ଦୁଷ୍ମନ୍ତ କୁମାର
ସେଇ ଆଖି
ସେଇ ମନଲୋଭା ଚାହାଣୀ
ଚାହାଣୀରେ ବି ଥିଲା ମାଦକତା
ଦଶ ଫୁଟ ଦୂରରେ ଥିଲି
ହାତରେ ଥିଲା କାଚ ଗ୍ଲାସ
ସଫ୍ଟ ନା ହାଡ଼ ଡ୍ରିଙ୍କ
ସେ କଥା କହିବିନି
କେବଳ ଦେଖୁଥିଲି
ଭିଡ଼ ଭିତରେ ବାରି ହୋଇ ପଡୁଥିଲା
ସେଇ ଆଖି ଆଉ ଗୋଲାପୀ ଓଠ
ନିଆଁରେ ଘିଅ ଢାଳୁଥିଲା
ହାତରେ ଥିବା ଡ୍ରିଙ୍କ
ଆଖିରେ ପଲକ ପଡୁ ନ ଥିଲା
ନା ତାର ନା ମୋର
ହେଲେ କଣ ହେବ
ଠଉରେଇ ପାରୁ ନ ଥିଲି
ସେ ତମେ ନା ଆଉ କିଏ ?
ସେଇ ଆଖି
ସେଇ ମନଲୋଭା ଚାହାଣୀ
ବହୁବାର ଦେଖିଛି
ଫେସବୁକ କାନ୍ଥରେ ତ ବାରମ୍ବାର
ଏଇ ଗଲା ରାତି କଥା
ତମେ ଯୋଉ ଡିପି ରଖିଛ
ମୋନାଲିସାର ସିନା ସ୍ମିତହାସ୍ୟ
କିନ୍ତୁ ତମର ….
ତମର ତ ସେଇ ଆଖି
ବିଶ୍ୱାସ କରିବନି
ଫୁରସତ ମିଳିଲେ
ମୋବାଇଲର ତାଲା ଖୋଲି
ବାରମ୍ବାର ଜୁମ କରି ଦେଖେ
ତମର ତୈଳ ଚିତ୍ର
ଖାଶ କରି ତମ ଆଖି
ହେଲେ ଆଜି କାହିଁକି କେଜାଣି
ସେଇ ଆଖିକୁ ପାଖରୁ ଦେଖି ହଜିଯାଇଛି
ଏଇଟା ବୋଧହୁଏ
ମୋ ହାତର ଥିବା ଗ୍ଲାସ
ନତୁବା ଗ୍ଲାସରେ ଥିବା ଡ୍ରିଙ୍କର ଦୋଷ
ନ ହେଲେ
ଏମିତି କାହିଁକି ଯେ
ଆଛା କହିଲ
ସତରେ ସେ ତମେ ନା ଆଉ କିଏ ?
ସେଇ ଆଖି
ସେଇ ମନଲୋଭା ଚାହାଣୀ
ତମେ ମୋତେ ଦେଖୁଛ
ବେଳେବେଳେ………..
ମୁ କିନ୍ତୁ ଚାହିଁ ରହିଛି
କେବଳ ତୁମକୁ ହିଁ ତୁମକୁ
ଲାଗୁଛି ପ୍ରଥମଥର ପାଇଁ
ତୁମେ ଅଧିକା ମେକଅପ ନେଇଛ
ବୋଧହୁଏ ପାର୍ଟିକୁ ଆସିବ ବୋଲି
ହା ହା ହା ହା…
ଛାଡ଼ ମୁ ସେ ଗହନ ଭିତରେ
ପଶିବା ପାଇଁ ଚାହୁଁନି
ହେଲେ ଗୋଟେ କଥା
ମୋ ହାତରେ ଥିବା ଡ୍ରିଙ୍କଠୁ
ତମ ଆଖିରେ ବେସି ନିଶା
ଧୀରେ ଧୀରେ ମୋତେ କରୁଛି ମତୁଆଲା
ପାଦେ ପାଦେ ଆଗକୁ ବଢୁଛି ରାତି
ହେଲେ ମୋ ପାଦ ବଢୁନି
ତମେ ଚେୟାରରେ
ସେମିତି ବସିଛ
ମୋତେ ନ ଦେଖିଲା ପରି
ମୁ କିନ୍ତୁ ଚାହିଁ କି ବି ଯାଇପାରୁନି
କାହିଁକି ନା
ମନରେ ଅନେକ ପ୍ରଶ୍ନ
ସତରେ ସେ ତମେ ନା ଆଉ କିଏ ?
ସେଇ ଆଖି
ସେଇ ମନଲୋଭା ଚାହାଣୀ
କିନ୍ତୁ ଠଉରେଇ ପାରୁନି ମୁ
କିପରି ହୁଅନ୍ତା କହିଲେ
ଠିକ ସମୟରେ
ମୋ ଆଣ୍ଡ୍ରଏଡ଼ ମୋବାଇଲ ଟା ବି
ସୁଇଚ ଅଫ୍
ନ ହେଲେ ତ ମେସେଞ୍ଜରରେ
ମ୍ୟାସେଜ କରି ଦିଅନ୍ତି
ଛାଡ଼… ପାର୍ଟି ଅଭର
ହେଲେ ମୋ ଭିତରେ
ସେଇ ହାଙ୍ଗଅଭର
ବାଇକରେ ଖଣ୍ଡଗିରିରୁ ରବି ଟକିଜ
ମାତ୍ର କୋଡିଏ ମିନିଟର ରାସ୍ତା
ସେଦିନ କିନ୍ତୁ ପହଞ୍ଚିବା ପାଇଁ ଲାଗିଲା ପଚାଶ ମିନିଟ
ସେଥିପାଇଁ ସେଇ ହାଙ୍ଗଅଭର ଦାୟୀ
ନ ହେଲେ ଏମିତି କାହିଁକି ଯେ
ପାଖାପାଖି ରାତି ଦୁଇଟା
ରୁମରେ ପହଞ୍ଚି
ଆଗ ମୋବାଇଲ ଚାର୍ଜ
ମୋବାଇଲ ଅନ ହେଇଛି କି ନାଇଁ
ମେସେଞ୍ଜର ବକ୍ସ ରେ ଦେଖେତ ମେସେଜ
” ହେଲୋ”
” ତମେ ଆଜି ପାର୍ଟିରେ”
” ବାରମ୍ବାର ଦେଖୁଥିଲ”
” ମୁଁ ପରା ସେଇ ଆଖି”
ହା ହା ହା ହା ହା……
—
ଦୁଷ୍ମନ୍ତ ଜଣେ ଉଦୀୟମାନ କବି । ତାରୁଣ୍ୟର ଆବେଗ ତାଙ୍କ କବିତାରେ ସ୍ପଷ୍ଟ ପ୍ରକାଶ ପାଏ । କବିତା ବ୍ୟତୀତ ନାଟକ ରଚନା ଓ ନିର୍ଦ୍ଦେଶନା ଦେବାରେ ମଧ୍ୟ ସେ ପରିଚୟ ଅର୍ଜନ କରିଛନ୍ତି । ସୃଜନାତ୍ମକ ସାହିତ୍ୟ ବାହାରେ ସେ ଜଣେ ଯୁବ ସାମ୍ବାଦିକ । ବୈଦ୍ୟୁତିକ ଗଣମାଧ୍ୟମରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଆସୁଛନ୍ତି ।