ଦ୍ୱିତୀ ଚନ୍ଦ୍ର ସାହୁ
ନନ୍ଦ ମହାରାଜ ବ୍ରଜବାସୀଙ୍କ ସହ ବସି ଆଲୋଚନା କରୁଥାନ୍ତି । ଆଲୋଚନାର କାରଣ ହେଉଛି ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟି ଲାଗି ପୂଜାର ଆୟୋଜନ । ଏକଥା ପାଖରେ ଖେଳୁଥିବା ଶ୍ରୀକୃଷ୍ଣ ଶୁଣିଲେ । ନନ୍ଦରାଜାଙ୍କୁ ପ୍ରଶ୍ନ କଲେ – “କେଉଁ ଅଭିପ୍ରାୟରେ ଏଇ ପୂଜାର ଆୟୋଜନ ?” ନନ୍ଦ ମହାରାଜ ବୁଝାଇ କହିଲେ ପରମ୍ପରାଗତ ଭାବେ ଇନ୍ଦ୍ର ଦେବଙ୍କୁ ସନ୍ତୁଷ୍ଟି ଲାଗି ପୂଜାର ଆୟୋଜନ କରାଯାଉଛି । ଏମିତି କଲେ ବ୍ରଜପୁରରେ ଆଶାନୁରୂପ ବର୍ଷା ହେବ ଓ ଚାଷବାସ ଭଲ ହେବ । ଶ୍ରୀକୃଷ୍ଣ ଏଥିରେ ଏକମତ ନହୋଇ କହିଲେ ସବୁ କୃଷକ ନିଜର କର୍ମ କରୁଛନ୍ତି । ଏଥିପାଇଁ ଇନ୍ଦ୍ରଦେବଙ୍କୁ ପୂଜା କରିବାର ଆବଶ୍ୟକତା ନାହିଁ । ଇନ୍ଦ୍ରଙ୍କ ଧର୍ମ ହେଲା ବର୍ଷା କରେଇବା । ଶ୍ରୀକୃଷ୍ଣଙ୍କ ବଳିଷ୍ଠ ଯୁକ୍ତି ନିକଟରେ ବୃନ୍ଦାବନବାସୀ ହାର ମାନିଲେ । ଆଉ ଇନ୍ଦ୍ରଙ୍କୁ ପୂଜା କଲେନି । ଏ ଖବର ଇନ୍ଦ୍ରପୁରରେ ପହଞ୍ଚିବା ପରେ ଉତକ୍ଷିପ୍ତ ହୋଇଗଲେ ଇନ୍ଦ୍ର । ମେଘ ଦେବତାଙ୍କୁ ନିର୍ଦ୍ଦେଶ ଦେଇ ପ୍ରଚଣ୍ଡ ଘଡ଼ଘଡ଼ି, ବିଜୁଳି ସହ ମୂଷଳ ଧାରାରେ ବର୍ଷିବା ଆରମ୍ଭ କଲେ । ଶ୍ରୀକୃଷ୍ଣ ରହସ୍ୟ ବୁଝିପାରି ନିଜ ବାଁ ହାତର କନିଷ୍ଠ ଅଙ୍ଗୁଳିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଲେ ଛତା ଭଳି । ଗାଈଗୋରୁ ସହ ସମସ୍ତ ବ୍ରଜବାସୀ ଗିରି ଗୋବର୍ଦ୍ଧନ ପର୍ବତ ତଳେ ଆଶ୍ରୟ ଗଲେ । ସାତ ଦିନ ଧରି ବର୍ଷି ଚାଲିଲେ ଇନ୍ଦ୍ର । ଭୋକ ଶୋଷରେ ରହିଲେ ବ୍ରଜବାସୀ । ଶେଷରେ ନିଜର ଦୋଷ ବୁଝିପାରିଲେ ଇନ୍ଦ୍ର । ବନ୍ଦ ହେଲା ବର୍ଷା । ମେଘ ଅପସରି ଗଲା । ସୂର୍ଯ୍ୟ ଦେଖା ଦେଲେ । ଏଥର ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ବ୍ରଜବାସୀ ନିଜ ନିଜ ଘରକୁ ଲେଉଟିଲେ । ଗୋବର୍ଦ୍ଧନକୁ ସେଠାରେ ଥୋଇଲେ । ଇନ୍ଦ୍ର ଆସି ଭଗବାନଙ୍କ ନିକଟରେ ନିଜ ଭୁଲ ପାଇଁ କ୍ଷମା ମାଗିଲେ । କୃଷ୍ଣ ହସିଲେ ଓ ନିଜର ଧର୍ମ ପାଳନ ଲାଗି ପରାମର୍ଶ ଦେଲେ ।
ବାହାରେ ହରିନାମ ସଂକୀର୍ତ୍ତନ ସହ ଘରଘର ବୁଲି ଚାନ୍ଦା ସଂଗ୍ରହ କରୁଥିବା ଲୋକଙ୍କୁ ଅଡ଼େଇ ଚାଉଳ, ଡାଲି କିଛି , ପରିବା ସହ ଏକ ଟଙ୍କା ଦେଇ ଫେରିବା ପରେ ଗିରି ଗୋବର୍ଦ୍ଧନ ପୂଜା ସଂପର୍କରେ ନିଜର ପ୍ରତିକ୍ରିୟାରେ ଏମିତି କାହାଣୀ ଶୁଣେଇଲେ ମାଆ । ସେଦିନର ବ୍ରଜବାସୀଙ୍କ ସହ ହୋଇଥିବା ଏଇ ଘଟଣାର ପୁନରାବୃତ୍ତି ହେବା ନେଇ ହତାଶ ଗ୍ରାମବାସୀଙ୍କ କାଳେ ଏଇ ଆୟୋଜନ । ଅନାବୃଷ୍ଟିରେ ଚିନ୍ତିତ ଗ୍ରାମବାସୀ ଇନ୍ଦ୍ରଙ୍କୁ ରଗେଇବା ଲାଗି କରିବେ ପୂଜା । ଇନ୍ଦ୍ର ରାଗିଲେ ଝଡ଼ି ବର୍ଷା ହେବ । ଅନାବୃଷ୍ଟିରେ ପୋଡ଼ି ଯାଉଥିବା ଫସଲ ବଞ୍ଚିବ । ମରୁଡ଼ିରୁ ପ୍ରତିକାର ମିଳିବ । ଏଇ ଆଶାରେ ନାମ ସଂକୀର୍ତ୍ତନ ସହ ଗାଁ ନିକଟରେ ଥିବା ମୁଣ୍ଡିଆ ପାହାଡ଼ ନିକଟରେ ଆରମ୍ଭ ହେଲା ଗିରି ଗୋବର୍ଦ୍ଧନ ପୂଜା । ନାମ ସଂକୀର୍ତ୍ତନ, ହୋମ ଯଜ୍ଞ ସହ ଚାଲିଲା ପର୍ବତ ପରିକ୍ରମା । ଘରଘର ବୁଲି ଆଦାୟ ହୋଇଥିବା ପଇସା, ଡାଲି, ଚାଉଳ ଓ ପରିବାପତ୍ରରେ ଆରମ୍ଭ ହେଲା ରୋଷେଇ । ପୂଜା ସରିଲା । ଗ୍ରାମବାସୀ ପ୍ରସାଦ ସେବନ କରି ଗାଁକୁ ଫେରିଲେ । ଏହାର ଅନେକ ଦିନ ପରେ ବି ବର୍ଷା ହେଲାନି । ଗିରି ଗୋବର୍ଦ୍ଧନ ପୂଜା ହେବା ସତ୍ତ୍ୱେ ବି ଇନ୍ଦ୍ର ରାଗିଲେନି କି ଦାଉ ସାଧିଲେନି । ଝଡ଼ି ବର୍ଷା ତେଣିକି ଥାଉ ଟୋପାଏ ବର୍ଷା ହେଲାନି । ଏକଥା ମାଆକୁ ପଚାରିଲି – “କାହିଁ ଗୋ ମାଆ, ଆମ ଗାଁରେ ହେଲାନି ବର୍ଷା !” ମାଆ କହିଲେ – “ହଁରେ ବାପା ! ଦେଖେ କି ବେଳକାଳ ହେଲା । ଗିରି ଗୋବର୍ଦ୍ଧନ ପୂଜା ପରେବି ହେଉନି ବର୍ଷା । ଘୋର ଅନ୍ୟାୟ କରୁଛନ୍ତି ଏ ଇନ୍ଦ୍ର ଦେବତା ।”
ମାଆଙ୍କୁ ଆଉ ଅଧିକା କିଛି କହିପାରିଲିନି ସେଦିନ । ବିଶ୍ୱାସ ଭିତରେ ବଞ୍ଚୁଥିବା ଲୋକଙ୍କ ଆଶାକୁ ମାରିବା ଭଲ ନୁହେଁ । କିନ୍ତୁ ଅନ୍ୟାୟର ଚରମ ସୋପାନରେ ଯେ ଆମ ମଣିଷ ପହଞ୍ଚି ଯାଇଛନ୍ତି ଏବେ ବୁଝିହେଉଛି ସହଜରେ । ଗାଁ ପାଖରେ ପୂଜା ପାଉଥିବା ଗିରି ଗୋବର୍ଦ୍ଧନ ପାହାଡ଼ ଆଉ ନାହିଁ । ସଢି ଯାଇଥିବା ଘାଆ ପରି ଅଧା ସରିଯାଇଥିବା ପାହାଡ଼ ନିଜର ଧ୍ୱଂସକୁ ଦେଖୁଛି । ବ୍ଲାଷ୍ଟ କରି ବିକାଶର ସୌଧ ଗଢିବା ଲାଗି ପଥର ଖଣ୍ଡ ବୋହି ବୋହି ତାର ଅସ୍ତିତ୍ୱକୁ ଲୋପ କରିସାରିଲେଣି ମଣିଷ । ତା ଚାରିପାଖେ ଗଢି ଉଠିଛି ସ୍କୁଲ, କଲେଜ, ଦମକଳ କେନ୍ଦ୍ର । ଲାଗି ଲାଗି ଉଠିଛି ଧାଡ଼ିକି ଧାଡ଼ି ଘର । ଗିରିର ଅବସ୍ଥା ଏମିତି । ଗାଁ ପାଖକୁ ଲାଗିଥିବା ବନ କୁଆଡ଼େ ଘୁଞ୍ଚିଗଲା ବୁଝିହେଉନି । ଦୂରରୁ ଦୂର ପର୍ଯ୍ୟନ୍ତ ଖାଲି ଜମି, ରାସ୍ତା ଓ ଘର । ରାସ୍ତାକଡ଼ର ଶତାୟୁ ମହାଦ୍ରୁମ ସବୁ ବି ଟଳି ପଡ଼ିଲେଣି । ଅବଶ୍ୟ ବିକାଶର ଉପନିବେଶ ଗାଁ ଭିତରେ ଆସ୍ଥା ଜମେଇ ସାରିଲାଣି । ଅଦୃଶ୍ୟ ଏବେ ଗୋବର୍ଦ୍ଧନ, ଧ୍ୱଂସ ଗିରିବନ । ଗାଁ ଆଉ ଗାଁ ହୋଇନାହିଁ । ମଣିଷ ଆଉ ମଣିଷ ହୋଇ ରହିନାହିଁ । ମଣିଷ ଅନେକ (ଅ)କର୍ମ କରୁଛି, ନିଜର ମାନବୀୟ ଧର୍ମ ପାଳୁନି । ସେଥିପାଇଁ ବୋଧେ ମଣିଷର ମୁର୍ଖାମୀରେ ଇନ୍ଦ୍ର ହସି ହସି ବେଦମ ହୋଇଗଲେଣି ଯେ ରାଗ ତାଙ୍କୁ ଆଉ ଛୁଇଁପାରୁନି । ଇନ୍ଦ୍ରଙ୍କ ଅଟ୍ଟହାସ୍ୟରେ ବର୍ଷା ପୁରାପୁରି ଗାୟବ ହୋଇଯାଇଛି । କେବେ ଫେରିବ ତାକୁ ସଭିଏଁ ଏମିତି ଅପେକ୍ଷା କରି ଅଛନ୍ତି !
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା-୭୬୫୦୦୧, ମୋ – ୯୪୩୭୯୦୯୬୭୧
ଲେଖକ ପରିଚୟ
ବୃତ୍ତିରେ ଶିକ୍ଷକ ମାତ୍ର ନିଶା ହେଉଛି ଲେଖିବା । ଗଳ୍ପ, ପ୍ରବନ୍ଧ, ଫିଚର, କବିତା, ନାଟକ, ଉପନ୍ୟାସ, ଜୀବନୀ, ଶିଶୁ ସାହିତ୍ୟ, ସ୍ତମ୍ଭ ସର୍ବୋପରି ଜନଜାତି ଗବେଷଣା ପ୍ରସୂତ ଲେଖା ଭଳି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖିଛି । ଏଯାବତ୍ ୪ ଟି ଗଳ୍ପ ସଂକଳନ, ୨ ଟି ଉପନ୍ୟାସ, ୩ ଟି ପ୍ରବନ୍ଧ, ୨ ଟି ଆଦିବାସୀ ଗବେଷଣା ପୁସ୍ତକ, ଶିଶୁ କାହାଣୀ ଆଦି ୧୪ ଖଣ୍ଡ ବହି ପ୍ରକାଶିତ ହୋଇଛି । ସମାଜର ସଂଘାତ, ସଂଘର୍ଷ, ଦୁଃଖ ତଥା ଜନଜୀବନର ଚିତ୍ରକୁ ନିଜ ଲେଖା ମାଧ୍ୟମରେ ସବୁବେଳେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଆସିଛି । ଏଇ କ୍ରମରେ ଏବେ ସମୟ ଓ ସମାଜକୁ ନେଇ କିଛି ନିଚ୍ଛକ ଆଲୋଚନା “ସଫା କଥା”ରେ ।
ଦ୍ୱିତୀ ଚନ୍ଦ୍ରଙ୍କ ଏ ରଚନା ସରଳ ମନେ ହେଉଥିଲେ ବି ବେଶ୍ ଭାବଗର୍ଭକ, ଅଯଥାଡମ୍ର ବିହୀନ ଯଥାର୍ଥ ଶବ୍ଦଙ୍କ ଉପସ୍ଥିତି ସହ ବଖାଣ ଅତ୍ୟନ୍ତ ମନୋପୂତ !!
ଖୁବ ବଢିଆ ବାର୍ତ୍ତା, ସମୟ ର ଆହ୍ୱାନ କିନ୍ତୁ ସମୟ ଯେ ଗଡି ଚାଲିଛି
ଅଭିନନ୍ଦନ ଅଜସ୍ର
ସମୟର ଆହ୍ୱାନକୁ ସୁନ୍ଦର ଉପସ୍ଥାପନା, ଅଭିନନ୍ଦନ ଭାଇ
ଖୁବ୍ ବାସ୍ତବତାରେ ଭରା । ଚିନ୍ତା ଶୀଳ ପ୍ରସଙ୍ଗ । ଉପସ୍ଥାପନା ସାରଗର୍ଭକ