦେଇକି ଗଲୁ, ତାହାର ହିସାବ କରିବ ଦୁନିଆ ।

କାହାକୁ ହସେଇବାକୁ, କାହାକୁ ଖୁସି କରିବାକୁ, କାହାର ଦୁଃଖ ଦୂର କରିବାକୁ, କଣ ଦେଇକି ଆସିଲୁ ତାର ହିସାବ କରିବେ । ଯେତେ ଅଧିକ ଯାତ୍ରୀ ବିନା ସ୍ୱାର୍ଥରେ ତୋର ଅନୁପସ୍ଥିତିକୁ ଅନୁଭବ କରିବେ, ତୋର ଯାତ୍ରା ସେତେ ସଫଳ ବୋଲି ଜାଣିବୁ । ଚାଲ, ଏବେ ଯିବା, ସମସ୍ତଙ୍କୁ ଗୁଡବାୟ କହିଦେ । ଏତିକି କହି ସୂର୍ଯ୍ୟ ବୁଡ଼ିଗଲା ଆଉ ରମାକାନ୍ତ ସେଇଠି ଥକ୍କା ମାରି ବସି ପଡ଼ିଲେ ।

××××

ହସପିଟାଲ ବେଡରେ ରମାକାନ୍ତଙ୍କ ନିର୍ଜୀବ ଶରୀରଟା ସେମିତି ପଡ଼ି ରହିଥାଏ, ସାଇଡ଼ରେ ରଖା ହୋଇଥିବା ଲାଇଫ ସେଭିଙ୍ଗ ଉପକରଣଗୁଡ଼ିକ ସେମିତି ଶୂନ୍ ଶାନ୍ ନିରବ ପଡ଼ିଛନ୍ତି । ମୁଣ୍ଡ ପାଖରେ ସ୍ତ୍ରୀ ସୁନନ୍ଦା ବସି ଲୁହ ଗଡ଼ାଉଛନ୍ତି, ପୁଅ ବିକ୍ରମ ବ୍ୟଗ୍ରତାର ସହିତ ଏପଟସେପଟ ହେଉଛି । ହସପିଟାଲର ଡାକ୍ତରଙ୍କ ଠାରୁ ରମାକାନ୍ତଙ୍କ ଡେଥ୍ ସାର୍ଟିଫେକଟ୍ ପାଇଁ ଅପେକ୍ଷା କରିଛି । ସେଇ ଗୋଟିଏ ଡକୁମେଣ୍ଟ ବହୁତ ଜରୁରୀ ଆଉ ମୂଲ୍ୟବାନ । ସେଇ ଗୋଟାଏ ଡକୁମେଣ୍ଟ ବିକ୍ରମ ପାଇଁ ‘ରମାକାନ୍ତ ଏମ୍ପାୟାର’ର ଏକମାତ୍ର ଉତ୍ତରାଧିକାରୀ, ସବୁ ମାଲିକାନା ସତ୍ତ୍ୱର ଚାବିକାଠି ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *