ଏଲି ମହାନ୍ତି

ବିଚରା କବି
କେତେ ଗାଳି ଶୁଣିବ ?

କୋଉଠି ଶିକାର ହେଲା
କବି କାନ୍ଦିବାକୁ ବାଧ୍ୟ

କୋଉଠି କାହା ପ୍ରତି ଅବିଚାର ହେଲା
କବି କାନ୍ଦିବାକୁ ବାଧ୍ୟ

ଯଦି ଉତ୍ତର ଦିଗ ପାଇଁ କାନ୍ଦିଲା ତ
ପୂର୍ବ ପାଇଁ କାଂଦିଲୁନି କିଆଁ ?

ଏବେ କାନ୍ଦଣା ଵି ରାଜନୈତିକ ସ୍ତରରେ ଭାଗ ଭାଗ

ପ୍ରଥମେ ଦେଖ ଯୋଉ ସ୍ଥାନରେ ଶିକାର ଘଟିଲା
ସେ ସ୍ଥାନ କୋଉ ରାଜନୈତିକ ଦଳର
ସେହି ଅନୁସାରେ କାନ୍ଦ

ଯଦି ଶାସକ ଦଳର ସ୍ଥାନରେ ଘଟିଛି ରକ୍ତପାତ
କବିର ଲୁହ ଦେଶପ୍ରେମର
ଯଦି ସେ ସ୍ଥାନ ବିପକ୍ଷର ତେବେ
ଲୁହ ବି ଦ୍ରୋହର ।

ବିଚରା କବି
ସବୁବେଳେ ରହୁ ସାବଧାନ
ଆଖିରେ ରଖୁ ବିଭିନ୍ନ ପ୍ରକାର ଲୁହ
ତତକ୍ଷଣାତ ନିଗିଡି ପାରୁଥିବା ଲୁହ
ରାଗରେ ଭାପେଇ ଯାଉଥିବା ଲୁହ
ବିଲକୁଲ ଲୁହ ନଥାଇ ଲୁହ
ଚିହ୍ନା ଲୁହ
ଅଚିହ୍ନା ଲୁହ
ମିଛ ଲୁହ
ରକ୍ତରେ ନିଆଁ ଲଗେଇ ପାରୁଥିବା ଲୁହ
ଲୁହ ପୋଛି ପାରୁଥିବା ଲୁହ
ଏମିତି ହରେକ ଲୁହ ସହ
କବି
ସବୁ ସମୟରେ ଜାଗ୍ରତ ରହିବ
କାନ୍ଦ କାନ୍ଦ ରହିବ
ଆହା ଆହା କହିବ
ଗାଳିମନ୍ଦ ଶିଖିବ

ସବୁ ଭାର କବିର ।

ଶେଷରେ, ହେ ବନ୍ଧୁମାନେ,
ଯାହାକୁ ଯାହା କହିବାକୁ ଚାହଁ
ନିଜେ କୁହ
କବିର କାନ୍ଧରେ ଦେଶ ପ୍ରେମ କି ଦେଶ ଦ୍ରୋହ ରଖିବାକୁ
ତମର କାହିଁକି ଏତେ ମୋହ ?

ବାରିପଦା, ମୟୂରଭଞ୍ଜ, ମୋ – ୯୪୩୯୩୭୮୩୯୦

ଲେଖକ ପରିଚୟ

କବିତା ବହି “ଚିତ୍ର ଆଖିର ବାଘ” ପ୍ରଚୁର ମାତ୍ରାରେ ପାଠକୀୟ ପ୍ରଶଂସା ଗୋଟେଇଛି ସତ ହେଲେ ସୋସିଆଲ ମିଡ଼ିଆରେ ଲେଖିବାକୁ ମୁଁ ଭଲପାଏ । ତେବେ ସ୍କୁଲରେ ପଢିଲାବେଳୁ ହିଁ ଲେଖିବା ମୋ ପାଇଁ ଏକ ନିଶା ଥିଲା କହିଲେ ଭୁଲ ହେବନି । ମୋ ପ୍ରଥମ ଲେଖା ଏକ ଡିଟେକ୍ଟିଭ୍ ଉପନ୍ୟାସ ଥିଲା ଯଦିଓ ସମୟ ଅନ୍ତରାଳରେ ତାହା ପ୍ରକାଶିତ ହୋଇପାରି ନାହିଁ ।  

Related Posts

Leave a Reply

Your email address will not be published. Required fields are marked *