ଝଣ୍ଡା ଉଁଚ୍ଚା ରହେ ହମାରା

ଓଁ ଅଭିଜ୍ଞାନ ସାହୁ

ଏଥର ବିଦ୍ୟାନଗରୀ ଯୁବକ ସଂଘର ଏକ ଜରୁରୀକାଳୀନ ବୈଠକ ଗତ ମାସରେ ଆମ ଦେବୀ ଘରେ ବସିଥିଲା । ପ୍ରସଙ୍ଗ ଥିଲା ଆମ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ । ଆମ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ନରି ଭାଇଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକକୁ ସଂଘର ସମସ୍ତ ଯୁବକଙ୍କୁ ଆସିବାକୁ ଆଗରୁ ହୁଲିଆ ଜାରି ହୋଇଥାଏ । ନରି ଭାଇଙ୍କ ତରଫରୁ ଏ ବିଶେଷ ବୈଠକ ଡକାଯାଇଛି ମାନେ ସମସ୍ତେ ଯୋଗ ଦେବାକୁ ବାଧ୍ୟ । ପିଲାଟି ଦିନରୁ ଅଭାବରେ ବଢିଥିବା ନରି ଭାଇ ଓରଫ ନରେନ୍ଦ୍ର ପ୍ରଧାନ ଏବେ ଆମ ଗାଁର ସବୁଠୁ ବଡ଼ ମାମଲତକାର । ବୁଦ୍ଧି ବଳ, ବାହୁ ବଳଠାରୁ ବେଶୀ ଶକ୍ତିଶାଳୀ ଏ ଚାଟଶାଳୀ ପାଠ ଯେ ଭୁଲ ଏହାର ଉତ୍ତମ ନିଦର୍ଶନ ହେଲେ ଆମ ନରି ଭାଇ । ପିଲାଦିନେ ଯେଉଁ ଚାଟଶାଳୀ ମାଷ୍ଟର ତାଙ୍କୁ ‘ହଇରେ ନରିଆ’ କିମ୍ବା ‘ଆବେ ନରିଆ’ କହି ବେତରେ ଦୁଇ ତିନି ପାହାର ବସଉଥିଲେ ସେ ଆଜି ତାଙ୍କୁ ଦୂରରୁ ଦେଖିଲେ ସାଇକେଲରୁ ଓହ୍ଲେଇ ଆଗ ‘ନରିବାବୁ ନମସ୍କାର’ କହୁଛନ୍ତି । ନରିଭାଇ ମଧ୍ୟ ଗୋଟିଏ ହାତ ଛାତି ଯାଏଁ ଉଠେଇ ପ୍ରତିନମସ୍କାର ଜଣାନ୍ତି । ଯାହାହେଉ ପିଲାଦିନର ଛାଟ ପାହାର ନରି ଭାଇଙ୍କୁ ଏତିକି ସଂସ୍କାରୀ କରିପାରିଛି ସେତିକି ହିଁ ସେ ଶିକ୍ଷକଙ୍କ ଆତ୍ମସନ୍ତୋଷ ।

ବଜାର ରାସ୍ତାର ଦୁଇ କଡ଼େ ଯେତେ କେବିନ ପଡ଼ିଛି ସବୁ ନରିଆ’ଇର । କାହିଁ କେବେଠୁ ସରକାରୀ ଜାଗାରେ କେବିନ ପକେଇ ଭଲ ଦି’ ପଇସା ଭଡ଼ାରେ କମଉଛି । ସକାଳୁ ନିଦରୁ ଉଠି ମଦରେ ମୁହଁ ଧୋଇବା ଲୋକ ସେ । ବୋଧେ ସେଥିପାଇଁ ନିଜେ ଲାଇସେନ୍ସ ନେଇ ଗାଁ ମୁଣ୍ଡରେ ଗୋଟେ ବିଦେଶୀ ମଦ ଦୋକାନ ଖୋଲିଛି । ଭଲ ଭିଡ଼ ଜମେ ସେଇଠି । ଭିଡ଼ ଅନୁଯାୟୀ ପଇସା ବି ଜମେ ନରି ଭାଇର ଟ୍ରେଜେରୀରେ । ସେ ନିଜେ କେବେ କୌଣସି ନିର୍ଦ୍ଦିଷ୍ଟ ରାଜନୀତି ଦଳରେ ମିଶିବା ମୁଁ ଦେଖିନି ବରଂ ସବୁ ରାଜନୀତି ଦଳ ବାଲା ତାଙ୍କ ସହ ମିଶନ୍ତି ବା ମିଶିବାରେ ଆଗ୍ରହ ଦେଖାନ୍ତି । ରାସ୍ତାରେ ଯାଉଥିବା ମଣିଷ କିଏ ତାଠେଇଁ ହାବୁଡ଼ିଲେ ତାକୁ ସଫେଇ ଦେଉଛି,” ପଇସା ଭଉତ କମେଇଲି । ଏବେ ଦେଶ ପାଇଁ କିଛି କରିବି “। ଆଗରୁ କହୁଥିଲା ‘ଜୟ ଜଗନ୍ନାଥ’, ଏବେ ଦେଖିଲେ କହୁଛି ‘ବନ୍ଦେ ମାତରମ’ । ସେ ଯେ ଜଣେ ପକ୍କା ଦେଶଭକ୍ତ ସେ କଥା କାହାକୁ ଅଛପା ନଥାଏ । ଖାଲି ଯାହା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ଅପେକ୍ଷା ନେତାଜୀଙ୍କ ସଶସ୍ତ୍ର ଆନ୍ଦୋଳନରେ ସେ ଅଧିକ ବିଶ୍ୱାସ ରଖନ୍ତି । ଖାସ ତାଙ୍କ ପ୍ରଭାବରୁ କେଉଁ ବାପ ଅଜା ଅମଳରୁ ପୂଜା ଚାନ୍ଦା ନେଇ ଅହିନକୁଳ ସମ୍ପର୍କ ଥିବା ଆମ ପଡ଼ିଶା ଗାଁ ପାର୍ବତୀପୁର ଵାଲା ଆଖି ଉଠେଇ ବି ଆମ ଗ୍ରାମ ଆଡ଼େ ଚାହିଁବାକୁ ସାହସ କରନ୍ତି ନାହିଁ ।

ଦେବୀ ଘରେ ବିଜେ ମା’ ଠାକୁରାଣୀଙ୍କ ସନ୍ଧ୍ୟାଆଳତି ପରେ ବୈଠକ ଆରମ୍ଭ ହେଲା । ଅଗଷ୍ଟ ପନ୍ଦର ପାଳନ ପାଇଁ ଆମ ଗ୍ରାମର ସବୁ ଦେଶଭକ୍ତ ମା’ଙ୍କ ପାଖରେ ଦଣ୍ଡବତ ହେଇ ଏକାଠି ବସିଲାପରେ ନରି ଭାଇ ଆରମ୍ଭ କଲେ,”ତୁମେମାନେ ସବୁ ଜାଣିଛ କଣ ପାଇଁ ଆଜି ଏ ମିଟିଂ ଡକା ହେଇଛି । ଗତଥର ଅଗଷ୍ଟ ପନ୍ଦରକୁ ପାର୍ବତୀପୁର ବାଲାଏ ଯାହା କଲେ ତୁମେ ତ ସବୁ ଜାଣ । ଆମ ଗାଆଁର ଇଜ୍ଜତ ମାଟିରେ ମିଶିଗଲା କୁହ । ପାଞ୍ଚ ପଚାଶ ପଛେ ଖର୍ଚ୍ଚ ହେଉ ଏଥର ଯେମିତି ଆମ ଟେକ ରୁହେ ସେ ବିଷୟରେ ଚିନ୍ତା କର ।” ଭାଇଙ୍କ ଡାହାଣ ହାତ ଗେଡ଼ା ଶଙ୍କରା ଫୁଲ୍ ଗରମ ଖାଇ ଯାଇ କହିଲା, “ତାଙ୍କ ସାହି ବାଟେ ଗଲାବେଳେ ଯେତେବେଳେ ତାଙ୍କ ପତକା ନଜରରେ ପଡ଼େ ମୋ ହାଡ଼ ଜଳିଯାଏ । ଇଛା ହୁଏ ସେ ପତକାକୁ ଆଣି ଧୁନ୍ ଧୁନା କରି ଫୋପାଡ଼ି ଦିଅନ୍ତି । ଇହାପ ରାତି ଅଧିଆ ଛିନ୍ ତାଇ ନକଲେ ଘରେ ଚୂଲି ଜଳିବନି ତାଙ୍କର ପୁଣି ଏତେ କାଢ଼ ! ଭାଇ ଯାହାହେଉ ପଛେ ଜାନ ଯାଉ କିନ୍ତୁ ଇଜ୍ଜତ ରହୁ । ଏ ବର୍ଷ ଆମେ ଏମିତି ପତାକା ଉଡ଼େଇବୁ ଯେମିତି ତାଙ୍କ ପାଇଖାନା ଘରୁ ତା ଫରଫର ଦେଖାଯାଉଥିବ ।” ଏତେବେଳକୁ ଅଧା ଛୁଆଙ୍କ ରକ୍ତ ଟକମକ ଫୁଟିଲାଣି । ଦେଶ ସ୍ୱାଧୀନତା ଆନ୍ଦୋଳନରେ ଜାତୀୟ ପତାକା ପାଇଁ ଯେତିକି ସ୍ୱାଭିମାନ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରେ ଦେଖାଯାଇନଥିଲା ତାଠୁ ଅଧିକ ଏବେ ଆମ ଗ୍ରାମ ଯୁବକଙ୍କ ଭିତରେ ଉବେଇଟୁବେଇ ହେଲାଣି । କଥାହେଲା ଗତବର୍ଷ ସ୍ୱାଧୀନତା ଦିବସରେ ପାର୍ବତୀପୁର ବାଲା ଗୋଟେ ବିଶାଳ ଜାତୀୟ ପତକା ଉତ୍ତୋଳନ କରି ଖବର ମିଡ଼ିଆରେ ଛାଇ ଯାଇଥିଲେ । ଆମ ଗ୍ରାମ ଯୁବକମାନଙ୍କ ଗାତ୍ରଦାହର ତାହା ହିଁ କାରଣ । ଥିଲାଥିଲା ବେନୁଆ କହିଲା,

– ଭାଇ ଆମ ପିନୁଆ କଣ ଗୋଟେ ପ୍ଲାନ କରିଛି । କହୁଛି ଏ ବର୍ଷ ଆମେ ପତାକା ଏମିତି ଉଡ଼େଇବୁ ଯେମିତି ଆମ ପତକା ତାଙ୍କ ପତାକାର ଡ୍ୟାସ ମାରି ଦବ ।

ଦେବୀ ଘରର ପଛକାନ୍ଥକୁ ଆଉଜି ପାନ ପାକଳଉଥିବା ପିନୁଆ ଆଡ଼କୁ ସମସ୍ତେ ଚାହିଁଲେ । ଯେମିତି ଦୁଇ ଶହ ବର୍ଷ ଧରି ଗୋଲାମୀ ସହିଥିବା ଦେଶବାସୀଙ୍କୁ ଇଂରେଜଙ୍କୁ ହଟାଇବା ଇଲମ ମିଳିଗଲା । ବେନୁଆଦି ଗାଲୁଆ ପିନୁଆ ଆଡ଼େ ଚାହିଁ କହିଲା “ପୁଅ, ତୁ ତ ଆମର କଲେଜ ଯାଇ ନଲେଜ ଆଣିଛୁ, କଣ ପ୍ଲାନ କରିଛୁ ସମସ୍ତଙ୍କୁ କହ ।” ପିନୁଆ ଗୋଟେ ଗୋପାଳ ମିଠା ପାନ ପାଟିରେ ପୂରେଇ କଥା ଆରମ୍ଭ କଲା । “ଭାଇ ପାର୍ବତୀପୁର ବାଲା ସିନା ପତକା ବଡ଼ କରିଦେଲେ ହେଲେ ପ୍ଲାନିଂ ତାଙ୍କର ଉଇ ଖାଇଗଲା । ମୋଟା ଖଦି କନାରେ ତିଆରି ତିରିଶ ଫୁଟିଆ ପତକାର ଗଲା ତୁଫାନରେ ଫାଳେ ଛିଣ୍ଡିଗଲା ପଛେ ଟିକିଏ ବି ଉଡ଼ିଲା ନାହିଁ । ଯେମିତି କେହି ତାର ବେକ ଭାଙ୍ଗି ପକେଇ ଦେଇଛି । ଉପରେ ପୁଣି ଦୁଇଟା ଖରା କି ବର୍ଷା ଖାଇନି କନାରୁ ରଙ୍ଗ ଉଡ଼ିଗଲାଣି । ମୋ ପ୍ଲାନିଂ ହେଲା ଆମେ ଏଥର ପଚାଶ ଫୁଟର ପତକା କରିବା । ଇମ୍ପୋଟେଡ଼ ଚାଇନିଜ ସିଲ୍କ କନାରେ ହେବ । ସିଲ୍କ କନା ହାଲକା ରହିବ, ରଙ୍ଗ ବି ଉଡ଼ିବ ନାହିଁ । ଅଳ୍ପ ପବନରେ ଆମ ବାନା ଭଲ ଉଡ଼ିବ । ମଝିରେ ଭଲ ନାଇଲନ ସୂତାରେ ଏମ୍ରଡ଼ରିରେ ଚକ କରିଦେବା । ପତକା ଥିବା ଯାଏଁ ମଝି ଚକ ଚକ୍ ଚକ୍ କରୁଥିବ । ତାକୁ ଆମ କାଳିଆ ଜେଜେଙ୍କ ତିନି ତାଲା ଛାତ ଉପରେ ଯୋଉଁ ମୋବାଇଲ ଟାୱାର ଅଛି ତା ଅଗରେ ବାନ୍ଧିବା । ପାର୍ବତୀପୁର ବାଲା ଯେମିତି ତାଙ୍କ ପାଇଖାନା ଜଳା ବାଟେ ବାହାରକୁ ଅନେଇଲେ ବି ଆମ ପତକା ତାଙ୍କୁ ଦିଶିବ । ତଳେ ମଟର ବସିବ । ସୁଇଚ ମାରିଲେ ପତକା ଉଠିବ, ସୁଇଚ ମାରିଲେ ପତକା ତଳକୁ ଖସିବ । ତାକୁ ତାଳ ଦେଇ ଡିଜେରୁ ଜନଗଣ ବାଜିବ । ଟିଭି ଖବରକାଗଜ, ଫେସବୁକରେ ଭଲ ପ୍ରଚାର କଲେ ବହୁତ ଲୋକ ଦେଖିବାକୁ ଆସିବେ । ପାଖରେ ଗୋଟେ ସାଇଡ଼ରେ ଦେବୀ ଘର ତରଫରୁ ଦୀପ ଭୋଗ ସାମଗ୍ରୀ ଦୋକାନ ରହିବ । ଆର ସାଇଡ଼ରେ ଜାତୀୟ ପତାକା ବ୍ୟାକ ଗ୍ରାଉଣ୍ଡ ସହ ଲଭ କଟଆଉଟରେ ଗୋଟେ ସେଲ୍ଫି ଜୋନ ରଖିବା । ପିଲାମାନେ ଗାଲରେ ପତକା ରଙ୍ଗେଇ ସେଠି ସେଲ୍ଫି ନେବେ । ମେଲଣ ପଡ଼ିଆରେ ପାଞ୍ଚ ଦିନ ମିନାବଜାର ଖୋଲିବ । ସକାଳବେଳା ସ୍କୁଲ ଛୁଆଙ୍କ ଚିତ୍ରାଙ୍କନ ପ୍ରତିଯୋଗିତା, ସନ୍ଧ୍ୟାରେ କଲେଜ ପିଲାଙ୍କ ଫେଶନ ଶୋ’ କରିବା । ସାମ୍ବାଦିକଙ୍କ ପାଇଁ ଅଲଗା ସ୍ପେଶାଲ ବ୍ୟବସ୍ଥା ରଖିଲେ ସପ୍ତାହ ଯାକ ଆମ ଗାଆଁ ଖବର ରଙ୍ଗୀନ ଫଟୋ ସହ ବାହାରିବ । ଭାଇ ମୁଁ ଭାବୁଛି ସେଦିନ ସକାଳେ ଆମେ ଯଦି ଲଡୁ ବଦଳରେ ସମସ୍ତଙ୍କ ପାଇଁ ପୁଡ଼ିଆ ବ୍ୟବସ୍ଥା କରିପାରିବା ତେବେ ସ୍କୁଲକୁ ବୁନ୍ଦି ଖାଇବାକୁ ପିଲାମାନେ ନଯାଇ ସବୁ ଆମ ଜାଗାରେ ଠୁଳ ହୁଅନ୍ତେ । ପତକା ଉଠିଲାବେଳେ ଭାରତ ମାତାକୀ ଜୟ, ମହାତ୍ମା ଗାନ୍ଧୀଙ୍କ ଜୟ କହିବାକୁ ପିଲା ଅଭାବ ରୁହନ୍ତେ ନାହିଁ । ଯଦି ଠିକ୍ ଠାକ୍ ଭାବେ ସବୁ ନେଇ ଆଣି ଥୋଇ ପାରିବା ତାହାହେଲେ ଏମେଲେ ଛାଡ଼ ଖୋଦ ଗଭର୍ଣ୍ଣର ଆସି ଆମ ନରି ଭାଇ ସାଙ୍ଗରେ ହାତ ମିଳେଇକି ଯିବେ । ଖାଲି ହାତ ଟିକେ ଖୋଲା ରଖିଲେ ହେଲା । ଆମେ ସବୁ ଯୁବକ ସଙ୍ଘ ଵାଲା ଡିସାଇଡ଼ କରିଛୁ ଏ ବର୍ଷ ଦୁର୍ଗା ପୂଜା ପାଇଁ ଗାଆଁରେ ରହୁଥିବା ସବୁ ଭଡ଼ାଟିଆଙ୍କଠୁ ଜବରଦସ୍ତ ଡବଲ ଚାନ୍ଦା ଆଦାୟ କରି ସେ ପଇସାକୁ ଆମ ଗ୍ରାମର ଇଜ୍ଜତ ପାଇଁ ବାନା ଉଡ଼େଇବାରେ ଖର୍ଚ୍ଚ କରିବୁ । ଦେଖିବ ନରିଆଇ ଏ ବର୍ଷ ଆମ ପତକା ଯଦି ସେ ଶଃ ପାର୍ବତୀପୁରବାଲାଙ୍କ ପତକାର ଧଜିଆ ନଉଡ଼େଇ ଦେଇଛି ତାହେଲେ ମୋ ନାଆଁରେ କୁକୁର ପାଳିବ ।” ନରି ଭାଇ ବି ମୁଣ୍ଡ ହଲେଇ ସମ୍ମତି ଦେଲେ ତୁମେମାନେ ଯଦି ଭଲ ଭାବୁଛ ତାହାହେଲେ ଏବେଠୁ କାମରେ ଲାଗିଯାଅ ଯାହା କିଛି ଭାବ ଅଭାବ ରୁହେ ତେବେ ଚିନ୍ତା କରିବନି, ମୁଁ ପଛକୁ ଅଛି । କିନ୍ତୁ ମୋର ଗୋଟେ ଅନୁରୋଧ ଯଦି ସକାଳବେଳା ପତକା ଉଡ଼େଇବା ପୋଗ୍ରାମ କରୁଥାଅ ତେବେ ମୋତେ ମାଫ୍ କରିବ । ସେଦିନ ସକାଳୁ ମୋର ବହୁତ କାମ । ଅଗଷ୍ଟ ପନ୍ଦର ମଦ ଦୋକାନ ବନ୍ଦ ରହିବ । ଦୋକାନ ପଛ ପଟେ ଭଲ ଚଢା ରେଟରେ ବେପାର ହେବ । ନିଜେ ନରହିଲେ କାଳେ କିଏ ଝାମେଲା କରିବ କି ଶଳା ପୁଲିସ ଭିତରେ ପଶିଯିବ । ତେଣୁ ତୁମେ ପିଲାମାନେ ପତକା ଉଡ଼େଇ ଦିଅ । ମୁଁ ସେଦିନ ରହିପାରିବି ନାହିଁ । ନରି ଭାଇ ଛତ୍ରଛାୟା ତଳେ ଜମି ଦଲାଲି କରୁଥିବା ଗୋଲିଆଦି କହିଲା “ଏହେ ଏଇଟା ଗୋଟେ କି କଥା । ଏତେ ଟିଭି ଖବରକାଗଜ ବାଲା ଆସିବେ ତୁମେ ନରହିଲେ କଣ ଫଟୋ ସୁନ୍ଦର ଲାଗିବ । ଯେତେ ଯାହେଲେ ବେପାର କଥା ଆଗ ନା । ଅଗଷ୍ଟ ପନ୍ଦରର ମାଲ ବେପାର ଆଉ କେଉଁ ଦିନକୁ ନାଇଁ । ସକାଳେ ପତକା ନଉଡ଼ିଲେ କଣ ଜାତି ଚାଲିଯାଉଛି ? ତୁମେ ବ୍ୟସ୍ତ ହୁଅନି ନରି ବାବୁ । ତୁମ କାମଦାମ ସାରି ଆସ । ଏମିତିରେ ପ୍ରଥମ ସ୍ୱାଧୀନତା ଦିବସ ପତକା ଉତ୍ତୋଳନ ବେଳେ କୋଉ ଗାନ୍ଧିଜୀ ସେଠାରେ ଥିଲେ କି ? ଅଗଷ୍ଟ ପନ୍ଦର ଦିନଯାକ ପଡ଼ିଛି । ଖାଇପିଇ ଆରାମରେ ପତକା ଉଡ଼େଇବ । ସହଜେ ସେଦିନ ଛୁଟିଦିନ । ସକାଳୁ ମାଉଁସ ଦୋକାନ ନଗଲେ ଆଉ ମିଳିବ ନାହିଁ । ଦିନଯାକ ଘରେ ମାଇପ ଗଞ୍ଜଣା ଦେଉଥିବ; କି ବେଳାରେ ଏ ଲୋକ ହାତ ଧରିଲି କେଜାଣି ଏତେ ବଡ଼ ଅଗଷ୍ଟ ପନ୍ଦର ଦିନଟାରେ ମଣିଷ ପାଟିରେ ଟିକେ ଆଇଁସ ବାଜିଲାନି । ନରି ଭାଇ ଟିକେ ଭାବି କହିଲେ ଠିକ ଅଛି ଟିଭି ଵାଲା ଆସିଲେ ମୋତେ ଖବର ଦେଇଦେବ ମୁଁ ଆସି ପହଞ୍ଚିଯିବି ।

ସଭା ସରିଲା ପରେ ନରି ଭାଇ ପିନୁଆ ପିଠିକୁ ଥାପୁଡ଼େଇ କହିଲେ, ଚୋଖା ପ୍ଲାନ ହେଇଛି । ଏଥର ପୂଜା କମିଟି ଜଏଣ୍ଟ ସେକ୍ରେଟାରୀ ତୋତେ କରିବା । ସେଦିନ ଆମ ଗ୍ରାମର ଗ୍ରାମପ୍ରେମୀ ଯୁବକମାନେ ଗ୍ରାମର ମାନ ଇଜ୍ଜତ ପାଇଁ କିଛି ବି କରିବା ପାଇଁ ଦେବୀ ଘରେ ନରି ଭାଇଙ୍କ ସହ ଠାକୁରାଣୀଙ୍କ ଧଣ୍ଡା ଛୁଇଁ ଶପଥ କଲେ । ଜାନ୍ ଯାଉପଛେ ଇଜ୍ଜତ ରହୁ । ଶେଷରେ ତିନିଥର ବନ୍ଦେ ମା ତରମ୍ ତିନିଥର ଭାରତ ମାତାକୀ ଜୟ ସ୍ଲୋଗାନ ଦେଲାପରେ ସଭା ସାଙ୍ଗ ହେଲା ।

ଖାନନଗର, କଟକ

ଲେଖକ ପରିଚୟ

ସାମ୍ପ୍ରତିକ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ଓଁ ଅଭିଜ୍ଞାନ ସାହୁ ଏକ ପ୍ରତିଷ୍ଠିତ ନାଁ । ଚଟୁଳ ବର୍ଣ୍ଣନା ଶୈଳୀ ତାଙ୍କ ଗଦ୍ୟର ଆକର୍ଷଣୀୟ ଅଙ୍ଗ । ତାଙ୍କର ସମସ୍ତ ପ୍ରକାର ଲେଖାରେ ଏକ ସୁସ୍ଥ ସମାଜ ପାଇଁ ପ୍ରଚ୍ଛନ୍ନ ବାର୍ତ୍ତା ରହିଥାଏ । ଶାଳୀନ ଭାଷା ଓ ଶାଣିତ ବିଦ୍ରୁପ ତାଙ୍କ ଲେଖାର ବିଶେଷତ୍ୱ ।

Related Posts

Leave a Reply

Your email address will not be published. Required fields are marked *