ଭୁବନେଶ୍ୱର : ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ଶନିବାର ଦିନ ସେପ୍ଟେମ୍ବର ୧୧ ତାରିଖରେ ବିଭିନ୍ନ ଲେଖକ, କବି, ସାହିତ୍ୟିକ, କଳାକାରଙ୍କୁ ନେଇ ଏକ ବନ୍ଧୁମିଳନ ଓ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ କାଦମ୍ବିନୀର ଏହି କାର୍ଯ୍ୟକ୍ରମ ହୋଇପାରି ନଥିଲା । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକଙ୍କୁ କାଦମ୍ବିନୀ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସେହିପରି ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ପ୍ରଥମ ‘ବିଭୂତି ପଟ୍ଟନାୟକ ଉପନ୍ୟାସ ସମ୍ମାନ’ ପ୍ରଦାନ କରାଯାଇଥିଲା ଏବଂ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ରୋଜାଲିନ୍ ମହାନ୍ତି, ସଞ୍ଜୟ ପଣ୍ଡା ଓ ମାଧବାନନ୍ଦ ପାତ୍ରଙ୍କୁ କାଦମ୍ବିନୀ ନବୋନ୍ମେଷ ଗଳ୍ପ ସମ୍ମାନ-୨୦୨୦ ପ୍ରଦାନ କରାଯାଇଥିଲା । ସେହିପରି ଶିବସୁନ୍ଦର ରାଉତ, ଆଶିଷ ମିଶ୍ର, ସୁଭଦ୍ରା ପ୍ରିୟଦର୍ଶିନୀ ନାୟକଙ୍କୁ କାଦମ୍ବିନୀ ନବୋନ୍ମେଷ କବିତା-୨୦୨୦ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ ସାହିତ୍ୟିକମାନେ ବାସ୍ତବରେ ଜଣେ ଜଣେ ସମାଜ ସୁଧାରକ ଏବଂ ସେମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ କାଦମ୍ବିନୀ ଦୀର୍ଘ ଦୁଇ ଦଶନ୍ଧି ଧରି ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ବୋଲି କହିଥିଲେ ।
ବିଶିଷ୍ଟ କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସାହିତ୍ୟିକା ନିରୁପମା ଆଚାର୍ଯ୍ୟ, ଡ. ସଂଘମିତ୍ରା ମିଶ୍ର, ସାହିତ୍ୟିକ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କାଦମ୍ବିନୀ ଓ ‘କୁନିକଥା’ର ସେପ୍ଟେମ୍ବର ସଂଖ୍ୟା ଉନ୍ମୋଚନ କରାଯାଇଥିଲା । ଏହାବ୍ୟତୀତ କାଦମ୍ବିନୀ ମିଡିଆ ପ୍ରକାଶିତ ତଥା ଡ. ଇତି ସାମନ୍ତଙ୍କ ସମ୍ପାଦିତ କ୍ଷୁଦ୍ରଗଳ୍ପ ସଂକଳନ ‘କାଳଜୟୀ କଥା’ ଓ ‘କାଦମ୍ବିନୀ ପରିକ୍ରମା’ ଉନ୍ମୋଚନ କରାଯାଇଥିଲା । ବିଶିଷ୍ଟ ଚିକିତ୍ସକ ଡା. ହରୀଶ ଚୌଧୁରୀଙ୍କୁ କାଦମ୍ବିନୀ ସେବା ସମ୍ବର୍ଦ୍ଧନା-୨୦୨୧ ପ୍ରଦାନ କରାଯାଇଥିବା ବେଳେ ପ୍ରାଚୀ ମହାପାତ୍ରଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ-୨୦୨୧, ସଦାନନ୍ଦ ତ୍ରିପାଠୀଙ୍କୁ କାଦମ୍ବିନୀ ନବୋନ୍ମେଷ ଗଳ୍ପ ବିଚାରକ ଓ ଡ. ଜୟନ୍ତୀ ରଥଙ୍କୁ କାଦମ୍ବିନୀ ନବୋନ୍ମେଷ କବିତା ବିଚାରକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଡ. ଇତି ସାମନ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ।